ତୁଚ୍ଛା ପ୍ରେମ
ତୁଚ୍ଛା ପ୍ରେମ
ଝିଅଟିକୁ ନୁହେଁ, କେବଳ ତା'ର ଛବିଟିକୁ ହିଁ ମୁଁ ଦେଖୁଥିଲି ।
ସୁନ୍ଦରୀ ଝିଅଟିଏ । କେବଳ ରୂପର ନୁହେଁ, ଗୁଣର ମଧ୍ୟ ଥିଲା ସେ । ସୁନ୍ଦର ଗୀତ ଗାଉଥିଲା । ଖୁବ୍ ସୁମଧୁର ଥିଲା ତା'ର କଣ୍ଠସ୍ୱର ।
ମୁଁ ଖାଲି ତା'ର ଛବି ଦେଖୁ ନ ଥିଲି,ତା'ର ଗୀତ ମଧ୍ୟ ସବୁଦିନେ ଶୁଣୁଥିଲି । ସେ ଓ ତା'ର ଗୀତ ମୋତେ ଖୁବ୍ ଭଲ ଲାଗୁଥିଲେ ।
ଏମିତି ରୂପଗୁଣର ଝିଅଟିଏ ମୋତେ କାହିଁକି ଦେଲେନି ଈଶ୍ୱର?
ଦିନେ ଏମିତି ପ୍ରଶ୍ନ ମୁଁ ପଚାରିଲି ମୋ ନିଜକୁ । ଦୁଃଖୀ ହେଲି । ନିଜ ଭାଗ୍ୟକୁ ନିନ୍ଦିବାରେ ଲାଗିଲି ।
ଗୋ,କନ୍ୟା, ଭୂମି - ଏସବୁ କୁଆଡ଼େ ଭାଗ୍ୟର କଥା । ମୋର ମନେପଡ଼ିଲା ମୋତେ କେହିଜଣେ ଥରେ ଏକଥା କହିଥିଲେ ।
କାହିଁକି ଏସବୁ ଭାଗ୍ୟର କଥା ହେବ?କାହିଁକି ରୂପଗୁଣର ଝିଅଟିଏ ମିଳିପାରିବନି ସବୁ ପୁଅଙ୍କୁ?ପୁଣି ଏମିତି ପ୍ରଶ୍ନ ପଚାରିଲି ନିଜକୁ । ମୋତେ ସେସବୁ କଥା ଖୁବ୍ ବେକାର ଲାଗିଲା । ସେମିତି କଥାକୁ ମୁଁ ଆଦୌ ଠିକ୍ ଭାବିପାରିଲି ନାହିଁ ।
ଝିଅଟିର ଆଖିର ସମୁଦ୍ରରେ ବୁଡ଼ି ଯାଉଥିଲି ମୁଁ । ଛାତି ଉପରକୁ ସେ ପକାଇ ରଖୁଥିବା ତା'ର ଦୀର୍ଘ ଖୋଲା କେଶରେ ହଜି ଯାଉଥିଲି । ତା'ର ହସଟା ବି ବଡ଼ ସାଙ୍ଘାତିକ ଥିଲା, ଯାହା ମୋ ଛାତିଟାକୁ ଚିରି ଦୁଇ ଫାଳ କରି ଦେଉଥିଲା ।
ତାକୁ ଭଲପାଇବାକୁ ମୋତେ ଏସବୁ ଖୁବ୍ ବାଧ୍ୟ କରୁଥିଲେ । ମୋ ଭିତରେ ତା' ପାଇଁ ସମୁଦ୍ରେ ପ୍ରେମ ଓ ଭଲପାଇବା ଉଚ୍ଛୁଳୁଥିଲା ।
କାହାକୁ ଭଲପାଇବା, ପ୍ରେମ କରିବା ପାପ ନୁହେଁ । ପ୍ରେମ ତ ଏମିତି ହୋଇଯାଏ । କେହି କାହାକୁ ମନା କରିପାରନ୍ତିନି । ତେଣୁ ଝିଅଟି ପ୍ରତି ମୋର ପ୍ରେମ ଓ ଭଲପାଇବା ମୋତେ ଆଦୌ ଭୁଲ୍ ଲାଗୁ ନ ଥିଲା ।
ପ୍ରେମ ତ ସବୁବେଳେ ରହସ୍ୟମୟ । ତାକୁ ଶଦ୍ଦରେ ବୁଝାଇହୁଏନି । ମୋତେ ଏବେ ସେମିତି ଲାଗୁଥିଲା । ଖୁସିରେ କାନ୍ଦିବା କାନ୍ଦିବା ହେଉଥିବା ମୋର ଆଖି ଆଦୌ କାନ୍ଦି ପାରୁ ନ ଥିଲା । ବହୁତ କଥା କହିବାକୁ ଚାହୁଁଥିବା ମୋର ଓଠ କିଛି ବି କହିପାରୁ ନ ଥିଲା ।
ତାକୁ ନେଇ ଆରମ୍ଭ ହୋଇ ଯାଇଥିଲା ମୋର ସ୍ୱପ୍ନଦେଖା । ମୋ ମନର କାନଭାସରେ ମଁବ ତା'ର ଚିତ୍ର ଆଙ୍କିବାରେ ଲାଗିଥିଲି । ତାକୁ ନେଇ ଫୁଲ ଫୁଟାଉଥିଲି ଓ ଗୁଣୁଗୁଣେଇ ଗୀତ ଗାଉଥିଲି । ନୀରବରେ ମୋର ଏମିତି ସବୁକିଛି ଚାଲିଥିଲା । ହେଲେ ଦୀର୍ଘଦିନ ଏମିତି ନୀରବ ରହିବାର ରହସ୍ୟ ଆଦୌ ଭେଦିପାରୁ ନ ଥିଲି ମୁଁ ।
ପ୍ରେମର ନା ଆଦି ଥାଏ, ନା ଅନ୍ତ । ତା' ପାଇଁ ମୋ ଛାତି ତଳେ ଶ୍ରଦ୍ଧା ଟିକିଏ ଥିଲା ଓ ସେଇ ଶ୍ରଦ୍ଧା ହିଁ ମୋତେ ତା'ର ନିକଟତର କରୁଥିଲା । ମୋତେ ଯୋଗାଉଥିଲା ପ୍ରେରଣା । ମନେମନେ ମୁଁ ତା'ର ହେବାରେ ଲାଗିଥିଲି ।
ଦୁନିଆଟା ଏମିତି ନୁହେଁ ଯେ ଯିଏ ଯାହା ଖୋଜେ ତାହା ପାଏ । ସମୟ ବି ରଙ୍ଗ ବଦଳାଏ ଏଠି । ଜହ୍ନ ସରିଯାଏ । ସ୍ୱପ୍ନ ମରିଯାଏ ।
କେବେ ଥରେ ମୋର ଭେଟ ହୁଅନ୍ତା କି ସେ ଝିଅ!ତାକୁ ଗୋଲାପ ଫୁଲଟେ ଦେଇପାରନ୍ତି ତ!କହିପାରନ୍ତି ତ ମୁଁ ତୁମକୁ ଭଲପାଏ ବୋଲି!
ଏମିତି ଭାବୁଥିଲି ମୁଁ । ହେଲେ ସେମିତି ଆଦୌ ହେଉ ନ ଥିଲା । ମୋ ପାଇଁ ସତେ ସେ ଯେମିତି ଥିଲା ଆକାଶ କଇଁଆ,ଚିଲିକା ମାଛ ପରି । ମୋ ପ୍ରେମ ମୋ ପାଇଁ ସିନା ସତ ଥିଲା, ହେଲେ ତା' ପାଇଁ ଥିଲା ମିଛ ।
ଦିନେ ପ୍ରକୃତିସ୍ଥ ହେଲା ପରେ ମୁଁ ଅନୁଭବ କଲି ଯେ ସେ ଝିଅକୁ ଆଦୌ ପାଖରେ ପାଇପାରିବିନି । ତାକୁ ଛୁଇଁପାରିବିନି । ତା'ର ଅତି ସୁନ୍ଦର ରୂପଗୁଣର ପ୍ରଶଂସା ବି କରିପାରିବିନି । ନା, ଏସବୁ ଆଦୌ ସମ୍ଭବ ହେବନାହିଁ ।
ତଥାପି ତା' ପ୍ରତି ମୋର ଭଲପାଇବା ଆଦୌ ହ୍ରାସ ପାଉ ନ ଥିଲା । ତାକୁ ଯେମିତି ସେମିତି ପ୍ରେମ କରୁଥିଲି ମୁଁ । ତା' ଗୀତ ଶୁଣୁଥିଲି । ମୋ ମନ ଆଉ ହୃଦୟକୁ ତା' ପାଖରେ ବନ୍ଧାପକେଇ ରଖିଥିଲି । ତା' ପାଇଁ ରାତିଦିନ ଲେଖୁଥିଲି କବିତା, ଗପ ।
ତାକୁ ଭାବିବସିଲେ ଖୁସି ଲାଗୁଥିଲା । ତେଣୁ ତାକୁ ଭଲପାଇଲେ କି ପ୍ରେମ କଲେ କ୍ଷତି କ'ଣ!ସମୟ ବରବାଦ ହେଉଥିଲା । ହେଉ । କିଏ ଏଠି ସମୟ ବରବାଦ କରୁନି ଯେ!ପ୍ରେମ ପାଇଁ ସମୟ ବରବାଦ କରିବା କ'ଣ ଛୋଟ ନା ବେକାର କଥାଟିଏ!ଖୁସି ତ ମିଳୁଛି ।
ଦିନେ ପୁଣି ଏମିତି ଭାବିଲି ମୁଁ । ମୋର ଏ ଭାବନା ମୋତେ ବହୁତ ଠିକ୍ ଲାଗିଲା । ଆଉ ପଛକୁ ଫେରିବାକୁ ଚାହିଁଲିନି ମୁଁ । ତା' ପାଇଁ ଯେମିତି ଥିଲି ସେମିତି ରହିଲି । ପ୍ରେମିକ . . . ପ୍ରେମିକ ।
ଏବେ ଲେଖାପଢ଼ା ଛାଡ଼ି, ଘରସଂସାର କଥା ଭୁଲି ପ୍ରେମିକଟିଏ ହୋଇ ସେଇ ସୁନ୍ଦରୀ ଝିଅର ପ୍ରେମରେ ସମୟ ବରବାଦ କରୁଛି ମୁଁ । ହେଉ ପଛେ ତୁଚ୍ଛାଟାରେ . . . ।