Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Lipi Sahoo

Tragedy Inspirational


4.6  

Lipi Sahoo

Tragedy Inspirational


ଉଠ କଙ୍କାଳ

ଉଠ କଙ୍କାଳ

5 mins 255 5 mins 255

ରାତି ଏଗାରଟା ପାଖାପାଖି ତରଭା ଗାଆଁରେ ପାଟିତୁଣ୍ଡ ଶୁଭିଲା । କାହାକୁ ବା ନିଦ ଥିଲା ସେ ଦିନ ??? ରାତି ପାହିଲେ ବାତ୍ୟା ହେବ ବୋଲି ଟିଭି ରେଡିଓରେ କହି ସାରି ଥିଲା । ତୁହାକୁ ତୁହା ବରଷା ଏବେ ବି ହେଉ ଥାଏ । ଏକେ ତ ସମୁଦ୍ର ପାଖ ଗାଆଁ । ଢେଉ ସବୁ ସଁ ସଁ ଗର୍ଜନ କରି କୂଳକୁ ମାଡି ଆସୁଥାଆନ୍ତି । ସବୁ ଦେଖି ସବୁ ଶୁଣି ଗାଆଁ ଲୋକେ ମୁଣ୍ଡରେ ହାତ ଦେଇ ବସି ଥାଆନ୍ତି । ସେମାନଙ୍କ ଭିତରୁ କିଛି କେଉଟ ଆଉ କିଛି ଚାଷୀ ଓ ମଜୁରିଆ । ସମସ୍ତଙ୍କ ପ୍ରାୟ ଚାଳ ଛପର ଘର । ଗୋଟିଏ ହାବୁକା ପବନରେ କୁଆଡେ ଉଡି ଯିବ ପତ୍ତା ମିଳିବନି । ହେଲେ ଫି ବରଷ ବାତ୍ୟାରେ ସେମାନଙ୍କ ଘର ଭାଙ୍ଗେ ପୁଣି ତିଆରି କରନ୍ତି । ଯେମିତି ଦେହ ସୁହା ହେଇ ଗଲାଣି ସେମାନଙ୍କର । ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି ହେଲେ ଏଇ ଗରିବମାନଙ୍କ ଦୁଃଖ ତାଙ୍କ ଆଖିରେ ପଡେନି । କେତେ ନେହୁରା ନ ହେଇଛନ୍ତି ଏଇ ତରଭା ବାସୀ ସରକାର ଆଗରେ ପକ୍କା ଘର ଖଣ୍ଡେ ଖଣ୍ଡେ ପାଇଁ । ହେଲେ ଶୁଣୁଚି କିଏ ?? ଶଳା, ଗରିବ ଝିଅ ସମସ୍ତଙ୍କ ମାଇପ ଭଳି କଥା ।


ଏଥର ଗାଆଁ ଲୋକେ ଠିକ୍ କଲେ, ଆମେ ସେ ବାତ୍ୟା ଆଶ୍ରୟସ୍ଥଳୀକୁ ଯିବାନି । ମରିବା ଯଦି ମରିବା । ଏମିତି ତ ମରି ମରି ବଞ୍ଚିଛୁ । ଆମ ଜୀବନର ମୂଲ୍ୟ ଏଇ ବାତ୍ୟା ସମୟରେ ସରକାର ଙ୍କର ମନେପଡେ । ଟାଣି ଓଟାରି ଆଶ୍ରୟସ୍ଥଳୀକୁ ନେଇ ଯିବେ । ଦିନେ ଦୁଇ ଦିନ ରଖି, ଖାଇବାକୁ ଦେଇ ପଠେଇ ଦେବେ । ତାଙ୍କ କାମ ସରିଲା । ଦେଖେଇବେ କ'ଣ ନା ବାତ୍ୟାରେ କେହି ମରିନାହାନ୍ତି । ଏକ ନମ୍ବର ସରକାର । ଆଉ ସେ ଛଇ ଚଳିବନି । କେହି ହେଲେ ଏଥର ଘର ଛାଡ଼ିବାନି । ମହାବାତ୍ୟା ପର ଠାରୁ ଗୁହାରି କରି ଆସୁଚୁ । ସମୁଦ୍ର ଆଁରେ ଆମ ଗାଆଁ ହଜିଗଲା । ଦଶ କିଲୋମିଟର ଦୂରରେ ଆସି ଚାଳିଘର ଖଣ୍ଡେ ଖଣ୍ଡେ କରି ରହିଲୁ । ସମୁଦ୍ର ବି ଦିଉ ସାଧୁଚି । ଫି ବରଷ କୂଳ ଖାଇ ଖାଇ ଆଗକୁ ଆଗକୁ ମାଡି ଆସୁଛି । ଚାରି ଚାରିଟା ଇଲେକ୍ସନ ଗଲାଣି । ଆମର ଥଇଥାନ ବ୍ୟବସ୍ଥା କର କର କହି ଆଖି ଲୁହ ଆଖିରେ ମଲାଣି । ଆମେ ଯେମିତି କି ସେମିତି ଅଛୁ । ନାଲିଫିତା ତଳେ ସବୁ ତ ଚାପି ଦେଉଚ, ଆଉ ଏଇ ବାତ୍ୟା ସମୟରେ ମିଛ ସୁଆଗ ଦେଖେଇବା କ'ଣ ଦରକାର ? ଏଥର କେହି ଗାଆଁ ଛାଡିବାନି ।

         

ନିଧିଆ ବୁଢା ବାହାରେ ପାଟି ଶୁଣି ବଙ୍କୁଲି ବାଡି ଧରି ଆସି କବାଟ ଖୋଲି, ଦେଖିଲା । ଗାଆଁ ଲୋକ ବରଷାରେ ପଦାରେ ରୁଣ୍ଡ ହେଇ ଥାଆନ୍ତି । ବାବୁ ଭାୟା ପୋଷାକରେ ଦୁଇ ତିନି ଜଣ ଛତା ଧରି ଠିଆ ହେଇ କ'ଣ ସବୁ କହୁ ଥାଆନ୍ତି । 

         

ନିଧିଆ ପିଣ୍ଡା ତଳକୁ ଓହ୍ଲେଇବାକୁ ଗଲାବେଳେ ନଖି ବୁଢ଼ୀ ଭିତରୁ ପଚାରିଲା, କୁଆଡେ ଯାଉଚ ?? ଏଇ ପବନ ବରଷାରେ । ସେଇମାନେ ଆସି ଥିବେ ଜୋର୍ ଜବରଦସ୍ତ ନେବାକୁ । ତେମେ ଗଲେ, ତମକୁ ବି ଭିଡିବେ । 


  ହ଼ଃ ! ମୁଁ ଯାଉନି ବା । ଏଇ ପିଣ୍ଡା ଉପରୁ ଦେଖୁଛି, କ'ଣ ନାଟକ ଚାଲିଚି ??? ଆଖିରେ ପରଳ ଚଢିଲାଣି । କୋଉ ଭଲ ଦିଶୁଛି । ମନେ ମନେ ନିଧିଆ କହିଲା ।


କୁଆଡେ ଥିଲେ ୬/୭ ପୁଲିସିବାଲା ମାଡି ଆସି ନିତେଇ, ଜଗା ଆଉ ନବକୁ ଶୂନ୍ୟେ ଶୂନ୍ୟେ ଟେକି ନେଲେ । ସେମାନେ ଛାଟିପିଟି ହେଉ ଥାଆନ୍ତି । ଗାଆଁ ବାଲା କୋଉ ଛାଡ଼ିବା ଲୋକ । ୨୦/୨୫ ଘେରି ଗଲେ ସେଇ ପୁଲିସିମାନଙ୍କୁ । କେହି ଏଠୁ ଯିବେନି । ଡାକ ତୁମ ସରକାରଙ୍କୁ ..... । ନିଧିଆ ଆଉ ଥୟ ଧରି ରହି ପାରିଲାନି । ବାଙ୍କୁଲି ବାଡିକୁ ଧରି ସେଠି ପହଞ୍ଚି ଗଲା । 

ଗରଜି ଉଠିଲା, ଫି ବରଷ ଗୋଟେ ଲୀଳା ନଗେଇଚ ?? କାଲି ଆମ ଘର ଭାଙ୍ଗି ଗଲେ ??? ଖରାତରାରେ ଜରି ପଲା ତଳେ ରଖେଇ ଦେବ । ପୋକମାଛିଙ୍କ ସହ ରହି ସେଇ ଭଙ୍ଗା ମାଟି ଛପର ଘରକୁ ପୁଣି ଆମେ ତୋଳିବୁ । ଆମ ଜୀବନକୁ ତ ପୋକମାଛି ସହ ସମାନ କରିଦେଇଛ । ଆଉ ଏବେ କ'ଣ କହୁଚ ନା ଆମ ଜୀବନ ମୂଲ୍ୟବାନ୍ ?? ଗରିବ ପୁଅ ସଭିଙ୍କ ଶଳା, ଆଉ କେତେ ଆମର ଥଟ୍ଟା ଉଡେଇବ ??? ମୋ ବଅସକୁ ଦେଖୁଛ ବାବୁ ?? କୋଡିଏ ବରଷ ହେଇଗଲା, ଆମେ ଦଉଡୁଚୁ ଏ ଅଫିସି ସେ ଅଫିସି । କେତେ କାକୁତି ମିନତି କରିଛୁ, ଆମର ଖଣ୍ଡେ ଖଣ୍ଡେ ପକ୍କା ଘର କରି ଦିଅ ବୋଲି । ସେତେବେଳେ ଆମ ଜୀବନ ପୋକମାଛି ସହ ସମାନ, ନୁହେଁ ??? ଏ ପର୍ଯ୍ୟନ୍ତ ଘର ଖଣ୍ଡେ ତ ଦେଇ ପାରିଲନି । ହେଲେ କୋଉ ସମୟରେ ଆମ ଜୀବନର ମୂଲ୍ୟ କେତେ ??? ତାହା ତମେ ମାନେ ହିଁ ଠିକ୍ କରିବ । ସାବାସ ବାବୁ ସାବାସ !! ଆମ ଠୁ ସାହିବ ଘର କୁକୁର ଢେର ଭଲରେ ବଞ୍ଚିଛି । ଏମିତି ଜୀବନ ବଞ୍ଚି କି ଲାଭ ???

ବାବୁମାନଙ୍କର ଦିମାଗକୁ ବି ମାନିବାକୁ ପଡ଼ିବ । ତାଙ୍କ ଭିତରୁ ଜଣେ କହିଲେ, ମଉସା ତମର ତ ବୟସ ହେଲାଣି । ତମର ସିନା କିଛି ନାହିଁ ମରିଗଲେ । ହେଲେ ଆଉ ମାନେ ତମ କଥାରେ ଅଧା ବୟସରୁ ମଲେ ତାଙ୍କ ପରିବାରକୁ କିଏ ଦେଖିବ ??? ଏଇ ଯୋଉ ଛୋଟ ଛୋଟ ପିଲା ଅଛନ୍ତି, ସେମାନଙ୍କୁ ମରଣ ମୁହଁକୁ ଠେଲି ଦେବା କେତେ ଦୂର ଯଥାର୍ଥ ??ଆଉ ସେ ଅଧିକାର ବି କିଏ ଦେଲା ତୁମକୁ ?? ଆମ କଥା ମାନ, ଚାଲ ଆଶ୍ରୟସ୍ଥଳକୁ । ଏଇ ଥର ନିଶ୍ଚୟ ତମ ମାନଙ୍କର ପକ୍କା ଘର ପାଇଁ ସରକାରଙ୍କ ସହ କଥା ହେବୁ । ଛଅ ମାସ ଭିତରେ ତମ ମାନଙ୍କର ନୂଆ ଘର ଯେମିତି ଠିଆ ହେବ ସେ ବ୍ୟବସ୍ଥା କରିବୁ । ଏଥର ଚାଲ ।

      

      ଏମାନେ ନଗଲେ ସେପଟେ ଚାକିରୀ ଗୁଡାକ ବି ଚାଲିଯିବ ନା । କଳେ ବଳେ କଉଶଳେ ଏମାନଙ୍କୁ ନେବାକୁ ପଡିବ । ଅନେକ ବୁଝାସୁଝା କରି ସମସ୍ତଙ୍କୁ ରାଜି କରେଇ ଦେଲେ । ସେଇଥି ପାଇଁ ତ ସେମାନେ ପାଠ ପଢି ବାବୁ ହେଇଛନ୍ତି । ଏଇ ଅପାଠୁଆ ମାନେ କ'ଣ ସେମାନଙ୍କୁ ବଳେଇ ଯିବେ ???? 


     ସବୁ ଗୋଟି ଗୋଟି କରି ନିଜ ଘରୁ ବାହାରି ପିଲାଛୁଆ କାଖେଇ ଆଶ୍ରୟସ୍ଥଳୀ ଆଡେ ମୁହାଁଇଲେ । ବରଷାର ବେଗ ବଢ଼ି ବଢ଼ି ଚାଲିଥାଏ । ଧାଡ଼ି ଆଗକୁ ଆଗକୁ ବଢ଼ି ଚାଲିଥାଏ । ନିଧିଆ ସେମାନଙ୍କୁ ସେଇମିତି ଅନେଇ ଠିଆ ହେଇଥାଏ । 

     ଜଣେ ବାବୁ ଆସି ନିଧିଆକୁ କହିଲେ, ଆଉ ତମେ କାହିଁକି ଠିଆ ହେଲ ?? ଘରୁ ଜରୁରୀ ଜିନିଷ ପତ୍ର ଆଣି ଚାଲ ।

     ନିଧିଆ ଧୀରେ ହସି କହିଲା, ବାବୁ !! ମୁଁ ଅପାଠୁଆ ସିନା, ହେଲେ ଭଲ ଭାବରେ ଜାଣେ । ଅଧିକାର, ସବୁବେଳେ ବଳିଦାନ ମାଗେ । ଆଗରେ ଯୋଉ ଧାଡ଼ି ଦେଖୁଛନ୍ତି, ସେମାନେ ଖୁବ୍ ସରଳ । ସେଇଥି ପାଇଁ ସବୁଠି ପେଶି ହୁଅନ୍ତି । ତାଙ୍କ ସରଳତାକୁ ଅନ୍ୟମାନେ ତାଙ୍କ ମୂର୍ଖାମୀ ବୋଲି ଧରି ନିଅନ୍ତି । ଆଉ ଆଜିକାଲି ମୂର୍ଖ ଆଉ ମୃତ ଭିତରେ କିଛି ଫରକ ନାହିଁ । ତାଙ୍କ ଛାତି ଭିତରେ ଟିକେ ଖାଲି ନିଆଁ ଲଗେଇ ଦେଲେ ଜାଣିବେ ତାଙ୍କ ଭିତରେ କେତେ ବଳ ଅଛି । ଆଉ ସେଇ ନିଆଁ ଲଗେଇବି ମୁଁ ଆଉ ହକର ସହ ବଞ୍ଚିବା ଶିଖେଇବି। ଆଜିକାଲି ଅଧିକାର ମାଗିଲେ ମିଳେନି ଛଡେଇ ନେବାକୁ ହୁଏ । ଏଇଠୁ ପାଦେ ବି ଘୁଞ୍ଚିବିନି । ମୁଁ ଆଉ ମୋ ସ୍ତ୍ରୀ ନଖି ନିଜ ସ୍ୱାଭିମାନ ପାଇଁ ଏଇ ସମୁଦ୍ର ଆଁରେ ନିଜକୁ ହଜେଇ ଦେବୁ । ଏମାନଙ୍କୁ ତତେଇବାକୁ ପଡିବ । ଥଣ୍ଡା ଦିମାଗ ଏମାନଙ୍କୁ ମୁର୍ଦାର କରି ଦେଇଚି । ବାବୁ, ଏଇ ଜିଅନ୍ତା ଶବମାନଙ୍କୁ ଉଠେଇବା ପାଇଁ କାହାକୁ ନା କାହାକୁ ତ ବଳିଦାନ ଦେବାକୁ ହିଁ ପଡ଼ିବ । ଏଇ ବୁଢାର ଶବ ଉପରେ ଚଢ଼ି ସେମାନେ ସଂଗ୍ରାମ କରିବେ । ଆଉ ସେତେବେଳେ ଆପଣଙ୍କୁ ଆଉ ଆମ ଜୀବନର ମୂଲ୍ୟ ନିରୂପଣ କରିବାକୁ ପଡ଼ିବନି । ଆମେ ନିଜେ ଦେଖେଇ ଦେବୁ ଆମ ମୂଲ୍ୟ କେତେ ?? ଆପଣ ଫେରି ଯାଆନ୍ତୁ ବାବୁ, ଆପଣଙ୍କ ମିଛ ପ୍ରତିଶ୍ରୁତି ସହ । ଖବରଦାର !! ମୋ ସହ ଜୋର୍ ଜବରଦସ୍ତି କରିବେନି । ନିଧିଆ ଧୀରେଧୀରେ ଘର ଆଡେ ମୁହାଁଇଲା ।


କୋଉଠି ଥିଲେ କେଜାଣି ଦୁଇଟି ଟିଭିବାଲା ଭିଡ଼ି ଆସି ପ୍ରଶ୍ନ ପଚାରିଲେ, ମଉସା ତୁମେ କାହିଁକି ଯାଉନ ?? ଜିଦି କରୁଚ ?? ବୁଲିପଡ଼ି ନିଧିଆ କହିଲା, ହଁ ବାବୁ ଯଦି ପାରିବେ ଗାଆଁବାଲାଙ୍କ କାନରେ ଟିକେ ପକେଇ ଦେବେ । ନିଧିଆ ବୁଢା ଆଉ ନଖି ବୁଢ଼ୀ ଆସିଲେନି । ସେଇଠି ରହିଲେ ବାତ୍ୟା ସହ ଲଢିବା ପାଇଁ । ଆମେ କାହା ଦୟାରେ ନୁହଁ, ହକ୍ର ସହ ବଞ୍ଚିବାକୁ ଚାହୁଁଚୁ । ଆଜି ଯଦି ତୁମପିଲା ମାନଙ୍କ ଜୀବନ ବଞ୍ଚେଇବା ପାଇଁ ଚାଲିଗଲ । ସେମିତି ସେମାନଙ୍କୁ ସମାଜରେ ମୁଣ୍ଡ ଟେକି ବଞ୍ଚିବା ବି ଶିଖାଅ । ବହୁତ ସହିଲ ଏବେ ଆଉ ନୁହଁ । ଲଢ......

ବାତ୍ୟା ଛାଡ଼ିବା ପରେ, ଗାଆଁ ଲୋକେ ଯେତେବେଳେ ଫେରିଲେ । ଦେଖିଲେ ଗାଆଁ ମୁଣ୍ଡ ବରଗଛ ପାଖରେ ବାଲିରେ ଅଧା ପୋତା ହୋଇ ନିଧିଆ ଆଉ ନଖି ପାଖାପାଖି ମରି ପଡିଛନ୍ତି । ବୁଢ଼ା ଗୋଟିଏ ହାତରେ ନାଲି କନାଟେ ଭିଡି ଧରିଥିଲା । ସବୁ ଆଶ୍ଚର୍ଯ୍ୟ ହେଇ ଅନେଇ ଥାଆନ୍ତି । ବୁଢ଼ା ଏଇଟା କାଇଁ ଧରିଛି ?? ହଠାତ୍ ଭିଡ଼ ଭିତରୁ ଗୋଟିଏ ଟୋକା ବାହାରି ଆସି, ସେଇ ନାଲି କନାକୁ ଆଣି ନିଜ ମୁଣ୍ଡରେ ବାନ୍ଧି ଦେଲା । ସମସ୍ତଙ୍କ ଆଖି ଦପ୍ ଦପ୍ କରି ଜଳି ଉଠିଲା ଏକା ସାଙ୍ଗେ ...... ।।।



Rate this content
Log in

More oriya story from Lipi Sahoo

Similar oriya story from Tragedy