ଶ୍ରେଷ୍ଠ ବନ୍ଧୁ
ଶ୍ରେଷ୍ଠ ବନ୍ଧୁ
ଶ୍ରେଷ୍ଠ ବନ୍ଧୁ (କ - ଲ )
କୃଷ୍ଣଙ୍କ ଦ୍ଵାରକା ଦ୍ଵାରେ ଦରିଦ୍ର ସୁଦାମା ,
କର ଯୋଡ଼ିଣ କୁହନ୍ତି ଗୁହାରୀ ଶୁଣିମା ।
ଖରେ ଖେପିଣ ଆସିଲେ ଦ୍ଵାରକା ନରେଶ ,
ଖରେ ଆସିଅଛି ମିତ୍ର କାରଣ ଯେ କିସ ।
ଗୌର ତନୁ ହୋଇଅଛି କଳାକାଠ ତାର ,
ଗ୍ରୀବା ମସ୍ତକୁ ଝରଇ କେତେ ଶ୍ରମ ଝାଳ ।
ଘର୍ମ ଝାଳକୁ ପୋଛିଣ ଦେଲେ ସ୍ଵହସ୍ତରେ ,
ଘଟେ ଘେନି ଜଳ ପଦ ପ୍ରକ୍ଷାଳନ କଲେ ।
ନୀର ନୟନେ ଭରିଣ ବୋଇଲେ ବଚନ ,
ନାହିଁ ପ୍ରୟୋଜନ ମୋର ରତ୍ନ ସିଂହାସନ ।
ଚର୍ମ ଚକ୍ଷୁ ଦେଖିଲାଟି ବନ୍ଧୁର ଦୁର୍ଦ୍ଦଶା,
ଚିତ୍ତ କାହାର କରିବ ବନ୍ଧୁରେ ଭରସା ।
ଛବି ଭାସେ ମାନସରେ ବାଳୁତ କାଳର ,
ଛିନ୍ନ ହୋଇଗଲା କେହ୍ନେ ବନ୍ଧନ ଆମର ।
ଜଗତରେ ନାହିଁ ମୋହ ସମ ହୀନ ଜନ ,
ଜନ୍ମେ ଜନ୍ମେ ହେବ ନାହିଁ ମୋ ପାପ ମୋଚନ ।
ଝିନ ବସନେ ପୋଛିଲେ ସୁଦାମା ପୟର ,
ଝର ଝର ଝରୁଥାଏ ଚାରି ଚକ୍ଷୁ ଜଳ ।
ନୟନରେ ନୀର ଦେଖି ଏକ ଆରେକର,
ନ ଝରାଅ ଅଶ୍ରୁ କହି ହୋଇଲେ ଆକୁଳ ।
ତ୍ଵରିତେ ସୁଦାମାଙ୍କୁ କୃଷ୍ଣ ନେଲେକ ପାଛୋଟି ,
ତାଙ୍କ ରତ୍ନ ସିଂହାସନେ ବନ୍ଧୁଙ୍କୁ ବସାନ୍ତି ।
ଥର ଥର କଣ୍ଠେ ଦାମ ନ ପାରଇ କହି,
ଥାପି ମଥା କୃଷ୍ଣ ହୃଦେ ଧନ୍ୟ ହୁଏ ସେହି ।
ଦରିଦ୍ର ଦାମା କୃଷ୍ଣଙ୍କ ବାଲ୍ୟ ବନ୍ଧୁ ବୋଲି ,
ଦେଖ କେତେ ମହନୀୟ ତାର ଭାଗ୍ୟ ଡୋରି ।
ଧନ୍ୟ ଧନ୍ୟ ସୁଦାମାରେ ଏଡ଼େ ପୂଣ୍ୟବନ୍ତ,,
ଧରା ଧାମେ ଖ୍ୟାତ ତୁହି କୃଷ୍ଣଙ୍କର ମିତ ।
ନବାନ୍ନ ପରସି ଦେଲେ କୃଷ୍ଣ ପାଟରାଣୀ ,
ନକରି ସଂକୋଚ ଭୁଞ୍ଜ କହିଲେ ରୁକ୍ମିଣୀ ।
ପର୍ୟଙ୍କରେ ପହଡି଼ଲେ ଦାମ-ଦାମୋଦର ,
ପଥଶ୍ରାନ୍ତ ବନ୍ଧୁ କୃଷ୍ଣ ସେବନ୍ତି ପୟର ।
ଫେରିଣ ଫେଡ଼ନ୍ତି ବେନି ଜନେ ବାଲ୍ୟକାଳ,
ଫେନନିଭ ଜଳେ କେଳି , ଜମୁନାର ଜଳ ।
ବୋଲନ୍ତି ଗୋବିନ୍ଦ ସଖା ଦିଅ ଉପହାର ,
ବନ୍ଧୁ ପତ୍ନୀ ଦେଇଥିବେ କର ହେ ବାହାର ।
ଭାଳିଣ ଲଜ୍ଜାକୁ ମୂଖେ ନ ସ୍ଫୁରେ ବଚନ ,
ଭେଟି ଆଣିଛନ୍ତି ଖୁଦଭଜା ପୋଷେ ପୁଣ ।
ମୂଖେ ମୋହନୀ ମଖାଇ ମଦନମୋହନ ,
ମାଗଣ କରି ଭୁଞ୍ଜିଲେ ହରଷ ହୋଇଣ ।
ଯଜ୍ଞ ତପଶାଳା ଏହି ସଂସାରଟି ଜାଣ ,
ଯାହାକୁ ଯେ ଯଦୁପତି କରନ୍ତି ଭିଆଣ ।
ରଜ ଯାହାଙ୍କ ପଦର ଦେବଙ୍କ କାମନା ,
ରଙ୍କ ସୁଦାମା ଲଭିଲା ତାହାଙ୍କ କରୁଣା ।
ଲୟ ରଖିଥିଲେ ଚିତ୍ତେ ସେହି କରିତ୍ କର୍ମା ,
ଲଭିବା ଲୋଡି଼ଲେ ତାଙ୍କୁ ହୋଇଣ ସୁଦାମା ।