Ashok Kumar Mishra

Drama Tragedy Thriller

4.6  

Ashok Kumar Mishra

Drama Tragedy Thriller

ଉଦବାସ୍ତୁ (ବାସ୍ତୁହରା)

ଉଦବାସ୍ତୁ (ବାସ୍ତୁହରା)

7 mins
317


                   ଟ୍ରେନ୍ରର ଫାଷ୍ଟ କ୍ଲାସ୍ ବଗିରେ ଶାନ୍ତନୁ ପାଦ ଦେଉ ଦେଉ ଦେଖିଲା ପୁରା ବଗିରେ ତାକୁ ମିଶାଇ ମାତ୍ର ଦୁଇ ଜଣ ପାସେଂଜର। ଟ୍ରେନ୍ ରେ ଗୋଟିଏ ବୋଲି ଫାଷ୍ଟ କ୍ଲାସ୍ ବଗି, ଶୀତ ତାପ ନିୟନ୍ତ୍ରିତ ବଗି ନାହିଁ। ସେ ଅଫିସ୍ କାମରେ ରାୟଗଡା ଯାଉଛି। ଗୋଟେ ରାତିର କଥା। ବଡି ଭୋର୍ ଟ୍ରେନ୍ ରାୟଗଡା ପହଁଚିବ। ଅଫିସ୍ ଫାଷ୍ଟ କ୍ଲାସ୍ ଭଡା ଦେଉଛି ଆରାମ୍ ରେ ଯିବାପାଇଁ। ରାତିଟିଏ ପାଇଁ ନ ହେଲେ ଏତେ ଭଡା ଦେଇ କିଏ ଯିବାକୁ ବାହାରିବ? ଟ୍ରେନ୍ କୁ ଚାହିଁ ଚାହିଁ ପ୍ଲାଟଫର୍ମରେ ଦୁଇ ଘଣ୍ଟା ଅପେକ୍ଷା କଲାଣି। କଟକରୁ ବାହାରି ଭୁବନେଶ୍ବର ପହଁଚିବାକୁ ଏତିକି ବିଳମ୍ବ କଲାଣି। “ଅଧ ଘଣ୍ଟା ବିଳମ୍ବରେ ଟ୍ରେନ୍ ଆସିବ” କହି ଘୋଷକ ଦୁଃଖ ଜଣାଉଛି, ପୁଣି “ଆଉ ଅଧ ଘଣ୍ଟା ଡେରି ହେବ” ଘୋଷଣା କରୁଛି - ଏମିତି ଡ୍ରାମା ଚାଲିଛି। ଘରୁ ରାତ୍ରୀଭୋଜନ ପାଇଁ ଆସିଥିଲା ପରଟା ଆଳୁକଷା, ଥଣ୍ଡା ହେଲାଣି। ରୋର୍ଡ ଟ୍ରାନ୍ସପୋର୍ଟ ବସ୍ ର ଧକଡ ଚକଡ ଠାରୁ ଟ୍ରେନ୍ ଯାତ୍ରା ସୁଖଦ ହେବ ଭାବି ଯିବାକଥା। ଡିସେମ୍ବର ଶୀତରେ ଟ୍ରେନ୍ ଚଢି ଜଲଦି କଣ ଟିକେ ପାଟିରେ ପକାଇ କମ୍ବଳ ଭିତରେ ପଶିଗଲେ ଏକା ନିଦରେ ରାୟଗଡା। କେବିକେ ଜିଲ୍ଲା ଗୁଡିକରେ ଅଫିସ୍ ର ବେଶି କାମ। ପ୍ରାୟ ପ୍ରତି ସପ୍ତାହାନ୍ତ ଏମିତି ଶାନ୍ତନୁକୁ ଟୁର୍ ରେ ଯିବାକୁ ପଡେ। ଗୃହିଣୀ ଖପ୍ପା ହୁଅନ୍ତି, କିନ୍ତୁ ନ ଗଲେ ନ ଚଳେ। କମ୍ପାର୍ଟମେଣ୍ଟ ର ଗୋଟିଏ କୁପେରେ ସହଯାତ୍ରୀଂ ସହ ରାତି କାଟିବାକୁ ହେବ।                               ଶାନ୍ତନୁ ଦେଖିଲା ଜଣେ ବୟସ୍କ ଶିଖ୍ ଭଦ୍ରବ୍ୟକ୍ତି ଶାଲ୍ ଟିଏ ପକାଇ ରିଡିଂ ଲାଇଟ୍ ର ଫୋକସ୍ ତଳେ କିଛି କାଗଜପତ୍ର କାମ ରେ ନିମଗ୍ନ। ସେପଟେ ଦୁଇ ଦୁଇଟା ଥର୍ମୋଫ୍ଲାସ୍କ, ପାଣି ବଟଲ୍, ଚା କପ୍, କାଚ ଗ୍ଲାସ୍, ସୁଦୃଶ୍ଯ ପିତ୍ତଳ ଟିଫିନ୍ କେରିଅର୍ ଆଉ କିଛି ମୋଟା ମୋଟା ବହି। ହେଂଗର୍ ରେ ସାର୍ଟ, ଟାଇ, ଲଂଗ କୋର୍ଟ ଝୁଲୁଛି ଓ ପଗଡିଟିଏ ଯତ୍ନର ସହ ଥୁଆ ହୋଇଛି। ଶାନ୍ତନୁ ଆଖି ପହଁରେଇ ଦେଖିଲା ଲ ବହି, ଥାକ ହୋଇ ଥୁଆ ହୋଇଛି। ସହଯାତ୍ରୀଂକ ବୟସ ନିଶ୍ଚିତ ଭାବେ ସତୁରି ଅଶି ଭିତରେ ହେବ, ମୁଣ୍ଡ ଉପରେ ସଫେଦ୍ ବାଳ ଗୁଡିକ ରୁମାଲ୍ ରେ ପରିସ୍କାର ଭାବେ ଜୁଡା ବନ୍ଧା ହୋଇଛି। ମୁହଁରେ ସଯତ୍ନ ପ୍ରବହମାନ ଖୋଲା ଦାଢି। ଆକର୍ଷଣୀୟ ଆଭିଜାତ୍ଯ ସ୍ପଷ୍ଟ ବାରି ହେଉଥାଏ। ମୁଣ୍ଡ ଉଠାଇ ଶାନ୍ତନୁକୁ ସ୍ବାଗତ କଲେ। ଟ୍ରେନ୍ ଷ୍ଟେସନ୍ ଛାଡିଥାଏ। ଶାନ୍ତନୁ ଜାଣିଲା ସେ ଦଲବୀର ସିଂହ। କଟକରୁ ରାଉରକେଲା ଯିବେ। ଷ୍ଟିଲ୍ ପ୍ଲାଣ୍ଟର ସିନିଅର୍ ଆଇନ୍ ପରାମର୍ଶଦାତା। କୌଣସି ଜଟିଳ କେସ୍ ରେ ଓକିଲାତି କରିବା ପାଇଁ ଏ ଯାତ୍ରା। “ଆପଣ ବୟସ୍କ ବ୍ଯକ୍ତି, ଟ୍ରେନ୍ ରେ ବୁଲିବୁଲି ନ ଯାଇ କଟକ ରୁ ସିଧା କାର୍ କରି ରାଉରକେଲା ଗଲେ ନାହିଁ?”                                  

“ମୋତେ ଏବେ ଚଉସ୍ତରୀ ହେଲାଣି। ଏ ବୟସରେ କାର୍ ଅପେକ୍ଷା ଟ୍ରେନ୍ ଯାତ୍ରା ବରଂ ଅଧିକ ସୁଖଦ। ତା ଛଡା ଟ୍ରେନ୍ ରେ ପଢିବାକୁ ସମୟ ମିଳିଯୀଏ।”                                  

ରାତି ଦଶଟା ହେଲାଣି ରାତିଭୋଜନ କରି ନ ଥିବେ, କହି ଦଲବୀର ଟିଫିନ୍ କେରିଅର୍ ଖୋଲିଲେ, କହିଲେ ଆପତ୍ତି ନ ଥିଲେ ଘର ତିଆରି ପଂଜାବୀ ପିଣ୍ଡିଛୋଲେ ଟେଷ୍ଟ କରନ୍ତୁ। ତା ଛଡା କିଛି ଅନାର ଦାନା ବି ବଢାଇଲେ। ଶାନ୍ତନୁ କିଛି ଆଳୁ କଷା ସେଆର୍ କଲେ। ଶାନ୍ତନୁ ଦେଖିଲେ ଛୋଲେ ର ସ୍ବାଦ ଖୁବ୍ ଅଲଗା। ନରମ, ମସାଲା ଦାର୍ ଏବଂ ଦେଖିବାକୁ ଗାଢକଳା। “ବୁଝିଲେ ଇଏ ରାଓ୍ବଲପିଣ୍ଡିର ପାକ ଶୈଳୀରେ ପ୍ରସ୍ତୁତ”। ଶାନ୍ତନୁ ଚିହିଂକି ଉଠିଲେ। କିଛି ପଚାରିବା ପୂର୍ବରୁ ଦଲବୀର କହି ଉଠିଲେ ମୋର ପୂର୍ବପୁରୁଷ ପାକିସ୍ଥାନ ରାଓ୍ବଲପିଣ୍ଡି ର ବାସିନ୍ଦା। ତୁମେ ଜନ୍ମ ହେବା ବହୁ ପୂର୍ବରୁ ୧୯୪୭ ରେ ଦେଶ ବିଭାଜନ ବେଳେ ସାମ୍ପ୍ରଦାୟିକ ଦଂଗାରେ ସୀମାର ଉଭୟ ପାର୍ଶ୍ବରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଲେ। ସେତେବେଳେ ମୋର ବୟସ ମାତ୍ର ଅଠର ହେବ। ସେହି ସମୟରେ ବହୁ ଦୁଃଖ ଦୁର୍ଦ୍ଦଶା ଭିତରେ ଆମେ କୌଣସି ପ୍ରକାର ଜୀବନ ବଂଚାଇ ଭାରତକୁ ପଳାଇ ଆସିଛୁ।                        ଶାନ୍ତନୁର ଆଖି ଉଜ୍ଜ୍ବଳ ହୋଇ ଉଠିଲା। ଉତ୍ସାହଭରା ସ୍ବରରେ କହିଲା, ଦେଶ ବିଭାଜନ କଥା ଆମେ କେବଳ ବହିରେ, ଖବରକାଗଜ ଅବା ଟିଭି ଆଲୋଚନାରେ ପଢିଛୁ। ଭାରତମାତା ର ବିଭାଜନ ସମୟରେ ଆମର ଜନ୍ମ ନ ଥିଲେ ମଧ୍ୟ ସେ ସମ୍ବେଦନଶୀଳ ପ୍ରସଂଗ ମନେ ପଡିଲେ ପ୍ରତି ଭାରତୀୟର ଆଖି ସ୍ବତଃ ଲୁହରେ ଭରିଯାଏ। ସୀମାର ଉଭୟ ପାର୍ଶ୍ବରେ ବ୍ରିଟିଶ୍ ଶାସନ ବିରୁଦ୍ଧରେ ସ୍ବାଧୀନତା ପାଇଁ ମିଳିମିଶି ଲଢେଇ ଚାଲିଥିଲା, କିନ୍ତୁ ସ୍ବାଧୀନତା ମିଳିବା ପୂର୍ବରୁ ତାହା ଏମିତି କଣ ମୋଡ ନେଲା ଯେ ଆମର ଦେଶ ବିଭାଜିତହୋଇଗଲା ଓ ସମସ୍ତଂକ ହୃଦୟରେ ସବୁ ଦିନ ପାଇଁ ଅପୂରଣୀୟ କ୍ଷତ ଛାଡିଗଲା। ଏ ସମ୍ବନ୍ଧରେ ବହି, ଖବରକାଗଜ ହେଉ ଅବା ଯେ କୌଣସି ଆଲୋଚନାର ପକ୍ଷପାତିକ ଆରୋପ, ପ୍ରତ୍ଯାରୋପ,ଅର୍ଦ୍ଧସତ୍ୟ ଅପେକ୍ଷା ଆପଣଂକ ଭଳି ଦେଶ ବିଭାଜନକୁ ଅଂଗେ ଲିଭାଇଥିବା ବ୍ଯକ୍ତିଂକଠାରୁ ଶୁଣିବାର ସୁଯୋଗ ମିଳିବ ବୋଲି ଆଶା କରୁଛି। ଅବଶ୍ଯ ଯଦି ଆପଣ କ୍ଳାନ୍ତ ଅନୁଭବ କରୁ ନ ଥାନ୍ତି ସେ ସମୟରେ ଆପଣଂକର ଅନୁଭବ ଜାଣିବାକୁ ମୁଁ ବ୍ଯଗ୍ର।                                   ଦଲବୀର ଏକ ଦୀର୍ଘନିଶ୍ବାସ ଛାଡିଲେ। ସେହି ଦୀର୍ଘନିଶ୍ବାସ ଯେମିତି ଅନେକ କିଛି କହୁଥିଲା। ଦବି ରହିଥିବା ପୁରୁଣା କ୍ଷତ ଯେମିତି ହଠାତ୍ ରକ୍ତାକ୍ତ ହୋଇଉଠିଲା। ଭୟ, ଆତଂକ, ବ୍ଯଥା, ଅସହାୟତା ଓ ଅନେକ ଅବ୍ଯକ୍ତ ବେଦନା ଭିଡିମୋଡି ହୋଇ ପରସ୍ତ ପରସ୍ତ ଅନ୍ଧାର ରୁ ଯେମିତି ଶିକୁଳି ଛିଣ୍ଡାଇ ମୁଣ୍ଡ ଟେକୁଥିଲେ କିଛି କହିବାପାଇଁ।                                “ସେ ତ ଏକ ଦୁର୍ଭାଗ୍ଯପୂର୍ଣ ଅଧ୍ଯାୟ।” ଦେଶ ବିଭାଜନର ଅନେକ କାରଣ ଥାଇପାରେ କିନ୍ତୁ କୋଟି କୋଟି ସାଧାରଣ ନାଗରିକଂକ ଘର, ଆପଣାର, ପରିବାର,ଦାନାପାଣି, ବର୍ତ୍ତମାନ, ଭବିଷ୍ଯତ, ସ୍ବପ୍ନ ସବୁ ଉଜୁଡି ଛାରଖାର ହୋଇଗଲା। ସେ ଦିନ ଗୁଡା ମୋ ଆଖି ଭିତରେ ବସା ବାନ୍ଧି ରହିଯାଇଛନ୍ତି, ଲୁହରେ ଲିଭୁନାହାନ୍ତି କି ଯିବାର ନାଁ ନେଉ ନାହାନ୍ତି।॥                                 ଟ୍ରେନ୍ କ୍ଷିପ୍ର ଗତିରେ ଆଗକୁ ମାଡି ଚାଲିଥିଲା। ଥଣ୍ଡା ଯୋଗୁଁ ଝରକା ବନ୍ଦଥିଲେ ମଧ୍ଯ ଘୋର ଅନ୍ଧକାରକୁ ଚିରି ଟ୍ରେନ୍ ଆଗକୁ ଗଲା ବେଳେ ମଝିରେ ମଝିରେ ଷ୍ଟେସନ୍ ର ତୀବ୍ର ଆଲୋକ ସବୁ କ୍ଷଣିକ ପାଇଁ ଦେଖା ଦେଇ ପଛକୁ ଦୌଡି ପଳାଉ ଥିଲେ। ଶାନ୍ତନୁ ଭଳି ଦଲବୀର କମ୍ବଳଟିକୁ ଦେହ ଉପରେ ଅଧା ଉପରକୁ ଉଠାଇ ନେଲେ। କହିଲେ ରାଓ୍ବଲପିଣ୍ଡିର ସଦର ବଜାରର୍ ପିତା ଚରନପାଲ୍ଂକର ଭଲ ବ୍ଯବସାୟ ଥିଲା। ସେ ବ୍ରିଟିଶ୍ କାଣ୍ଟନମେଣ୍ଟକୁ ପାଇକାରୀ ବସ୍ତୁର ବଡ ଅର୍ଡର ସବୁ ସପ୍ଲାଇ କରୁଥିଲେ। ମୋର ସତର ବୟସ ବେଳକୁ ତାଂକ ମୃତ୍ଯୁ ପରେ କକା ଜଗବୀର୍ଂକୁ ଏଇ କାମରେ ମୁଁ ସାହାଯ୍ୟ କଲି। ମୋହଲ୍ଲାରେ ଆମର ଖୁବ୍ ବଡ ଘରଟିରେ ମା ଗୁରିନ୍ଦରଏବଂ ସାନ ଭଉଣୀ ମାହି ସହ ମିଶି ରହୁଥିଲୁ। ସମୟ ମିଳିଲେ ପିଲାବେଳେ ଅନେକ ଥର ରାଓ୍ବଲ୍ ହ୍ରଦ ଓ ମୁରି ପାହାଡକୁ ପରିବାର ସହ ଯାଉ। ପିଣ୍ଡିରେ ହିନ୍ଦୁ ମନ୍ଦିର ଓ ଗୁରୁଦ୍ବାର କୁ ବି ବୁଲିଯାଉ।                         ପିଣ୍ଡିରେ ଜନସଂଖ୍ଯାର ଚାଳିଶ୍ ଭାଗ ମୁସଲିମ୍ ବାକି ହିନ୍ଦୁ ଓ ଶିଖ୍ ମିଶି ଷାଠିଏ ଭାଗ। ଉନେଇଶହ ସତଚାଲିଶ୍ ମାର୍ଚ୍ଚ ମାସ ବେଳକୁ ପଂଜାବରେ ମୁସଲିମ୍ ମନ୍ତ୍ରୀମଣ୍ଡଳ ଗଠନ ପରେ ଉଭୟ ସମ୍ପ୍ରଦାୟ ଭିତରେ ବାଦବିବାଦ ଆରମ୍ଭ ହୋଇଗଲା। ଦିନକୁ ଦିନ ପିଣ୍ଡିର ତଳିଆ ଅଂଚଳରେ ହିଂସା, ଘରଜଳା ଓ ହତ୍ଯାର ଖବର ମିଳିଲା ଏବଂ ଅଗଷ୍ଟ ବେଳକୁ ତାର ଅଧିକ ଉଗ୍ରରୂପ ଦେଖିବାକୁ ମିଳିଲା। ମାଆ ଗୁରିନ୍ଦର ଓ ମାହୀ ଲାହୋର ରେ ମାମୁଁଂକ ପାଖରେ ଥାଆନ୍ତି। ଲକ୍ଷ ଲକ୍ଷ ହିନ୍ଦୁଓ ଶିଖ୍ ଲୋକ ପିଣ୍ଡି ଛାଡି ଲାହୋର ପଳାଉ ଥିଲେ ଓ ସେଠାରୁ ଟ୍ରେନ୍ ନେଇ ଅମ୍ରିତସର ଅଭିମୁଖେ ଯାତ୍ରା କରୁଥାନ୍ତି। କକା ଜଗବୀର, ତାଂକ ପୁଅ ଗୁମିତ୍ ଓ ମୋତେ ଖୁବ୍ ଶିଘ୍ର ପିଣ୍ଡି ଛାଡି ଲାହୋର ଯିବାକୁ ବାଧ୍ୟ କଲେ ଓ ଆମ ଠାରୁ ଖବର ପାଇଲେ ସେ ଆସି ଲାହୋର୍ ରେ ମିଶିବେ ବୋଲି କଥା ହେଲା।                 ପିଣ୍ଡିରୁ ଲାହୋର ପାଖାପାଖି ଚାରିଶ କିଲୋମିଟର। ମୁହଁ ସଂଜ ବେଳେ ପିଣ୍ଡିର ବାଣୀଚୌକ ରୁ ଯେଝା ସାଇକେଲ୍ ବସ୍ ରେ ଉଠାଇ ଚଢିଗଲୁ। ସହରରୁ ବାହାରିବା ପରେ ଆମେ ହିଂସାର ଭୟାବହତା ଜାଣିଲୁ। ଘର, ବଜାର ସବୁଆଡେ ଜାଗା ଜାଗା ନିଆଁ ଜଳୁ ଥାଏ। ଅନ୍ଧାର ଭିତରେ ଦଳଦଳ ଲୋକ ଠେଂଗା, ତରବାରୀ ଓ ମସାଲ ଧରି ଏପଟ ସେପଟ ହେଉଥାନ୍ତି। ଲାହୋର୍ ଯେତିକି ପାଖ ହେଉଥାଏ ହିଂସା, ଚିତ୍କାର ଓ କ୍ରନ୍ଦନଧ୍ବନି କାନରେ ପଡୁଥାଏ। ମୁଁ ଓ ଗୁମିତ୍ ଅନ୍ଯ ସାଥୀ ସହଯାତ୍ରୀଂକ ସହ ଭୀତକ୍ରସ୍ତ ହୋଇ ଅନ୍ଧାରରେ ଚୁପ୍ ଚାପ୍ ବସିଥାଉ। ବସ୍ ଭିତର ଅନ୍ଧାର କରି ରାତିରେ ଅତି କମ୍ ଆଲୋକରେ ବସ୍ ଆଗକୁ ବଢୁଥାଏ। ଲାହୋର ଆଉ ପ୍ରାୟ ଶହେ କିମି ଥାଏ, ବସ୍ ଡ୍ରାଇଭର୍ ବସ୍ କୁ ମଝି ରାସ୍ତାରେ ଛାଡି ପଳାଇଲା। ଡରିମରି ଓହ୍ଲାଇ ଦେଖିଲୁ ତଳେ କୁଢ କୁଢ ଶବ ଖଣ୍ଡ ବିଖଣ୍ଡ ହୋଇ ପଡିଛି। ଗୁମିତ୍ ଓ ମୁଁ ସାଇକେଲ୍ ଓହ୍ଲାଇ ଭୋକ, ଅନ୍ଧାର ଓ ଭୟ ଭିତରେ କ୍ଳାନ୍ତିକୁ ଭୁଲି ଜୀବନ ବଂଚାଇବାକୁ ଆଗକୁ ବଢିଲୁ। ଧୁଆଁ ଭିତରୁ ଦରପୋଡା ମାଂସର ବାସ୍ନା ଅସ୍ତବ୍ଯସ୍ତ କରି ଦେଉଥାଏ। ଅଧାଜଳା ଘରୁ କିଛି କିଛି ଆଲୋକ ମିଳୁଥାଏ। ଶୋଷରେ ପାଟି ଅଠା ହୋଇ ଯାଉ ଥାଏ। ରାତି ତିନିଟା ରେ ଲାହୋର ପହଁଚି ଦେଖିଲୁ ସହରଟା ଯେମିତି ଶ୍ମଶାନରେ ପରିଣତ ହୋଇ ଯାଇଛି। ସେତେବେଳେ ଲାହୋରରେ ଜନସଂଖ୍ଯାର ଷାଠିଏ ଭାଗ ମୁସଲିମ, କିନ୍ତୁ ଫ୍ଯାକ୍ଟରୀ ଓ ବ୍ଯବସାୟର ଅଶି ପ୍ରତିଶତ ହିନ୍ଦୁ ଓ ଶିଖ୍ଂକ ପାଖରେ। ସାହ ଆଲମୀ ବଜାର ପାଖରେ ମାମୁଁଂକ ଘରକୁ ଯାଇ ଦେଖିଲୁ ବଜାର ପୋଡି ଜଳି ଯାଇଛି, ମାମୁଁଂକ ଘରେ କେହି ନାହାନ୍ତି, ଦାଣ୍ଡ ଦୂଆର ମୁକୁଳା। ଅତିଶୟ ଭୋକ ଓ ଶୋଷ, କିନ୍ତୁ କୂଅ ପାଣି ପିଇବାକୁ ଡର ଲାଗିଲା। ଶୁଣିଥିଲୁ କୁଅରେ ବିଷ ପକାଇ ଦିଆ ଯାଉଛି। ରାବୀ ନଦୀ କୂଳକୁ ଯାଇ ପାଣି ପିଇଲୁ ॥                     ଦିନ ବେଳେ ଗୁରୁଦ୍ବାର ଲଂଗର ରେ କିଛି ଖାଇବାକୁ ମିଳିଲା। ମା, ମାମୁଁ ଓ ମାହିର ଯାହା ଖବର ମିଳିଲା ବର୍ଣନା କରିହେବ ନାହିଁ। ମାହି ର ଇଜ୍ଜତ୍ ଓ ମାଆଂକୁ ସୁରକ୍ଷା ଦେବାକୁ ଯାଇ ମାମୁଁ ପ୍ରାଣ ହରାଇଛନ୍ତି ଶୁଣି କଣ କରିବୁ ଯାଣି ପାରିଲୁ ନାହିଁ। ମାଆ ଓ ମାହୀକୁ ହରାଇ ଆମେ ଭାଂଗି ପଡିଲୁ। ଅସହାୟତାର ଭୟାବହ ରୂପକୁ ଅତି ନିକଟରୁ ଦେଖି ପାରିଲୁ। ଆଖିର ଧାର ମାଟିରେ ମିଶିଲା। ପିଣ୍ଡି ଫେରିଯିବୁ ବୋଲି ସ୍ଥିର କଲୁ। ଦିନେ ପରେ ଆମ ରାଓ୍ବଲପିଣ୍ଡି ଘରେ ନିଆଁ ଲାଗି ନଷ୍ଟ ହୋଇ ଯାଇଛି ବୋଲି କକା ଜଗବୀର ଖବର ଦେଲେ।ତାଂକୁ ଅପେକ୍ଷା ନ କରି ଅବିଳମ୍ବେ ପାକିସ୍ଥାନ ଛାଡିବାକୁ ସେ ପରାମର୍ଶ ଦେଲେ। ଲାହୋରରେ ଗୁରୁଦ୍ବାର ମଧ୍ଯ ସୁରକ୍ଷିତ ନୁହେଁ ଓ ସମସ୍ତଂକୁ ଯଥାଶିଘ୍ର ଗୁରୁଦ୍ବାର ଖାଲି କରିବାକୁ ପଡିବ ବୋଲି ଜାଣିଲୁ।     ଲାହୋରରୁ ଭାରତର ସୀମା ମାତ୍ର ଚବିଶ କିମି, ଅମ୍ରିତସର ପଚାଶ କିମି। ଟ୍ରେନ୍ ରେ ଯିବାକୁ ଗୁରୁଦ୍ବାରରୁ କିଛି ପଇସା ଯୋଗାଡ କଲୁ। ପରଦିନ ଷ୍ଟେସନ୍ ଯାଇ ଶୁଣିଲୁ କିଛି ଦଂଗାକାରୀ ମୁସଲିମ୍ ଗାଡି ଭିତରେ ପଶି ସବୁ ହିନ୍ଦୁ ଓ ଶିଖ୍ଂକୁ ହତ୍ୟା କଲେ ଓ ଶବକୂଢ ହୋଇ ଗାଡି ସୀମା ସେପଟକୁ ପଠା ଯାଇଛି। ଟ୍ରେନ୍ ଯାତ୍ରାର ଭୟାବହତା ଦେଖି ଭୟ ରେ ଦେହ ଶିତେଇ ଉଠିଲା। ଦେହରୁ ଥଣ୍ଡା ଝାଳ ବହିଗଲା। ଯିବାକୁ ଭୟ ଲାଗିଲା। ରାତି ବେଳେ ଦୁଇଜଣ ଯେଝା ସାଇକେଲ୍ ଧରି ବାହାରିଗଲୁ। ମୁଖ୍ଯ ରାସ୍ତା ନ ନେଇ କେଉଁଠି ଗାଁ ଢିପ ରାସ୍ତା ଅବା ଚାଷ ଜମି ଦେଇ ସୀମା ପାର ହୋଇ ସିଧା ଅମ୍ରିତସର ପହଁଚିଲୁ। କିଛିଦିନ ବିତାଇ ଟ୍ରେନ୍ ରେ କଲିକତା ଯାତ୍ରା। ଅନେକ କଷ୍ଟ ସହି, ଛୋଟ ବଡ କାମ କରି ଲ ପଢି କିଛି ବର୍ଷ ହାଇକୋର୍ଟରେ ପ୍ରାକ୍ଟିସ୍ କଲି। ଗୁମିତ୍ କଲିକତାରେ ଅଛି। ମୁଁ ପରେ କଟକ ଆସି ରହିଯାଇଛି॥                               ଶାନ୍ତନୁ ଦେଖିଲା ରାତି ଦୁଇଟା। “ଆପଣଂକ ଅଂଗେ ନିଭାଇଥିବା କଥା ଶୁଣି ସେ ବେଳର କଥା ଆଖି ଆଗରେ ନାଚି ଯାଉଛି। ପୁରୁଣା କଥା ମନେ ପକାଇ ଦୁଃଖ ଦେଲି। ଆପଣ ବିଶ୍ରାମ ନିଅନ୍ତୁ।”“ଶୁଭରାତ୍ରୀ”କହି କଡ ଲେଉଟାଇଲେ ଦଲବୀର।                                  ଶାନ୍ତନୁ ବିଛଣାରେ ପଡି ବାହାର ଅନ୍ଧକାରକୁ ଲକ୍ଷ୍ଯ କଲା। ଆଖି ଭାରୀ ଲାଗୁଥାଏ। କାଚରେ କୁହୁଡି ଲାଗି ବାହାରଟା କୁହୁଡିଆ ଲାଗୁଛି। ସବୁକିଛି ଝାପ୍ସା ଦିଶୁଛି। ଅନ୍ଧାର ଯେମିତି ମାଡି ପଡିଲା। ଆଲୁଅ ସବୁ ଉଭାନ୍ ହୋଇ ଗଲା। କେବିନ୍ ର ଧିମା ଜିରୋ ପାଓ୍ବାର୍ ଲ୍ଯାମ୍ପ ଟା ଶାନ୍ତନୁକୁ ପ୍ରଥମେ ଏକ ଲାଇନ୍ ଓ ଧିରେ ଧିରେ ଶୂନ ହୋଇ ମିଳାଇ ଗଲା ପରି ଜଣା ଗଲା। ହଠାତ୍ ଦେଖିଲା ଗାଡି କେଉଁ ଷ୍ଟେସନ୍ ରେ ଅଟକି ଯାଉଛି ଓ ଦଳେ ଲୋକ ଚିତ୍କାର କରି ହାତରେ ତରବାରୀ ଓ ଛୁରୀ ଧରି ପଶି ଆସୁଛନ୍ତି। ଶାନ୍ତନୁ ଚିତ୍କାର କରି ଉଠିଲା। “ତାଂକୁ ଛାଡିଦିଅ”, “ଏଟା ଫାଷ୍ଟକ୍ଲାସ୍ ବଗି”। କିଛି ଶୁଣିବା ପୂର୍ବରୁ ଜଣେ କେହି ଦଲବୀର୍ଂକ ଗଳା କାଟି ବାହାରକୁ ଟାଣି ନେଲା। ଶାନ୍ତନୁ ହାତ ବଢାଇ ଦେଖିଲା ତା ହାତରେ ଉଷୁମ୍ ରକ୍ତ ଲାଗିଗଲା। “ଠଣ୍” କରି କିଛି ଆଓ୍ବାଜ୍ ହେଲା। ସେ ଚିତ୍କାର କରି ଉଠି ପଡିଲା। ମିଂଜିମିଂଜି ଆଲୁଅରେ ଦେଖିଲା ବର୍ଥରେ ଦଲବୀର ନାହାନ୍ତି। ଗ୍ଲାସରେ କିଛି ଗରମ ପାଣି ତା ର ହାତ ବାଜି ତଳେ ପଡିଛି। କୁପେ ବାହାରୁ ଦଲବୀର ପଶି ଆସି କହିଲେ ଓ୍ବାଶ୍ ରୁମ ଯାଇ ଥିଲି, ଆଉ ଗୋଟିଏ ଷ୍ଟେସନ ଛାଡି ରାୟଗଡା ଆସିବ ବୋଲି ବାହାରେ ଆଟେଣ୍ଡାଣ୍ଟ କହିଲା। ଶାନ୍ତନୁ ହୋସ୍ ରେ ଆସିଲା ଓ ଦେଖିଲା ଭୋର୍ ପାଂଚଟା ବାଜିବାକୁ ଯାଉଛି। ସେ ତରବର ହୋଇ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଲା ।                    


Rate this content
Log in

Similar oriya story from Drama