Bharatabandhu Biswal

Tragedy Inspirational

3  

Bharatabandhu Biswal

Tragedy Inspirational

ଉଛୁଳା ନଈ

ଉଛୁଳା ନଈ

3 mins
152



ଆଜି ଶ୍ରାବଣ ମାସ ଦ୍ୱିତୀୟ ସୋମବାର ।ବଡି ସକାଳୁ ରାସ୍ତାରେ ଧାଡିବାନ୍ଧି ଯାଉଥିବା ବୋଲବମ ଭକ୍ତମାନଙ୍କ ଗହଳଚହଳ ଲାଗି ରହିଛି । ରାସ୍ତା କଡରେ ଅଥବା ଘର ବାଲକୋନି ଉପରୁ ଲୋକେ କେତେକ ଉତ୍ସାହୀ ଯାତ୍ରୀ ଡିଜେର ତାଳେ ତାଳେ କିମ୍ବା ଢୋଲ,ନିଶାନ,ଦୁଲଦୁଲି ବାଦ୍ୟ ବଜାଇ ଯିବାର ଦୃଶ୍ୟକୁ ନୀରିକ୍ଷଣ କରୁଥାଆନ୍ତି ।ଅବସରପ୍ରାପ୍ତ ଶିକ୍ଷକ କିଶୋରବାବୁ ମଧ୍ୟ ଆଜି ଶୀଘ୍ର ଉଠି ପ୍ରାତଃ ଭ୍ରମଣ ସାରିଦେଲେଣି । ସେ ପୁରୁଣା ଡାଏବେଟିଜ ରୋଗୀ ହୋଇଥିବାରୁ ତାଙ୍କୁ ସବୁଥିରେ ସାବଧାନ ହୋଇ ଚଳିବାକୁ ପଡିଥାଏ । ନିଜ ଗୋଡହାତ ଚଳୁଥିଲା ଯାଏ ସମୟରେ ଖାଦ୍ୟପେୟ, ପଥିଔଷଧ ନିୟମିତ ଗ୍ରହଣ କରି ଯେତେ ଦିନ ଠିକ ଚଳିପାରିବେ ଭଲକଥା, ନଚେତ ନିଜେ ଦୁଃଖ ଭୋଗିବା ସଙ୍ଗେ ସଙ୍ଗେ ପରିବାରର ଅନ୍ୟମାନଙ୍କ ପାଇଁ ଦୁଃଖର କାରଣ ହେବେ ।  

 କିନ୍ତୁ କିଛି କଥାରେ ଅଭ୍ୟାସ ନଥିବାରୁ ତାଙ୍କର ବହୁ ସମୟରେ ଭୁଲଭଟକା ହୋଇ ଯାଉଛି । ଠିକ ସମୟରେ କାମର କଥା ମନରେ ପଡୁନାହିଁ । ଗତ କାଲି ପ୍ରାତଃ ଭ୍ରମଣରେ ଗଲାବେଳେ ଦାଣ୍ଡଘରର ଝରକା ବନ୍ଦ କରିନଥିଲେ ।ଛାତ ଉପରେ ରହୁଥିବା ନାଲି ପାତିମାଙ୍କଡ ଝରକା ବାଟେ ଘରେ ପଶି ସବୁ ପନିପରିବା ଖାଇ ଫୋପାଡି ଦେଇଥିଲେ । ଫ୍ରିଜଟାକୁ ବି ଖୋଲି ତା ଭିତରେ ଥିବା ଫଳ ଓ କ୍ଷୀର ପାକେଟନଷ୍ଟ କରି ପକାଇଥିଲେ । ତାଙ୍କ ପତ୍ନୀ ତାଙ୍କ ଭୁଲାପଣ ଯୋଗୁ କେମିତି ଫଳ ଭୋଗିବାକୁ ହେଉଛି ପୂର୍ବାପର କଥା ଗୁଡିକୁ ଗୋଟି ଗୋଟି କରି ବଖାଣି ଥିଲେ । ଅଗତ୍ୟା ଟିକିଏ ଅଦା ମିଶା ଚାହା ପିଇ ତାଙ୍କୁ କାମ ଚଳାଇନେବାକୁ ପଡିଥିଲା ।

  ଘରେ କିଶୋରବାବୁଙ୍କ ପତ୍ନୀ ଶାନ୍ତି ଦେବୀ କିମ୍ବା ବୋହୁ ଉଠି ନଥିଲେ ।ଚାହାପର୍ବ କିଛି ଅଧିକ ଡେରି ହୋଇପାରେ ।ଏଣୁ ସେ ଚଉକିଟି ପକାଇ ବାଲକୋନୀରେ ବସି ଥାଆନ୍ତି । କଲୋନୀର କିଛିଲୋକ ଘରର ପୋଷାକୁକୁରମାନଙ୍କ ବେକରେ ବନ୍ଧା ହୋଇଥିବା ରଶିଫିତାକୁ ଧରି ରାସ୍ତାରେ ବୁଲୁଥିବା ଦୃଶ୍ୟ ତ ନିତିଦିନିଆ ଫେସନ ହେଲାଣି । ବାହାରେ କୁକୁରଙ୍କୁ ଧରି ବୁଲାଇବା ଯେତିକି ସଉକ ବୋଲି ଦେଖାଯାଏ, ତାଠାରୁ ଅଧିକ ହେଉଛି କୁକୁରଙ୍କ ନିତ୍ୟକର୍ମ ଆବଶ୍ୟକତା ।ଘରଭିତରେ କାହିଁକି ଅପରିଷ୍କାର କରିବେ, ବାହାରେ ରାସ୍ତାରେ ବୁଲୁଥିବାବେଳେ ଏହା ଅଗୋଚରରେ ସମ୍ପନ୍ନ ହୋଇଗଲେ ମଳମୁକ୍ତ ପରିବେଶ ସୁରକ୍ଷା ଦିଗରେ ଜଣେ ଉତ୍ତମ ସହରୀ ନାଗରିକ ଦାୟିତ୍ୱକୁ ସେମାନେ ସୂଚାରୁ ରୂପେ ନିର୍ବାହ କରନ୍ତି ବୋଲି ଭାବିଥାନ୍ତି ବୋଧହୁଏ ।

 କିଶୋରବାବୁ ଆଜିର ଦୈନିକ ଖବର କାଗଜଟି ଆଣି ବଡବଡ ଅକ୍ଷରରେ ଲେଖା ଯାଇଥିବା ମୁଖ୍ୟ ଖବର ଗୁଡିକ ଉପରେ ଆଖି ବୁଲାଇ ଆଣିବାରେ ମନ ଦେଲେ । ଭୁବନେଶ୍ୱରର ଜନଗହଳିପୂର୍ଣ ରାଜରାସ୍ତାରେ ଓଲିଉଡ ଜଗତର ଜଣେ ପ୍ରସିଦ୍ଧ ତାରକା ଏବଂ ତାଙ୍କ ଗାର୍ଲଫ୍ରେଣ୍ଡ ଙ୍କୁ ବିବାହିତା ପତ୍ନୀଙ୍କ ଭିଡାଟଣା ଏବଂ ଚାପୁଡା ମାଡ଼ ।

 ଚଳଚିତ୍ର ଏବଂ ସଙ୍ଗୀତ ଜଗତରେ ଚହଳ ସୃଷ୍ଟି କରିଥିବା ଦୁଇ ମହାନ ପରିବାର ମଧ୍ୟରେ ସୃଷ୍ଟି ହୋଇଥିବା ଏହି କନ୍ଦଳରେ ସାରା ରାଜ୍ୟ ହୁଲସ୍ତୁଲ। 

 ପ୍ରିଣ୍ଟ ଓ ସୋସିଆଲ ମେଡିଆରେ ତଥାକଥିତ ବିଖ୍ୟାତ ହିରୋ ହିରୋଇନ, ତାଙ୍କ ମାଆ ବାପା ମଉସା ମାଉସୀ ଓ ଫ୍ୟାନମାନଙ୍କ ବିଶେଷ ସାକ୍ଷାତକାର ସମ୍ବନ୍ଧରେ ପୂରା ଭରପୂର ପୃଷ୍ଠା ।

 ଏ ବି ଏକ ଖବର । ବୁର୍ଲା ବୀରସୁରେନ୍ଦ୍ର ସାଏ ମେଡିକାଲ କଲେଜ ହସପିଟାଲରେ ରାତ୍ରି ଡ୍ୟୁଟି କରୁଥିବା ପିଜି ହାଉସ ସର୍ଜନଙ୍କ ଉପରେ ରୋଗୀଙ୍କ ଆତ୍ମୀୟମାନଙ୍କ ଅତର୍କିତ ଆକ୍ରମଣ ।ଦୁର୍ବୁତ୍ତମାନେ ଘଟଣାସ୍ଥଳରୁ ଫେରାର । ମେଡିକଲ ଛାତ୍ର ମାନଙ୍କ ଆନ୍ଦୋଳନ ଯୋଗୁ ଅଚଳାବସ୍ଥା ଜାରି ।ରାତ୍ରିକାଳୀନ ଜରୁରୀ ସେବା ଯୋଗାଉଥିବା ଡାକ୍ତର ମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି ।

 ଦୈନିକ କୋଭିଡ଼ ସଂକ୍ରମଣ କୋଡିଏ ହଜାର ଟପିଲା । ସହରାଞ୍ଚଳରେ ପୁଣି ମାସ୍କ ପିନ୍ଧିବା ଓ ନିରାପଦ ଦୂରତା ରକ୍ଷା କରି ଚଳପ୍ରଚଳ ହେବାକୁ କଡାକଡି ହେଲା ନୀୟମ । ସତର୍କତା ଉପଦେଶାବଳୀ ଜାରୀ ।

 ବଡ଼ ଖବର । ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଆଜି ସକାଳ ନଅଟାରୁ ପାଞ୍ଚଟି ଗେଟ ଖୋଲି ପ୍ରଥମ ବର୍ଷାଜଳ ନିଷ୍କାସନ କରିବେ ।

  ପତ୍ନୀ ଶାନ୍ତିଦେବୀ ଚାହା କପ୍ ଟି ଧରି ଆଗରେ ଠିଆ ହେଲେଣି । କିଶୋରବାବୁ ଚାହାରୁ ଢୋକେ ପିଇ ଭାବୁଥାଆନ୍ତି ତାଙ୍କ ଫ୍ଲାଟଠାରୁ ମାତ୍ର ଅଳ୍ପ କିଛି ଦୂରରେ ଥିବା ମହାନଦୀର ବନ୍ଧ ଉପରକୁ ଯାଇ ପ୍ରଥମ କରି ନିଷ୍କାସିତ ହେଉଥିବା ବନ୍ୟାଜଳକୁ ଦେଖି ଆସିବେ ।

  କିନ୍ତୁ ନିଜ ମନ ଭିତରେ ଓ ଆମ ଚାରିଆଡେ ଉଛୁଳି ଉଠୁଥିବା ନଈମାନଙ୍କ ପ୍ରଖର ସ୍ରୋତକୁ ନିୟନ୍ତ୍ରଣ କରିବା ପାଇଁ କୈ।ଣସି ବନ୍ଧବାଡ ନ ଥିବା କଥା ଭାବି ତାଙ୍କ ମନ ଅଜଣା ଆତଙ୍କରେ ଶିହରି ଉଠୁଥିଲା ।

  ----



Rate this content
Log in

Similar oriya story from Tragedy