Arjuni charan Behera

Others

3  

Arjuni charan Behera

Others

ଯାଜପୁରେଧିଶ୍ବରୀ ମା' ବିରଜା

ଯାଜପୁରେଧିଶ୍ବରୀ ମା' ବିରଜା

7 mins
923



ଐତିହାସିକନଗର ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମାଆ ବିରଜା l ଏଥି ପାଇଁ ଯାଜପୁରକୁ ବିରଜା କ୍ଷେତ୍ର କୁହାଯାଏ l ଇତିହାସ ପ୍ରସିଦ୍ଧ ଏହି ନଗରର ପ୍ରତିଷ୍ଠାତା ମହାରାଜା ଯଯାତି କେଶରୀl କୁହା ଯାଏ ଯାଜପୁରରେ କୋଟିଏ ତୀର୍ଥରୁ ମାତ୍ର ଗୋଟିଏ କମ୍ ପଡ଼ିବାରୁ, ଏହା ଶ୍ରୀକ୍ଷେତ୍ର ହୋଇ ପାରିଲାନାହିଁ l ଏହା ଇତିହାସସିଦ୍ଧ ଯେ ଯାଜପୁର ଏକଦା ଉତ୍କଳର ରାଜଧାନୀ ଥିଲା l ଏହି ଯଯାତି କେଶରୀ, ରକ୍ତବାହୁ ଆକ୍ରମଣରେ ସୋନପୁରରେ 144 ବର୍ଷ ଧରି ପାତାଳି ହୋଇଥିବା ଜଗନ୍ନାଥଙ୍କୁ ଶ୍ରୀ କ୍ଷେତ୍ରରେ ପୁନଃ ସଂସ୍ଥାପିତ କରାଇ, ଦ୍ଵିତୀୟ ଇନ୍ଦ୍ରଦ୍ୟୁମ୍ନ ଭାବେ ଖ୍ୟାତ l ଯାଜପୁର ଭୌମକର ଏବଂ ସୋମବଂଶୀ ରାଜା ମାନଙ୍କ ବହୁବର୍ଷ ଧରି ରାଜଧାନୀ ଥିଲା l ଚୀନ ପରିବ୍ରାଜକ ହୁଏନସାଂ ଓଡ୍ରଦେଶ ରାଜଧାନୀ ଯାଜପୁରରେ ବହୁ ମନ୍ଦିର ଦେଖିଥିଲେ ବୋଲି ତାଙ୍କ ଭ୍ରମଣ ବୃତ୍ତାନ୍ତରେ ଲିପି ବଦ୍ଧ କରିଛନ୍ତି l ଏହି ଗୌରବର ଆଲୋକବର୍ତ୍ତିକା ହୋଇ ରହିଛନ୍ତି ପୀଠାଧିଶ୍ୱରୀ ମା'ବିରଜା l ଯଦି ଯାଜପୁରରେ ବିରଜା ନ ଥାନ୍ତେ ହୁଏତ ଯାଜପୁର ଅସ୍ତିତ୍ବ କାଳ ଗର୍ଭରେ ଲୀନ ହୋଇ ଯାଇ ଥାନ୍ତା l ମା' ବିରଜାଙ୍କ ଇତିହାସ ହିଁ ଯାଜପୁରର ଇତିହାସ କହିଲେ ଅତ୍ୟୁକ୍ତି ହେବନାହିଁ,ସେ ହିଁ ଯାଜପୁରର ଅଧିଶ୍ୱରୀ l

ମାଆ ବିରଜାଙ୍କ ଉଲ୍ଲେଖ ବହୁ ଶାସ୍ତ୍ର ମାନଙ୍କରେ ଦେଖାଯାଏ l ସେଥିରୁ ପ୍ରମୁଖ ହେଉଛନ୍ତି ବ୍ରହ୍ମାଣ୍ଡ ପୁରାଣ,ବିରଜା କ୍ଷେତ୍ର ମାହାତ୍ମ୍ୟମ,ବାୟୁ ପୁରାଣ, ହରିବଂଶ, ତନ୍ତ୍ରଯାମଳ, କପିଳ ସଂହିତା, ଗରୁଡ଼ ପୁରାଣ,ବିଷ୍ଣୁ ପୁରାଣ,କୁବ୍ଜିକା ତନ୍ତ୍ର ଓ ବ୍ୟାସକୃତ ମହାଭାରତ l ଏହି ଗ୍ରନ୍ଥମାନଙ୍କରେ ମା'ବିରଜାଙ୍କ ନାମୋଲ୍ଳେଖରୁ ତାଙ୍କର ପ୍ରାଚୀନତା ବାରି ହୋଇ ପଡ଼େ l ଏହି ଗ୍ରନ୍ଥମାନଙ୍କ ଭିତରେ ସବୁଠୁଁ ପୁରୁଣା ମହାଭାରତକୁ ବିଚାରକୁ ନେଲେ ତାଙ୍କର ଅସ୍ତିତ୍ବ ଯେ 2500 ପୂର୍ବେ ଥିଲା ତାହା ଜଣାପଡ଼ି ଥାଏ l ସଂସ୍କୃତ ମହାଭାରତ ବନପର୍ବର 85 ଅଧ୍ୟାୟରେ ଦେବୀ ବିରଜାଙ୍କର ଉଲ୍ଲେଖ ନିମ୍ନ ଶ୍ଳୋକରୁ ଜଣା ପଡ଼େ :-

        ତତୋ ବୈତରଣୀମ୍ ଗଛେତ

          ସର୍ବପାପ ପ୍ରମୋଚନୀମ୍ l

ବିରଜଂ ତୀର୍ଥମାସାଦ୍ୟ ବିରାଜତି ଯଥା ଶଶୀ ll

ଅର୍ଥାତ ସର୍ବ ପାପ ହାରିଣୀ ବୈତରଣୀ ତୀର୍ଥକୁ ଯିବା ଉଚିତ,ଏଠାରେ ବିରଜାତୀର୍ଥରେ ସ୍ନାନରେ ମନୁଷ୍ୟ ଚନ୍ଦ୍ରମାଙ୍କ ପରି ପ୍ରଭାଵନ୍ତ ହୋଇ ଯାଏ l ଯାଜପୁରର କବି କଵିମଞ୍ଜୁଳ କୃଷ୍ଣପ୍ରସାଦ ବସୁଙ୍କ ଭାଷାରେ -

       ବିତରଣ ବାରି ବହୁଳା ତଟ

           ବିନ୍ଧ୍ୟବାସିନୀ ବିରଜା l

      ସାରା ଉତ୍କଳର ଶୂଳଧାରିଣୀ

           ସୁଖରେ ପାଳୁ ତୁ ପରଜା ll

ପୁଣି ମା' ବିରଜାଙ୍କ ଅବସ୍ଥିତିକୁ ନେଇ ବ୍ରହ୍ମଯାମଳ ତନ୍ତ୍ରରେ କୁହାଯାଇଛି :-

ରାମେଶ୍ୱରୀ ସେତୁବନ୍ଧେ ବିମଳା ପୁରୁଷୋତ୍ତମେ, ବିରଜା ଉଡ୍ରଦେଶେ ଚ କାମାକ୍ଷା ନୀଳ ପର୍ବତେ l

ଉଡ୍ଡୀୟାନ ତନ୍ତ୍ରରେ ମଧ୍ୟ ଉଲ୍ଲେଖ ରହିଛି :- ଉଡ୍ଡୀୟାନ ପରଂପୀଠମ୍ ଯତ୍ର ବୈତରଣୀ ନଦୀ ଉଡ୍ରଭୂମି ମହାକୌଳ ଯାବତ ମହେନ୍ଦ୍ର ପର୍ବତେ l

ବିରଜାଙ୍କ ପ୍ରାଚୀନତା ବାରିହୋଇ ପଡେ ତାଙ୍କର ମୂର୍ତ୍ତି ଗଠନ ଶୈଳୀରୁ l ବିରଜାଙ୍କ ମୂର୍ତ୍ତି ଦ୍ୱି ଭୁଜା ଦୁର୍ଗା ମୂର୍ତ୍ତି l ବାମ ହସ୍ତରେ ତ୍ରିଶୁଳ ଧାରଣ କରି ମା' ରାକ୍ଷସ ରୂପୀ ମହିଷର ବକ୍ଷ ବିଦ୍ଧ କରୁଛନ୍ତି l ଦକ୍ଷିଣ ହସ୍ତରେ ଧରିଛନ୍ତି ମାଆ ମହିଷର ପୂଛ l ଦେବୀଙ୍କର ରୂପ ବର୍ଣନାରେ କୁହାଯାଇଛି -

ଧୃତକନକ ନିଭାଭା ଶୂଳଲାମ୍ ଶୂଳହସ୍ତା,

ପ୍ରବଳ ମହିଷ ପୃଷ୍ଠେ ଶୂଳମାଭେଦ୍ୟ ମାନା

ଗଣପତି ଫଣୀସମ୍ରାଟ ଯୋନିଲିଙ୍ଗେନ୍ଦୁଚୁଡ଼ା

ରଚୟତୁଃ ବିରଜାମେ ମଙ୍ଗଳମ୍ ମଙ୍ଗଳନାମ୍ ll

ଅର୍ଥାତ କନକବର୍ଣ୍ଣl ମା' ବିରଜାଙ୍କ ବାମ ହସ୍ତରେ ମହିଷର ଲାଙ୍ଗୁଳ,ଦକ୍ଷିଣ ହସ୍ତରେ ଶୂଳ,ମହିଷର ମୁଣ୍ଡରେ ବାମପାଦ ରଖି ମହିଷକୁ ମାଆ ଶୂଳବିଦ୍ଧ କରୁଛନ୍ତି l ମୁକୁଟରେ ଗଣେଶ,ସର୍ପ,ଯୋନି,ଲିଙ୍ଗ ଏବଂ ଚନ୍ଦ୍ର ବିଦ୍ୟମାନ l ବିରଜାଙ୍କୁ ଦୁର୍ଗାଙ୍କ ସ୍ୱରୂପ ବୋଲି କୁହାଯାଏ l କିନ୍ତୁ ଅନ୍ୟାନ୍ୟ ଦୁର୍ଗାମୂର୍ତ୍ତି ପରି ଦେଵୀ ସିଂହବାହିନୀ ନୁହଁନ୍ତି କିମ୍ଵା ଦଶଭୁଜା ମଧ୍ୟ ନୁହନ୍ତି l ପୁରାତତ୍ତ୍ୱବିତମାନଙ୍କ ମତେ ଏଭଳି ମୂର୍ତ୍ତି ସାରା ଭାରତବର୍ଷରେ ବିରଳ l ଐତିହାସିକ ତଥା ପୁରାତତ୍ତ୍ୱବିତ R D Banerjee, R L Mitra ଓ Jadunath Sarkar ଙ୍କ ମତରେ ଏ ମୂର୍ତ୍ତି ଖ୍ରୀଷ୍ଟିୟ 3ୟ /4ର୍ଥ ଶତାବ୍ଦୀର l ମାଆ ବିରଜାଙ୍କ ସମ୍ବନ୍ଧରେ ପୌରାଣିକ ଓ ଐତିହାସିକ ତଥ୍ୟସବୁ ବଡ଼ ରହସ୍ୟମୟ l

1. ମାଆ ବିରଜା ସ୍ୱୟଂ ସମ୍ଭୁତା l ଥରେ ତାଙ୍କର ଋତୁଧର୍ମ କଷ୍ଟ ହେବାରୁ ସେ ପାତାଳଗାମୀ ହୋଇ ଥିଲେ l ବ୍ରହ୍ମା ଯଜ୍ଞ କରି ତାଙ୍କର ଏହି କଷ୍ଟ ଦୁର କରିବାରୁ ସେ ଯଜ୍ଞ କୁଣ୍ଡରୁ ପ୍ରକଟ ହୋଇ ଥିଲେ l ବିରଜା ମନ୍ଦିର ପ୍ରାଙ୍ଗଣରେ ରହିଥିବା ଯଜ୍ଞକୁଣ୍ଡକୁ ବ୍ରହ୍ମାଙ୍କ ଯଜ୍ଞ କୁଣ୍ଡ କୁହାଯାଏ l ଦେଵୀ ରଜକଷ୍ଟ ବିହିତ ହୋଇଥିବାରୁ ନାମ ତାଙ୍କର ବିରଜା l

2. ପୁଣି ଇତିହାସରୁ ଜଣାଯାଏ ଯେ ଗୁପ୍ତ ରାଜତ୍ୱ କାଳରେ 4ର୍ଥ ଶତାବ୍ଦୀରେ ଗୋଟିଏ ବିରାଟ ଯଜ୍ଞ ପରେ ମା' ବିରଜାଙ୍କ ବିଗ୍ରହ ବୈତରଣୀ କୂଳରେ ସ୍ଥାପିତ ହୋଇଥିଲା l

3. ଏକଦା ବ୍ରହ୍ମା ଶଙ୍କରଙ୍କ ଦ୍ୱାରା ଅପୂଜା ରହିବା ପାଇଁ ଅଭିଶପ୍ତ ହେଲେ l ଏହାର ନିଦାନ ସ୍ୱରୂପ ସେ ବୈତରଣୀ ନଦୀ କୂଳରେ ଏକ ବିରାଟ ଯଜ୍ଞ ଅନୁଷ୍ଠାନ କଲେ l ଯଜ୍ଞରେ ସନ୍ତୁଷ୍ଟ ହୋଇ ପୃଥିବୀ ଦେଵୀ ଏକ ବେଦୀ ରୂପରେ ଆବିର୍ଭୁତା ହୋଇ ତାଙ୍କର ଶାପ ମୋଚନ କରିଥିଲେ l ଏହି ବେଦୀ ଉପରେ ହିଁ ବିରଜା ପ୍ରତିଷ୍ଠିତ l

4. ବିରଜା ଉତ୍କଳର ଅଷ୍ଟଚଣ୍ଡୀ ମାନଙ୍କ ମଧ୍ୟରେ ଅନ୍ୟତମା l ଅନ୍ୟ ଚଣ୍ଡୀମାନେ ହେଲେ ବିମଳା, ଭଗବତୀ, ଚର୍ଚ୍ଚିକା,ଶାରଳା,ହିଙ୍ଗୁଳା,ମଙ୍ଗଳା ଓ ସମଲେଇ l

5. ବିରଜା କ୍ଷେତ୍ର ପୁଣି ପୁରାଣ ବର୍ଣ୍ଣିତ 51 ଶକ୍ତି ପୀଠ ମଧ୍ୟରେ ଅନ୍ୟତମ l ତନ୍ତ୍ର ଚୂଡ଼ାମଣି ଗ୍ରନ୍ଥ ମତେ ସତୀଙ୍କର ନାଭିପିଣ୍ଡ ଏଠାରେ ପଡ଼ିଥିବାରୁ ଏହାକୁ ନାଭି ପୀଠ କୁହାଯାଏ l ଉଲ୍ଲେଖ ଯୋଗ୍ୟ କି ଏକାବନ ଶକ୍ତିପୀଠ ଭିତରେ ଓଡ଼ିଶାର ଦୁଇଟି କ୍ଷେତ୍ର ବିରଜା ଓ ବିମଳାଙ୍କୁ ନିଆ ଯାଏ l

6. ବିରଜାକ୍ଷେତ୍ରକୁ ନାଭିଗୟା ବୋଲି କୁହାଯାଏ l ଏଠାରେ ପିଣ୍ଡ ଦାନ ଗୟା ପିଣ୍ଡ ଦାନ ସମ ପୁଣ୍ୟ ଦାୟୀ l ନାଭିଗୟାର ସ୍ମୃତି ସ୍ୱରୂପ ଏଠାରେ ଏକ ନାଭି ଆକୃତିର ଗୋଲାକାର ବୃହତ କୁଣ୍ଡ ରହିଛି l ପିଣ୍ଡଦାନ ପରେ ସମସ୍ତ ଅବଶେଷ ସାମଗ୍ରୀ ଏହି କୁଣ୍ଡରେ ନିକ୍ଷେପ କରା ଯାଏ l ମାତ୍ର ଆଶ୍ଚର୍ଯ୍ୟର କଥା ଏ କୁଣ୍ଡକୁ କେଭେ ପରିଷ୍କାର କରାଯାଉ ନ ଥିଲେ ମଧ୍ୟ ଏହା କେବେ ପୂର୍ଣ୍ଣ ହୁଏନାହିଁ l ବିରଜା କ୍ଷେତ୍ରକୁ ନାଭି ଗୟା କୁହା ଯିବା ପଛରେ ଦୁଇଟି ପୌରାଣିକ ଉପାଖ୍ୟାନ ରହିଛି l ପ୍ରଥମଟି ହେଲା ଏଠାରେ ସତୀଙ୍କ ନାଭିପିଣ୍ଡ ପତିତ ହୋଇଥିଲା l

ଦ୍ୱିତୀୟ ହେଲା ଗୟା ତୀର୍ଥ ଭାବରେ ଭାରତରେ ତିନୋଟି ପୀଠ ଅଛି l ଗୟାସୁରର ପାଦ, ନାଭି ଓ ମସ୍ତକ ତିନୋଟି ସ୍ଥାନ ଯଥାକ୍ରମେ ଆନ୍ଧ୍ରପ୍ରଦେଶର ପିଠାପୁରମ,ଯାଜପୁର ଓ ବିହାରର ଗୟା ଠାରେ ନିପତିତ ହୋଇଥିବାରୁ ସ୍ଥାନ ଗୁଡିକ ଯଥା କ୍ରମେ ପାଦ ଗୟା, ନାଭି ଗୟା ଓ ଶୀର୍ଷ ଗୟା ନାମରେ ନାମିତ l ନାଭି ଗୟା ମାହାତ୍ମ୍ୟ ବର୍ଣ୍ଣନାରେ କୁହା ଯାଇଛି -

          ତତ୍ର ଶ୍ରୀ ବିରଜା କ୍ଷେତ୍ରେ

         ଦେବ୍ୟା ଈଶାନ କୋଣତଃ l

           ଗୟାନାଭି ମହାପୂଣ୍ଣ୍ୟଃ

           ପିତୃନାମ୍ ମୁକ୍ତିଦାୟକଃ ll

7. ଶ୍ରୀ ବିଷ୍ଣୁଙ୍କ ଚାରି ଆୟୁଧର ନାମ ଅନୁସାରେ ଓଡ଼ିଶାରେ ଚାରୋଟି କ୍ଷେତ୍ର ନାମିତ ଯଥା ପୁରୀ - ଶଙ୍ଖକ୍ଷେତ୍ର, ଭୁବନେଶ୍ୱର - ଚକ୍ରକ୍ଷେତ୍ର, ବିରଜା - ଗଦାକ୍ଷେତ୍ର ଏବଂ କୋଣାର୍କ - ଅର୍କକ୍ଷେତ୍ର ବା ପଦ୍ମ କ୍ଷେତ୍ର l ପୁନଶ୍ଚ ମହାପୁରୁଷ ଅଚ୍ୟୁତାନନ୍ଦ ତାଙ୍କ ଭବିଷ୍ୟ ମାଳିକାରେ କହନ୍ତି ମହାଭାରତ ଯୁଦ୍ଧର ଗୋଟିଏ ଓଳି ବାକି ଅଛି l ଯାହା କଳିଯୁଗ ଶେଷ ସମୟରେ, ମହାଭାରତ ଯୁଦ୍ଧରେ ଯୁଦ୍ଧ ପିପାସା ମେଣ୍ଟି ନ ଥିବା ବୀର ମାନଙ୍କ ମଧ୍ୟରେ ସଂଘଟିତ ହେବ l ଏଥି ପାଇଁ ମହାବଳୀ ଭୀମ ଫିଙ୍ଗି ଦେଇ ଥିବା ଗଦାଟି ବିରଜା କ୍ଷେତ୍ରରେ ଲୁକ୍କାୟିତ ଭାବେ ରହିଛି l ମ୍ଲେଚ୍ଛ ସଂହାର ନିମନ୍ତେ ବିରଜା ପୀଠରୁ ଭୈରବ ଡାକ ହେବ l ବିରଜା ମନ୍ଦିରରେ ଚାରିଟି ଦ୍ୱାର ଅଛି l ଏଥିରୁ ପଶ୍ଚିମ ଦ୍ୱାରଟି ଯାହା କେବେ ଖୋଲେ ନାହିଁ,କଳିଯୁଗ ଶେଷ ହେଲେ ସେ ଦ୍ୱାର ଖୋଲିଯିବ l

8. ଗଦାକ୍ଷେତ୍ର ସମ୍ବନ୍ଧରେ ଆଉ ଏକ ପୌରାଣିକ କାହାଣୀ ଅଛି l ଥରେ ବେଦପତି ବ୍ରହ୍ମା ଏଠାରେ ଯଜ୍ଞ କରୁଥିବା ଅବସରରେ ଜାଣି ପାରିଲେ ଯେ ବେଦକୁ କୌଣସି ଦୈତ୍ୟ ଚୋରି କରି ନେଉଛି l ବେଦ ଉଦ୍ଧାର ପାଇଁ ବିଷ୍ଣୁଙ୍କୁ ସ୍ତୁତି କରିବାରୁ ବିଷ୍ଣୁ ବରାହ ରୂପରେ ବେଦ ଚତୁଷ୍ଟୟ ଧରି ଯଜ୍ଞ କୁଣ୍ଡ ମଧ୍ୟରୁ ଆବିର୍ଭୁତ ହୋଇ ତାଙ୍କର ଗଦାଟିକୁ ଫିଙ୍ଗି ଦେଲେ ଯାହା ଏହି ଠାରେ ରହିଲା l ଯଜ୍ଞାବିର୍ଭୁତ ଏହି ବରାହ ରୂପୀ ଶ୍ରୀବିଷ୍ଣୁଙ୍କ ମନ୍ଦିର ବୈତରଣୀ ନଦୀ କୂଳରେ ଅଛି l ଏଠାରେ ତାଙ୍କୁ ବରାହନାଥ ବା ଯଜ୍ଞବରାହ ଭାବେ ପୂଜା କରାଯାଏ l ବିରଜା ଭୈରବୀ ହେଲେ ଯଜ୍ଞବରାହ ହେଉଛନ୍ତି ତାଙ୍କର ଭୈରବ l ଉଡ୍ଡୀୟାନ ତନ୍ତ୍ରରେ ଉଲ୍ଲେଖ ଅଛି :-   

ବିରଜା ନାଭିପୀଠସ୍ତୁ ବରାହ ଭୈରବାକୃତେ l 

ବିମଳା ପାଦ ପିଠଞ୍ଚ ଜଗନ୍ନାଥାଖ୍ୟଃ ଭୈରବ ll

9. ବୈତରଣୀର ଅପର ପାର୍ଶ୍ୱରେ ସପ୍ତ ମାତୃକା ମନ୍ଦିର ଅବସ୍ଥିତ l ବିରଜା ଦୁର୍ଗା ରୂପରେ ତାଙ୍କର ଏହି ସହଯୋଗୀ ଦେବୀମାନଙ୍କୁ ନେଇ ଏଠାରେ ବିରାଜମାନ କରୁଛନ୍ତି l ସ୍ଥାନୀୟ ଲୋକେ ଏହି ଦେଵୀ ମାନଙ୍କୁ ଯମ ମାଆ ସାତଭଉଣୀ ବୋଲି ଅଭିହିତ କରିଥାନ୍ତି l ଏହି ସାତ ଦେଵୀ ମାନେ ହେଲେ ବ୍ରାହ୍ମଣୀ,ବୈଷ୍ଣବୀ,ଶିବଦୁତି,ନରସିଂହୀ, ଚାମୁଣ୍ଡା, କୌମାରୀ ଓ ବାରାହୀ l

10. ଗୁପ୍ତ ରାଜତ୍ୱ କାଳରେ ଚତୁର୍ଥ ଶତାବ୍ଦୀରେ ଗୋଟିଏ ବିରାଟ ଯଜ୍ଞ ପରେ ମା'ବିରଜାଙ୍କ ବିଗ୍ରହ ବୈତରଣୀ କୂଳରେ ସ୍ଥାପନ ହୋଇଥିଲା,ବିରଜା ପୀଠରେ ଯଜ୍ଞ ତର୍ପଣ କଲେ ଏକୋଇଶି ପୁରୁଷ ଉଦ୍ଧାର ହୋଇଥାନ୍ତି ବୋଲି ବିଶ୍ୱାସ ଅଛି l

11. ବିରଜା ତୀର୍ଥକୁ ପୁଣି ବରାହ,ବିରଜା,ବେଦ, ବିପ୍ର ଏବଂ ବୈତରଣୀ ହେତୁ ପଞ୍ଚ ବ'କାର ତୀର୍ଥ ବୋଲି କୁହାଯାଏ l

'ବରାହ ବିରଜା ଦେଵୀ ବିପ୍ରା ବୈତରଣୀ ନଦୀ l

ଶୋଭନ୍ତେ କ୍ଷେତ୍ରରାଜେସ୍ମିନ ଵକାର ପଞ୍ଚଦୁର୍ଲଭଃ'

12. ବିରଜାଙ୍କୁ ପୁଣି କେତେକ ପୁରାଣ ତତ୍ତ୍ୱବିତ ମାନେ ଯଦୁବଂଶୀ ରାଜା ଯଯାତିଙ୍କ ଜନନୀ ତଥା ନହୁଷଙ୍କ ପତ୍ନୀ ଭାବରେ ଚିହ୍ନିତ କରନ୍ତି l

13. ଏକଦା ଯାଜପୁର ଅଂଚଳରେ ବୌଦ୍ଧ ଧର୍ମର ବହୁଳ ପ୍ରସାର ହୋଇଥିଲା l ଏହାର ମୁକ ସାକ୍ଷୀ ରୂପେ ରତ୍ନଗିରି, ଲଳିତଗିରି ଓ ଲାଙ୍ଗୁଡି ପାହାଡ଼ ବିଦ୍ୟମାନ l ବିରଜାଙ୍କର ଶାରଦୀୟ ରଥଯାତ୍ରାକୁ ଲକ୍ଷ୍ୟକରି କେହି କେହି କହନ୍ତି ମାଆ ହେଉଛନ୍ତି ବୁଦ୍ଧ ମାନଙ୍କର ଦେଵୀ ତାରା l

ଏକାଦଶ ଶତାବ୍ଦୀରେ ସୋମବଂଶୀ ମାନେ ମାଆ ବିରଜାଙ୍କ ମନ୍ଦିର ନିର୍ମାଣ କରି ଥିଲେ ଯାହା ଧର୍ମ ବିଦ୍ୱେଷୀ କଳା ପାହାଡ଼ ଭାଙ୍ଗି ଦେଇଥିଲା l ମୂଳ ମନ୍ଦିରଟି ଯାଜପୁରର ଅନତିଦୂରରେ କଳସପୁର ଗ୍ରାମରେ ଥିଲା l ସେହି ମନ୍ଦିରଟିର ଭଗ୍ନାବଶେଷ ଏବେ ସେ ଗ୍ରାମରେ ଦେଖିବାକୁ ମିଳେ l ବିରଜା ମନ୍ଦିରର ମୁଖ୍ୟ ଦ୍ୱାରରେ ଥିବା କବାଟ ଏହି ମୂଳ ମନ୍ଦିରରୁ ଆନିତ l ବର୍ତ୍ତମାନ ମନ୍ଦିରଟି ଉନବିଂଶ ଶତାବ୍ଦୀର l ଚୌଧୁରୀ ବଂଶର ଜମିଦାର ମାନଙ୍କ ସହାୟତାରେ ସୁଦର୍ଶନ ମହାପାତ୍ର ନାମ୍ନୀ ଜଣେ ବ୍ୟକ୍ତି ଏ ମନ୍ଦିର ତୋଳାଇ ଥିଲେ l

ଶ୍ରୀକ୍ଷେତ୍ର ଭଳି ବିରଜା କ୍ଷେତ୍ରରେ ବାର ମାସରେ ତେରପୂଜା ଲାଗି ରହିଥାଏ l ମାଘମାସ ତ୍ରିବେଣୀ ଅମାବାସ୍ୟା ଦିନ ମା' ବିରଜାଙ୍କ ଜନ୍ମ ତିଥି ମହା ସମାରୋହରେ ପାଳିତ ହୁଏ l ଶାରଦୀୟ ଦୁର୍ଗା ପୂଜା ଏବଂ ଚୈତ୍ର ନବରାତ୍ର ମଧ୍ୟ ଏଠାରେ ମହା ସମାରୋହରେ ପାଳିତହୁଏ l ମା'ଙ୍କର ମହାଳୟା ଅମାବାସ୍ୟା ଠାରୁ ନବମୀ ପର୍ଯ୍ୟନ୍ତ ରଥ ଯାତ୍ରା ହୁଏ l ଏହି ରଥଯାତ୍ରା ସୋମବଂଶୀ ରାଜାମାନଙ୍କ ଦ୍ୱାରା ପ୍ରଚଳିତ ହୋଇ ଥିଲା l ଯାହା ଜଣା ଯାଏ ଭାରତରେ ବିରଜାଙ୍କୁ ଛାଡି ଦେଲେ ଆଉ ଦୁଇଟି ମାତ୍ର ଦେବୀ ପୀଠରେ ରଥଯାତ୍ରା ହୋଇ ଥାଏ l ତାହା ଦଶହରା ସମୟରେ କନ୍ୟାକୁମାରୀ ଏବଂ ଦୋଳଯାତ୍ରା ସମୟରେ ମାଆ କାମାକ୍ଷାଙ୍କ ପୀଠ l ବିରଜାଙ୍କ ରଥର ନାମ ସିଂହଧ୍ୱଜ ଓ ବ୍ରହ୍ମା ଏହାର ସାରଥୀ l ନବମୀ ଦିନ ଲାଖ ବିନ୍ଧା ଉତ୍ସଵରେ ଏ ଯାତ୍ରାର ସମାପନ ହୁଏ l ଲାଖ ବିନ୍ଧା ପଡିଆରେ ପୂଜକ ଚାରି ଦିଗକୁ ଚାରିଟି ତୀର ନିକ୍ଷେପ କରି ରଥଯାତ୍ରା ସମାପନ କରନ୍ତି l ବିଶ୍ୱାସ କରାଯାଏ ରଥରେ ବିରଜାଙ୍କୁ ଦର୍ଶନ କଲେ ନାରୀ ମାନଙ୍କର ବନ୍ଧ୍ୟାଦୋଷ ଦୂର ହୋଇଥାଏ l ପୂର୍ବେ ଶାରଦୀୟ ନବମୀ ତିଥିରେ ଗୋଟିଏ ମହିଷ ବଳି ପଡ଼ୁଥିଲା ଯାହା ସଚେତନତା ପରେ ଏବେ ବନ୍ଦ କରିଦିଆ ଯାଇଛି l ବିରଜାପଞ୍ଜିକା ଫଗୁପୂର୍ଣ୍ଣିମାରେ ମନ୍ଦିର ପଣ୍ଡିତ ସଭା ଦ୍ୱାରା ପ୍ରକାଶ ପାଏ l

ଏହି ପୌରାଣିକ,ଐତିହାସିକ ଓ କିମ୍ବଦନ୍ତୀମୂଳକ ଆଖ୍ୟାୟିକା ଗୁଡିକ ଅନୁଧ୍ୟାନ କଲେ ଜଣା ଯାଇ ଥାଏ ଯେ ମା' ବିରଜା ଏ କ୍ଷେତ୍ରରେ ବହୁ ପ୍ରାଚୀନ କାଳରୁ ବିରାଜ ମାନ କରୁଛନ୍ତି l ତାଙ୍କ ଇତିହାସ ଘାଣ୍ଟିଲେ ବହୁତ ନୂଆ ନୂଆ କଥା ସାମ୍ନାକୁ ଆସେ ସିନା କିନ୍ତୁ ତାଙ୍କ କାହାଣୀ ସରେ ନାହିଁ l ତାଙ୍କର କଥାକୁ ସମ୍ପୂର୍ଣ୍ଣରୂପେ ବଖାଣିବାକୁ କିଏ ବା ସମର୍ଥ ହୋଇପାରେ l

            ମାଆଲୋ କରୁଣାମୟୀ !l

       ଅନ୍ତର ମୋର ପୂଜା ବେଦୀ ହେଉ

              ତଵ ନିରାଜନା ପାଇଁ !

                    

                     

 

 

 

  


Rate this content
Log in