ଯତ୍ନ କଲେ ରତ୍ନ ମିଳେ
ଯତ୍ନ କଲେ ରତ୍ନ ମିଳେ


ସାଇ ପରୀକ୍ଷା ସମୟରେ ଖୁବ ପରିଶ୍ରମ କରି ପରୀକ୍ଷାରେ ଭଲ ନମ୍ବର ରଖିପାରୁନଥିଲା. ଏହା ଦେଖି ବାପା ବିରକ୍ତ ହେଉଥିଲେ ଓ କହୁଥିଲେ ଯେତେବେଳେ ଯାହା ଦରକାର ଆଣିଦେଲା ପରେ ବି ତୋର ପରୀକ୍ଷାରେ ଏତେ କମ ନମ୍ବର ରହିବାର କାରଣ କଣ? ସାଇ ବାପାଙ୍କ ଆଗରେ କିଛି କହିନପାରି ଜେଜେଙ୍କୁ କହିଥିଲା ତୁମେ ତ ଜାଣ ଜେଜେ, ପରୀକ୍ଷା ପୂର୍ବରୁ ମୁଁ କେତେ କଠିନ ପରିଶ୍ରମ କରେ କିନ୍ତୁ ଏତେସବୁ ପରେ ମଧ୍ୟ ପ୍ରଶ୍ନଗୁଡିକର ଉତ୍ତର ସବୁ ଭଲଭାବରେ ଦେଇନପାରି କ୍ଲାସରେ କମ ନମ୍ବର ରଖି ବିଫଳ ହେଉଛି. ଏହାର କାରଣ ନିଜେ ଜାଣିପାରୁନାହିଁ ତ ବାପାଙ୍କୁ କି ଉତ୍ତର ଦେବି?
ଜେଜେ କହିଲେ ସାଇରେ ଆଜି ତତେ ଗୋଟେ ଗପ କହୁଛି ଶୁଣୁ. ଗୋଟେ କାଠୁରିଆ ଥିଲା. ସେ ଶୁଖିଲା ବରଗଛ ପରି ବଡ଼ ବଡ଼ ଗଛସବୁକୁ ଖୁବ ଶୀଘ୍ର କାଟି ଦେଇପାରୁଥିଲା. ଜଣେ ଫାର୍ମ ମାଲିକ ତାର ଏହି ଗୁଣ ଦେଖି ତାକୁ ନିଯୁକ୍ତି ଦେଇଥିଲେ. ଦିନକୁ କୋଡିଏ ବା ପଚିଶଟି ଗଛ କାଟିଦେଇ ସେ ମାଲିକଙ୍କର ଖୁବ ପ୍ରିୟଭାଜନ ହୋଇଥିଲା. କିଛି ଦିନ ପରେ ସେ ଅନୁଭବ କଲା ଆଗ ଭଳି ଆଉ ସେ ଗଛ କାଟି ପାରୁନି. ଏହାର କାରଣ ହୁଏତ ତାର ବୟସ ହୋଇଗଲାଣି ବା ତା ପାଖରେ ଆଉ ଆଗ ପରି ଶକ୍ତି ସାମର୍ଥ୍ୟ ନାହିଁ ବୋଲି ଭାବି ମାଲିକଙ୍କୁ ସବୁ ସତ କହିଥିଲା.
ସ
ବୁ ଶୁଣିବା ପରେ ମାଲିକ କହିଲେ ଆଛା ତୁମେ ତୁମ କୁରାଢ଼ିର ଦାଢ଼ କରୁଛତ ସବୁଦିନ? ଚମକିପଡି କାଠୁରିଆ ଦେଖିଲା ପ୍ରକୃତରେ ତା ନିଜର ଶକ୍ତି ନୁହେଁ ବରଂ କୁରାଢ଼ି, ତା ଗଛକାଟିବା ଯନ୍ତ୍ର ତଥା ଅସ୍ତ୍ରର ଦାଢ଼ ମରିଯାଇଛି. ଫଳରେ ସେ ଯେତେ ଚୋଟ ମାରିଲେ ମଧ୍ୟ ଗଛ ଆଗଭଳି କଟୁନି. ଏଥର ମାଲିକ ବୁଝେଇଦେଲେ ଥରେ ଥରେ ନୁହେଁ ବରଂ କୁରାଢ଼ିଟିକୁ ସବୁଦିନପାଇଁ ତୀକ୍ଷ୍ମ ରଖିପାରି ତାର ଯତ୍ନ ନେଲେ ସେ ମଧ୍ୟ ତୁମକୁ ସହାୟକ ହେବା ଭଳି ରତ୍ନଟିଏ ହୋଇପାରିବ.
ଜେଜେ ଏ ଗଳ୍ପଟି କହି ସାଇକୁ କହିଲେ ଏଥର ବୁଝିଲୁ ତ ନାତିଆ, କେବଳ ପରୀକ୍ଷା ପୂର୍ବରୁ କଠିନ ପରିଶ୍ରମ କରି ରାତିଅନିଦ୍ରା ହୋଇ ପାଠ ପଢିଲେ ସବୁ କଥା ମନେ ରହେ ନାହିଁ ବରଂ ସବୁଦିନ ଅଳ୍ପ ଅଳ୍ପ ପରିଶ୍ରମ କରି ମନେରଖିଲେ ଵୁଦ୍ଧି ତୀକ୍ଷ୍ଣ ହୁଏ ଓ ପାଠ ମନେରହେ ଆଉ ପରୀକ୍ଷା ବେଳକୁ ଏତେ ପରିଶ୍ରମ କରିବାକୁ ପଡେ ନାହିଁ କି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଝୁଣ୍ଟିବାକୁ ହୁଏ ନାହିଁ. ସାଇ ତା ପରଠୁ ସବୁଦିନ ପଢି ଓ ପାଠ ମନେରଖି ନିଜ ବୁଦ୍ଧି ଓ ବିଦ୍ୟାର ତୀକ୍ଷ୍ଣ ବିକାଶ କରିବା ଦ୍ୱାରା ଏଣିକି ପରୀକ୍ଷାରେ ଭଲ ନମ୍ବର ରଖିବା ସହ ଖୁସି ହୋଇ ଖୁସି ବାଣ୍ଟିଚାଲିଥିଲା ପରିବାରରେ ତ ଲାଗୁଥିଲା ପ୍ରବଳ ଗରମରେ ଶୀତଳ ବର୍ଷାବାରି ମୁନ୍ଦେ ଖସିପଡୁଛି ଆକାଶରୁ.