MANAS KUMAR KAR

Classics Fantasy Inspirational

4.0  

MANAS KUMAR KAR

Classics Fantasy Inspirational

ଉଚିତ ବ୍ୟବହାର

ଉଚିତ ବ୍ୟବହାର

3 mins
644


ମୁମ୍ବାଇର କୌଣସି ଏକ ଧର୍ମସଭାରେ, ଜଣେ ସନ୍ଥ ପ୍ରବଚନ ଦେଉଥିଲେ। ସେ ଜଣେ ତିରିଶ ବର୍ଷୀୟ ଯୁବକକୁ ଠିଆ କରାଇ ପଚାରିଲେ, "କଳ୍ପନା କର ତୁମେ ବେଳାଭୂମିରେ ଚାଲି ଚାଲି ଯାଉଛ। ଯଦି ଅପର ଦିଗରୁ ଜଣେ ସୁନ୍ଦରୀ ଯୁବତୀ ତୁମ ଆଡକୁ ଆସୁଥାଏ, ତୁମେ କଣ କରିବ?" ଯୁବକ ଉତ୍ତର ଦେଲେ, "ତାଙ୍କ ଆଡେ ଦୃଷ୍ଟି ଯିବ, ତାଙ୍କୁ ଦେଖିବି।" ସନ୍ୟାସୀ ପୁଣି ପଚାରିଲେ, "କେତେବେଳ ଯାଏଁ? ପାଖ ଦେଇ ଗଲା ପରେ ମଧ୍ୟ କଣ ବୁଲିବୁଲି?" ଯୁବକ ଉତ୍ତର ଦେଲେ, "ହଁ ଗୁରୁଦେବ, ସ୍ତ୍ରୀ ସାଙ୍ଗରେ ନଥିଲେ ତ, ଯେତେଦୂର ଦୃଷ୍ଟିଗୋଚର ହେବ, ଦେଖୁଥିବି।" ସନ୍ୟାସୀ ପୁଣି ପ୍ରଶ୍ନ କଲେ, "ଏଥର କୁହ ଦେଖି ସେଇ ସୁନ୍ଦର ତରୁଣୀର ରୂପ କେତେ ସମୟ ତୁମର ମନେ ରହିବ।" ଯୁବକ ଉତ୍ତର ଦେଲେ ଦଶ କୋଡିଏ ମିନିଟ, ଯେତେବେଳ ଯାଏଁ ଆଉ ଏକ ନୂଆ ରୁପସୀ ଆଖି ଆଗରେ ନ ନାଚି ଯାଇଛି।"

"ହେଲା, ଏଥର ମନେ କରନ୍ତୁ, ତୁମେ ଜୟପୁରରୁ ମୁମ୍ବାଇ ଆସୁଛ। ମୁଁ ତୁମକୁ ଗୋଟିଏ ପୁସ୍ତକ ପ୍ୟାକେଟ ଦେଇ ପଠାଇଲି ମୁମ୍ବାଇର ଅମୁକ ବ୍ୟକ୍ତିଙ୍କ ଘରେ ପହଁଚାଇ ଦେବା ପାଇଁ, ତୁମେ ଯେତେବେଳେ ପ୍ୟାକେଟଟି ନେଇ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିଲ, ଜାଣିବାକୁ ପାଇଲ ଏ ଘର ଜଣେ କୋଟିପତିଙ୍କର। ଗେଟ ଦୁଆରେ ଚାରି ପାଞ୍ଚ ଜଣ ଗାର୍ଡ। ଜାଗୁଆର, ଅଡ଼ି ଭଳି ସାତ ଆଠ ଖଣ୍ଡ ମୂଲ୍ୟବାନ ଗାଡି ଠିଆ ହୋଇଛି। ତୁମେ ବହି ନେଇ ଆସିଥିବା ସମ୍ବନ୍ଧରେ ନିଜର ପରିଚୟ ଗେଟରୁ ଇଣ୍ଟରକମ୍ ମାଧ୍ୟମରେ ଖବର ପଠାଇଲ। ଭଦ୍ର ବ୍ୟକ୍ତି ଜଣକ ସାଙ୍ଗେ ସାଙ୍ଗେ ଆସି ଧନ୍ୟବାଦ ସହିତ ପ୍ୟାକେଟଟିକୁ ଗ୍ରହଣ କଲେ। ତୁମକୁ ନମ୍ରତାର ସହିତ ଘର ଭିତରକୁ ଡାକିଲେ। ପାଖରେ ବସାଇ ସୁସ୍ୱାଦୁ ଜଳଖିଆ ସହିତ କଫି ପିଆଇଲେ। ଶେଷରେ ଫେରିଲା ବେଳେ ଜାଣିବାକୁ ପାଇଲେ ତୁମେ ଲୋକାଲ ଟ୍ରେନରେ ଅନେକ ଦୂରରୁ ଆସିଛ। ସେ ଡ୍ରାଇଭର ଡକାଇ ଗନ୍ତବ୍ୟ ସ୍ଥାନରେ ଛାଡି ଆସିବାକୁ କହି ଗାଡି ପର୍ଯ୍ୟନ୍ତ ବଳାଇ ଦେବାକୁ ଆସିଲେ। ପୁଣି ତୁମେ ପହଞ୍ଚିବା ପରେ ଭଦ୍ର ବ୍ୟକ୍ତିଙ୍କ ଠାରୁ ଫୋନ ଆସିଲା "କଣ ଆଜ୍ଞା ପହଞ୍ଚି ଗଲେ ତ? ରାସ୍ତାରେ କିଛି ଅସୁବିଧା ହୋଇ ନାହିଁ ତ?"

ଏଥର ତୁମେ କୁହ ଏ ମହାନୁଭବଙ୍କୁ ତୁମେ କେତେ ସମୟ ମନେ ରଖିବ? ଯୁବକ ଉତ୍ତର ଦେଲେ, "ଗୁରୁଜୀ ଆପଣ ଏ କଣ କହୁଛନ୍ତି। ଏପରି ସଜ୍ଜନଙ୍କୁ ଗୋଟିଏ ଜନ୍ମ କଣ ସାତ ଜନ୍ମରେ ଭୁଲିବି ନାହିଁ"।

ସନ୍ୟାସୀ ଯୁବକଙ୍କ ମାଧ୍ୟମରେ ସଭାକୁ ସମ୍ବୋଧିତ କରୁଥିଲେ।

ଏହାହିଁ ଜୀବନର ସତ୍ୟ


ଶାରୀରିକ ସୁନ୍ଦରତା ଅସ୍ଥାୟୀ। କିଛି ସମୟ ପାଇଁ। କିନ୍ତୁ ଭଦ୍ର ବ୍ୟବହାର ଚିରସ୍ଥାୟୀ।


ଯେଉଁ ବ୍ୟକ୍ତି ଅଭିବାଦନଶୀଳ, ବିନମ୍ର, ବଡ଼ଙ୍କ ସମ୍ମାନ କରିପାରେ, ନିତ୍ୟ ପ୍ରତିଦିନ ବୃଦ୍ଧ ଜନଙ୍କ ସେବା କରିପାରେ, ତାଙ୍କୁ ଆୟୁ, ବିଦ୍ୟା, ଯଶ, ବଳ ବୃଦ୍ଧିର ଆଶୀର୍ବାଦ ମିଳିଥାଏ।

ବ୍ୟବହାର ସୁନ୍ଦର ହେଲେ ଭାବନା ସୁନ୍ଦର ହୁଏ, ଭାବନା ସୁନ୍ଦର ହେଲେ ସର୍ବତ୍ର ଆଦର ମିଳେ।

ଓଡ଼ିଶାରେ ଗୋଟିଏ ପ୍ରଚଳିତ ଶବ୍ଦ ଅଛି ବେଭାର। ବ୍ୟବହାର ଶବ୍ଦର ଏହା ଏକ ଅପଭ୍ରଂଶ। ବିଭାଘର ପୂଜା ପରବରେ ବେଭାର ନେଇ ଯିବାର ପ୍ରଥା ଅଛି। ଏହି ପ୍ରଥାରୁ ବ୍ୟକ୍ତିର ଲୋକାଚାର, ଆଚରଣ ଜଣା ପଡିଥାଏ।

ମନୁଷ୍ୟର ପ୍ରକୃତ ମୂଲ୍ୟ ତାର ନୈତିକତା, ଆଚାର ବ୍ୟବହାର, ସମ୍ପର୍କ, ଯୋଗାଯୋଗ ଓ ସହାନୁଭୂତି। ଶାରୀରିକ ରୂପ ସୁନ୍ଦରତା ନୁହେଁ।


ଶରୀର ଜଳରୁ, ମନ ସତ୍ୟରୁ, ବୁଦ୍ଧି ଜ୍ଞାନରୁ ଓ ଆତ୍ମା ସଂସ୍କାରରୁ ପବିତ୍ର ହୋଇଥାଏ।

ସଂସ୍କାରରୁ ସଂସ୍କୃତି ଜନ୍ମ ନିଏ। ସଂସ୍କୃତିରୁ ସଭ୍ୟତା ଜନ୍ମ ନିଏ। ସଭ୍ୟତାରୁ ସଜ୍ଜନତା ଜନ୍ମ ହୁଏ। ସଜ୍ଜନତାରୁ ସରଳତା ଓ ସରଳତାରୁ ସଦବ୍ୟବହାର ଜନ୍ମ ହୁଏ। ସଦବ୍ୟବହାରରୁ ବିନମ୍ରତା ଜନ୍ମ ନିଏ। ବିନମ୍ରତାରୁ ବିବେକ ବୁଦ୍ଧିର ଆବିର୍ଭାବ ହୁଏ। ବିବେକ ବୁଦ୍ଧି ମନୁଷ୍ୟକୁ ଶ୍ରେଷ୍ଠ ମନୁଷ୍ୟରେ ପରିଣତ କରିଦିଏ।  

 

ବୁଦ୍ଧି ବିବେକ ଜ୍ଞାନ ବଳେ

ମାନବ ଶ୍ରେଷ୍ଠ ମହୀତଳେ


ଶ୍ରେଷ୍ଠ ବ୍ୟକ୍ତି ଯେପରି ବ୍ୟବହାର କରନ୍ତି। ସାଧାରଣ ବ୍ୟକ୍ତି ମଧ୍ୟ ସେପରି ଆଚରଣ କରନ୍ତି। ଶ୍ରେଷ୍ଠ ବ୍ୟକ୍ତି ଯେପରି କର୍ମ କରନ୍ତି, ତାହାକୁ ଆଦର୍ଶ ମଣି ସାଧାରଣ ଲୋକେ ଏହାର ଅନୁସରଣ କରନ୍ତି। ସାଧାରଣତଃ ଦେଖାଯାଏ କୌଣସି ଅନୁଷ୍ଠାନରେ ଜଣେ ଉଚ୍ଚପଦସ୍ଥ ଅଧକାରୀ କର୍ତ୍ତବ୍ୟପରାୟଣ ଓ ନିଷ୍ଠାବାନ ହେଲେ, ପ୍ରାୟ ସମସ୍ତ କର୍ମଚାରୀ 

କର୍ତ୍ତବ୍ୟପରାୟଣ ଓ ନିଷ୍ଠାବାନ ହୁଅନ୍ତି। ଆପଣ ଯେ କୌଣସି ସ୍ଥାନ ବା ପଦରେ ଥାଆନ୍ତୁ, ଛୋଟ ବଡ଼ର ବିଚାର କାହିଁକି? ଭଦ୍ର, ସୁନ୍ଦର ବ୍ୟବହାରରେ ଜୀବନ ସୁନ୍ଦର କରନ୍ତୁ। ମନ ମଧ୍ୟରେ ସକାରାତ୍ମକ ଚିନ୍ତାଧାରାକୁ ବଳ ପ୍ରଦାନ କରନ୍ତୁ।


ଥରେ ସୂର୍ଯ୍ୟଦେବ ପଚାରିଲେ, "ମୋ ଅନୁପସ୍ଥିତିରେ ମୋ ସ୍ଥାନ କିଏ ଗ୍ରହଣ କରିବ।" ସାରା ସଂସାର ନିରୁତ୍ତର। ଏଇ ସମୟରେ ଜଣେ କେହି ପୁର୍ଣ ବିଶ୍ୱାସର ସହ ଉତ୍ତର ଦେଲେ, ମୁଁ ଅଛି ପରା। ସେ ଜଣକ କେହି ନୁହନ୍ତି, ଗୋଟିଏ ଛୋଟିଆ ଦୀପ।

ସୁଶୀଳତା ସହ ଧରନ୍ତୁ ବ୍ୟବହାରର ମଙ୍ଗ।

ଜୀବନରେ ଭରି ଦିଅନ୍ତୁ ଇନ୍ଦ୍ରଧନୁର ରଙ୍ଗ।



Rate this content
Log in

Similar oriya story from Classics