ଟୋପାଏ ଅନୁତାପ
ଟୋପାଏ ଅନୁତାପ
"ଆଜି ରାତି ଆପଣଙ୍କ ଘରେ ରହିବି ସାର, ପ୍ଲିଜ," ଘର ଭିତରକୁ ପଶୁ ପଶୁ ପ୍ରୟାସ କହିଲା ।
କ୍ଷଣଟିଏ ଲାଗି ମୁଁ କିଛି ଭାବି ପାରିଲିନି । ରାତି ଦେଢ଼ଟା ବେଳେ ଏମିତି କେବେ ଆସି ନଥିଲା ସିଏ ପୂର୍ବରୁ । ସିଏ କଣ କେହି ମଧ୍ୟ ଆସି ନାହାନ୍ତି । ଯଦି ଅତିଥିମାନେ ଆସନ୍ତି, ଛୁଟି ଦିନରେ ଦିନ ବେଳେ ଏବଂ ଅନ୍ୟ ଦିନରେ ସନ୍ଧ୍ୟାରେ ଯେତେ ବେଳ ଯାଏଁ ଟାଉନ ବସ ଚାଲେ, କାରଣ ସହରର ଟିକିଏ ବାହାରେ ରହୁଥିବାରୁ ଯାତାୟାତର ସେତେ ସୁବିଧା ନାହିଁ । ଅବଶ୍ୟ ଯେଉଁ ମାନଙ୍କର ନିଜର ଗାଡି ଅଛି ସେମାନେ ଆସନ୍ତି ଡେରି ରାତି ପର୍ଯ୍ୟନ୍ତ ଯେତେବେଳ ଯାଏ ମୁଁ ରାତ୍ରିଭୋଜନ ସାରି ନଥାଏ । ରାତ୍ରିଭୋଜନ ପରେ କିଛିଟା ପଢିବା ଆଉ ଶୋଇବା ମୋର ନିୟମିତ ଅଭ୍ୟାସ ଏବଂ ସମସ୍ତେ ଏ କଥା ଜାଣନ୍ତି । ତେଣୁ ରାତି ଦଶଟା ପରେ ମୋ ଘର ମୂଖ୍ୟ ଫାଟକ ଆଉ ଖୋଲା ନଥାଏ । ଏ କଥା ସମସ୍ତେ ଜାଣନ୍ତି, ପ୍ରୟାସ ମଧ୍ୟ ।
ମୁଖ୍ୟ ଫାଟକର ଚାବିଟିଏ ପ୍ରୟାସ ପାଖରେ ଥାଏ, ବେଳେ ବେଳେ ସିଏ ଆସି ମୋ ଗାର୍ଡେନରେ କାମ କରେ । ବିଭିନ୍ନ ପ୍ରକାର ଔଷଧୀୟ ଗଛ ସବୁ ଲାଗିଛି ଯେଉଁଥିରେ ତାହାର ରୁଚି ଅଛି । ମୁଁ ତେଣୁ ତାକୁ ଚାବିଟିଏ ଦେଇଛି ଆସିକି ମନ ଖୁସି କରିବ, ଶିଖିବ ଆଉ ଯଦି ମନ ହୁଏ କିଛି ନିଜେ ମଧ୍ୟ ଯତ୍ନ ନେଇପାରିବ ଗଛ ଗୁଡିକର । ତିନି ବର୍ଷର ଜଣା ଶୁଣା ସମ୍ପର୍କ ଆମର । ମୁଁ ନୂଆ କରି ତିନି ବର୍ଷ ତଳେ ଆସିଥିଲି ମହାବିଦ୍ୟାଳୟକୁ ଆଉ ପ୍ରଥମ ବର୍ଷର ସ୍ନାତକ ଛାତ୍ର ଥିଲା ପ୍ରୟାସ । କ୍ଲାସ ପରେ ଏମିତି କଥା ବାର୍ତ୍ତା ହେଉ ହେଉ ବନ୍ଧୁତ୍ଵ ଗଢି ଉଠିଥିଲା । ପ୍ରୟାସ ରବିବାର ଏବଂ ଶନିବାର ଦିନ ନିହାତି ଆସେ, ବଗିଚାରେ ମୋ ସହ କାମ କରେ, ତା ପରେ ସନ୍ଧ୍ୟାରେ ଚାହା ଜଳଖିଆ ସାରି ଫେରି ଯାଏ ତାହାର ଘରକୁ ଯେ ଯାଏଁ ବସ ଚାଲିଥାଏ ।
କିନ୍ତୁ ଏମିତି ଅକସ୍ମାତ ରାତି ଅଧିଆ !
ମୁଁ ଆଉ କିଛି କହିବା ପୂର୍ବର ପ୍ରୟାସ ଚାଲିଯାଇଥିଲା ବାଥରୁମକୁ ।
କିଛି ଭାବି ଫ୍ରିଜ ଭିତରୁ ଥଣ୍ଡା ପାଣି ବାହାର କଲି ଆଉ ନିଜ ପାଇଁ ଆଉ ତାହା ପାଇଁ ଦୁଇ ଗ୍ଲାସ ଢାଳି ଡାଇନିଂ ଟେବୁଲରେ ତାହାର ପ୍ରତୀକ୍ଷା କରିବାକୁ ଲାଗିଲି । ଅଲଗା ଦୁଇଟା ବଖରା ଅଛି ଅତିଥିଙ୍କ ପାଇଁ । ରହିବାର ଅସୁବିଧା ନାହିଁ ।
କିନ୍ତୁ କିଛି ଅଘଟଣ କଥା ଭାବି ମୁଁ ବ୍ୟସ୍ତ ହେବାକୁ ଲାଗିଥିଲି । ଛାତ୍ରାବାସରେ ଗଣ୍ଡଗୋଳ ହେବା କିଛି ନୂଆ ନାହିଁ । ଆଉ ସପ୍ତାହଟିଏ ଅଛି ଛୁଟି ହେବା ଲାଗି । ପରିକ୍ଷା ସବୁ ସରି ଗଲାଣି ଆଉ ଶେଷ ବର୍ଷର ଛାତ୍ର ମାନେ ନିଜର ସବୁ କାଗଜ଼ ପତ୍ର ଆଉ କ୍ଳୀଏରେନ୍ସ ପାଇଁ ଲାଗି ପଡିଛନ୍ତି । ପ୍ରୟାସ ଡେ ସ୍କଲାର କିନ୍ତୁ ହଷ୍ଟେଲ୍ ରେ ଅନେକ ସମୟ ଅତିବାହିତ କରେ ନିଜ ସାଙ୍ଗ ସାଥୀଙ୍କ ସହ । ହୁଏତ ଆଜି କୌଣସି କାରଣରୁ ଘରକୁ ଫେରି ପାରୁନଥିବ !
ପ୍ରୟାସ ଆସିକି ବସିଗଲା ମୋ ସାମ୍ନା ଚୌକିରେ ।
"ସାଙ୍ଗଟିଏ ଆଣି ଛାଡିଦେଲା ସାର । ପେଟ ଟିକେ ଠିକ ନାହିଁ, ସେଥି ପାଇଁ ବାଥରୁମ ଯାଇଥିଲି," ପ୍ରୟାସ କହିଲା ।
ଜଳଜୀରା ପାଉଡର ଆଣି ସେଥିରୁ ଦୁଇ ଚାମଚ ଘଣ୍ଟି ଦେଲି ତାହାର ପାଣି ଗ୍ଲାସରେ ଆଉ ବଢ଼େଇଦେଲି ତାହାକୁ ଆଉ ପଚାରିଲି," କଣ ହେଇଛି?"
"ସାର ଆପଣ ଖରାପ ଭାବିବେନି କି ମୋତେ ଘରୁ ବାହାର କରିବେନି ସାର, ପ୍ଲିଜ, " ପ୍ରୟାସ କହିଲା ।
"ନା ମୁଁ ତୁମକୁ ବାହାର କରିବନି, ସେତିକି ସାଧାରଣ ଜ୍ଞାନ ଅଛି ମୋର, କିନ୍ତୁ କଣ ହେଇଛି କହୁନାହଁ କାହିଁକି?" ମୁଁ ପୁଣି ପଚାରିଲି ।
"ସାର ଆଜି ଫେରୱେଲ ପାର୍ଟି ଥିଲା ବାହାରେ । ସାଙ୍ଗ ମାନଙ୍କ ସହିତ ଯାଇଥିଲି, ଆଉ କିଛି ଡ୍ରିଙ୍କସ କରିଦେଲି ସାର । ଆଜି ପ୍ରଥମ ଥର ସାର, ଆଉ ଜୀବନରେ ଆଗରୁ କେବେ ପିଇ ନଥିଲି କି ପିଇବି ନାହିଁ ମଧ୍ୟ । ମୋତେ କ୍ଷମା କରିଦିଅନ୍ତୁ ," ପ୍ରୟାସ କହିଲା ।
"ଏଥିରେ ଏତେ ଭାବିବାର କଣ ଅଛି ଆଉ ବ୍ୟସ୍ତ ହେବାର କିଛି ନାହିଁ । ଆଜି କାଲି ସମସ୍ତେ ପିଉଛନ୍ତି । କିନ୍ତୁ ତୁମେ ତ ଜାଣିଛ ଏହା ସ୍ଵାସ୍ଥ୍ୟ ପ୍ରତି ହାନିକାରକ ! ଶିକ୍ଷା କେବଳ ପାଠ ପଢ଼ିବା ନୁହେଁ, ଜୀବନ ଶୈଳୀର ଗଠନ ମଧ୍ୟ । ଏହାକୁ ଅଭ୍ୟାସ କରନି ଆଉ ଯେତେ ଦୂର ସମ୍ଭବ କୌଣସି ନିଶା ଦ୍ରବ୍ୟ ଏପରିକି ପାନ ଆଉ ଖଇନି ଠାରୁ ମଧ୍ୟ ଦୂରରେ ରୁହ । ଏତେ ବର୍ଷ ହେଲାଣି ମୋ ସହ କାମ କରୁଛ, ଏତେ ସବୁ ଜଡିବୁଟି ବିଷୟରେ ଶିଖୁଛ ସେହି ଦିଗରେ ଧ୍ୟାନ ଦିଅ," ମୁଁ କହିଲି ।
"ନାଇଁ ସାର ସେଥି ପାଇଁ ଦୁଃଖ ନାହିଁ, ମୁଁ ମନା କରୁଥିଲି କିନ୍ତୁ ସେମାନେ ମୋତେ ପ୍ରୀତିର ରାଣ ଦେଇକି କହିଲେ, ମୁଁ ଆଉ ନ ପିଇକି ରହି ପାରିଲିନି," ପ୍ରୟାସ କହିଲା !
ମୁଁ ହସିଲି ଟିକିଏ ଆଉ କହିଲି," ମୁଁ ତ ତୁମକୁ ପଚାରିନି କାହିଁକି ପିଇଲ ବୋଲି! କିନ୍ତୁ ଘରେ କହିଛ ତ? ବ୍ୟସ୍ତ ହେବେନି କୁଆଡେ ଗଲ ବୋଲି ?" ମୁଁ ପଚାରିଲି ।
"ଘରେ କହିଥିଲି ଫେରିଯିବି ଯେତେ ରାତି ହେଲେ ମଧ୍ୟ କିନ୍ତୁ ଏହି ଅବସ୍ଥାରେ ଫେରିବାକୁ ଭଲ ଲାଗିଲାନି ସାର । ବାପା ବହୁତ ରାଗି ଲୋକ ଆଉ ସବୁ ପ୍ରକାର ନିଶା ଦ୍ରବ୍ୟ ସେବନକୁ ଘୃଣା କରନ୍ତି," ପ୍ରୟାସ କହିଲା, " ମୁଁ ପିଇଛି ବୋଲି ଜାଣିଲେ ବୋଉକୁ ବହୁତ ଗାଳି ଦେବେ!ଆପଣ ପ୍ଲିଜ ବାପାଙ୍କୁ କହିବେନି ସାର । ଅରୁଣ ମୁଁ ରାତିରେ ରହିବି ତା ସହ ବୋଲି କହିଦେଇଛି ବାପାଙ୍କୁ । କିନ୍ତୁ ସିଏ ନିଜେ ସବୁ କ୍ଳୀଏରେନ୍ସ ନେଇ ଯାଇଛି ଆଉ ରୁମ ଛାଡି ଦେଇଛି , କାଲି ଘରକୁ ଫେରି ଯିବ ବୋଲି । ଆଜି ରାତିରେ ଆଉ ଜେବେ ସାଙ୍ଗ ପାଖରେ ରାହବ ସିଏ । ଅନ୍ୟ ସବୁ ସାଙ୍ଗ ମାନେ କେହି ରଖିବାକୁ ସକ୍ଷମ ନୁହଁନ୍ତି, ତେଣୁ ଏଠାକୁ ଚାଲି ଆସିଲି ସାର । "
କଇଁ କଇଁ ହୋଇ ଛୋଟ ଛୁଆଟିଏ ଭଳି କାନ୍ଦିବାକୁ ଲାଗିଲା ପ୍ରୟାସ ।
"ଠିକ କରିଛ ଆସିକି ଏଠାକୁ, ଆଉ କଣ ରାସ୍ତାରେ ଶୋଇଥାନ୍ତ କି? ନା ମୁଁ କାହାକୁ କିଛି କହିବିନି, କିନ୍ତୁ ବାପା ଯାହା ଭାବିବେ ତୁମ ଭଲ ପାଇଁ ହିଁ ଭାବିବେ, ବାପାଙ୍କୁ ଭୁଲ ବୁଝ ନାହିଁ," ମୁଁ କହିଲି ।
"ମୁଁ ମଧ୍ୟ ସାର, କାହିଁକି କେଜାଣି ପ୍ରୀତିର ରାଣ ଦେଲାରୁ ମୁଁ ପିଇଦେଲି," ପ୍ରୟାସ କହିଲା ।
"ଏ ସବୁ ହୁଏ ଛାତ୍ର ଜୀବନରେ, ସମୟର ସୁଅରେ ଏହି ଘଟଣାଗୁଡିକ ପରେ ଏକ ପ୍ରକାର ମନୋରଞ୍ଜନ କରେ ଯେତେବେଳ ମନେ ପଡେ ଆଉ ବହୁତ ହସ ମାଡ଼େ, ନିଜର କୈଶ୍ୱର୍ଯ୍ୟର ଘଟଣାବଳୀ ଗୁଡିକ କଥା ଭାବିଲେ । ବେଶୀ ଚିନ୍ତା କର ନାହିଁ ଆଉ ଏହି ବିଷୟରେ, କିଛି ଖାଇଛ ନା ନାହିଁ?" ମୁଁ କହିଲି ।
"ଖାଇଥିଲି ସାର ବାନ୍ତି ହୋଇଗଲା ସବୁ," ପ୍ରୟାସ କହିଲା ।
"ଠିକ ଅଛି, କିଛି ପିସ ବ୍ରେଡ ଆଉ କ୍ଷୀର ଖାଇଦିଅ ଆଉ କିଛି ନାହିଁ ଏବେ ମୋ ପାଖରେ । ଫଳ ଅଛି କିନ୍ତୁ ହୁଏତ ଭଲ ହୋଇ ନ ପାରେ । ସକାଳେ ଦେଖିବା କଣ କରିବା । ଉପରେ ବେଡ଼ରୁମ ଅଛି , ସେଠି ଶୋଇଯାଅ । ତୁମେ ଘର ନକ୍ସା ସହ ପରିଚିତ, ଆଉ କଣ କହିବି?ତୁମେ ପରା ସଦସ୍ୟ ଏହି ଘରର, "ମୁଁ କହିଲି । ଏଇଟାକୁ ପିଇଦିଅ ହୁଏତ ଭଲ ଲାଗିବ," ଜଳଜୀରା ଗ୍ଳାସ ଆଉ ଟିକେ ତା ଆଡକୁ ଘୁଞ୍ଚେଇଦେଲି ମୁଁ ।
" ନା ସାର ମନ ଭଲ ଲାଗୁନି," ପ୍ରୟାସ କହିଲା ।
"ପୁଣି କଣ ହେଲା," ମୁଁ ପଚାରିଲି ।
"ସାର କେମିତ କହିବି, ପ୍ରୀତିକୁ ନେଇକି ଆଗରୁ ବି ବହୁତ ଘଟଣା ହେଇ ଯାଇଛି ସାର," ପ୍ରୟାସ କହିଲା ।
"ମାନେ?" ମୁଁ ପଚାରିଲି ।
"ବାପାଙ୍କର ସାଙ୍ଗ ଜଣେ ଅଛନ୍ତି, ତାଙ୍କ ପୁଅ ଆମ କଲେଜରେ ପଢେ । ସିଏ ତାହାର ଘରେ କଣ କହିଲା କେଜାଣି, ବାପା ଦିନେ ଆସିକି ବୋଉ ଉପରେ ବହୁତ ପାଟି କରିଥିଲେ ଆଉ କହିଥିଲେ, 'ତୁମର ପୁଅକୁ ଆହୁରି ଗେଲ ବସର କର ଆଉ ବିଗାଡି ଦିଅ । ଖାଲି ତୁମେ ତ ଛୁଆର ମାଆ ହୋଇଛ । କଉ ଗୋଟିଏ ଟୋକି ପଛରେ ପଡିଛି ମୁଁ ଶୁଣିଲି । ଆଜି ସାଥୀର ବୁଲୁଛି, କାଲି ତା ପାଇଁ ମଦ ପି ଇକି ରାସ୍ତାରେ ମଧ୍ୟ ଗଡ଼ିବ । ରହିଥାଅ ଦେଖିବ' । "
"ଏ ଘଟଣା ଘରେ ଘରେ ହୁଏ, ତୁମେ ଯଦି ଅନୁତାପ କରିଛ ଆଉ ଭବିଷ୍ୟତରେ ଏହି ଭୁଲ କରିବ ନାହିଁ, ସବୁ ଠିକ ହେଇଯିବ । ନିଜ ଭୁଲ କୁ ମାନିନେବା ଠାରୁ ଆଉ ବଡ ପଦକ୍ଷେପ କିଛି ନଥାଏ । ମୋର ସକାଳୁ ଅଫିସ ଅଛି । ମୋର ବିଶ୍ଵାସ ତୁମେ ଆଉ କେବେ ଏମିତି କରିବନି । କଲେଜ ବି ଛୁଟି ହେଇଗଲାଣି ଆଉ ପ୍ରୀତି ତାହାର ଘରକୁ ଚାଲିଯିବ । ଭାବିନିଅ ଏହି ଅଧ୍ୟାୟ ସମାପ୍ତ ହେଇଗଲା, " ମୁଁ କହିଲି ।
"ନା ସାର ଆଉ କେବେ କରିବିନି, ଆପଣଙ୍କ ଦେହ ଛୁଇଁ କହୁଛି ସାର," ପ୍ରୟାସ କହିଲା ।
ଜଳଜୀରା ଗ୍ଲାସ ଉଠଉ ,ଉଠଉ ଟୋପାଏ ଲୁହ ଆଖିରୁ ଢ଼ଳି ଗଲା ତହିଁରେ ।
"ରୁହ ମୁଁ ଆଉ ଗୋଟାଏ ଗ୍ଲାସ କରି ଦେଉଛି." ମୁଁ କହିଲି ।
ପ୍ରୟାସ କିନ୍ତୁ ଅଟକିଲା ନାହିଁ, ପିଇଗଲା, ଜଳଜୀରା ଗ୍ଳାସଟିକୁ " ନାଇଁ ସାର ଆପଣ ବହୁତ କରୁଛନ୍ତି ମୋ ଲାଗି । "
ମୁଁ ବୁଝି ପାରିଥିଲି, ତାହାର ଜୀବନରେ ଆସିଥିଲା ନୂଆ ଅନୁଭୂତିଟିଏ ଆଉ ଟୋପାଏ ଅନୁତାପ ଯାହା ତାହାର ଜୀବନର ଅଂଶ ପାଲଟି ଯାଇଥିଲା । ଠିକ ଜଳାଜିରା ସହିତ ପିଇ ଯାଇଥିବା ଲୁଣିଆ ଲୁହ ଟୋପାଟିଏ ଭଳି ।