ବୃକ୍ଷର ଯତ୍ନ ମହତ ଦାନ
ବୃକ୍ଷର ଯତ୍ନ ମହତ ଦାନ
ମଣିଷ ଜିତିଛି ଭାବେ ଜଳସ୍ଥଳ ନଭ ସସାଗରା ଧରା
ନଭଶ୍ଚୁମ୍ବି ଅଟ୍ଟାଳିକା ଗଢି ଖେଳିବ ହାତରେ ଧରି ଜହ୍ନତାରା ।
ପ୍ରକୃତିର ସନ୍ତୁଳନ ପାଇଁ ପଂଚ ତତ୍ତ୍ୱ ସାଗର ବନଗିରି
ଭୂମିରୁ ବ୍ୟାପିଛି ଭୂମା ପଣତରେ ତା'ର ରଖିଛି ଆବୋରି ।
ମୂଲ୍ୟ ତା'ର ବୁଝୁବି ବୁଝେନା ବାହୁବଳେ ହୁଏ ବଳୀୟାନ୍
ସୁନାମୀ କ୍ୟାଟ୍ରିନା ଫୋନି ହୁଡହୁଡ୍ ଆସେ ଫାଇଲିନ୍ ।
ଆଣ୍ଟାର୍କ୍ଟିକା ବରଫ ତରଳେ ସମୟରେ ନହୁଏ ବରଷା
ଗ୍ରୀଷ୍ମପାତ ପାରଦ ବଢୁଛି ଅଂଶୁଘାତ ବୁଡାଏ ଭରଷା ।
ଜଳ ସହ ବାୟୁ ଲୋଡା ଆମ ନାମ ତା'ର ତେଣୁ ଜଳବାୟୁ
ଖାଦ୍ୟ ବିନା ଜୀବନ ସମ୍ଭବ ଜଳବାୟୁ ବିନା କିବା ଆୟୁ !
ବୃକ୍ଷଟିଏ ବଡ ମିତ୍ର ଆମ ଶୋଷି ନିଏ ଅଙ୍ଗାରକାମଳ
ବଦଳରେ ଦିଏ ଅମ୍ଳଜାନ ଦିଏ ପୁଣି ପତ୍ର ଫୁଲ ଫଳ ।
ପତ୍ର ତା'ର ମହୌଷଧି ପରା ଛାୟାଦାନ ତା ମହତପଣ
ପଶୁପକ୍ଷୀ ପାଆନ୍ତି ଆଶ୍ରୟ ଅନ୍ନ ବସ୍ତ୍ର ଗୃହ ଆମ ପୁଣ ।
ପୃଥିବୀର ତିନି ଭାଗ ଜଳ ସ୍ଥଳମଧ୍ୟେ ତିନି ଭାଗ ବନ
ଗଛ କାଟି ଜଙ୍ଗଲକୁ ପଦା କଲେ କାହୁଁ ମିଳିବ ଜୀବନ !
ମଣିଷ ଗୋଟିକ ପାଇଁ ପାଂଚ ଗୋଟି ବୃକ୍ଷ ର ରୋପଣ
ପୁଣି ତା'ର ଲାଳନ ପାଳନ ସମୟର ଏଇତ ଆହ୍ୱାନ ।
ଆଷାଢର ଆଦ୍ୟ ଓଁକାରରେ ଆୟୋଜନ ବନ ମହୋତ୍ସବ
ଗଛ ଲଗାଇଲେ କିବା ଲାଭ କେହି ଯଦି ତାକୁ ନପାଳିବ !
ବଟ ଅଶ୍ୱତ୍ଥର ବିଭାଘର ସଂସ୍କୃତିରେ ହେଉଛି ପାଳନ
ଛାୟାଦାନ ଅମ୍ଳଜାନ ପାଇଁ ସବୁଠାରୁ ମହତ ନିଦାନ l
ବୃକ୍ଷ ମୂଳେ ଜଳଦାନ କର୍ମ ଧର୍ମ ନାମେ ହୋଇଅଛି ବିଧି
ବିଷୁବ ସଂକ୍ରାନ୍ତି ଠାରୁ ଚଉରାରେ ଠେକି ମାସାବଧି ।
ପୂରୁବ ପୁରୁଷ ଆମ ନଦନଦୀ ବୃକ୍ଷକୁ ଦେବତା
ସୁଖ ଦୁଃଖ ପ୍ରତି ମୁହୁର୍ତ୍ତରେ ଦେଉଥିଲେ ପରମ ମାନ୍ୟତା ।
ବୃକ୍ଷ ଆମ ଜୀବନ ନାଟିକା ଆପ୍ତ ବାକ୍ୟ ନଯିବାଟି ଭୁଲି
ବୃକ୍ଷ ଖାଲି ରୋପଣ ନକରି ବଢାଇବା ତାକୁ ଆମେ ପାଳି ।