ଉଲଭାପରୀ
ଉଲଭାପରୀ
ନିଜ ବଳିଷ୍ଠ ବାହୁରେ ପୁରୁଣାଡଙ୍ଗାକୁ ପାଣି ଭିତରକୁ ପେଲୁଥାଏ ପ୍ରବୀନ୍ । ଗମ୍ ଗମ୍ ଝାଳ ଦେହରୁ ନିଗିଡ଼ି ଯାଉଥାଏ । ଗାଆଁର ବହୁତ ଲୋକ କହିଥିଲେ ନୂଆ ଡଙ୍ଗାଟିଏ ତିଆରିବାକୁ ହେଲେ ସେ ଭଲପାଏ ତାର ସେଇ ପୁରୁଣାଡଙ୍ଗାରେ ସାଉଁଟା ହେଇଥିବା ସ୍ମୃତିସହ ବଞ୍ଚିବାକୁ । ତା ଜୀବନର ଏକ ଲମ୍ବାସମୟ ତା ବାପାଙ୍କ ସହ ସେଇ ପୁରୁଣାଡଙ୍ଗାରେ ହିଁ କଟିଛି । କେତେକେତେ ଲମ୍ବାଯାତ୍ରା , ରାତିରାତି ମାଛଧରା ଆଉ ବାପାଙ୍କଠୁ କାହାଣୀ ଶୁଣି ସେଇ ଡଙ୍ଗାର କୋଣରେ ହିଁ ମୁଣ୍ଡଗେଂଜି ଶୋଇଯିବାର ଅନୁଭୂତିକୁ କେମିତି ଛାଡ଼ିଥାନ୍ତା ସେ ବାସ୍ ତଲେଇଟି କାଳକ୍ରମେ ଚିରିଯିବାରୁ ନୂଆତଲେଇ ଟିଏ ଲଗେଇଥାଏ ସେ ହେଲେ ପୁରୁଣା ତଲେଇ ଏବେବି ଘରେ ଥୁଆ ହେଇଥାଏ ତାର ସବୁ ଅତୀତକୁ ବଞ୍ଚେଇ ରଖିବାପାଇଁ । ସୂର୍ଯ୍ୟ ଉଇଁ ଆସିବାକୁ ଆଉ ଅଳ୍ପ ସମୟ ବାକିଥାଏ ତଥାପି ପୂର୍ବାକାଶ ଫର୍ଚ୍ଚା ହେଇ ସାରିଥାଏ । ପାହାନ୍ତା ରାତିରୁ ନିଇତି ଶଯ୍ୟା ଛାଡେ ପ୍ରବୀନ୍ ଠିକ୍ ତା ବାପାଙ୍କ ଭଳି । ସେ ସବୁବେଳେ କହୁଥିଲେ " ଯଦି ସୂର୍ଯ୍ୟଙ୍କଠୁ ଆଗେ ଉଠିବୁ ତେବେ ତୋ ଭାଗ୍ୟବି ସୂର୍ଯ୍ୟଙ୍କ ଠାରୁ ଆଗେ ଉଦୟହେବ । "
ପ୍ରବୀନ୍ ମଧ୍ୟ ତା ବାପାଙ୍କ ଭଳି ଖୁବ୍ ପରିଶ୍ରମୀ କିନ୍ତୁ ତା ଭାଗ୍ୟ ଉଦୟ ହେଉନଥିଲା । ଗତକାଲି ଖୁବ୍ ପରିଶ୍ରମ କରିଥିଲାସେ କିନ୍ତୁ ମାତ୍ର ଦଶ କୋଡିଏଟି ମାଛ ବ୍ୟତୀତ କେଚୁଅଟିଏ ବି ନଥିଲା ତା ଜାଲରେ ଯେତେବେଳେକି ଅନ୍ୟ ମତ୍ସ୍ୟଜୀବୀ ସବୁ କୁଇଣ୍ଟାଲ କୁଇଣ୍ଟାଲ ମାଛ ଧରି ଫେରିଥିଲେ । ସେ ତା ଡ଼ଙ୍ଗା ବାହିଲାବେଳେ ଚିଲିକାକୁ ନିରୀଖିଦେଖେ ଆଉ ପ୍ରଶ୍ନକରେ " ମୁଁ କି ପାପ କରିଥିଲିଯେ ମାଛକେବେ ମୋଜାଲରେ ଆସୁନାହାନ୍ତି । ସମସ୍ତେ କେତେ ଭଲରେ ଚଳୁଛନ୍ତି, ମୋ ପରିଶ୍ରମର ଝାଳରେ ସମୁଦ୍ରଠୁ ବେଶୀ ଲୁଣ କିନ୍ତୁ ମୋ ଜାଲରେ ଖଣ୍ଡେ ଲୁଣିମାଛ ନାହିଁ...."
ଅଭିମାନର କଣ୍ଠରୁଦ୍ଧ ହେଇଆସୁଥାଏ ତାର । ଭାରି ଭଲପାଏ ସେ ମାଆ କାଳିଜାଇଙ୍କୁ । ମନ୍ଦିର ଦିଗରେ ଆବେଗରେ ଅନେଇ କହିଲା ପ୍ରବୀନ୍ " ହେ ମାଆ କାଳିଜାଇ ମୋ ଜାଲରେ ମାଛପକା ନହେଲେ ମୋତେ ମାଛଙ୍କ ଜାଲରେ ପକେଇ ମାରିଦେ। ଏତେ ଗରିବୀ ଆଉ ଉପାସ ଭିତରେ ବଞ୍ଚି କଣ କରିବି ? "
ସବୁଦିନ ଅଭିମାନରେ କେତେକେତେ କଥା କହିଯାଏ ସେ। କିନ୍ତୁ କେବେ ଉତ୍ତର ପାଏନି। କେହି ଡାକ ଶୁଣନ୍ତିନି ତାର କିନ୍ତୁ ହଠାତ୍ ତା ଡାକଶୁଣି ଉତ୍ତର ଦେଲା ଦୁର୍ଭାଗ୍ୟ । ଚଢ଼େଇଗୁହା ଦୀପପାଖରେ କୁଆଡୁ ମାଡ଼ି ଆସିଲା ଝଡ଼ବତାସ ଯେ ଚିଲିକା ପୁରା ନାଚିବାକୁ ଲାଗିଲା ତାଣ୍ଡବନୃତ୍ୟରେ...ଡଙ୍ଗା କେବେଏପଟ କେବେସେପଟ ଟିକେବି ବୋଲ ମାନୁନଥିଲା ଠିକ୍ ତା ଭାଗ୍ୟଭଳି। ଶୁଙ୍ଘିକି କହିଦେବା ପିଲାଟା ଜାଣିପାରୁନଥିଲାକି କିଛିସଂକେତ ନଦେଇ କଉଠୁ ମାଡ଼ିଆସିଲା ଏ ଝଡ଼ବତାସ । ବହୁତ ଚେଷ୍ଟା କରିଥିଲା କିନ୍ତୁ ଅତଳଗଭୀରରେ ଥିବା ଭାଗ୍ୟଯାଏ ତା କାତ ପହଞ୍ଚୁ ନଥିଲା । ପାଣି ଭୟଙ୍କର ଭାବେ ଦୋଳି ଖେଳିବାରେ ବ୍ୟସ୍ତ । ଡଙ୍ଗାଟି କେବେ ପଛକୁ ଯାଇ ପୁଣି ହଠାତ୍ ଆଗକୁ ମାଡି ହେଇ ଯାଉଥାଏ ଏବଂ ଶେଷରେ ଆୟୁଷ ହରେଇ ଓଲଟି ପଡ଼ିଲା ଡଙ୍ଗାଟି । ପ୍ରବୀନ୍ ପହଁରିବାକୁ ଚେଷ୍ଟା କରିଥିଲେବି ଝଡ଼ବତାସର ସେ ତାଳଗଛିଆ ଢ଼େଉସହ କେତେଦୂର ଆଉ ଲଢ଼ିଥାନ୍ତା ସେ ? କାଳଭଉଁରୀ ଜୋରେ ତାକୁ ଟାଣିନେଲା ଗଭୀରରେ ଲୁଚିଥିବା ଦୁର୍ଭାଗ୍ୟ ଆଡ଼କୁ, ଅଣନିଶ୍ୱାସୀ ହେଇ ଠିକ୍ ମରିବାମରିବା ହଉଥିଲାଯେ ଚିଲେଇକି ଉଠିପଡ଼ିଲା ସେ । ତା ପାହାନ୍ତିଆ ନିଦ ଧଡ୍ କି ଭାଙ୍ଗିଗଲା । ମୁହଁରୁ ଝାଳପୋଛି ଖଟଉପରେ ବସିଥାଏ ପ୍ରବୀନ।
" ହେ ମାଆ କାଳିଜାଇ ଏ କି ସ୍ୱପ୍ନ..! ଭାଗ୍ୟରେ ମାଛ ତ ମାଛ କେଚୁଅ ଟିକେନାହିଁ ତା ଉପରେ ଏ ଗଜା ବୟସରେ ମାରିଦବୁନିତ ଆଜି? "
ସେ ଶୁଣିଛି କି ପାହାନ୍ତିସ୍ୱପ୍ନ କୁଆଡ଼େ ସତହୁଏ ତଥାପି ସ୍ବପ୍ନକୁ ଖାତିର୍ ନକରି ଡଙ୍ଗାଧରି ବହାରିପଡ଼ିଲା ସେ ବଡ଼ଲୋକ ହବାର ଇଛା ପ୍ରବଳ । ବଡ଼ ନହେଲେ ମେଘାର ବାପାଙ୍କୁ ସେ ପ୍ରସ୍ତାବ କେମିତିଦବ। ବହୁତ ଭଲପାଏ ସେ ମେଘାକୁ । ନାଁ ତାର ମେଘାମ୍ବରୀ। ଖୁବ୍ ଚପଳା କନ୍ୟାସେ । ଯେବେବି ପ୍ରବୀନ୍ କୁ ସେ ଦେଖେ ଆଖିରେ କି ଯାଦୁକରେ କେଜାଣି ପ୍ରବୀନ୍ ଦିନରେ ରାତିରେ ଆଉ ସ୍ୱପ୍ନରେବି ତାକୁ ହିଁ ଦେଖେ। ତା ଆଖିର ନୀଳିମାରେ ହଜିଲାବେଳେ ପ୍ରବୀନ୍ ବି ଭାବେ କଉ ତାନ୍ତ୍ରିକ ପାଖରେୟେ କାଉଁରୀ ବିଦ୍ୟା ଶିଖିନିତ ଆଖିରେ ଆଖି ମିଶୁମିଶୁ ହିଁ ବିଭୋର ହେଇଉଠେ ପ୍ରବୀନ୍। କେବଳ ପ୍ରେମ ନୁହେଁ ତାକୁ ବାହାହବାକୁ ବି ଚାହେଁ ପ୍ରବୀନ୍ କିନ୍ତୁ ତା ବାପା ପ୍ରବୀନ୍ ର ପରିସ୍ଥିତି ଦେଖି ରାଜିହେବେନି। ସେ କେଡ଼େଘରର ଝିଅ ଆଉ ୟେ କୋଉ ଗାଈର ଗୋବର ଆଉ ରହିଲା ଭଲପାଇ ଉଠେଇ ଆଣିବାକଥା ଯଉଠି ମାଛଗୁଡ଼ା ପଟୁ ନାହାଁନ୍ତି ସେଠି ଘରୁ ଭଗେଇବା କଥାରେ ଝିଅ କୁଆଡୁ ପଟିବ
କାତ ମାରିବା ଭିତରେ ଭାବବିହ୍ଵଳ ହେଇଉଠିଥାଏ ସେ ଡଙ୍ଗା । ବହୁତ ଜାଲ ପକେଇଲା କିନ୍ତୁ କିଛି ମିଳୁନଥିଲା ତାକୁ। ସକାଳ ଯାଇ ସନ୍ଧ୍ୟାହବାକୁ ଆସିଲା । ଚଢ଼େଇଗୁହା ଖାଁ ଖାଁ ଦିଶୁଥିଲା ତାର ମନେ ପଡ଼ି ଯାଉଥିଲା ପୁରୁଣାକଥା କେମିତି ସେ ତା ବାପାଙ୍କ ସହ ପ୍ରଥମକରି ଆସିଥାଏ ଚିଲିକା ଭିତରକୁ । ତା ବାପା ସମୁଦ୍ର ବିଷୟରେ ବହୁତ କିଛିଜାଣିଥିଲେ । ଦେଖିବାକୁ ନିପଟ ଗାଉଁଲି ଚେହେରା ଆଉ ଖୋଲାଦେହରେ ଦୂରକୁ ଚହଟୁଥିବା ମୁକ୍ତାଶାମୁକା ମାଳଦେଖି କେହିବି ଅନୁମାନ ଲଗେଇ ପାରିବେନିକି ସେ ଜଣେ ସମୁଦ୍ରଶାସ୍ତ୍ରୀ । ସମୁଦ୍ରର ନାଡୀଚିପି ବର୍ଷାପବନ ବିଷୟରେ କହିଦେବା ଲୋକଟିଏ ସେ । କେଉଁଯାଗାରେ କେତେବେଳେ ଜାଲ ପକେଇଲେ ଅଧିକ ମାଛ ଧରାଦେବେ ସେକଥା ବେସ୍ ଭଲ ଭାବରେ ଜାଣିଥିଲେସେ । ଚଢ଼େଇଗୁହା ପର୍ବତ ପାଖରେ ସେଦିନ ଜାଲ ପକଉ ପକଉ ଅଜସ୍ରମାଛ । ସେ ଏକାକୀ ଜାଲ ଭିଡ଼ିନପାରିବାରୁ ହାତ ଲଗେଇଥିଲା ପ୍ରବୀନ୍ ।
" ବୁଝିଲୁ ବାପା ପ୍ରକୃତିସହ କଥାହେବା ସିଖ୍ । ତୋ ମନରେ ଉଠୁଥିବା ସବୁ ପ୍ରଶ୍ନ ଏ ପ୍ରକୃତିହିଁ ସୃଷ୍ଟିକରେ ଆଉ ତାର ଉତ୍ତର ବି ପ୍ରକୃତିହିଁ ଦବ। ଦେଖୁନୁ କେତେ ମାଛ ସବୁ ସେହିଁ ବତେଇଦିଏ ବାସ୍ ତା ଇଙ୍ଗିତକୁ ବୁଝିବା ଦରକାର୍ । "
ବୟସ କମ୍ ହେଲେବି ଗହନ ଗହନ କଥାକୁ ବୁଝିପାରୁଥିଲା ପ୍ରବୀନ୍ । ସେଇଟା ତାର ବୁଝିବା ଶକ୍ତି କି ପୁରୁକେଉଟ ପୁଅ ହେବାରୁ ତାର ରକ୍ତରେ ସମୁଦ୍ରବିଜ୍ଞାନ ବହେ ସେଇଟା କହିବା କଷ୍ଟସାଧ୍ୟ । ସବୁ ବିଷୟ ଜାଣିବାରେ ଆଗ୍ରହ ରଖିଥିବା ପିଲାଟି ମନରେ କେତେକେତେ ପ୍ରଶ୍ନ ଆସେ ଆଉ ସୁବିଧା ପାଇଲେ ପଚାରିବି ଦିଏ। " ବାପା କଣ ସବୁଦିନ ତମକୁ ପ୍ରକୃତି ଏମିତି ବାଟ ବତେଇଦିଏ ? କାଇଁ ସବୁଦିନତ ଏତେ ମାଛ ଘରକୁ ଆଣନି ? "
ଜାଲର କିଛି ସୁତାକୁ ଡଙ୍ଗାରୁ ବାହାରିଥିବା କଣ୍ଟାରୁ କାଢ଼ି ଉତ୍ତର ଦେଲେ ପୁରୁ କେଉଟ। " ପ୍ରକୃତି ସମସ୍ତଙ୍କୁ ବଞ୍ଚେଇରଖେ। ସୃଷ୍ଟିର ଭାରସାମ୍ୟ ରଖେ । ସବୁଦିନ ଏତେଏତେ ମାଛ ଦେଇଦେଲେ ମାଛଜାତି ଲୋପ ପାଇଯିବେନି ? ସେ ଗଣିଗଣି ଭାଗ୍ୟକୁ ଲେଖେ । ଆମ ଜାଲରେ କେତେ ମାଛପଡ଼ିବ ସେ ଆଗରୁ ନିର୍ଦ୍ଧାରିତ କରିସାରିଛି। ଯଦି କେବେ ତୋ ଜାଲରେ ମାଛନପଡ଼େ ତେବେ ମନଦୁଃଖ କରିବୁନି କାରଣ ପ୍ରକୃତି ଯାହାବି କରିବ ଆମ ମଙ୍ଗଳ ପାଇଁ ହିଁ କରିବ ଏତିକି ବିଶ୍ୱାସ ରଖିଥା। "
ତା ବାପାଙ୍କ ଏଇ କଥାକୁ ରକ୍ତରେ ମିଶେଇ ଦେଇଥାଏ ପ୍ରବୀନ୍। କେବେବି ନିରାଶା ହୁଏନି ସେ ଯଦି କିଛି ନପାଏ ତେବେବି ଖୁସିରେ ଖୁସିରେ ଫେରେ। କେବଳ ଏତିକି ଚିନ୍ତାକରେ ଯେ ମୋ ଅସଫଳତା ପଛରେ ହୁଏତ ପ୍ରକୃତି ଗୋଟେ ବଡ଼ ସଫଳତାର ଯୋଜନା
କରୁଛି। ତଥାପି ଦେଖିଥିବା ସ୍ୱପ୍ନକଥା ମନେ ପଡ଼ିବାରୁ ସ୍ବପ୍ନରୁ କିଛି ବାକ୍ୟ ଉଦ୍ଧାରକଲା ସେ
" ହେ ମାଆ କାଳିଜାଇ ମୋ ଜାଲରେ ମାଛପକା ନହେଲେ ମୋତେ ମାଛଙ୍କ ଜାଲରେ ପକେଇ ମାରିଦେ । କେତେ ଆଉ ଦହଗଞ୍ଜ କରିବୁ ? "
ଏତିକି କହିଛି ତ କୁଆଡୁ ମାଡ଼ିଆସିଲା କାଳବୈଶାଖୀ ଝଡ଼ ଆଉ ତା ଭାଗ୍ୟକୁ ଡଙ୍ଗାରେ ଉଠେଇ ପକେଇ କାଚିଲା ସତେ ଯେମିତି ତାର ସ୍ବପ୍ନର ବାକ୍ୟ ମନ୍ତ୍ରପରି ତରଙ୍ଗାୟିତ ହେଇଗଲା ପ୍ରକୃତି କୋଳରେ ସ୍ୱପ୍ନ ଅନୁଯାୟୀ ଡଙ୍ଗାଟି ଓଲଟି ଯିବନିତ ଆଉ।
ତଥାପି ଭୟ ନକରି ଜାଲକୁ ସାଉଁଟି ପଳେଇଯିବାକୁ ଭାବିଲା
" ଏ କଣ ଜାଲ ଟାଣି ହଉନି କଣ ଲାଗିଛି କି ଏମିତି ?"
" ହେ ମାଆ କାଳିଜାଇ ରକ୍ଷାକରେ "
ଜାଳକୁ ଟାଣିବାରେ ଲଗେଇଥିବା ବଳରୁ ସେ ଅନୁମାନ କରି ପାରୁଥିଲାକି ଭାଗ୍ୟ କଣ ଗୋଟେ ବଡ଼ଜିନିଷ ଉପହାର ଦେଇଛି । ବୋଧେ ଭାଗ୍ୟ ଆଜି ଉଦୟ ହେଇଛି । ଭାରିକଷ୍ଟରେ ସେ ଟାଣିକି ଉଠେଇଲା ଜାଲକୁ । କି ମାଛ ପଡ଼ିଥିଲେ ଆହା ଏକାସହ ଏତେ ମାଛସେ କେବେକେବେ ହିଁ ଧରେ । ମାଛମାନଙ୍କ ସହ ଓଜନିଆ ସିନ୍ଧୁକଟେ ବି ଜାଲରେ ପଡ଼ିଥାଏ । ସିନ୍ଧୁକ ଖୋଲିଛିତ ଝଡ଼ବତାସ କୁଆଡ଼େ ଉଭେଇଗଲା କେଜାଣି ହ୍ରଦ ଶାନ୍ତ ପଡ଼ୁଥିଲା ଆଉ ତା ଲଣ୍ଠନ ଆଲୁଅରେ ସେ ଦେଖିଥିଲା ପାଞ୍ଚଟି ସ୍ୱର୍ଣ୍ଣମୁଦ୍ରା ଆଉ ଗୋଟେ ଅତି ପୁରୁଣାବହି ବହିଉପରେ ଲେଖାଥାଏ
" ଉଲଭାପରୀ "
ମାଛସବୁ ସାଉଁଟି ଘରମୁହାଁ ହେଲା ପ୍ରବୀନ୍। ଝଡ଼ବତାସରେ ଇଲେକ୍ଟ୍ରିଖୁଣ୍ଟି ଉପୁଡ଼ି ଯାଇଥିବାରୁ ପୁରା ବସ୍ତିଟାଯାକ ଅନ୍ଧାର ତାର ଜିଜ୍ଞାସା ତାକୁ ଡ଼ିବିରି ଆଲୁଅ ଧରେଇ ବସେଇଦେଲା ବହିଟିକୁ ପଢ଼ିବାକୁ । ଏତେ ପୁରଣା ହେଇଯାଇଥାଏ ବହିଟିଯେ ଗୋଟେଗୋଟେ ଅକ୍ଷର ପଢ଼ିବାପାଇଁ ତାକୁ କଷ୍ଟ କରିବାକୁ ପଡ଼ୁଥିଲା । ସେ ବହିରେ ଲେଖାଥିଲା ଉଲଭାପରୀ ଆବାହନୀ ମନ୍ତ୍ର..." ଓଁ କ୍ଲିଂ ଜଳକନ୍ୟା ଉଲଭାପରୀ ଆଗଚ୍ଛ ଆଗଚ୍ଛ କୁରୁ ସ୍ୱାହା ବହିଟିକୁ ପଢ଼ିବା ଭିତରେ ଯେତେଥରବି ସେ ମନ୍ତ୍ର ଆସିଛି ସେ ନିର୍ଭୟରେ ପଢ଼ିଛିସେ ମନ୍ତ୍ରକୁ। ବିଧି ଅନୁଯାୟୀ ସେ ବହିର ଶେଷପୃଷ୍ଠାରେ ନିଜ ଡାହାଣହାତ ବୁଢ଼ାଆଙ୍ଗୁଠିରୁ ରକ୍ତ ପକେଇସେ ଅପେକ୍ଷାକଲା କାଳେ କିଛି ଚମତ୍କାର ଘଟିବ କିନ୍ତୁ ସେରାତିରେ ତାକୁ ମିଳିଥିଲା କେବଳ ବିଜୁଳି ଘଡ଼ଘଡ଼ି ଆଉ ଝଡ଼ବତାସ।
ପବନ ଏତେ କ୍ଷୀପ୍ରଭାବେ ବୋହୁଥିଲାଯେ ଡ଼ିବିରି କଣ ଲଣ୍ଠନ ବି କେମିତି କେଜାଣି ଲିଭିଗଲା ଯେ ଆଉ ଜଳିଲାନି । ମୁଣ୍ଡପାଖରେ ବହିଥୋଇ କେତେକଥା ଚିନ୍ତାକରିବା ଭିତରେ କେତେବେଳେଯେ ତାକୁ ନିଦ ଘୋଟିଗଲା ଜଣାନାହିଁ ।
ସକାଳର ସୂର୍ଯ୍ୟଉଦୟ ପୁଣି ଫେରେଇ ଆଣିଥାଏ ଚିଲିକାର ଶାନ୍ତ ସ୍ଵଭାବ ସ୍ୱରୂପକୁ। ନିତିଦିନ ପରି ପାହାନ୍ତାରୁ ବାହାରିପଡ଼ିଲା ପ୍ରବୀନ୍ ସେଇ ଆଶା ସେଇ ଉନ୍ମାଦନାର ସହ କିନ୍ତୁ ମାଛ ଜାଲରେ ପଡ଼ୁହିଁ ନଥାନ୍ତି । ନିଜେହିଁ ନିଜକୁ ପ୍ରଶ୍ନ କରୁଥାଏ ପ୍ରବୀନ୍ " ଏଗୁଡା ସମୁଦ୍ରର ଲୁଣିମାଛ ନା ତା ଭାଇବୋହୁ ଜମା ପାଖକୁ ହିଁ ଆସୁ ନାହାନ୍ତି । "
ଗତକାଲିର ସ୍ୱପ୍ନ ଆଉ ସେ ବାକ୍ୟ ମନେପଡ଼ି ଯାଉଥିଲା ତାର। ସେ ପୁଣି ଦୋହରେଇଲା ବାକ୍ୟ " ହେ ମାଆ କାଳିଜାଇ ମୋ ଜାଲରେ ମାଛପକା ନହେଲେ ମୋତେ ମାଛଙ୍କ ଜାଲରେ ପକେଇ ମାରିଦେ "
ଏତିକି କହିଲାମାତ୍ରେ ପୁଣି ଝଡ଼ବତାସ ମାଡ଼ିଆସିଲା । ବିଜୁଳି ପୂର୍ବାକାଶକୁ ଖଣ୍ଡବିଖଣ୍ଡ କରୁଥାଏ । ଚଢ଼େଇଗୁହାରେ ଯେମିତି ଆ କଥା ଶୁଣିବାକୁ ଚିଲିକା କାନଡେ଼ରି ବସିଛି । ଡଙ୍ଗାପୁରା ଏମିତି ଦୋହଲୁଥିଲା ଯେମିତି ତା ନିଶ୍ୱାସ କୋଉ ନଳୀରେ ଅଟକି ଯାଇଛି । ଅସମ୍ଭାଳ ହେଉଥିବା ଡଙ୍ଗା ହଠାତ୍ ଗୋଟେପଟୁ ସ୍ଥିର ହେବାରେ ଲାଗିଲା , ପ୍ରବୀନ୍ ଡଙ୍ଗାର ଗୋଟେ ମୁଣ୍ଡରେ ଆଣ୍ଠେଇକି ଅନେଇଥାଏ ଡଙ୍ଗାର ଆରପଟ ମୁଣ୍ଡକୁ । ଗୋଟେ ଅପୂର୍ବ ସୁନ୍ଦରୀ ଯୁବତୀଟିଏ ଉଠିଆସିଲା ଡଙ୍ଗାକୁ କି ଅପରୂପ ଚେହେରା ବଡ଼ବଡ଼ ଆଖି , ଝିଲିମିଲି ଚାହାଣୀ । ସତେ ଯେମିତି ଲହୁଣୀ ଝରୁଥିଲା ତା ଦେହରୁ । ଧଉଳିପାହାଡ଼ ପରି ଛାତି ଆଉ ଦୟାନଦୀ ପରି ସରୁ ଅଣ୍ଟା କାହାକୁ ବି ବିଚଳିତ କରି ଦେଇପାରେ । ପ୍ରବୀନ୍ ଯେତିକି ଡରୁଥିଲା ସେତିକି ଆଶ୍ଚର୍ଯ୍ୟ ବି ହେଉଥିଲା । ଏମିତି ସୁନ୍ଦରୀ ସେ ଆଖି ଉଠିବାଦିନୁ ଦେଖିନି । ଅଧାଭୟ ଆଉ ଅଧା ଆଶ୍ଚର୍ଯ୍ୟଭାବ ନେଇ ପ୍ରଶ୍ନକଲା ପ୍ରବୀନ୍।
" ତମେ କିଏ ? ମୋ ଡଙ୍ଗାକୁ କେମିତି ଆସିଲ ? "
" ମୁଁ ଉଲଭା...ଏ ଚିଲିକାହ୍ରଦର ପରୀ ଏବଂ ତୁମ ସ୍ତ୍ରୀ ମଧ୍ୟ । "
ପ୍ରବୀନ୍ ବୁଝିପାରୁନଥିଲା କିଛି କିନ୍ତୁ ଉଲଭା ନାଁରୁ ତାର ମନେ ପଡ଼ୁଥିଲା ଗତରାତିରେ ବହିରେ ପଢ଼ିଥିବା ସେ ମନ୍ତ୍ର ସେଥିରେ ବୋଧେସେ ଏଇ ଶବ୍ଦ ପଢ଼ିଥିଲା। ମନରେ ଉଠୁଥିବା ବହୁତ ଗୁଡ଼ିଏ ପ୍ରଶ୍ନକୁ ଖେଳେଇ ଶେଷରେ ମୁଖ୍ୟପ୍ରଶ୍ନରେ ପହଁଚିଲା ପ୍ରବୀନ୍।
" କେମିତି ତୁମେ ମୋ ସ୍ତ୍ରୀ ହେଲ ? "
ସୁନ୍ଦର ହସଟେ ହସି ଉଲଭା ଉତ୍ତର ଦେଲା
" ସେ ଉଳଭାପରୀ ବହିର ପ୍ରଥମପୃଷ୍ଠା ମୋପାଦ ଆଉ ଶେଷପୃଷ୍ଠା ହେଉଛି ମୋ ମଥା ଆଉ ତମେ ବିଧି ମୁତାବକ ପୃଷ୍ଠାରୂପକ ମୋ ଶରୀରକୁ ପଢ଼ି ଶେଷରେ ରକ୍ତର ସିନ୍ଦୁର ଦେଇଛ ଶେଷ ପୃଷ୍ଠା ରୂପକ ମୋ ମଥାରେ "
ପ୍ରବୀନ୍ ଏବେ ସବୁକିଛି ବୁଝିପାରୁଥିଲା ୟେ ସେଇ ମନ୍ତ୍ରର ଫଳ
ଓଁ କ୍ଲିଂ ଜଳକନ୍ୟା ଉଲଭାପରୀ ଆଗଚ୍ଛ ଆଗଚ୍ଛ କୁରୁ ସ୍ୱାହା
ଝଡ଼ବତାସ ପୁରା ଥମି ଯାଇଥିଲା । ଚାରିଆଡ଼େ ଥିଲା ଏକ ଅଦ୍ଭୁତଶାନ୍ତି ଦୁହେଁ ହେଉଥିଲେ ପାଖାପାଖି । ପ୍ରବୀନ୍ ହଜିବାରେ ଲାଗିଥିଲା କୋଳରେ ବସିଥିବା ଉଲଭାର ସ୍ପର୍ଶରେ ।
ଉଲଭା ସତର୍କବାଣୀ ଶୁଣେଇଦେଲା
" ତମେ ମୋତେ ସ୍ୱୀକାର କରୁଛ ତ ? ଆଉ କାହାକୁ ତୁମେ ବାହା ହେଇପାରିବନି ମନେରଖ "
ପ୍ରେମାଳାପ ଭିତରେ ସେ କଡ଼ାସର୍ତ୍ତଟି ଅତିସହଜରେ ଗ୍ରହଣ ହେଇଯାଇଥିଲା ଠିକ୍ ବିରୋଧୀ ବିହୀନ ସଂସଦରେ ବିଲ୍ ପାସ୍ ହେଲାଭଳି । ପ୍ରବୀନ୍ ସବୁରେ ହଁ ଭରି ଆଗେଇ ଚାଲିଥାଏ ଝାସଦେବାକୁ ସେ କାମନାର ଯଜ୍ଞରେ । ତା ମତରେ ତ ସବୁକିଛି ବିଧିନିର୍ଦ୍ଧିଷ୍ଟ । ତା ଭାଗ୍ୟରେ ଯଦି ଉଲଭାଅଛି ତେବେସେ ଉଳଭାକୁ ଗ୍ରହଣ କରିନେବାରେ ଅସୁବିଧା କଣ । ଏମିତିରେ ବି ତାର ପରିସ୍ଥିତିକୁ ଦେଖି ମେଘାର ବାପାବି କୋଉ ରାଜି ହେଇଥାନ୍ତେ। ରାତିବଢିବା ସହ ତା ରୋମରୋମରେ ବଢ଼ୁଥିଲା ଶିହରଣ । ସେଇ ଲଣ୍ଠନ ଆଲୁଅ , ଜହ୍ନରାତି ଆଉ ଚିଲିକା ସବୁଏକାଠି ଭିଜୁଥିଲେ ସେ ଡଙ୍ଗାଉପରେ , ବିବାହପର ଚଉଠି ରାତିରେ । ପାହାନ୍ତି ପାହାନ୍ତି ସମୟରେ କେତେବେଳେଯେ ଉଲଭା ଫେରିଗଲା ହ୍ରଦ ଭିତରକୁ ତାହା ପ୍ରବୀନ୍ ବି ଜାଣିପାରି ନଥିଲା। ସକାଳୁ ପକ୍ଷୀଙ୍କ କୋଳାହଳରେ ଆଖିଖୋଲିଲା ବେଳକୁ , ଡଙ୍ଗାରେ ଖୁବ୍ ମଜାରେ ଡିଆଁଡେଇଁ କରୁଥାନ୍ତି ଅନେକ ମାଛ ଆଉ ସେଇ ଲୋଭରେ ମୁଣ୍ଡଉପରେ ଲାଗିଥାଏ ବିଦେଶୀ ପକ୍ଷୀଙ୍କ ଭିଡ଼ ।
କ୍ରମଶଃ