ପ୍ରେମ ଓ ପ୍ରତୀକ୍ଷା
ପ୍ରେମ ଓ ପ୍ରତୀକ୍ଷା
ପ୍ରାଚୀ ତଟେ ଉଷା ଆଗମନେ,
ନବରବି ର ନବାଂଶୁ ଲାଲିମାରେ,
ଆହା , କି ସୁନ୍ଦର ନଭ ,
ରଂଗୀନ , ସୁଶୋଭିତ,
ଲାଜୁଆ ପଦୁଅଁ ,
ସରସୀ ଜଳେ ,
ନବାଂଶୁ ପରଶେ,
ଲାଜେଇ ହସେ ।
ଆଗୋ ଶତଦଳ ,
ତୁମରି ହସେ , ଧରା ଯେ ହସେ,
ତୁମକୁ ଦେଖି ସୂରୁଜ ହସେ ,
ଯାହା ପଥ ଚାହିଁ ବସିଥାଅ ପ୍ରତୀକ୍ଷାରେ,
ବିନିଦ୍ର ରଜନୀ କାଟି ଉଜାଗରେ ,
ସେଇ ତ ତୁମରି ପ୍ରିୟ ,ବନ୍ଧା ସେ ତୁମ ପ୍ରେମ ବନ୍ଧନେ ।
ପ୍ରତିଚୀ ତଟେ , ସଞ୍ଜ ନଇଁ ଆସେ,
ବାଦଲ ଉହାଡେ ତାରକା ଗହଣେ ,
ଜହ୍ନ ଯେବେ ଫିକ୍ କରି ହସିଦିଏ ,
ମାନିନୀ କଇଁ ତାକୁ ଦେଖି ମୁହଁ ଫେରାଏ,
ଜୋଛନା ଢାଳି ଜହ୍ନ ହସି ଦିଏ ,
ଜୋଛନା ପରଶେ , କଇଁ ତନୁ ମନ ଶିହରି ଯାଏ,
ପ୍ରିୟ ମୁଖ ଚାହିଁ କଇଁ ଲାଜେଇ ଯାଏ ।
ସରସୀ ଜଳେ , ଚାନ୍ଦକୁ ଦେଖେ ସେ ନିଜ ପାଶେ ପାଶେ ।
କଇଁ ଲୋ କଇଁ ,
ଚାନ୍ଦ ଯେ ତୋତେ କରିଛି ନିଜର,
ତୁ ଯେ ତାକୁ କରିଛୁ ଅତି ଆପଣାର ,
ତୁ ତା ପ୍ରେୟସୀ, ସିଏ ତୋ ପ୍ରେମିକ,
ତା ବିନା କଟେନି ତୋ ସାରାଦିନ,
ଦେଖିଦେଲେ ତାକୁ , ଭୁଲି ତୋ ମାନ ଅଭିମାନ,
ଚାହିଁ ଥାଉ ତୁ ଏକ ଲୟରେ ,ତୋତେ ଚାହିଁଥାଏ ଚାନ୍ଦ,
ନୀଳ ଆକାଶେ ଜହ୍ନ ତା ଜୋଛନା ଢାଳେ ,
ତାକୁ ଦେଖି ଦେଖି ତୋ ରାତି ପାହିଯାଏ ।
ସୂରୁଜ ସାଥେ ଥାଏ ପଦୁଅଁ ,
କଇଁ ସାଥେ ଥାଏ ଚାନ୍ଦ ,
ଥିଲେ ଯେତେ ଦୂରେ , ଅତୁଟ ସେ ପ୍ରେମ ବନ୍ଧନ,
ଧନ୍ଯ ସେ ଶାଶ୍ଵତ ପ୍ରେମ, ଧନ୍ଯ ସେ ବନ୍ଧନ ,
ଯୁଗ ଯୁଗ ଧରି ନାହିଁ ଯେ ସେଇ ପ୍ରତୀକ୍ଷାର ଅନ୍ତ ।