STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଯଶୋଦାଙ୍କ ରାମାୟଣ କଥା     

ଯଶୋଦାଙ୍କ ରାମାୟଣ କଥା     

4 mins
7

      ଯଶୋଦାଙ୍କ ରାମାୟଣ କଥା     
        ===============
ମାଆ ଯଶୋଦା l ରାତି ପାହିଲେ, କାମ l ସକାଳୁ ରାତିଯାଏ ଟିକିଏ ହେଲେ କାମରୁ ବିରାମ ନାହିଁ l ଗାଈଙ୍କ ସେବା ଗାଈ ଦୁହାଁ ପୁଣି ଦଧିମନ୍ଥନ ଏମିତି କେତେ କଣ କାମ, ଦିନଟା କେମିତି ବିତିଯାଏ କିଛି ଜଣା ପଡ଼େ ନାହିଁ l କହ୍ନେଇଟା ବି ଠୁକୁ ଠୁକୁ କରି ଚାଲିବା ଆରମ୍ଭକଲାଣି, ପୁଅଟା ଏତେ ଦୁଷ୍ଟ ହୋଇଛି ଯେ ତାକୁ ସମ୍ଭାଳିବା ମଧ୍ୟ କାଠିକର ପାଠ l ଏମିତି ବ୍ୟସ୍ତ ଭିତରେ ମାଆ ଯଶୋଦା ଥକି ପଡ଼ନ୍ତି l
ଦିନକର କଥା, ରାତି ହେଲାଣି ଘରର ଯାବତୀୟ କାମ କିଛି ଶେଷହୋଇ ନାହିଁ l ମାଆ ଯଶୋଦା ଭାବିଲେ ଯାଉଛି କହ୍ନେଇକୁ ଶୋଇ ପକାଇବି ତେବେ ଯାଇ ସବୁ ଜଞ୍ଜାଳ ଶେଷ ହେବ l ଯଶୋଦା ଖୁବ୍ ଆଦରକରି ଡାକିଲେ, କାହ୍ନା, କାହ୍ନା ! ରାତି ହେଲାଣି ପରା, ଆଆ ଶୋଇ ପଡ଼ l ତୋତେ ଆଜି ଗୋଟିଏ ବଢ଼ିଆ ଗପ କହିବି l ଶୁଣି ଶୁଣି ଶୋଇ ପଡ଼ିବୁ l ଗପ ଶୁଣି ହୁଁ ମାରୁଥିବୁ l ସେତେବେଳକୁ କୃଷ୍ଣଙ୍କୁ ଚାରିବର୍ଷ ହେଲାଣି l ମାଆଙ୍କ ପାଖରୁ ଗପ ଶୁଣିବାରେ ତାଙ୍କର ଭାରି ଶ୍ରଦ୍ଧା l ମାଆ ଗପ କହିବେ, ଯେମିିତି ଶୁଣିଛନ୍ତି, କାହ୍ନା ଦୌଡ଼ି ଦୌଡ଼ି ଆସି, ମାଆଙ୍କ କୋଳରେ ମୁହଁ ଲୁଚେଇ ଶୋଇ ପଡ଼ିଲେ l ମାଆ ଯଶୋଦା ଗପ କହିବା ଆରମ୍ଭ କଲେ l ଯଶୋଦା କହିଲେ, ବହୁଦିନ ତଳର କଥା l ଅଯୋଧ୍ୟାରେ ଜଣେ ରାଜା ଥିଲେ l ତାଙ୍କର  ନାମ ଦଶରଥ l ତାଙ୍କର ତିନି ରାଣୀ ଥିଲେ କୌଶଲ୍ୟା, କୈକେୟୀ ଓ ସୁମିତ୍ରା l ତାଙ୍କର ବହୁ ଦିନ ପର୍ଯ୍ୟନ୍ତ କୌଣସି ସନ୍ତାନ ସନ୍ତତି ହେଲେ ନାହିଁ l ମନ୍ତ୍ରୀଙ୍କ ପରାମର୍ଶରେ ରାଜା ଦଶରଥ ଋଷ୍ୟଶୃଙ୍ଗ ବୋଲି ଜଣେ ମୁନିଙ୍କୁ ଆଣି, ଏକ ଯଜ୍ଞ କଲେ l ଫଳରେ ତାଙ୍କର ରାମ, ଭରତ, ଲକ୍ଷ୍ମଣ ଓ ଶତ୍ରୁଘ୍ନ ନାମରେ ଚାରି ପୁତ୍ର ଜନ୍ମ ହେଲେ l ସେମାନେ ବଡ଼ ହେଲେ l ଗୁରୁ ବଶିଷ୍ଠଙ୍କ ପାଖରେ ଯାଇ ଵିଦ୍ୟା ଶିକ୍ଷା କରି ସବୁ ବିଦ୍ୟାରେ ପାରଙ୍ଗମ ହେଲେ l ଦିନେ, ମୁନି ବିଶ୍ୱାମିତ୍ର ଆସି ଅଯୋଧ୍ୟାରେ ପହଞ୍ଚି ଧନୁର୍ବିଦ୍ୟା ନିପୁଣ ରାମ ଓ ଲକ୍ଷ୍ମଣଙ୍କୁ ଦଶରଥଙ୍କୁ କହି ତାଙ୍କ ସଙ୍ଗରେ ନେଇଗଲେ ଅସୁର ମାନଙ୍କୁ ମାରି ତାଙ୍କ ଯଜ୍ଞ ରକ୍ଷାକରିବା ପାଇଁ l ସେମାନେ ଯାଇ ତାଡ଼କା ସୁବାହୁ, ମାରୀଚ ପ୍ରଭୃତି ଅନେକ ରାକ୍ଷସଙ୍କୁ ମାରିଲେ l ଏହାପରେ ମୁନି ବିଶ୍ୱାମିତ୍ର ତାଙ୍କୁ ମିଥିଳା ନେଇ ଗଲେ ମହାରାଜ ଜନକଙ୍କ ଯଜ୍ଞ ଦେଖିବା ପାଇଁ l ସେଠାରେ ରାମ ଶିବ ଧନୁ ଭାଙ୍ଗି ଜନକଙ୍କ କନ୍ୟା ସୀତାଙ୍କୁ ବିବାହ କଲେ l ସୀତାଙ୍କର ଅନ୍ୟ ତିନି ଭଉଣୀ ମାଣ୍ଡଭୀ, ଉର୍ମିଳା, ଓ ଶ୍ରୁତକିର୍ତ୍ତୀ ରାମଙ୍କ ତିନିଭାଇ, ଭରତ, ଲକ୍ଷ୍ମଣ, ଓ ଶତ୍ରୁଘ୍ନଙ୍କୁ ଵିଵାହ କଲେ l ରାଜା ଦଶରଥ ପୁଅ ଓ ବୋହୁମାନଙ୍କୁ ଧରି ଅଯୋଧ୍ୟା ଫେରିଲେ l ଅଯୋଧ୍ୟାରେ ନାନା ଉତ୍ସବ ହେଲା l
କିଛିଦିନ ଗଲାପରେ ରାଜା ଦଶରଥ ଚିନ୍ତା କଲେ ଏବେ ମୁଁ ବୁଢ଼ା ହୋଇଗଲିଣି l ବଡ଼ ପୁଅ ରାମଙ୍କୁ ଯାଉଛି ଯୁବରାଜ କରି ରାଜ୍ୟ ଭାର ଦେଇଦେବି l କିନ୍ତୁ ସେକଥା ହେଲା ନାହିଁ l ରାଜା ଦଶରଥଙ୍କ ଦ୍ୱିତୀୟା ରାଣୀ କୈକେଇଙ୍କୁ ଦଶରଥ ଆଗରୁ ଦୁଇଟି ବର ଦେବେ ବୋଲି କହିଥିଲେ l ସେ ସେହି ବର ଦୁଇଟିକୁ ମାଗିବସିଲେ l ପ୍ରଥମ ବରରେ ସେ କହିଲେ ରାମ ଚଉଦବର୍ଷ ପାଇଁ ବନକୁ ଯିବ ଓ ଦ୍ୱିତୀୟବରରେ ଭରତ ଯୁବରାଜ ହେବ l ଗପଶୁଣି କୃଷ୍ଣ ହଁ ମାରି ଚାଲିଥାନ୍ତି l ମଝିରେ ମଝିରେ ଆଉ କିଛି ଜାଣିବାକୁ ପ୍ରଶ୍ନ କରନ୍ତି l କିନ୍ତୁ ଯଶୋଦା ବୁଝେଇ ଦିଅନ୍ତି, ହଁ ତୁ ବଡ଼ ହେଲେ ସେକଥା ଜାଣିବୁ l
ତା' ପରେ ଯଶୋଦା କହିଲେ, ଏଭଳି ରାମ ଆଉ ଯୁବରାଜ ହୋଇ ପାରିଲେ ନାହିଁ l ସେ ପିତୃସତ୍ୟ ପାଳନକରି ବନକୁ ବାହାରିଲେ l ସେ ଏକଲା ଗଲେ ନାହିଁ l ରାମଙ୍କ ସାଙ୍ଗରେ ସୀତା ଓ ଭାଇ ଲକ୍ଷ୍ମଣ ମଧ୍ୟ ବଣକୁ ଗଲେ l ସେମାନେ ଦଣ୍ଡକାରଣ୍ୟରେ ପଞ୍ଚବଟି ବୋଲି ଏକ ବନରେ ପତ୍ର କୁଡ଼ିଆ କରି ରହୁଥାନ୍ତି l ସେଠାକୁ ସୂର୍ପଣଖା ବୋଲି ଗୋଟିଏ ରାକ୍ଷସୀ ଆସି, ରାମଙ୍କୁ ବିବାହ କରିବ କହିଲା l ରାମ, ସୂର୍ପଣଖାକୁ ସାନ ଭାଇ ଲକ୍ଷ୍ମଣଙ୍କ ପାଖକୁ ପଠାଇଦେଇ,ଗୁପ୍ତ ନିର୍ଦ୍ଧେଶ ଦେଲେ l ଲକ୍ଷ୍ମଣ ତାହାର ନାକ କାନ କାଟି ଛାଡ଼ି ଦେଲେ l ସୂର୍ପଣଖା କାନ୍ଦି କାନ୍ଦି ଭାଇ ରାବଣ ପାଖରେ ତା' ଦୁଃଖ କହିଲା l ରାବଣ, ମାରୀଚ ନାମକ ଜଣେ ରାକ୍ଷସକୁ ରାମଙ୍କ କୁଡ଼ିଆ ନିକଟକୁ ପଠାଇଲା l ମାରୀଚ ଆସି ରାମଙ୍କ କୁଡ଼ିଆ ନିକଟରେ ଏକ ସୁନା ହରିଣ ହୋଇ ବୁଲିଲା l ସେହି ସୁନାର ହରିଣକୁ ଦେଖି ସୀତା ରାମଙ୍କୁ କହିଲେ, ଏ ହରିଣଟିକୁ ଧରି ଆଣି ମୋତେ ଦିଅନ୍ତୁ ମୁଁ ଆଶ୍ରମରେ ଏହି ସୁନ୍ଦର ମୃଗଟିକୁ ପାଳିବି l ସୁନା ହରିଣକୁ ଧରିବା ପାଇଁ ରାମ ତା ପଛରେ ଗୋଡ଼ାଇଲେ l ହରିଣଟି ଡିଆଁ ମାରି ରାମଙ୍କୁ ବହୁ ଦୂର ନେଇ ଯାଇ ଖୁବ୍  ଯୋରରେ ଚିତ୍କାରକଲା, ରକ୍ଷା କର, ଲକ୍ଷ୍ମଣ ମୋତେ ରକ୍ଷା କର l ରାମଙ୍କୁ ବନରେ କିଛି ବିପଦ ପଡ଼ିଛି ମନେକରି ସୀତା ଲକ୍ଷ୍ମଣଙ୍କୁ କହିଲେ, ଯାଅ ଯାଅ ! ଭାଇଙ୍କୁ ରକ୍ଷା କର l ଏ ସବୁ ରାକ୍ଷସଙ୍କ ମାୟା ବୋଲି ସୀତାଙ୍କୁ ଲକ୍ଷ୍ମଣ ଯେତେ ବୁଝାଇଲେ ମଧ୍ୟ ସୀତା ଆଉ କିଛି ବୁଝିଲେ ନାହିଁ l ବାଧ୍ୟ ହୋଲ, ଲକ୍ଷ୍ମଣ ଶେଷରେ ହାତରେ ଧନୁ ଧରି ରାମଙ୍କ ଦିଗରେ ବାହାରି ଗଲେ l ଗଲା ବେଳେ ଲକ୍ଷ୍ମଣ କୁଡ଼ିଆ ଆଗରେ ତିନିଟି ଗାର ଟାଣି  ଦେଇ ସୀତାଙ୍କୁ କହିଲେ, ଖବରଦାର ତୁମେ କେବେ ଏହି ଗାର ଡେଇଁ ବାହାରକୁ ଆସିବ ନାହିଁ l ଏହି ସୁଯୋଗ ଦେଖି କୁଡ଼ିଆ ପଛରେ ଲୁଚି ରହିଥିବା ରାବଣ ଏକ ଯୋଗୀ ବେଶ ଧରି ଆସି ସୀତାଙ୍କୁ ଭିକ୍ଷାମାଗିଲା l ଯୋଗୀ ଭିକ୍ଷା ମାଗୁଛନ୍ତି ଏଣୁ ସୀତା ହାତରେ ଭିକ୍ଷା ମୁଷ୍ଟି ଧରି ଲକ୍ଷ୍ମଣ କାଟି ଦେଇ ଯାଇଥିବା, ତିନି ଗାରକୁ ଡେଇଁ ଯୋଗୀଙ୍କ ଥାଳରେ ଭିକ୍ଷା ଦେଲେ l ରାବଣ ତ ତାଙ୍କୁ ଚୋରି କରିନେବା ପାଇଁ ଆସିଥିଲା, ଆଉ ଭିକ୍ଷା ନେବ କଅଣ, ସେ ସୀତାଙ୍କୁ ଟାଣି ନେଲା ଓ ତା ପୁଷ୍ପକ ବିମାନରେ ବସାଇ ଲଙ୍କାକୁ ନେଇ ଗଲା l ମାଆ ଯଶୋଦା ଏତକ କହି ସାରିଛନ୍ତି କୃଷ୍ଣ ଖୁବ୍ ଧ୍ୟାନ ଦେଇ ଶୁଣୁଥିଲେ l ମାଆ ତାଙ୍କରି ତ୍ରେତୟା ଯୁଗର ଲୀଳାକୁ ନିଖୁଣ ଭାବେ କହି ଚାଲି ଥିଲେ l ସୀତାଙ୍କୁ ରାବଣ ଚୋରାଇ ନେବା କଥା ଯେମିତି ଶୁଣିଛନ୍ତି ସେ ହଠାତ୍ ଚମକିଉଠି ଚିତ୍କାର କଲେ, ଲକ୍ଷ୍ମଣ ! ଲକ୍ଷ୍ମଣ ! ମୋ ଧନୁ ଆଣିଲୁ, ମୁଁ ଏଇନେ ସେହି ଦୁଷ୍ଟ ରାବଣକୁ ମାରି ପକାଇବି l
ଯଶୋଦା ଭାବିଲେ, ଆରେ ପୁଅଟା ମୋର ଭାରି ଡରିଗଲା ବୋଧେ l ସେ କୃଷ୍ଣଙ୍କ ମୁହଁକୁ ପୁଣି ଚାହିଁ ଦେଖନ୍ତି ତ ସେ ଖିଲି ଖିଲି ହୋଇ ହସୁଛନ୍ତି l ସେ କୃଷ୍ଣଙ୍କୁ କହିଲେ, ହଉ ହଉ, ତୋତେ ଏ ରାକ୍ଷସଙ୍କ କଥା ଶୁଣି ଭାରି ଡର ଲାଗୁଛି l ତୁ ଆଜି ଶୋଇପଡ଼ କାଲିକୁ ପୁଣି ଅନ୍ୟ ଗପ ଶୁଣେଇବି l ମାଆ ଯଶୋଦା ଏପରି କହି, ଗୁଣୁ ଗୁଣୁ ଗୀତ ଗାଇ ଗାଇ ଥାପୁଡ଼େଇ କୃଷ୍ଣଙ୍କୁ ଶୁଆଇ ଦେଲେ l
           ! ଜୟ ମାଆ ଯଶୋଦା !
                  🙏🙏🙏
                      ଅର୍ଜୁନୀ
                  ---------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971


Rate this content
Log in

Similar oriya story from Inspirational