ଯୋଜନା
ଯୋଜନା
ଯେତେବେଳେ ଷଣ୍ଢଟି ଆ'ଦୁଆର ମୁହଁରେ ତା'ଦୁଆର ମୁହଁରେ ଯନ୍ତ୍ରଣାରେ ଛଟ ପଟ ହେଉଥିଲା ଭୋକ ବିକଳରେ ଶୋଷ ବିକଳରେ କିଛି ପାଇବା ଆଶାରେ ସଭିଙ୍କ ମୁହଁକୁ ଅନେଇ ରହୁଥିଲା ସେତେବେଳେ ତାକୁ ସମସ୍ତେ ଦୁର୍ ଦୁର୍ ମାର୍ ମାର୍ କରୁଥିଲେ । ସହାନୁଭୂତି ର ଟିକେ ବି ଆଭାସ ମାନବିକତାର ଟିକେ ବି ଝଲକ୍ କାହା ପାଖରେ ନଥିଲା । କିଏ ପାଣି ପକେଇ ବିଦା କରୁଥିଲା ତ ଆଉ କିଏ ବାଡିରେ ଦି ପାହାର ଦେଇ ଘଉଡାଇ ଦେଉଥିଲା ।
ଦିନେ ବିଚରା ଷଣ୍ଢଟି ଗୋଟେ ଛକ ଯାଗାରେ ପଡ଼ି ମରିଗଲା । ଯୁବକ ସଂଘ ଏତେବେଳେ ଯାଏଁ ଶୋଇଥିଲେ କି ଆଉ ।
ଦେଖିବ ସଭିଙ୍କ ତତ୍ପରତା ଏବେ ।
ନାରା ଲାଗିଲା - " ଆରେ ଆମ ମଣି ଷଣ୍ଢ ଚାଲିଗଲା "
ଗାଁ ସାରା ଘଣ୍ଟ ବାଡା ହେଲା , ବାଟୋଇ ଘାଟୋଇ ଯିଏ ଗଲେ ତାଙ୍କୁ ଅଟକାଇ ମଣି ଷଣ୍ଢ ନାଁରେ ଚାନ୍ଦା ମଗାଗଲା ।
ପ୍ରତ୍ୟେକ ଘରୁ ଚାଉଳ ପନି ପରିବା କିଛି ନହେଲେ ଟଙ୍କା ଆଦାୟ କରାଗଲା । ନାମ ସଂକୀର୍ତ୍ତନ ସହ ଷଣ୍ଢକୁ ଗାଁ ସାରା ବୁଲାଗଲା । ଦଣ୍ଡା ମୁଣ୍ଡରେ ଷଣ୍ଢକୁ ସମାଧି ଦିଆଗଲା ।
ଯୁବକ ସଂଘ ପୁଣି ଦାବି କଲେ ମଣିଷଣ୍ଢ ନାଁରେ ଗୋଟେ ସ୍ମାରକୀ ତିଆରି ହେବ । ମାନେ ସିମେଣ୍ଟରେ ଗୋଟେ ବଡ ଷଣ୍ଢ ମୂର୍ତ୍ତି ତିଆରି ହେବ । ସକାଳ ସଂଧ୍ୟା ପୂଜା ହେବ ଭୋଗ ଦିଆ ହେବ ସେଠି । ସେ ମୂର୍ତ୍ତି ବାବଦରେ ପୁଣି ଅଲଗା ଟଙ୍କା ଆଦାୟ କରାଯିବ ।
ସେ ସିମେଣ୍ଟ ଷଣ୍ଢ ମୂର୍ତ୍ତି ତିଆରି ହେବ କି ନାଁ ତାହା ତ ଅସ୍ପଷ୍ଟ ଏବେ ପାଇଁ ।
କିନ୍ତୁ ସେଦିନ ସଂଧ୍ୟା ରେ ସେ ଛକ ଯାଗାରେ ଅରୁଆ ଘିଅ ଛୁଙ୍କ ଡାଲମା ଶହେ ଦେଢ଼ଶହ ଲୋକ ଖାଇଥିଲେ ତା ସାଙ୍ଗକୁ ଖଟା ଖିରି ମିକ୍ସର୍ ତର୍କାରୀ ବି ହେଇଥିଲା ।
ଆଉ ସେହି ରାତିରେ ଗୋଟେ କ୍ଲବ୍ ଘରେ ମଦ ମାଂସ ଆଉ ଗଞ୍ଜେଇର ସୁଅ ଛୁଟୁଥିଲା । ସେଦିନ ସେମାବାର ସଂକ୍ରାନ୍ତି ଥିଲା କିନ୍ତୁ ମଦ ମାଂସ ଆଉ ଗଞ୍ଜେଇ ସାମ୍ନାରେ ସୋମବାର ଆଉ ସଂକ୍ରାନ୍ତି ବହୁତ ଫିକା ଲାଗୁଥିଲା ସେମାନଙ୍କୁ ।