ଆତ୍ମବୃତାନ୍ତ
ଆତ୍ମବୃତାନ୍ତ
କଥା କୁହା ଗଛ ଟିଏ
ହେଲେ କହେ ମାପି ଚୁପି
କିଛି ପଚାରିଲେ ଫିକ କରି ହସିଦିଏ
ଡାଳରେ ତାର ପକ୍ଷୀର ଘର
ଘର ଭିତରଟି କେଡେ ସୁନ୍ଦର
ବସା କରିଥାଏ କୋରଡରେ ତାର
କୋଇଲି ଟିଏ
କୁହୁ ତାନରେ ମନ ମୋହିନିଏ
ଗଛରେ ଫୁଟିଛି ଅନେକ ଫୁଲ
ମହକେ ଚଉଦିଗ
କିଏ ଲଗାଇବ ତା'ର ମୂଲ??
ପତରରେ ଭରା ଶାଖା ପ୍ରଶାଖା
ପତ୍ର ଗହଳିରୁ କୁଆ କରେ କା'
"ପାହିଲାଣି ରାତି ହବ ସକାଳ
କାମ ଧନ୍ଦା ବେଳ ହେଇଗଲା
ବେଇଗି ଉଠ ଶେଜ ସୁପାତି
ଫେରିବାକୁ ଅଛି ଯଦି ସହଳ"
ସୁରୁଜ ପାଇଲାଣି ମଝି ଆକାଶରେ
ଥକା ମାରେ ଗଛ ତଳେ ବାଟୋଇ
ଟିକିଏ ଛାଇ ଆଶାରେ
ବୁଢା ଶଙ୍ଖାରିଟି ଗଛ ମୂଳେ ବସି
ପାକୁଆ ପାଟିରେ କରେ ପାକୁଳି
ପାନ ଖଣ୍ଡେ ଆଉ ଚୂନ ଧାପେ
ବୁନ୍ଦେ ସେଥିରେ ରାଉଳଗୁଣ୍ଡି
ସେଇଥିରେ ସିଏ ଖୁସି
ଦିନେ ପଚାରି ବସିଲା
"ଗଛ ରେ ଗଛ !
ରାଣ ଖା ... ନିୟମ ନେ
ସତ କଥାଟି କହିବୁ ଆଜି
ଦୁଃଖ ବୋଲି ତୋର କିଛି ନାହିଁ କିରେ
ସବୁ କଥାରେ ଯେ ଦେଉଛୁ ହସି ?"
ଗଛ କହିଲା "ବୁଝିଲ ସାନ୍ତେ !
ଭାବିଲେ ଦୁଃଖ ନ ଭାବିଲେ ନାହିଁ
ମହାପ୍ରୁଙ୍କ ଦୟାରୁ ଜୀବନଟିଏ ତ ପାଇଛି
କୁଟୁମ୍ବ ମେଳରେ ରହିଛି
କୁଆ କୋଇଲି କୁମ୍ଭାଟୁଆ
ଆସର ଜମାନ୍ତି ନିତି
ଫୁଲ ମାନଙ୍କୁ ଚୁମିଯାନ୍ତି କେତେ ଜାତି ପ୍ରଜାପତି
ସୁରୁଜର ପ୍ରଥମ କିରଣ
ଊଚ୍ଚାଟ କରେ ମୋ ମନ
ଭରଇ ବୁକୁରେ ଆଶା ଓ ବିଶ୍ୱାସ
କାହାର ସାହାରା କାହାପାଇଁ ଛାଇ
ନିଜକୁ ଭୁଲି ମୁଁ ଝୁରେ ପର ପାଇଁ
ମତେ କଇଲାଣ କର ସାଆନ୍ତେ ଆଜି
ଚିର କାଳ ଥାଏ କୁଟୁମ୍ବଲାଗି
କେହି କେବେ ମୋତେ ନ କରୁ ପର
ହରାଭରା ସଦା ରହୁ ମୋ ସଂସାର
ନ ନିଭୁ ଓଠରୁ ମୋ ହସ ଟୋପାକ
ଏଇ ଥାଉ ପୁଞ୍ଜି ଜିଇବାଯାକ
ଚଉଦିଗେ ଉତ୍ସବ ଲାଗି ରହିଥାଉ ଏମିତି
ମହାପ୍ରଭୂଙ୍କ କତିରେ ଏତିକି ମାତ୍ର ବିନତି |"