ତୁମେ କଣ ପାରିବନି
ତୁମେ କଣ ପାରିବନି
ତୁମର ସେ କଥାକୁହା ଆଖିର ଚାହାଣି
ଅମାନିଆ ମନକୁ ମୋ କଲା ଆନ୍ଦୋଳିତ
ଅଙ୍ଗେ ମୋର ଅନଙ୍ଗର ଶତ ଶର ଜ୍ୱାଳା
ଶବ୍ଦ ଖୋଜି ପାଏନା ମୁଁ କରିବାକୁ ବ୍ୟକ୍ତ ॥
ମୋହନ ବଂଶୀର ସ୍ୱନ ଶୁଣି ରାଧାରାଣୀ
ଯେପରି ଅସ୍ଥିର ଯିବା ପାଇଁକି ଯମୁନା
ତୁମ ସେ ଚାହାଣି କାହ୍ନା ବଂଶୀ ସ୍ୱନ ସମ
ଅସ୍ଥିର କରେ ହୃଦୟ ହୁଏ ଆନମନା ॥
ଯମୁନା କୂଳେ କଦମ୍ବ ମୂଳେ ରାଧାକୃଷ୍ଣ
ମିଳନର ଦିବ୍ୟ ପ୍ରେମ ପଡଇ ଉଚ୍ଛୁଳି
ହେଲେ ତମେ ଶୁଣନା ମୋ ହୃଦୟର ଡାକ
ଆସନା ତ କେବେ ମନ ଯାଏ ମୋ ମଉଳି ॥
ଚାନ୍ଦ ଆଉ କୁମୁଦର ପ୍ରୀତି ସମ ଆମ
ପ୍ରେମ କଣ ରହିଯିବ ଚିରଦିନ ପାଇଁ
ସେ ଦୁହିଁଙ୍କ ମଧ୍ୟେ ସିନା ଦୂରତା ବାଧକ
ଆମେ କିମ୍ପା ରହିଯିବା ପରସ୍ପରେ ଚାହିଁ ?
ପ୍ରେମ ତ ମାନେନା ଜାତି ଧର୍ମ ଭେଦଭାବ
ବୁଝେନା ସେ କିଏ ଧନୀ କିଏ ବା ଗରିବ
ତୁମେ କଣ ପାରିବନି ସେ ପ୍ରାଚୀର ଡେଇଁ
ହେବନି କି ଆମ ପ୍ରେମ ଏ ଜନ୍ମେ ସମ୍ଭବ ?
*****