ପୁଅକୁ ଭଲ ଘର ଓ ଝିଅ ସହିତ ଭଲ ପରିବାର ଦେଖି ବାହା କରିଥିଲେ ସୁକାନ୍ତ ଓ ସ୍ତ୍ରୀ ସୁକନ୍ୟା କିନ୍ତୁ ବାହାଘରର କେଇଟା ଦିନ ପରେ ବୋହୁର ହାବ ଭାବ ଠିକ ଲାଗୁନଥିଲା. କାରଣ କଣ ଜାଣିହେଉନଥିଲା. ଗୋଟେ ଟଙ୍କା ମଧ୍ୟ ଯୌତୁକ ମାଗିନଥିବା ସୁକାନ୍ତ ଫେରିଲା ବେଳେ ବୋହୁର ପସନ୍ଦ ଅପସନ୍ଦ ଜାଣି ସୁକନ୍ୟାକୁ ସତର୍କ କରିଦେଇଥିଲେ ଯେ ବୋହୁର ଯେମିତି କିଛି ଅସୁବିଧା ନହୁଏ. ଏତେ ଅଭିଜ୍ଞତା ଥିବା ସୁକନ୍ୟା ସ୍ୱାମୀଙ୍କୁ ଭରସା ଦେଇଥିଲେ ଓ କହିଥିଲେ ଦେଖିବନି ଏଯାଏଁ ମୁଁ ଯେମିତି ତୁମକୁ ଓ ପୁଅକୁ ରୋଷେଇ ବାସ କରି, ଘରଦ୍ୱାର ସଫା କରି, ଡ୍ରେସ ପତ୍ର ଇସ୍ତ୍ରୀ ଦେଇ ଦେବ ଦେବୀ ପୂଜା କଥା ବୁଝୁଛି ସେମିତି ହାତ ଗୋଡ଼ ଚାଲୁଥିଲା ଯାଏଁ କରିଯିବି. ସତକୁ ସତ ସୁକନ୍ୟା ଆହୁରି ଚଞ୍ଚଳ ଉଠିଲେ, ନିତ୍ୟକର୍ମ ସାରି, ଠାକୁର ପୂଜା ସାରି, ଟିଫିନ ପ୍ରସ୍ତୁତ କରି ବୋହୁକୁ ଡାକିଲେ. ନିତ୍ୟକର୍ମ ସାରି ଆସ ମାଆ ଚା ଜଳଖିଆ ପ୍ରସ୍ତୁତ. ସେଇ ଦୁଇ କି ତିନିଟା ଦିନ ଯାଇଛି କି ନାହିଁ ଜଳଖିଆ ପଡି ରହିଲା, ଚା ଥଣ୍ଡା ହେଲା କିନ୍ତୁ ଉଷାସୀ ଚା ଜଳଖିଆ ଖାଇଲା ନାହିଁ ବରଂ ପୁଅ ହାତରେ ଟିଫିନ ପ୍ୟାକେଟ ଦେଖି ସୁକାନ୍ତ ଚିଲଲେଇଲେ ସୁକନ୍ୟାଙ୍କ ଉପରକୁ. କଣ ଟିକେ ଭଲ ଜଳଖିଆ କରି ଦେଇ ପାରୁନ ବୋହୁଟାକୁ ଯେ ପୁଅ ମୋର ଶେଜ ଛାଡ଼ି ଟିଫିନ ପାଈଁ ଗାଡି ଧରି ଶୀତରେ ବାହାରୁଛି. ସେଇ ଉପମା, ମଟର, ପକୋଡ଼ି, ବରା, ଘୁଗୁନି, ସରୁଚକୁଳି, ଛୁଞ୍ଚିପତର ଚିତଉ କି ପୁଳି କରିବା ଛାଡ଼ି ନୁଆଁଟିକେ କରି ଶିଖ. ଆରେ ବୋହୁ ନାମରେ ଆମ ପାଟି ପେଟ ଟିକେ ପରିବର୍ତ୍ତନ ଲୋଡୁଛି. ସୁକନ୍ୟା ଧଡ଼ ପଡ଼ ହୁଅନ୍ତି. ମ୍ୟାଗି, ଚାଉମିନ, ପିଜା, ବିରିଆନି କରୁଥିଲେ ମଧ୍ୟ ଟିଫିନ ନୁଁହଁ ପୁଅ ବୋହୁ ହୋଟେଲକୁ ବାହାରି ଯାଆନ୍ତି. ସୁକାନ୍ତ ଭାବିଚିନ୍ତି ହୁଅନ୍ତି.
ସେଦିନ ପାଖରେ ବସେଇ ପୁଅକୁ କହିଲେ ଦେଖ ପୁଅ ବୋଉଟା ତୋର ଯେତେ ମରହଟ୍ଟୀ ହେଲେ ମଧ୍ୟ ବଡ଼ ଆଗ୍ରହରେ ଏତେ କଥା ଆମ ପାଈଁ କରେ. ତୁ ବୋହୁକୁ ନେଇ ବାହାରକୁ ଯାଉଛୁ ଏକରେ ଖାଦ୍ୟ ନଷ୍ଟ ହେଉଛି ଦୁଇରେ ଲୋକେ କଣ ଭାବୁଥିବେ!ପୁଅ ଏଥର ମୁଁହଁ ଖୋଲିଲା କହିଲା ନାହିଁ ବାପା ବୋଉ କାଶି କାଶି ବେଦମ ହେଉଛି. ତାକୁ ମନାକର ସେ ଆଉ କିଛି ନକରୁ. ଉଷାସୀ ର ଆଲାରଜିକ ଅଛି ତ ସେଇଥିପାଇଁ ସେ ଖାଉନି. ତା ଛଡା ଆମର ଏତେବଡ ଘର ହେଲେ କଣ ହେବ ଧୂଳି ଜମି ଡଷ୍ଟ ଆଲର୍ଜି ହେଉଛି ତ ଖୁବ ଶୀଘ୍ର ଆମେ ଦୁହେଁ ଶଶୁରଙ୍କ ନୂଆ ତୋଳାଥିବା ଘରକୁ ସିଫ୍ଟ ହୋଇଯାଉଛୁ. ଶଶୁର ବାପା ଓ ଶାଶୁମା ଖୁବ ବ୍ୟସ୍ତ ତାଙ୍କ ଝିଅ ପାଈଁ. ଆଉ କିଛି ଦିନ ଏଠାରେ ରହିଲେ ଉଷାସୀ ର ମଧ୍ୟ ବୋଉ ଭଳି କାଶ ହୋଇପାରେ. ସ୍ତବ୍ଧ ଚକିତ ସୁକାନ୍ତଙ୍କ ପାଟିରୁ ବଚନ ବାହାରୁନଥିଲା. ସୁକନ୍ୟା ସେତିକିବେଳେ ମୋମୋ କରି ଆଣି ପୁଅ ବୋହୁଙ୍କ ରୁମକୁ ଯାଉ ଯାଉ ସୁକାନ୍ତ ରୋକିଥିଲେ କହିଥିଲେ ମତେ ଦିଅ ମୁଁ ଖାଇବି. ବୋହୁର ହୋଟେଲ ଖାଦ୍ୟ ଖାଇଲେ ଆଲର୍ଜି ହୁଏନି କିନ୍ତୁ ତୁମ ହାତ ରନ୍ଧା ଖାଦ୍ୟ ଖାଇଲେ ହୁଏତ ହୋଇଯାଇପାରେ. ସୁକନ୍ୟା ଏଥର କହୁଥିଲେ ଏବେ ବୁଝିଲି ତୁମ କାରସାଦି. ସେଇଥି ପାଈଁ ପୁଅ ମୋର ସକାଳୁ ସକାଳୁ ଘୁରୁଥାଏ ଜଳଖିଆ ଦୋକାନ ସବୁ.ଛି ଛି ଲୋକେ କଣ କହିବେ. ସୁକାନ୍ତ ଛାତିରେ ପଥର ରଖି କହୁଥିଲେ ଆରେ ତୁମେ ଏତେ ଅପରିସ୍କାର ରହି, ଘରଦ୍ୱାର ସଫା ନକରି ରୋଗୀ ହୋଇ ଜଳଖିଆ ପ୍ରସ୍ତୁତ କଲେ ବୋହୁର ଆଲର୍ଜି ହେବନି!ସେଇଥିପାଇଁ ତାଙ୍କୁ ଏଘରୁ ଚାଲିଯିବାକୁ କହିଦେଇଛି ମୁଁ.ଫେରିପଡ଼ୁ ପଡ଼ୁ ସୁକନ୍ୟା କହୁଥିଲେ ପୁଅ ବାହାଘର ପରେ ତୁମେ ଏତେ ବଦଳିଯିବ ବୋଲି ମୁଁ ଭାବିନଥିଲି. ସେତେବେଳେ ଯୌତୁକ ନେବିନି, ବୋହୁକୁ କିଛି କରେଇ ଦେବନି ଏସବୁ କହିବା ଗୋଟେ ଗୋଟେ ବାହାନା ଥିଲା ତୁମର!ପୁଅ ଘରୁ ଚାଲିଯିବା ପର୍ଯ୍ୟନ୍ତ ସୁକନ୍ୟା ଭୁଲ ବୁଝି ବସିଥିଲେ.କୋଉ ନଈ କୋଉ କୂଳ ଖାଇ ଉଛୁଳୁଛି ସୁରାକ ପାଇନଥିଲେ ବରଂ ପୁଅ ଓ ବୋହୁ ଘରୁ ଚାଲିଯିବା ପରେ ଆଉ ଜଳଖିଆ ନକରି ମନ ଦୁଃଖ ରେ ସୁକନ୍ୟା କହୁଥିଲେ କଣ ସେମାନଙ୍କୁ କହିଲ ଯେ ସେ ଦୁହେଁ ମୋ ହାତ ତିଆରି ଜଳଖିଆ ପରିବର୍ତ୍ତେ କିଣା ଛଣା ଭାଜି ଖାଉଥିଲେ? ସୁକାନ୍ତ କହିଥିଲେ ନାଇଁମ ନଈ ଉଛୁଳିଲେ ବନ୍ୟା ହୁଏ ବୋଲି ମୁଁ ଜାଣିନଥିଲି. ସୁକନ୍ୟା ଅବୁଝା ଆଖିରେ ସ୍ୱାମୀଙ୍କୁ ଚାହିଁ ଲୁହ ପୋଛୁଥିଲେ ଆଖିରୁ ହେଲେ ଜାଣିନଥିଲେ ସ୍ୱାମୀ ସୁକାନ୍ତ ଙ୍କ ହୃଦୟ ନଈରେ କେତେ ଉଛୁଳା!
,,,,,,,,,,,,,,,,