ସତ୍ୟ
ସତ୍ୟ
ଶିଶୁ କବିତା
ଚାଟୁରିଆ ଖାସିର ବେକକୁ ଧରି
ହାଣିବ ବୋଲି ଚିନ୍ତିଲା
ଖାସିଟି ହାତରୁ ଖସି ପଳାଇଲା
କୁଟୀରରେ ଛପି ଗଲା । 1
କୁଟୀର ବାହାରେ ମହା ଋଷି ବସି
ସାଧନାରେ ଲିପ୍ତ ଥିଲେ
ଚାଟୁରିଆ ଆସି ଋଷିଙ୍କୁ କହିଲା
ଉତ୍ତର ଦିଅ ହେ ଭଲେ । 2
ଋଷି ଜାଣି ଛନ୍ତି ମିଛ ମୁଁ କହିଲେ
ତପସ୍ୟା ହେବ ମୋ ମାଟି
ଋଷି ଚିନ୍ତିଲେ ମିଛ ମୁଁ ନକହିଲେ
ଖାସିକୁ ଦେବ ସେ କାଟି। 3
ଋଷିଙ୍କର ଶିଷ୍ୟ କିଛି ଦୂରେ ବସି
ମୁରୁକି ,ମୁରିକି ହସି
ଋଷି ଏ ପରିସ୍ଥିରେ କଣ କରୁଛନ୍ତି
ଦେଖିବା ହେ ଆମେ ବସି । 4
ଚାଟୁରିଆଟି ଉତକ୍ତ ହୋଇ ଯାଇ
କହିଲା,କୁହ ହେ ଋଷି
ସମୟ ମୋର ଯେ ଗଡି ଯାଉଅଛି
କାଟିବି ଯାଇ ମୁଁ ଖାସି । 5
ଏତିକି ବେଳେରେ ଋଷିଯେ ଚିନ୍ତିଲେ
କଣ ଯେ କରିବି ମୁହିଁ
ଜେଡାଳ ଧରୁଛି ସେ ଡାଳ ଭାଙ୍ଗୁଛି
ଉତ୍ତର ମୋ ପାଶେ ନାହିଁ । 6
ରାତି ପହିଗଲେ ବାର ବର୍ଷ ହେବ
ମହା ମୁନି ହେବି ମୁହିଁ
ପରୀକ୍ଷାରେ ମତେ ପକେଇଦେଲ ହେ
ଉତ୍ତର ମୋ ପାଶେ କାହିଁ । 7
ତମେତ ଭରଷା ଆହେ ମହାପ୍ରଭୁ
କଣ ମୁଁ କରିବି କୁହ
ତମେତ ନାଟକ ତମେତ ନାୟକ
ମତେ ତ ଲାଗୁଛି ଭୟ । 8
ମହାପ୍ରଭୁ ତାଙ୍କୁ ବୁଦ୍ଧି ବତାଇଲେ
ଶୁଣ ମହା ମୁନି ଋଷି
ନୟନ ଦେଖିଲେ କୁହେ ନାହିଁ କଥା
ମୁଖ ଦେଖେ ନାହିଁ ବସି । 9
ଚାଟୁରିଆଟିକୁ ଋଷି ଯେ ବୋଲିଲେ
ଯିଏ ଦେଖେ ,କୁହେ ନାହିଁ
ଆଉ ଯିଏ କୁହେ ସଦା ସର୍ବଦା ସେ
ଆଦୌ ଦେଖି ପାରେ ନାହିଁ । 10
ଚାଟୁରିଆ ଏହି କଥା ଭାବି,ଭାବି
ଫେରିଗଲା ତାର ଘରକୁ
ଜୀବନ ବଞ୍ଚାଇ ମହା ମୁନି ଋଷି
ସତ୍ୟ ଶିଖାଇଲେ ଦୁନିଆକୁ ।11