ଯାହା କରିବେ ସାଇଁ ତାହା କାହାରି ହାତରେ ନାହିଁ
ଯାହା କରିବେ ସାଇଁ ତାହା କାହାରି ହାତରେ ନାହିଁ
ବୋଉ, ତା ସାନଭାଇକୁ ସ୍ନେହରେ ପାଗେଲା କହୁ କହୁ ସତରେ, ସେ ନିଜେ ପାଗେଳୀ ହୋଇଯିବ, ଏକଥା କେହି କେବେ ସ୍ବପ୍ନରେ ସୁଦ୍ଧା ଭାବିନଥଲା। ବୋଉର ତିନିଥର ହାର୍ଟ ଆଟାକ ହୋଇଯିବା ପରେ ମଧ୍ୟ ଭଗବାନ ତାକୁ ବଞ୍ଚାଇ ଦେଇଥିବାରୁ ସେ ଭଗବାନଙ୍କୁ ତ ଅଶେଷ ଧନ୍ୟବାଦ୍ ଦେଲା କିନ୍ତୁ ଭଗବାନ ସ୍ୱରୂପ ନିଜ ସ୍ବାମୀ ବା ମୋ ବାପାଙ୍କୁ ଆତ୍ମବଡିମା ଦେଖାଇ କୁହେ, ମୁଁ ହାର୍ଟ ପେସେଣ୍ଟ, କେତେବେଳେ ଯିବି କେହି କହିପାରିବେ ନାହିଁ, ତେଣୁ ମୋତେ କିଏ କି ସେବା କରିବ ବରଂ ତୁମେ ହଇରାଣ ହେବ। ବାପା କାନ୍ଦି ପକାନ୍ତି, ନିଜେ ହଇରାଣ ହେବେ ବୋଲି ନୁହଁ ବରଂ ବୋଉ ଚାଲିଯିବ ଶୁଣି। ବୋଉ ଗର୍ବରେ ଛାତି ଫୁଲେଇ କହେ କେତେଟା ସ୍ତ୍ରୀ ଲୋକ ଅହ୍ୟ ଡେଙ୍ଗୁରା ବଜାଇ ଯାଉଛନ୍ତି ସଂସାରରୁ ! ସେଦିନ ହଠାତ୍ ସନ୍ଧ୍ୟାରେ ବାପା ମଟର ତରକାରୀ ଓ ଅମ୍ଭାଲୁ ଖାଇ ଶୋଇଲେ ଯେ ଶୋଇଲେ, ରାତିରେ ବୋଉ ଆସି, ରାତି ର ଖାଇବାକୁ ଡାକିଲା ବେଳକୁ ବାପା ଉଠୁନାହାନ୍ତି, ଡକା ହକା ରେ ସମୟ ଯାହା ଲାଗିଥିବ, ପୁରୀର ଦ୍ୱିତୀୟ ଜୋଇଁ ଆସି ହସ୍ପିଟାଲ ନେଲା ପରେ ଡାକ୍ତର ମୃତ ଘୋଷଣା କଲେ, ବୋଉ ହାତରୁ ଉତୁରି ପଡ଼ୁଥିବା ନାଲି ଚୁଡ଼ି ଓ ଶଙ୍ଖାରେ ଶୂନ୍ୟ ହାତକୁ ଘୋଡେ଼ଇ ରଖୁ ରଖୁ ବୋଉ ଏଣୁ ତେଣୁ ଭୁଲ ଭାଲ କହୁ କହୁ ଆଲଜାଇମାର ପେସେଣ୍ଟ ହୋଇଗଲା, ମାନେ ପାଗଳୀ। କେତେ ବେଳେ ଗାଳି ଦିଏ, କେତେବେଳେ କହାକୁ ଚିହ୍ନଟ କରିପାରେ ତ କେତେବେଳେ କରିପାରିନି।ଭୁଲ ଭାଲ କହୁଥାଏ। ତାରି ଭିତରେ ସେହି ଦିତୀୟ ଜୋଇଁ ଚାଲିଗଲେ, ଜେ ଜାଣିବାର ନାହିଁ। ଏବେ ଏବେ ତାର ଅତି ଗେହ୍ଲା ସାନଭାଇ ବି ଚାଲିଗଲେ। ସେ କିନ୍ତୁ ବଡ଼ପୁଅକୁ ଭାଇ ବଡବୋହୁକୁ ନୁଆବୋଉ ଡାକୁଛି, ଆଉ ସେ ପାଗଳୀ, ସାନପୁଅକୁ ଅବ ବୋଲି ଡାକୁଛି, ତା ସାନଭାଇ ନାମରେ। ଆମେ ଚାରିଭଉଣୀ କାନ୍ଦିପକେଇ ବ୍ୟସ୍ତ ହେଉଥିଲା ବେଳେ ଡ଼ାକ୍ତର ବୁଝେଇ କୁହନ୍ତି, ଭଗବାନ ଯାହା କରନ୍ତି, ପ୍ରାଣୀର ମଙ୍ଗଳ ପାଇଁ, ସେ ମାଉସୀ ଯଦି ପାଗେଳୀ ହେଇନଥାନ୍ତେ, ସହିପାରିଥାନ୍ତେ ତାଙ୍କ ଜୋଇଁ ଓ ଭାଇର ମୃତ୍ୟୁ ।