Madhu mita

Thriller

3.6  

Madhu mita

Thriller

ୟେସ ସାର

ୟେସ ସାର

8 mins
124


ରାତ୍ରୀ ଧୀରେ ଧୀରେ ଗଭୀର ହେବାକୁ ଆରମ୍ଭ କଲାଣି..!!ଅଦିନିଆ ବର୍ଷା ସାଂଗକୁ ତୁହାକୁ ତୁହା ବିଜୁଳି ଓ ଘଡ଼ଘଡ଼ିର ସମାନ୍ତରାଳ ଆଗମନ ପରିବେଶକୁ ଆହୁରି ଗମ୍ଭୀର କରି ଦେଉଥାଏ..ରୁମମେଟ୍ ପିଟର ନିଜର ଜଣେ ବନ୍ଧୁ ଘରକୁ ଯାଇଥିବାରୁ ଘରେ ସମ୍ପୂର୍ଣ୍ଣ ଏକା ରହିଯାଇଥିଲା ହେରୀ..


ହେଃ..ଆଜି ପରିକା ପାଗରେ ପିଟର ରାତିରେ ଆସିବନି..!!ଏତିକି ଭାବିବା ବେଳକୁ ବର୍ଷା ପବନ ଯୋଗୁଁ ଲାଇନ୍ କଟି ଯାଇଥିଲା..!!ବ୍ୟାଚଲର ପିଲା..ଇଞ୍ଜିନିୟରିଂ ପଢିବାକୁ ଏକା ଘରଦ୍ୱାର ଛାଡ଼ି ଆସି ରହିଛନ୍ତି..ଆଉ ସେମାନେ କଣ ମହମବତୀ କି ଲଣ୍ଠନ ନିଜ ପାଖରେ ରଖିଥାନ୍ତେ..!!??ଅତଏବ ନିଜ ମୋବାଇଲ ଆଲୁଅରେ ବେଡ୍ ରୁମକୁ ଆସି ତାକୁ ସଂଲଗ୍ନ ଥିବା ଝରକାଟି ଖୋଲି ଦେଲା ହେରୀ..!!କିଛି ନ ହେଲେ ଥଣ୍ଡା ପବନ ଟିକେ ତ ଆସିବ..!!


ଦଲକାଏ ଥଣ୍ଡା ପବନ ସହ ଅସରାଏ ବର୍ଷା ମଧ୍ୟ ଆସି ହେରୀର ଗୋଡ଼କୁ ଭିଜେଇ ଦେଲା..କିନ୍ତୁ ତାର ସେଥିପ୍ରତି ନଜର ନ ଥାଏ..ବରଂ ତା ନଜର କେନ୍ଦ୍ରୀଭୂତ ହୋଇଥାଏ ସେ ଉଜ୍ଜ୍ୱଳ ଆଲୋକଟି ଉପରେ ଯାହା ସମାନ୍ତରାଳ ଭାବେ ଦୂରରୁ ହାଲକା ହାଲକା ଦେଖା ଯାଉଥିଲା।ବୋଧହୁଏ କାହା ଘରର ଲାଇଟ୍ ନା ଆଉ କିଛି??


ଭାବନାରେ ପୂର୍ଣ୍ଣଛେଦ ପକାଇ ବିଜୁଳି ଆଲୋକରେ ଝାପସା ଦିଶୁଥିବା ଆଉ ଗୋଟିଏ କ୍ଷୀଣ ଆଲୁଅ ଗଛତଳେ ଥିବା ଛାୟାମୂର୍ତ୍ତି ଉପରେ ସନ୍ଧାନର ଦୃଷ୍ଟିକୁ ଟାଣି ନେଉଥିଲା।ଲୋକଟି ବୋଧହୁଏ ସିଗାରେଟର ମଜା ନେଇଥିଲେ..!!ହଠାତ୍ ଏକ ମୋଟର ସାଇକେଲ ଆସି ତାଙ୍କ ପାଖରେ ରହିଲା ଓ ଦୁଇଜଣ ଗାଡିରୁ ଓହ୍ଲାଇ ଗଛତଳକୁ ଗଲେ..ତିନିଜଣଙ୍କ ଭିତରେ କିଛି ବାର୍ତ୍ତାଳାପ ହେଲା ଆଉ ତା ପରେ ସେ ବାଇକ୍ ଆରୋହୀମାନେ ଆଗେଇଗଲେ ଗାଡ଼ି ଦିଗରେ..!!


କିନ୍ତୁ...ଓଦା ହୋଇଯାଇଥିଲା କି କଣ..ଗାଡ଼ିଟା ଜମାରୁ ଷ୍ଟାର୍ଟ ହିଁ ହେଲାନି।ସେ ବ୍ୟକ୍ତିମାନେ ନିଜ ମୋବାଇଲ ଲାଇଟ୍ ଲଗେଇ ଗାଡ଼ିକୁ ତନ୍ନ ତନ୍ନ କରି ପରଖିବାକୁ ଲାଗିଲେ।ଆଉ ହେରୀ ସେହି ଆଲୁଅରେ ଠିକ୍ ଦେଖି ପାରିଥିଲା ଗାଡ଼ିର ନମ୍ୱର ପ୍ଲେଟ୍..!


କିଛି ଚେଷ୍ଟା ପରେ ଗାଡ଼ି ଷ୍ଟାର୍ଟ ହେଲା ଓ ବାଇକ ଏବଂ କାର ଦୁଇ ବିପରୀତ ଦିଗରେ ଆଗେଇ ଗଲେ..କିଛି ସମୟ ମଧ୍ୟରେ ଲାଇନ୍ ମଧ୍ୟ ଆସିଯାଇଥିଲା ଓ ହେରୀ ଶୋଇ ଯାଇଥିଲା..କିନ୍ତୁ ପୁରା ଭୁଲି ଯାଇଥିଲା ଝରକା ବନ୍ଦ କରିବାକୁ..


ପରଦିନ ସକାଳୁ ଅଧା ନିଦରେ ଉଠି ଟିଭି ଲଗେଇ ଚା ତିଆରି କରିବାକୁ ଲାଗିଲା ହେରୀ..ଆଉ ବ୍ରେକିଂ ନିଉଜ ଶୁଣିଲା..


"ଗତକାଲି ମହତାବ କଲୋନୀ ପାଖରେ ଏକ ରୋୟାଲ୍ ଏନଫିଲଡ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି ଏବଂ ତାର ଚାଳକ ଗୁରୁତର ଅବସ୍ଥାରେ ମହତାବ କଲୋନୀ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି..ତାଙ୍କ ପରିଚୟ ଏଯାଏଁ ମିଳିନି"


ହେରୀ ହାତରୁ ଚା କପ୍ ଖସିଗଲା..ଯେତେବେଳେ ସେ ଗାଡ଼ି ନମ୍ବର ଟିଭିରେ ଫ୍ଲାସ ହେବା ଦେଖିଲା..


"ଆରେ..ଇୟେ ତ ସେହି ବାଇକ୍ ଯାହା କାଲି ରାତିରେ ମୁଁ ଦେଖିଥିଲି..ଆଉ ଆମ ଏରିଆରେ ଅକ୍ସିଡେଣ୍ଟ ହୋଇଛି ମାନେ ସେମାନେ ଏଇଠୁ ବେଶୀ ଦୂର ଯାଇ ପାରିଲେନି..କିନ୍ତୁ..?ସେମାନେ ତ ଦୁଇଜଣ ଥିଲେ।ଆଉ ନିଉଜ ଅନୁସାରେ ଜଣେ ମାତ୍ର ଆହତ ଅଛନ୍ତି।ତେବେ ଆର ବ୍ୟକ୍ତିଜଣକ କୁଆଡେ ଗଲେ??


ଏକ ଅହେତୁକ ଭୟ ଏବଂ କୌତୁହଳ ସହ ମାନବିକତା ଦୃଷ୍ଟିରୁ ଥରେ ହସପିଟାଲ ଯିବାକୁ ବାହାରିଲା ହେରୀ।କିନ୍ତୁ ତାକୁ କେହି ଭିତରକୁ ଯିବାକୁ ଅନୁମତି ଦେଲେନି।କାହାକୁ ଆଉ ଅଧିକ କିଛି ନ କହି ଘରକୁ ଫେରି ଆସିବା ବେଳେ ହଠାତ୍ କିଛି ଭାବି ପୂର୍ବ ରାତିର ସେହି ଗଛ ପାଖରେ ସେମିତି ବାଇକ୍ ରଖିଲା ଯେମିତି ରାତିରେ ରୟାଲ ଏନଫିଲଡ ରଖା ହୋଇଥିଲା।ଉପରକୁ ନିଜ ଝରକା ଆଡେ ଦେଖି ପରଖିବାକୁ ଲାଗିଲା ପ୍ରକୃତରେ ସେ ଲୋକମାନେ କାଲି କେଉଁଠି ଠିଆ ହୋଇଥିବେ..!!


ଚାରି ପାଞ୍ଚଥର ଏପଟ ସେପଟ ହୋଇ ନିଶ୍ଚିତ ହେଲା ସେ ଜାଗାଟା।କିନ୍ତୁ ସେହି ଜାଗା ଉପରେ ଠିଆ ହୋଇ ତଳକୁ ଦେଖିଲା ପରେ ନିଜ ଆଖିକୁ ବିଶ୍ୱାସ କରି ପାରିଲାନି..


"ଏ କଣ?ଲେଡିଜ୍ ଗୋଲଡ୍ ରିଂ??"କହି ତଳେ ପଡ଼ିଥିବା ସୁନ୍ଦର କାରୁକାର୍ଯ୍ୟର ସୁନାମୁଦିକୁ ହାତରେ ଉଠେଇଲା ..ଆଉ ରୁମକୁ ଚାଲି ଆସିଲା।


ତା ମନରେ କେତେ ଯେ ଝଡ଼ ଉଠୁଥିଲା..ତାହା କାହା ଆଗରେ କହିବ..!! ଏକଥା ଭାବୁ ଭାବୁ ସବୁକଥା ଖୋଲି କହିଦେଇଥିଲା ପିଟର ଆଗରେ..


"ମୁଦିଟା ଦେଖେଇଲୁ.."କହି ପିଟର ମୁଦିକୁ ଭଲ କରି ଦେଖି ତା ପଛରେ ଥିବା ହଲମାର୍କରୁ ଜାଣି ପାରିଲା କେଉଁ ଦୋକାନରୁ ତାହା କିଣା ଯାଇଛି।ଦୁଇ ବନ୍ଧୁ ସେ ମୁଦିର ମାଲିକ ବିଷୟ ଜାଣିବାକୁ ସେହି ଦୋକାନକୁ ବାହାରିଲେ।ଯାହା ହେଲେ ମଧ୍ୟ କଥାଟା ଯେ ଜମାରୁ ସହଜ ଲାଗୁ ନ ଥିଲା।


ଦୋକାନୀ ମାଲିକ ଟିକେ ନିରେଖି ଦେଖି ପଚାରିଲେ ଏହି ମୁଦି ସେମାନେ କେମିତି ଆଉ କେଉଁଠୁ ପାଇଲେ..? ହେରୀ କହିଲା ରାସ୍ତାରେ ଏଇଟା ମିଳିଲା।ତେଣୁ ସେମାନେ ସେ ମୁଦି ମାଲିକକୁ ଫେରାଇ ଦେବାକୁ ତାଙ୍କ ଠିକଣା ମାଗୁଛନ୍ତି।କିନ୍ତୁ ତାଙ୍କ ନାମ କି ଠିକଣା କହିବାକୁ ଦୋକାନୀ ଜମାରୁ ରାଜି ହେଲେନି।


"କଣ କରିବା ପିଟର?"ହେରୀ କହିଲା.."ମୁଁ ଭାବୁଛି ଆମେ ଯଦି ଜଣେ ପ୍ରଫେସନାଲ ଯାସୁସ୍ ପାଖକୁ ଯିବା ତେବେ ବୋଧହୁଏ ଭଲ ହେବ।କଣ କହୁଛୁ?"


ତା କଥାରେ ପିଟର ମଧ୍ୟ ଖୁସି ହୋଇଗଲା ଆଉ ଦୁହେଁ ପ୍ରଥମେ ସେ ସହରର ସବୁଠାରୁ ବଡ଼ ଡିଟେକ୍ଟିଭ୍ ମିଷ୍ଟର୍ ଫର୍ଣାଣ୍ଡିସଙ୍କ ଫୋନ୍ ନମ୍ୱର୍ ଆଉ ଠିକଣା ଆଣି ତାଙ୍କ ସହ କଥା ହୋଇଯିବାକୁ ଆଗେଇଲେ।


"କେଶ୍ ନେବି।ଆଉ ଫିଫ୍ଟୀ ପର୍ଶେଣ୍ଟ ଆଡଭାଂଶ.."କହିଲେ ମୀଷ୍ଟର ଫର୍ଣାଣ୍ଡିଶ୍..


କିନ୍ତୁ ହେରୀ କି ପିଟର ପାଖରେ ପର୍ଯ୍ୟାପ୍ତ ଅର୍ଥ ନ ଥିଲା ତାଙ୍କ ସମ୍ପୂର୍ଣ୍ଣ ଫିଶ୍ ଦେବାକୁ।କିଛି ଭାବି ମିଷ୍ଟର ଫର୍ଣ୍ଣାଣ୍ଡିସ୍ କହିଲେ.."ଦେଖ ପିଲେ..ତୁମ କେଶ୍ ମୁଁ ସିଧାସଳଖ ହାତକୁ ନେବିନି କି ତୁମକୁ ଆଗେଇବା ପାଇଁ କୌଣସି ରାସ୍ତା ବତେଇବିନି।ବିନା ପାରିଶ୍ରମିକରେ କାମ କରିବା ମୋତେ ପସନ୍ଦ ନୁହେଁ।ତା ଛଡା ଏହି କେଶ୍ ବିଷୟରେ ବର୍ତ୍ତମାନ କିଛି ଅଧିକା ଇନଫର୍ମେସନ ଆସିନି ଯେମିତି ତୁମେମାନେ କହୁଛ।ତଥାପି ଏହି କେଶ୍ ଯଦି ସତରେ ସିରିଅସ୍ ଆଉ ଯଦି ମୋ ରେଫରେନସ୍ ନେଇ ତୁମ କେଶ୍ କିଛି ଆଗେଇବ ତେବେ ମୁଁ ତୁମକୁ ସାହାଯ୍ୟ କରିବି।କାରଣ ତୁମକୁ ପ୍ରୋତ୍ସାହନ ଦେବାକୁ ମୁଁ ଆଗ୍ରହୀ ଏହିପରି ଅନୁସନ୍ଧାନ ଦିଗରେ।"


ଧନ୍ୟବାଦ୍ ଦେଇ ଆସି ଯାଇଥିଲେ ଦୁହେଁ ପୁଣି ସେ ଦୋକାନୀ ମାଲିକ ପାଖକୁ ଆସିଲେ। ମିଷ୍ଟର ଫର୍ଣାଣ୍ଡିଶଙ୍କ ଫୋନ୍ ପାଇବା ପରେ ମାଲିକ ଜଣକ ସେ ମୁଦି କିଣିଥିବା ମହିଳାଙ୍କ ଠିକଣା ଦେଇଦେଲେ।


ପହଞ୍ଚିଲେ ହେରୀ ଆଉ ପିଟର ସେହି ମହିଳାଙ୍କ ଆପାର୍ଟମେଣ୍ଟର ଗେଟ୍ ପାଖରେ..କିନ୍ତୁ ମହିଳାଙ୍କ ଘରକୁ ଯିବା ପାଇଁ ସେକ୍ୟୁରିଟି ଅନୁମତି ଦେଲେନି।ବାହାରକୁ ଆସି ଦୁଇ ବନ୍ଧୁ ଭାବିଲେ କିଛି କରି ନିଶ୍ଚୟ ସେ ମହିଳାଙ୍କ ଘରକୁ ଯିବେ। ନ ହେଲେ ମୁଦି ରହସ୍ୟ କିପରି ଅନାବୃତ ହେବ?ଏଣୁ ପିଟର ଅନ୍ୟ କଥାରେ ସେକ୍ୟୁରିଟିକୁ ବ୍ୟସ୍ତ ରଖିବା ବେଳେ ହେରୀ ଯାଇ ମହିଳାଙ୍କ ଘର ଦେଖି ଆସିଲା।ଘର କବାଟରେ ଚାବି ପଡ଼ିଥିବାରୁ ପାଖ ଫୁଲକୁଣ୍ଡରୁ ମାଟି ନେଇ ତାଲାର ଛାପ ନେଇ ଆସିଲା।


ନୂଆ ନୂଆ ଡିଟେକ୍ଟିଭ୍ ହେବାର ନିଶା ଯୋଗୁଁ ଦୁହେଁ ଚାବି ତିଆରି କରୁଥିବା ଲୋକ ପାଖକୁ ଯାଇ ନକଲି ଚାବିଟିଏ ତିଆରି କରି ଆଣିଲେ..


ମିଷ୍ଟର ଫର୍ଣ୍ଣାଣ୍ଡିସ ଜାଣିଲେ ଖୁସି ହେବେ ଯଦି ସେମାନେ ସେମାନଙ୍କ ଅନୁସନ୍ଧାନରେ ସଫଳତା ପାଇଛନ୍ତି।ତେଣୁ ଏଥିପାଇଁ ଏକ ଭଲ ପ୍ଲାନ୍ କରି ଦୁହେଁ ନିଜ ମୁହଁରେ ଦାଢ଼ି ନିଶ ଲଗେଇ ପୁଣି ସେହି ଆପାର୍ଟମେଣ୍ଟକୁ ରାତିରେ ଗଲେ।


ହେରୀ ଆସିବା ବେଳେ ମହିଳାଙ୍କ ପଡୋଶୀଙ୍କ ନାମ ଫଳକ ଦେଖି ଆସିଥିଲା।ତେଣୁ ସେକ୍ୟୁରୀଟିକୁ ପଡୋଶୀ ଘରକୁ ଯିବା ପାଇଁ କହି ଦେଇ ସେମାନେ ବାହାରିଗଲେ।


ମହିଳାଙ୍କ ଘର ସାମ୍ନାରେ ପହଞ୍ଚି ଦେଖିଲେ ଦୁଇଜଣ ସେଇଠି କଥାବାର୍ତ୍ତା କରୁଛନ୍ତି।ଏଣୁ ଏମାନେ ମଧ୍ୟ ମୋବାଇଲରେ ଗପିବା ଅଭିନୟ କଲେ ଓ ସେମାନେ ଯିବା ପରେ ମହିଳାଙ୍କ ଘର ତାଲା ଖୋଲିଲେ..


ଏକ ଶବ୍ଦ ସହ ଖୋଲିଗଲା ଦ୍ଵାର..ଡରି ଡରି ଦୁଇ ସାଙ୍ଗ ଭିତରକୁ ଗଲେ।ଜିନିଷପତ୍ର ସବୁ ଏପଟ ସେପଟ ହୋଇ ଖେଳେଇ ପଡ଼ିଥିଲା।ଯେମିତି କେହି ଘାଣ୍ଟି ପକେଇଛି..।ଘରେ କେହି ନ ଥିଲେ..ତଥାପି ସେମାନେ ସତର୍କ ହୋଇ ମହିଳାଙ୍କ ପରିଚୟ ପାଇବାକୁ କିଛି ଡ୍ର ଆଉ ଆଲମିରା ଖୋଲିଲେ..


ପିଟରକୁ ଏକ ପାସପୋର୍ଟ ଆଲମାରିରୁ ମିଳିଲା..।ଖୁସି ହୋଇ ଦୁଇଜଣ ପ୍ରଥମେ ଘରକୁ ଯାଇ ମିଷ୍ଟର ଫାର୍ଣାଣ୍ଡିସଙ୍କୁ ଦେଖା କରିବାକୁ ନିଷ୍ପତ୍ତି ନେଇ ଘରୁ ବାହାରିବା ବେଳେ ଦେଖିଲେ..


ଖଟ ତଳୁ ଘୋଷଡ଼ା ହୋଇ ରକ୍ତ ଚିହ୍ନ ଦାଣ୍ଡ ଦୁଆର ଯାଏଁ ଯାଇଛି...


ରକ୍ତ ଦାଗ ଦେଖି ବହୁତ ଜୋରରେ ସେମାନେ ଡରିଗଲେ ଆଉ ଦୌଡି ଦୌଡି ଏକମୁହାଁ ହୋଇ ଘରକୁ ଆସିଗଲେ..


ଏତେ ଜୋରରେ ପିଲାମାନେ ଡରି ଯାଇଥିଲେ ଯେ ସେମାନେ ସେ ଘରର ଦରଜା ବନ୍ଦ କରି ନ ଥିଲେ କି ନିଜ ଗାଡ଼ି ମଧ୍ୟ ଆଉ ଆଣି ନ ଥିଲେ।ପାଦରେ ଦୌଡି ଆସି ଘରେ ଲମ୍ବ ହୋଇ ପଡ଼ି ଯାଇଥିଲେ..


ଦେହର ଝାଳ ମରିଛି କି ନାହିଁ ସାମ୍ନା ଦରଜାରେ ଜୋରରେ ଆଘାତ ଶୁଭିଲା।ଖୋଲି ଦେଖିଲା ବେଳେ ପୋଲିସ ଠିଆ ହୋଇଥିଲେ..


ମହିଳାଙ୍କ ସେକ୍ୟୁରୀଟିର ବୟାନ.. ଆପାର୍ଟମେଣ୍ଟ ଆଗରେ ସେମାନଙ୍କ ଗାଡ଼ି..ମହିଳାଙ୍କ ଘରେ ସେମାନଙ୍କ ଆଙ୍ଗୁଠି ଛାପ ଆଉ ସେଦିନ ହସ୍ପିଟାଲରେ ହେରୀର ବ୍ୟସ୍ତତା ସବୁ କିଛି ପର୍ଯ୍ୟାପ୍ତ ଥିଲା ଦୁଇ ସାଙ୍ଗକୁ ତୁରନ୍ତ ଗିରଫ କରିବା ପାଇଁ..


ଅନୁସନ୍ଧାନ ସମୟରେ ପିଟରର ପକେଟରୁ ମହିଳାଙ୍କ ପାସପୋର୍ଟ ମଧ୍ୟ ମିଳିଗଲା ଯାହା ସେମାନଙ୍କୁ ଆହୁରି ଅସୁବିଧାରେ ପକେଇ ଦେଲା।


ହେରୀ ଆଉ ପିଟରକୁ ପୋଲିସ ଜିପରେ ନେଲା ବେଳେ କିନ୍ତୁ ଅନୁସନ୍ଧାନୀ କୁକୁରଟି ତାଙ୍କ ରୁମ୍ ଆଗରେ ଥିବା ଗଛକୁ ଚାହିଁ ଭୁକି ଚାଲିଥିଲା..!!


ପୋଲିସ କିଛି ବି ଶୁଣିବାକୁ ପ୍ରସ୍ତୁତ ନ ଥିଲା।ସହରର ନାମୀ କମ୍ପାନୀର ଓନରଙ୍କ ସହ ସମ୍ପୃକ୍ତ କେଶ୍..ଆଉ ଅପରାଧୀମାନେ ପୁରା ପ୍ରମାଣ ସହ ଧରା ପଡିଛନ୍ତି।ଏଥର ଆଉ ଛାଡେ କିଏ..?ପିଲା ଦୁଇଜଣ ବିକଳ ହୋଇ କାନ୍ଦୁଥାନ୍ତି..ପୋଲିସ ମଧ୍ୟ ଥାର୍ଡ ଡିଗ୍ରୀ ପ୍ରୟୋଗ କରୁଥାଏ..


ଏତିକି ବେଳେ ଏକ ଗୁରୁଗମ୍ଭୀର ସ୍ୱର ଶୁଣାଗଲା..


"ଏମାନେ ନିର୍ଦ୍ଦୋଷ.. ଛାଡ଼ି ଦିଅନ୍ତୁ.."କହୁଥିଲେ ବିଖ୍ୟାତ ଡିଟେକ୍ତିଭ ମିଷ୍ଟର ଜଜ୍ ଫର୍ଣ୍ଣାଣ୍ଡିଶ..


ତାଙ୍କର କଥା ଉପରେ ଆଉ କାହାର କୌଣସି ସନ୍ଦେହ କି ପ୍ରଶ୍ନର ସ୍ଥାନ ନ ଥିଲା। 


ହେରୀ ଆଉ ପିଟର ଯେ ଏହି ମାମଲାରେ ଅନ୍ୟ ଏକ ସଂପୃକ୍ତ ବ୍ୟକ୍ତି ବିଷୟରେ ଖୋଜ୍ କରୁଥିଲେ ତାହା ପୋଲିସ ଜାଣି ପାରିଲା।ମହିଳାଙ୍କ ଘରେ ପାଞ୍ଚ ଜଣଙ୍କ ଆଙ୍ଗୁଠି ଛାପ ମିଳିଥିଲା।ତେବେ ଅନ୍ୟ ତିନିଜଣ ବ୍ୟକ୍ତି କିଏ?? ଏ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ପ୍ରଥମେ ହେରୀର କଥା ଅନୁସାରେ ବାଇକରେ ଥିବା ବ୍ୟକ୍ତିଙ୍କ ସ୍କେଚ୍ କରାଗଲା..


ଆଇ.ସି.ୟୁ ରେ ଥିବା ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ନ ଦେଖି ମଧ୍ୟ ତାଙ୍କ ସ୍କେଚ ସଠିକ୍ ବନେଇ ଦେଇଥିବାରୁ ଦୁଇ ସାଙ୍ଗଙ୍କ କଥାରେ ସମସ୍ତେ ସମ୍ପୂର୍ଣ୍ଣ ବିଶ୍ୱାସ କରିଥିଲେ ଆଉ ସେମାନେ ମଧ୍ୟ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇ ପାରିଥିଲେ।


ମିଷ୍ଟର ଫର୍ଣ୍ଣାଣ୍ଡିଶ ସେହି ମହିଳାଙ୍କ ପାସପୋର୍ଟ ଦେଖି ତାଙ୍କ କମ୍ପାନୀକୁ ଗଲେ..ନିଖୋଜ ମହିଳାଙ୍କୁ ଆଉ ସେହି ଦ୍ଵିତୀୟ ବାଇକ୍ ଆରୋହୀଙ୍କୁ ଚତୁର୍ଦ୍ଦିଗରେ ଖୋଜା ଗଲା।


ହେରୀ ଘର ସାମ୍ନା ଗଛ ପାଖରେ କୁକୁର ଭୁକିଥିବାରୁ ସନ୍ଦେହ କରି ଖୋଦନ ପରେ ପୋଲିସ ପାଇଲେ ସେହି ମହିଳାଙ୍କ ମୃତଦେହ..!!ତେବେ କିଏ ଆଉ କାହିଁକି ଏପରି କରିଥାଇପାରେ ଆଉ ନିଖୋଜ ବ୍ୟକ୍ତି କିଏ..?କେଉଁଠି ଅଛନ୍ତି?ବାଇକ ଆରୋହୀଙ୍କ ଅନ୍ୟ ଜଣେ ବନ୍ଧୁ କୁଆଡେ ଗଲେ?ମହିଳାଙ୍କ ହତ୍ୟାର କାରଣ କଣ?ଅପରାଧୀ କିଏ?


ଏସବୁ ପ୍ରଶ୍ନର ଉତ୍ତର ବୋଧହୁଏ କେବଳ ମିଷ୍ଟର ଫର୍ଣ୍ଣାଣ୍ଡିଶ୍ ହିଁ ତାଙ୍କ ଅନୁସନ୍ଧାନ ପରେ ପାଇ ପାରିଥିଲେ..!!


ପ୍ରଶ୍ନର ବଳୟ ଭିତରୁ ମିଳିଲା ଉତ୍ତର ଯେତେବେଳେ ମୃତ ମହିଳାଙ୍କ ମୃତଦେହ ପାଖରେ ଏକ ବ୍ରାଉନ ସୁଗର ପ୍ୟାକେଟ ମିଳିଥିଲା..!!ଆଉ ବାଇକର ଦ୍ଵିତୀୟ ଆରୋହୀଙ୍କ ଠିକଣା ଖୋଜି ତାଙ୍କୁ ମିଷ୍ଟର ଫର୍ଣ୍ଣାଣ୍ଡିଶ ବାହାର କରିଥିଲେ ଏକ ଅନାମଧେୟ ବସ୍ତିରୁ.. ସେହି ବ୍ୟକ୍ତି ଜଣକ ହିଁ ଏ ପୁରା ଘଟଣାକ୍ରମ ଉପରୁ ପରଦା ଉଠାଇଥିଲେ..!! 


ମୃତ ମହିଳା ମୀରା ନାୟାର ଆଉ ବାଇକ୍ ଆରୋହୀମାନେ ଗୋଟିଏ କମ୍ପାନୀରେ କାମ କରୁଥିଲେ। ସେହି ବନ୍ଧୁମାନଙ୍କ ବେଆଇନ ଡ୍ରଗ କାରବାର ବିଷୟ ଯେତେବେଳେ ମୀରା ଜାଣିଲେ ସେ ଏହାର ତୀବ୍ର ବିରୋଧ କରିବା ସହ ଆବଶ୍ୟକୀୟ ପ୍ରମାଣ ଯୋଗାଡ଼ କରି ପୋଲିସକୁ ଦେଇଦେବାକୁ କହିଥିଲେ।କିନ୍ତୁ ଗୋଟିଏ କମ୍ପାନୀରେ କାମ କରୁଥିବାରୁ ସେମାନଙ୍କୁ ସୁଧାରିବାକୁ ପ୍ରୟାସ ମଧ୍ୟ କରିଥିଲେ।


ଘଟଣା ଦିନ ବାଇକ୍ ଆରୋହୀ ଦୁଇଜଣ ତାଙ୍କ ଘରକୁ ଆସି ତାଙ୍କୁ ସେମାନଙ୍କ ବିରୁଦ୍ଧରେ ଥିବା ପ୍ରମାଣ ହସ୍ତାନ୍ତର କରିବାକୁ କହିଥିଲେ ଆଉ ଏହି ବିଷୟରେ ମୁଣ୍ଡ ନ ଖେଳେଇବାକୁ ଧମକ ଦେଇଥିଲେ। ମୀରା ଏଥିରେ ରାଜି ନ ହେବାରୁ ସେମାନଙ୍କ ଭିତରେ ବଚସା ଓ ଧସ୍ତାଧସ୍ତି ହେଲା । ସେ ତଳେ ପଡି ଯାଇଥିଲେ ଆଉ ତାଙ୍କ ମୁଣ୍ଡ ଫାଟି ଯାଇଥିଲା..


ବିବ୍ରତ ହୋଇ ସେମାନେ ମୀରାଙ୍କୁ ଏକ ଶାଢ଼ୀ ଘୋଡାଇ ସାଙ୍ଗରେ ତଳକୁ ଆଣିଥିଲେ ଆଉ ସେତେବେଳେ ହିଁ ବୋଧହୁଏ ଘୋଷଡ଼ା ରକ୍ତଦାଗ ଲାଗିଥିଲା ଚଟାଣରେ। ସେମାନେ ସେକ୍ୟୁରିଟିକୁ କହିଥିଲେ ମୀରାଙ୍କ ଦେହ ଭଲ ନ ଥିବାରୁ ସେମାନେ ତାଙ୍କୁ ହସ୍ପିଟାଲକୁ ନେଉଛନ୍ତି।ଆଉ ତା ପରେ ସାମ୍ନାକୁ ଆସିଥିଲେ ଏ ଘଟଣାର ମୁଖ୍ୟ ଖଳନାୟକ..


ବାଦଲ ଭାଇ.. ମୋଷ୍ଟ ୱାଣ୍ଟେଡ ଡ୍ରଗ ମାଫିଆ।ରାସ୍ତା ଉପରେ ଅପେକ୍ଷା କରିଥିବା ବାଦଲ ଭାଇ ନିଜ କାରରେ ମୀରାଙ୍କୁ ବସାଇ ସହକର୍ମୀମାନଙ୍କୁ ପ୍ରମାଣ ସଂଗ୍ରହ ପାଇଁ ତାଙ୍କ ଘର ତଲାସିବାକୁ ଆପାର୍ଟମେଣ୍ଟକୁ ପଠାଇଥିଲେ।ଆଉ ସେତେବେଳେ ହିଁ ମୀରାଙ୍କ ଆସବାବପତ୍ର ଏପଟ ସେପଟ ହୋଇଥିଲା।


ତୁରନ୍ତ ସବୁ ପ୍ରମାଣ ତାଙ୍କୁ ଦେଇଦେବା ପାଇଁ ବାଦଲ ଭାଇ ମୀରାଙ୍କୁ ଧମକ ଦେଇଥିଲେ।ମୀରା କିନ୍ତୁ ସେତେବେଳେ ଶେଷ ନିଃଶ୍ୱାସ ନେଉଥିଲେ।ସେ ତାଙ୍କୁ ନେଇ ସେହି ଗଛ ପାଖକୁ ଆସି ନିଜ ବନ୍ଧୁମାନଙ୍କୁ ସେହି ସ୍ଥାନକୁ ଡାକିଥିଲେ।


କିନ୍ତୁ କିଛି ନିଷ୍କର୍ଷ ବାହାରିବା ଆଗରୁ ମୀରା ଦେହତ୍ୟାଗ କରିଥିଲେ।ଲାସ୍ ପାଖରେ ରହିବା ବିପଦ ଭାବି ବାଇକ୍ ବନ୍ଧୁମାନେ ସେଠାକୁ ଆସିବା ଆଗରୁ ସେ ମୀରାଙ୍କୁ ତରବରରେ ଗଛତଳେ ପୋତି ପକାଇଥିଲେ। ବର୍ଷା ଯୋଗୁଁ ମାଟି ଓଦା ହୋଇଥିଲା ତେଣୁ ତାଙ୍କୁ ବେଶୀ କଷ୍ଟ ହେଲାନି…!


ସେତେବେଳେ ତାଙ୍କ ପକେଟ୍ ଭିତରେ ଥିବା ବ୍ରାଉନ ସୁଗର୍ ପ୍ୟାକେଟ ଭିତରୁ ଗୋଟିଏ ମୀରାଙ୍କ ଶବ ସହ ରହି ଯାଇଥିଲା।ଆଉ ବୋଧହୁଏ ସେହି ସମୟରେ ମୀରାଙ୍କ ମୁଦି ମଧ୍ୟ ଖସି ପଡିଥିଲା।ଅନ୍ଧାର ଓ ବର୍ଷା ଯୋଗୁଁ ଏସବୁ ବାଦଲ ଭାଇ ଦେଖି ପାରି ନ ଥିଲେ।


ବାଇକ୍ ବନ୍ଧୁମାନେ ମୀରାଙ୍କ ଘରୁ କେବଳ ନଗଦ କ୍ୟାସ୍ କିଛି ପାଇ ଏକ ପ୍ୟାକେଟରେ ଭରି ନେଇ ଆସିଥିଲେ।ଯାହା ସେମାନେ ସେହି ଗଛତଳେ ବାଦଲ ଭାଇଙ୍କୁ ଦେଉଥିବା ବେଳେ ହେରୀ ଦେଖି ଦେଇଥିଲା ନିଜ ଝରକା ଫାଙ୍କରୁ..!!


ସେସବୁ କିଛି ଆବଶ୍ୟକ ନାହିଁ ଆଉ ପୁନଃ ମୀରାଙ୍କ ଘରକୁ ଆସିବାକୁ ହେବ ବୋଲି ନିଷ୍ପତ୍ତି ନେଇ ସମସ୍ତେ ନିଜ ନିଜ ରାସ୍ତାରେ ଆଗେଇ ଯାଇଥିଲେ।କିନ୍ତୁ ବିଧିର ବିଧାନ ବୋଧହୁଏ କିଛି ଅଲଗା ପ୍ରକାରର ଥିଲା।


ଅଳ୍ପ ରାସ୍ତା ଆଗେଇବା ପରେ ବାଇକ୍ ଦୁର୍ଘଟଣା ହେଲା।ଚାଳକ ଜଣକ ବାଇକ୍ ପାଖରେ ଓ ଅନ୍ୟ ଜଣକ ସେହି ପାଖ ବସ୍ତିରେ ଛିଟିକି ପଡି ଯାଇଥିଲେ..


ଏସବୁ ଶୁଣି ବାଦଲ ଭାଇ ସେହି ଦିନଠାରୁ ନିଜକୁ ଅଣ୍ଡର ଗ୍ରାଉଣ୍ଡ କରି ଦେଇଥିଲେ ..ପୋଲିସ କିନ୍ତୁ ଅତି ସନ୍ତର୍ପଣରେ ସେଇଠି ପହଞ୍ଚି ତାଙ୍କୁ କାବୁ କରି ନେଇଥିଲା।


ପୋଲିସକୁ ସାହାଯ୍ୟ କରି ଏତେ ବଡ଼ ଗ୍ୟାଙ୍ଗକୁ ଧରାଇ ଥିବାରୁ ବାଇକ୍ ପଛରେ ବସିଥିବା ମଣ୍ଟୁର ଦଣ୍ଡ କୋହଳ କରାଯାଇଥିଲା। ଆଇ.ସି.ୟୁ ରେ ଥିବା ଶରତ ନିଜ ଦୋଷ ସ୍ଵୀକାର କରିବା ପରେ ତାଙ୍କ ଦଣ୍ଡ ବିଚାର ମଧ୍ୟ ଅଦାଲତ କୋହଳ କରିଥିଲା।ଆଉ ମର୍ଡର ଏବଂ ଡ୍ରଗ କାରବାର ଚଲେଇଥିବା ଜଘନ୍ୟ ଅପରାଧରେ ବାଦଲ ଭାଇକୁ ଆଜୀବନ କାରାଦଣ୍ଡ ଦିଆ ଯାଇଥିଲା।


କେଶ୍ ସମାପ୍ତ ହେବା ପରେ ମିଷ୍ଟର ଜଜ୍ ଫର୍ଣ୍ଣାଣ୍ଡିଶ ଖୁସି ହୋଇ ହେରୀ ଆଉ ପିଟରକୁ ତାରିଫ କରିଥିଲେ ଆଉ ସେମାନଙ୍କ ପଢା ସାରିବା ପରେ ତାଙ୍କ ଅନୁଚର ହୋଇ ଜଏନ କରିବାକୁ ଅଫର୍ ଦେଇଥିଲେ।କିନ୍ତୁ ବେଡ଼ରୁମର ସେହି ଝରକା ଖୋଲି ଭବିଷ୍ୟତରେ କିଛି ଦେଖିଲେ ନିଜେ ନିଜେ ତଦନ୍ତ ଆରମ୍ଭ କରିଦେବାକୁ ମନା କରିବାରୁ ଦୁଇ ବନ୍ଧୁ ଏକ ସ୍ଵରରେ କହି ଉଠିଲେ…


"ୟେସ ସାର….!!"



Rate this content
Log in

Similar oriya story from Thriller