ଶୂନ୍ୟ ଚଉକି
ଶୂନ୍ୟ ଚଉକି
ଶୂନ୍ୟ ଚଉକି
ତୁମରି ବନ୍ଧୁତ୍ଵ,ସାନ୍ନିଧ୍ୟ,
ପ୍ରେମ ଆଉ ଅନ୍ତରଙ୍ଗତା ପାଇଁ ମୁଁ ପଡିଥାଏ ଗୋଟେ ସରଳ ଆଉ ସାବଲୀଳ ଆରୋହଣ ପାଇଁ ଠିକ୍ ଯେମିତି ବୋଉ କୋଳ!
ମୁଁ ମରୁପ୍ରାୟ ହୋଇ ଥାଏ ତୁମ ସ୍ପର୍ଶ ବିନା!
ଅସଲରେ ସ୍ଥାଣୁ,ପଙ୍ଗୁ,ଅଥର୍ଵ ମୁଁ
ତମେ ଯେମିତି ନେତାଙ୍କ ବିନା!ମୋ ଦେହ ପୁରୁଣା ହେଲେ ବି ତୁମେ ମୋତେ ହିଁ ନିର୍ଵାଚିତ କର,ସାଇତି ରଖ,କାରଣ ଯେତେ ଯେତେ ସାରସ୍ଵତ କୃତି ଅଥବା କିମ୍ବଦନ୍ତୀ କିଛି,ଆଉ କିଛି ଇତିହାସର ପୃଷ୍ଠା,ମାଟି ତଳ ହରପା ଭଳି ସଭ୍ୟତାର ମୁଁ ହିଁ ତ ନମୁନା!ପ୍ରଗତି ଆଉ ସହାବସ୍ଥାନର ସନ୍ତକ!
ଯଦିଓ ମୁଁ ତୁମ ଜୀଵନର ସ୍ପନ୍ଦନ ବହନ କରେ,ତୁମେ କେଵେ ମୋ ପରି ମୂକ ଆଉ ଜଡ ହେଇଯାଅ ତଥାପି ତୁମ ଆଶ୍ରୟକୁ ତୁମେ ସ୍ବୀକାର କରନା!
ତମ ନିଃସ୍ଵତା ଆଉ ତୁଚ୍ଛ ଭାବର ମୁଁ ହିଁ ତ ସାକ୍ଷୀ!
ଵେଳେଵେଳ ତୁମ ଅନ୍ଧ ପ୍ରୟାସର ଭଙ୍ଗିମା ମୋ ଭିତରକୁ ଓହ୍ଲାଇ ଆସେ!ମୁଁ ମୋ ପାର୍ଥିଵତ୍ବକୁ ଅପଵ୍ୟୟ କରିବାକୁ ଚାହେଁ ଠିକ୍ ତୁମ ପରି!
ସଦେଇ ଜେନାର ସାମର୍ଥ୍ୟକୁ ଉପହାସ କରେ!ଵର୍ଷଵର୍ଷର ସଞ୍ଚିତ ଅର୍ଥରେ ସେ ତିଆରି କରେ ମୋ ପରି ଆଉ ଏକ କାଠ ଚଉକି!
ତା ଦୁଇ ବାହୁକୁ ଡେରି ପକାଇ ଆସୀନ ହୁଏ ତା ଜେଜେପା ପରି!
ସେଇ ପଳାୟନ ସମୟକୁ ଡାକେ ହାତ ଠାରି ଜେଜେପାର ଜମିଦାରକୁ ଶୁଙ୍ଘି ଦି ବିଘା ଜମି ଉପରେ ରାଜତ୍ଵ କରିବାର ଅଭିପ୍ରାୟ କରି ତା ଚଉକିରେ ବସେ!ପୁଣି ଓଳିତଳେ ହଜୁର କହି ହାତ ମନ୍ଥି ଠିଆ ହୁଏ!
ତାର ଚିନ୍ତା କଳ୍ପନା ପ୍ରତିବିମ୍ଵିତ ହୁଏ ସେଇ ଶୂନ୍ୟ ଚଉକି ଉପରେ!
ତାର ମଳିନ ଦେହ ହାହାକାର କରେ!ତାର ଆସ୍ପର୍ଦ୍ଧାର ପୀଡ଼ନ ମୁଁ ଅନୁଭଵ କରେ!
ସେଦିନ ଗାନ୍ଧିଜୀଙ୍କ ହତ୍ୟା ପରେ ମୋତେ କାରାଗାରରେ ବନ୍ଦୀ କଲାପରି ସଜେଇ ଥିଲେ ଠିକ୍ ଗଦେଇ ଜେନା ତା ଜେଜେବାପାଙ୍କ ଶୂନ୍ୟ ଚଉକିକୁ କପଡା ଘୋଡାଇ ସାଇତିଲା ପରି!ଜେଜେବାପାଙ୍କ ଆକୃତିର ନମୂନା ନିଜ ଦେହରେ ପରଖି ନେଇ ହତାଶ ହେଲା ପରି ତୁମେ ହତାଶ ଆଉ ଉପହାସିତ ହୁଅ ଅନୁକରଣ କରି ମୋ ଉପରେ ଉପଵେସନ କଲା ପରେ!ଵହୁ କ୍ଷୁଦ୍ର ଚିନ୍ତାକୁ ଅନୁସରଣ କରି ତୁମେ ନିଜ ପରି ନହେଵାର କାଇଦାକୁ ମୁଁ ଦେଖିଛି !
ମୋ ପରି ଆଜି ତମେ ଅଥର୍ବ ପ୍ରାଣହୀନ!ତୁମଠୁ ବା କଣ ଆଶା କରାଯାଇ ପାରେ!
ସୁନୀତି ଦେବୀ