ବିଚିତ୍ର ଶବ୍ଦ ସେ ମାଆ
ବିଚିତ୍ର ଶବ୍ଦ ସେ ମାଆ
ମାଟିରୁ ଆକାଶ ଆକାଶରୁ ମାଟି
ସେ ବ୍ୟାପ୍ତ ସର୍ବ ଚରାଚର,
ନରରୁ ଗନ୍ଧର୍ବ ପଶୁ ପକ୍ଷୀ ମଧ୍ୟେ
ପରିଚୟ ଶ୍ରେଷ୍ଠ ତା'ର ।
ଭୂମିଠାରୁ ଭୂମା ଯୁଆଡେ ଚାହିଁଲେ
ତା ମୁହଁ ଦିଶୁଥାଏ,
କେମିତି କହିବି ଭୂମିରେ ପଡିଲି
ତାକୁ ଖାଲି ଦେଖୁଥାଏ ।
ବ୍ରହ୍ମା,ବିଷ୍ଣୁ ଆଉ ମହେଶ୍ୱର ମିଶି
କରିଥାନ୍ତି ଯେଉଁ କାମ,
ଦେବତା ନୁହଁଇ ମର୍ତ୍ତ୍ୟର ମାନବୀ
କରେ ଭାବି ତା'ର ଧର୍ମ ।
ରାଜଉଆସରେ ସୁନା ଝୁଲଣାରେ
ଝୁଲେ କିଏ ଭାଗ୍ୟବଳେ,
ମୁଁ ବି କମ୍ ନୁହେଁ ନିତି ଝୁଲୁଥିଲି
ଶୋଇ ମୋର ମାଆ କୋଳେ ।
ଅମୃତରସ୍ଵାଦ ଦେବାଦେବୀ କାଳେ
ଚାଖିଲେ କୃଷ୍ଣ ହସ୍ତରୁ,
ବଡ଼ ଭାଗ୍ୟମୋର ନିତି ମୁ ପାଉଛି
ଅମୃତ ମାଆ ପାଖରୁ ।
ନିଶି ପାହିଗଲେ ଆଖିଦେଖେ ମୋର
ପ୍ରଥମେ ମାଆର ମୁହଁ,
ଯାଏନି ମନ୍ଦିର ଦିଅଁ ଦରଶନେ
ସଦା ଦେବୀ ଉଭା ମୋର ଗୃହ ।
ମାଆର ପ୍ରସାଦୁ ବିପଦ ଆପଦ
ବହୁଦୂର ଚାଲିଯାଏ,
ମୋମାଆକୁ ଦେଖିଲେ ବିପଦ ରାକ୍ଷସ
ମୋତେ ତ ଚାହିଁ ନ ଥାଏ ।
ମୋର ହସହସ ମୁହଁକୁ ଦେଖିଲେ
ମୋ ମାଆ ହସୁଥାଏ,
ମୋ ପେଟ ପୁରିଲେ ମୋତେ ଚାହିଁ ଦେଲେ
ମୋ ମାଆ ପେଟ ଭରିଯାଏ ।
ନୂଆ ବସ୍ତ୍ର ଖଣ୍ଡେ ମୋତେ ସେ ପିନ୍ଧାଇ
ବଡ଼ ଆନନ୍ଦିତ ହୁଏ,
ତା ଚିରା ପଣତ ଶ୍ରୀମନ୍ଦିର ନେତ
ଭଳି ମୋତେ ଲାଗୁଥାଏ ।
ମୋତେ ଗର୍ଭେ ଧରି ନଅ ମାସ ଯାକ
କେତେ ଯେ ଯାତନା ସହେ,
ମାତୃତ୍ୱ ଟିକିଏ ପାଇବା ପାଇଁ ସେ
ପୁନର୍ଜନ୍ମ ପାଇଯାଏ ।
ତା ହାତ ଅମୃତ ତା କୋଳ ସରଗ
ପାଏ ନାହିଁ କେଉଁଠାରୁ,
ତା ଓଠର ମଧୁ କଥା ଝଙ୍କୃତ
ହୁଏ ମମତାର ସେ ସିନ୍ଧୁରୁ ।
ମଧୁଠୁ ମଧୁର ଅମୃତଠୁ ବଳି
ବିଚିତ୍ର ଅଟେ ଏ ଧରାରେ,
ସଭିଙ୍କ ପାଇଁ ସେ ଅଦ୍ଭୁତ ଶବ୍ଦଟେ
ଦେବୀଠାରୁ କମ୍ କେଉଁ ଗୁଣରେ ।
ବାତ୍ସଲ୍ୟ ମମତା ଅଜାଡି ଦିଏ ସେ
ପ୍ରତିଦାନ ତ ନ କରି,
ତା ପାଦପଦ୍ମରେ କୋଟି ପ୍ରଣତି
ଦିନବିତୁ ତାକୁ ସ୍ମରି।
ପ୍ରଣତି ମହାପାତ୍ର
ବାଲେଶ୍ଵର