ପାହାଡିକନ୍ୟା
ପାହାଡିକନ୍ୟା
ନିଭୃତ ଶଇଳ ଷଠିଘର ତୋର
ସୁଧା ଧାରା ବହି କୋଳେ,
ତଳପ ବରଜି ଆନନ୍ଦ ଉଲ୍ଲାସେ
ନାଚି ନାଚି ଯାଉ ଭୋଳେ ॥
ବନ୍ଧୁର ଶିଳାରେ ନାଚିନାଚି ତୁ ଯେ
କଳକଳ ନାଦେ ବହୁ,
ସର୍ପିଳ ପଥରେ ଗିରିବନ ପଦେ
ମନକଥା କହୁଥାଉ ॥
ପ୍ରାଣୀଂକ ଆରତ ଫେଡିଥାଉ ସଦା
ଦେଇ କୃପା ସଂଜିବନୀ,
ଜଳାଧାରେ କେତେ ରଚି ପଂଚବଟୀ
ନାମ ବହିଛୁ ପାବନୀ ॥
ତୋର ଜଳଧାର ନଦୀର ଆକାର
ସଭ୍ୟତା ଗଢିଛୁ କେତେ,
କେତେ ଦେବାଳୟ ତୋଳିଛୁ ଆଳୟ
ଶୋହେ ଧରଣୀ ପୁରତେ ॥
ତୋ ଜଳେ ଭାସନ୍ତି ବିହଂଗମ ଜାତି
କରୁଥାନ୍ତି ପ୍ରେମେ କେଳି,
ପ୍ରଭାତ ଯାମିନୀ ଉଦେ ଦୀନମଣୀ
ସଦା ହେଉଥାନ୍ତି ଭାଳି ॥
ଶୋଭାର ଭଣ୍ତାର ତୋର ଦୁଇକୂଳ
ଅନାବନା ଘାସେ ଫୁଲ,
ଜଳଚରଂକର ଅଭୟାରଣ୍ୟ ତୁ
କିଏ ଦେବ ତୋର ମୂଲ ॥
ବିରହ ଗୀତିକା ଗାଇଗାଇ ତୁ ଯେ
ମିଶିଯାଉ ସିନ୍ଧୁନୀରେ,
ଜୀବ ଜଗତର ଆଶା ବୈତରଣୀ
ବନ୍ଦନୀୟା ତୁ ଧରାରେ ॥
-------ଗୈାରାଂଗ ଚରଣ ବେଉରା--------