ଯିଏ ଯେମିତି କାହା ମନୋଭାବ କେମିତି
ଯିଏ ଯେମିତି କାହା ମନୋଭାବ କେମିତି
ଆରବର୍ଷ କଥା ମନେ ପଡୁଥାଏ। କୃଷ୍ଣ ଜନ୍ମଦିନ ବାସି ମାନେ ନନ୍ଦ ଉତ୍ସବ ଦିନ କସ୍ତୁରୀ ଖୋଜି ହେଉଥିଲେ ଗୋଟେ କଣ। ଠାକୁର ଘରୁ ଆରମ୍ଭ ହୋଇଥିବା ଅଭିଯାନ ବେଡ ରୁମ ଠାରୁ ଆରମ୍ଭକରି, ଷ୍ଟୋର ଘର ପର୍ଯ୍ୟନ୍ତ ଖୋଜୁଛନ୍ତି କସ୍ତୁରୀ। ଫୁଲ ଗଛଟିଏ ନିଜ ହାତରେ ଉତାରି ବଢେଇ, ଫୁଲ ଦିଟା ଠାକୁର ଙ୍କୁ ଦେବା ଲକ୍ଷ ନେଇ, କୃଷ୍ଣ ଜନ୍ମ ଦିନରୁ ବଳି ପଡ଼ିଥିବା ବଡ ବଡ ଗୋଲାପ, ସେବତୀ, ମଣ୍ଡାଫୁଲ,ତଥା ମନ୍ଦାର ଡାଳ ଗୁଡିକୁ ଅତି ଯତ୍ନ ସହକାରେ ଠାକୁର ଘରେ ହିଁ ରଖିଥିଲେ କସ୍ତୁରୀ। ଠାକୁର ଘର ପୂଜା, ଭୋଗ, ଫୁଲ ଚଢ଼ା, ଧୂପ ଦୀପ ଆଦି ଦେଇ ଉପରକୁ ତୁଳସୀ ଓ ସୂର୍ଯ୍ୟ ପୂଜା ପାଇଁ ଗଲାବେଳେ ମନେପଡ଼ିବ ବୋଲି ତ ଡାଳ ଗୁଡ଼ିକ ଠାକୁର ଘରେ ରଖିଥିଲେ କସ୍ତୁରୀ। କଣ ମୂଷା ନେଇଗଲା ନା କଣ ଭାବିଲା ବେଳକୁ ଅଯଥା ମୂଷା ଉପରେ ଦୋଷାରୋପ କାହିଁ କରିବେ, ପୁଅ ଗୋଟେ ଗନ୍ଧକର୍ପୂର୍ ସ୍ପ୍ରେ ଆଣି ସବୁ ଘର କାନ୍ଥରେ ଲଗାଇଥିଲା ତ ମୂଷାଙ୍କର ଦେଖାନାହିଁ। କାରଣ ଭୋଗ ଅକ୍ଷୁର୍ଣ୍ଣ ଥାଏ। ଯଦିଓ ମୂଷାଙ୍କୁ ବିଶ୍ୱାସ ନାହିଁ ତଥାପି ଜାଣି ଜାଣି ମୂଷା ଖାଆନ୍ତୁ ବୋଲି ଛାଡିଦିଆନ୍ତି କସ୍ତୁରୀ। ମନରେ ଧାରଣା ଭୋଗ ଖାଇବାରେ ବ୍ୟସ୍ତ ରହି ଅନ୍ୟକିଛି କାଟିବେନି। ଦ୍ଵିତୀୟରେ ରୀଷ୍ଟ ବା ନାସ୍ତି ସୂଚକ ବା ନକାରାତ୍ମକ ବାସ୍ତୁ ଦୋଷ ହେଉ ବା ଗ୍ରହରିଷ୍ଟ ହେଉ ବା ମନରେ ନକାରାତ୍ମକ ଚିନ୍ତା ହେଉ, ଖଣ୍ଡନ ହେଉ। ଭାବୁ ଭାବୁ ସମୁଦୁଣୀ ଗାଧୁଆ ପାଧୁଆ ସାରି ଡ୍ରେସିଂ ପେଣ୍ଟିଂ ହୋଇ ଠାକୁର ପୂଜା ପାଇଁ ଠାକୁର ଘରେ ପ୍ରବେଶ କଲେ ତ, ତାଙ୍କ ପଛପଟ ଯୁଡ଼ା ରେ କସ୍ତୁରୀଙ୍କର ସେହି ସବୁ ଡାଳର, ଫୁଲ ଗୁଡ଼ିକ ଶୋଭା ପାଉଛିତାଙ୍କ ଗଭାରେ। ପଚାରି ଦେଲେ କସ୍ତୁରୀ,ସମୁଦୁଣୀ ଗଭା ରେ ପିନ୍ଧିଥିବା ଫୁଲ ର ଡାଳ ସବୁ କଣ କଲେ ? ସେ ଓଲଟା ପ୍ରଶ୍ନ କଲେ କାହିଁକି ? ପୁଣି ନିଜେ ନିଜେ ଉତ୍ତର ଦେଲେ ଲଗାଇଥାନ୍ତ ଭାବିଥିଲ କି, ବଞ୍ଚିନଥାନ୍ତା। ମୁଁ ସେଇଥିପାଇଁ ବୋହୂକୁ କହି ଗଭାରେ ନାଇ ଗଭା ସୁନ୍ଦର କରିଛି। ତୁମେ ପିନ୍ଧିବକି ? ମୁଁ ନାହିଁ କରୁକରୁ,ପୁଅ ଡାକୁଥିଲା।
ମାଆ, ଆରବର୍ଷ ତ ବଡ ଡାଳ ଗୁଡ଼ିକ ଗଭା ସଜେଇଲ ଦୁଇ ସମୁଦୁଣୀ, ଏଥର ନେ , ଏଗୁଡ଼ିକ ରଖ ,ଲଗେଇବୁ, ବଞ୍ଚିଗଲେ ଭଲ ନହେଲେ ବି ମାଉସୀଙ୍କ କଥା ମନେପକାଇ ଚୁପ ରହି ମନଦୁଃଖ କରିବୁନି। ମୁଁ ଏଥର ସବୁ ଚାରା ନେଇଆସିବି। ନନ୍ଦ ଉତ୍ସବ ଦିନ ବଡବଡ ଡାଳ ଗୁଡ଼ିକ ପୋତିଲା ବେଳେ ସବୁକଥା ମନେପକାଇ ହସୁ ହସୁ ମନ୍ଦାର ଡାଳ ଗୁଡ଼ିକ ନିଶ୍ଚୟ ବଞ୍ଚିବ ବୋଲି ଆଶା ପ୍ରକାଶ କରୁଥିଲେ କସ୍ତୁରୀ। ପାର୍ବଣ ମାସରେ ଅନ୍ତତ ଖୁଦୁରୁକୁଣୀ ଓଷା ପାଇଁ ଫୁଲ ଦିଟା ମିଳିଯିବ। ଦିଅଁ ଙ୍କୁ ଫୁଲ ସୁନ୍ଦର ଆମ ପୁରୀ ଜିଲ୍ଲାରେ କହୁଥିଲା ବେଳେ, ଦକ୍ଷିଣ ବା ବ୍ରହ୍ମପୁର ସ୍ତ୍ରୀ ଲୋକ ଙ୍କ ହିସାବରେ ଫୁଲ ଗଭାରେ ସୁନ୍ଦର।