Satyabati Swain

Children Stories

3  

Satyabati Swain

Children Stories

ଟିପୁ

ଟିପୁ

7 mins
154


ଟିପୁ କଥା ଭାବିଲେ ଦୀର୍ଘଶ୍ୱାସଟିଏ ମୋ ଅନ୍ଦିକନ୍ଦି ପଶି ଅଣନିଃଶ୍ୱାସୀ କରି ଦିଅନ୍ତି । ସେ ମୋ ପାଇଁ ଏକ ପାଳିତ କୁକୁର ନ ଥିଲା ବରଂ ମୋ ଜୀବନର ଏକ ଅଂଶ ଓ ଅଭୁଲା ଅଧ୍ୟାୟ ଥିଲା । 


ପିଲାଦିନେ ମୁଁ ଏକମାତ୍ର ସନ୍ତାନ ଥିଲି । ମୋ ଉପରେ ଜଣେ ଭାଇ ଓ ତଳେ ଭଉଣୀଟିଏ ହୋଇଥିଲେ ମଧ୍ୟ ମରି ଯାଇଥିଲେ । ମୋର କୁଆଡେ ଉଚ୍ଚା ରାଶି । ସେଇଥିପାଇଁ ଭାଇ ଭଉଣୀ ମୋର ତିଷ୍ଠୁ ନାହାନ୍ତି । ଘରେ ମୋତେ ଏକା ଭଲ ଲାଗୁ ନ ଥିଲା । ସବୁବେଳେ କାନ୍ଦୁଥିଲି କାହା ସହ ଖେଳିବି ବୋଲି । ବାପା ଦିନେ ଗୋଟିଏ ଭରପୁର ନାଳ ପାଣି ସୁଅରେ ଭାସି ଯାଉଥିବା ଗୋଟେ ଡଉଲଡାଉଳ କୁକୁର ଆଣିଥିଲେ । ପାଣି ପିଇ ଛୁଆଟି ଅଧା ମଲା ହୋଇ ଯାଇଥିଲା । ବାପା ତାକୁ ପଶୁ ଡାକ୍ତରଙ୍କୁ ନେଇ ଔଷଧ ପତ୍ର ଦେଇ ସୁସ୍ଥ କଲେ ।  


  ପ୍ରଥମେ କୁକୁରଙ୍କ ପ୍ରତି ମୋର ଭୟ ଏବଂ ଅଶ୍ରଦ୍ଧା ଥିଲା । କାରଣ ମୁଁ ସମ୍ପୂର୍ଣ୍ଣ ଡରକୁଳିଟିଏ । ମୋ ଉପରେ ଭାଇଟିଏ ହୋଇ ମରି ଥିବାରୁ ମୋତେ ଅପ୍ରତିଆଣି ବୋଲି କୁହନ୍ତି । ଅର୍ଥାତ ଟିକେ ଟିକେ କଥାରେ ଡରେ । 


  କୁକୁର ଗୁଡାକ ଜିଭ ଲହ ଲହ କରି ଯେତେବେଳେ ଭୁକନ୍ତି ଓ ବେଳେବେଳେ କାମୁଡ଼ିବାକୁ ଗୋଡେଇ ଆସନ୍ତି ମୁଁ ଭୟରେ ହାଉଳି ଖାଇ ମାଆ ପଛ ପଟେ ଲୁଚେ । ଏଣୁ ସେ କୁକୁର ଛୁଆଟାକୁ ମୁଁ ଦି ଆଖିରେ ଦେଖି ପାରେନି । କେମିତି ଭଲ ହୋଇ ଆମ ଘରୁ ବିଦା ହେବ ସେଇ ଅପେକ୍ଷାରେ ଥାଏ । 


  ମାଆ ବି କୁକୁରଙ୍କ ଡରେ । ତାକୁ କୁଆଡେ ପିଲା ଦିନେ କୁକୁର କାମୁଡି ଥିଲା ଯେ ନାହି ଚାରିପଟେ ଇଂଜେକସନ ନେବାକୁ ପଡିଥିଲା । ଯେଉଁ ଯନ୍ତ୍ରଣା ଓ ଭୟକୁ ସେ ଏଯାଏ ଭୁଲିନି ।  


  କିନ୍ତୁ ଭଲ ହେଲା ପରେ ବାପା ଯେଉଁଦିନ ତାକୁ ଛାଡି ଦେବାକୁ ବ୍ୟାଗରେ ଭର୍ତ୍ତି କଲେ ସେ ଜମା ପଶିଲାନି । ଖାଲି କୁଁ କୁଁ ହୋଇ ମୋ ପାଖକୁ ଦଉଡି ଆସିଲା । ମୁଁ ଛିନ୍ ଛିନ୍ ବାଜି ଘର ଭିତରକୁ ଦୌଡ଼ିଲି ତ ସେ ବି ମୋ ପଛେ ପଛେ ଥାକୁଲ୍ ଥାକୁଲ୍ ହୋଇ ଦୌଡ଼ିଲା ତ ମାଆର ପାଟି ପଡ଼ିଗଲା ମୋ ଘର ମୋ ଘର ହୋଇ । ସେ ମୋତେ ଛାଡ଼ି ମାଆ ପାଖକୁ ଦୌଡ଼ିଲା । ମାଆ ହାସୁ ହାସୁ କଲାରୁ ବାପାଙ୍କ ପାଖକୁ ଯାଇ ଦୁଇ ଗୋଡ଼ ଭରାରେ ବସି ଅତି କରୁଣ ହୋଇ ଚାହିଁଲା । ସତେ କି ତା ଆଖି କହୁଥିଲା ମୋତେ କୁଆଡେ ଛାଡ଼ନି । ତୁମ ପାଖରେ ରଖ । ବହୁତ ସାହାଯ୍ୟ କରିବି ତୁମର । 


  ବାପା ତାକୁ ଧରି ବ୍ୟାଗରେ ଭରି ବାକୁ ଯାଉଥିଲେ ତ ମୋର କଣ ହେଲା କେଜାଣି ଦଉଡି ଯାଇ କହିଲି, ନାଇଁ ନିଅନି ତାକୁ । ସେ ମୋ ସାଙ୍ଗ ହେବ ଓ ମୋ ସହିତ ଖେଳିବ । 


ମାଆ କହିଲା ଛିଃ ଏ କୁକୁରଟା ତୋର ସାଙ୍ଗ ହେବ?


  ବାପା କହିଲେ ମଣିଷ ବିଶ୍ୱାସଘାତକତା କରନ୍ତି କିନ୍ତୁ ପଶୁଜୀବ ନୁହଁନ୍ତି । ପୁଣି କୁକୁର ତ ମଣିଷର ବିଶ୍ୱସ୍ତ ସାଥି କେଉଁ ଆବାହନ କାଳରୁ । ସେ ଥାଉ ଦ୍ରାକ୍ଷା ସାଙ୍ଗରେ ଖେଳିବ, ତା ସାଙ୍ଗ ହେବ । ତାକୁ ସଫା ସୁତୁରା କରି ଔଷଧ ଓ ଇଂଜେକସନ ଦେଲେ ତା ଦାନ୍ତର ବିଷ ରହିବ ନାହିଁ । କାମୁଡ଼ିଲେ ବି କାହାର କିଛି କ୍ଷତି ହେବ ନାହିଁ । 


 ବାସ୍ ସେଇ ଦିନଠାରୁ ସେ କୁକୁର ଛୁଆଟି ଆମ ଘର ସଦସ୍ୟ ହୋଇଗଲା । ମୁଁ ତା ନାଁ ଦେଲି ଟିପୁ । ସତକୁ ସତ ଟିପୁ ମୋ ସାଙ୍ଗ ସାଥି ଓ ଭାଇ ଭଉଣୀ ପରି ହୋଇଗଲା । ତା ସହ ମୁଁ ଖେଳି ଖୁସି ହେଲି । ତାଙ୍କୁ ମଣିଷଙ୍କ ଚଳଣି ଶିଖାଇଲି । ଏମିତି ହେଲା ଟିପୁ ଆଉ କୁକୁର ନ ହୋଇଆମ ଘର ମଣିଷ ଟିଏ ହୋଇଗଲା । ମୋ ସହ ତାର ବି ରୁଟିନ ଲାଇଫ । ମୁଁ ଗାଧୋଇବା, ଖାଇବା, ଶୋଇବା ବେଳେ ସେ ଗାଧୋଇବ, ଖାଇବ ଏବଂ ଶୋଇବ । ଖେଳ ସମୟ ତ ତା ସହ ହିଁ କଟେ । ବଲ୍ ଖେଳୁ, ଦୌଡା ଦୌଡ଼ି ହେଉ, ଲୁକାଛୁପି ବି ଖେଳୁ । 


ମୁଁ ଏବେ ଏବେ ଏ ଫର୍ ଆପଲ୍ ପଢିବା ଆରମ୍ଭ କଲଣି । ମୋତେ ଯେତେବେଳେ ଟ୍ୟୁସନ ସାର୍ ଆସି ପଢ଼ାନ୍ତି ଟିପୁ ଅତି ସୁନ୍ଦର ଭାବେ ବସି ସତେକି ପାଠ ଗୁଡା ପିଇ ଯାଏ । 


  ଏପରି ଟିପୁ ଓ ମୋ ଭିତରେ ଏକ ଅଦ୍ଭୁତ ବନ୍ଧନ ସୃଷ୍ଟି ହୋଇଗଲା । ସେ ମୋତେ କ୍ଷଣେ ନ ଦେଖିଲେ ବଣା ମୁଁ ବି ତାକୁ ନ ଦେଖିଲେ ପାଗଳ । ଯେଉଁ ଦିନ ସ୍କୁଲ ଗଲି ସେ ମୋ ସହ ବି ବାଡ଼ିରେ ପଡିଥିବା ଚିରା ବ୍ୟାଗଟିଏ ଆଣି ତା ବେକରେ ପକେଇ ସ୍କୁଲ ବାହାରିଲା । ବାପା ମାଆ ହସି ହସି ଗଡି ଗଲେ ।  


ଟିପୁ ତୁ ସ୍କୁଲ ଯିବୁ ?


ମୁଣ୍ଡ ଉପର ତଳ କଲା । 


ପିଲାମାନେ ତୋତେ ସେଠି ମାରିବେ । ବୁଲା କୁକୁର ତୋତେ କାମୁଡି ପକେଇବେ । ତୁ କେମିତି ଯିବୁ ?


ସବୁ ଯେମିତି ମୋ କଥା ବୁଝିଗଲା । ଚୁପଚାପ ସୁନା ପିଲା ପରି ବସିଲା । ତାକୁ ଟିକେ ଗେଲ କରି ବାପାଙ୍କ ଗାଡିରେ ସ୍କୁଲ ଗଲି । ମୁଁ ସ୍କୁଲ ଗେଟ୍ ପାଖରେ ଗାଡିରୁ ଓହ୍ଲେଇ ଲା ବେଳକୁ ସେ ଆମ ପଛରେ ଥାଇ ହେଉଛି କୁଁ କୁଁ !


  ବାପା ଆଶ୍ଚର୍ଯ୍ୟ ହୋଇ କହିଲେ ଆରେ ତୁ ଏତେ ବାଟ କେମିତି ଆସିଲୁ ? 


 କଳା କିଚି ମିଚି ଚିକ୍କଣ ମୁଲାୟମ ରୂପ ଭେକ ଦେଖି ସବୁ ସ୍କୁଲ ପିଲା ତାକୁ ଘେରି ଗଲେ । ସେଠିକାର କିଛି କୁକୁର ତାକୁ ଦେଖି ଭୁକିବା ଆରମ୍ଭ କରି ଦେଇଥିଲେ । ବାପା କହିଲେ ଟିପୁ ଦେଖିଲୁ ତ କଥା ନ ମାନିଲେ କଣ ହୁଏ ? ଏ କୁକୁର ତୋତେ ଏଇଲେ କାମୁଡି ରକ୍ତାକ୍ତ କରିଦେବେ । ଆଉ ଏ ପିଲାଏ ଟେକା ପଥର ଫିଙ୍ଗିବେ । କଣ କରିବୁ ?


  ଜିଭ ତା ମୁହଁ ଚାରି ପଟେ ବୁଲେଇ ଆଣି ଗୋଟେ ଡିଆଁରେ ବସିଗଲା ଆସି ଗାଡି ଉପରେ । ପିଲା ମାନେ ତାଳି ମାରି ହସିଲେ । ଟିପୁକୁ ଛାଡି ଆଉ କେହି ସ୍କୁଲ ଭିତରକୁ ଗଲେ ନାହିଁ । ହେଡ୍ ସାର୍ ଆସି ବିରକ୍ତ ହେଲେ । ଏଇଟା ସ୍କୁଲ ; କୁକୁରକୁ କଣ ଆଣି ଆସିଛନ୍ତି? ଛୋଟ ପିଲା ପଢିବେ ନା କୁକୁର ସହ ଖେଳିବେ ?


  ବାପା କହିଲେ, ଟିପୁ ସାର୍ ଙ୍କୁ ପ୍ରଣାମ କର । କାନ ଧଅ ଭୁଲ୍ କାଇଁ କଲୁ ?


  ଟିପୁ ତା ଆଗ ଦୁଇ ଗୋଡ଼ ଯୋଡି ପ୍ରଣାମ କଲା ଓ କାନରେ ନେଇ ସେ ଗୋଡ଼ ଦୁଇଟି ରଖିଲା । ପୁଣି କଣ ଭାବିଲା ଗାଡିରୁ ଏକା ଡିଆଁକେ ସାରଙ୍କ ପାଖକୁ ଯାଇ ତାଙ୍କ ଗୋଡ ଧରିଲା । ସାର୍ ଓ ପିଲା ମାନେ କାବା । 


 ବାଃ ଚମତ୍କାର ବୁଦ୍ଧିଆ କୁକୁରଟିଏ ତ ? ଏତେ କଥା ଶିଖିଛି ?


  ହଁ ସାର୍ ଆମେ ସକାଳୁ ଉଠି ଶୋଇବା ପର୍ଯ୍ୟନ୍ତ ଯାହା ଯାହା କରନ୍ତି ଏ ଟିପୁ କରେ ତଫାତ୍ କେବଳ ଆମେ ମଣିଷ ସେ ପଶୁ । ଦ୍ରାକ୍ଷା ଓ ତାର ଖୁବ୍ ସାଙ୍ଗ । ଆଜି ସେ ତାକୁ ଛାଡି ସ୍କୁଲ ଆସିଛି ତ ତେଣୁ ଟିପୁ ଚାଲି ଆସିଛି । ଆଉ କେବେ ଆସିବ ନାହିଁ । 

   

 ମନା କର ଟିପୁ ଆଉ କେବେ ଆସିବୁ ନାହିଁ ।  

 

ଗୋଟିଏ ଗୋଡ଼ ହଲେଇ ସେ ମନା କଲା । 


  ସମସ୍ତେ ମୋ ଟିପୁକୁ ଭାରି ପ୍ରଶଂସା କଲେ । ମୁଁ ସ୍କୁଲ ଭିତରକୁ ଗଲି ସେ ବାପାଙ୍କ ପିଠିରେ ନାଉ ହୋଇ ଗାଡ଼ିରେ ଘରକୁ ଗଲା । 


  ମୁଁ ସ୍କୁଲରୁ ଯିବା ଯାଏ ମୋତେ ଅନେଇ ବସିଥିବ ଦାଣ୍ଡ ବାରଣ୍ଡାରେ । ଏଣିକି ପ୍ରତିଦିନ ମୁଁ ଅଟୋରେ ସ୍କୁଲ ଯିବା ଆସିବା କଲି । ଘଣ୍ଟାକୁ ଅନେଇ ଠିକ୍ ଚାରିଟା ବାଜିଲା ମାନେ ସେ ଆସି ମୋତେ ପାଛୋଟି ନେବାକୁ ଅନେଇଁ ଥିବ । ଦେଖୁ ଦେଖୁ ମୋ ବେକ ଯାଏ ଆଗ ଚଢି ଯିବ । ମୁହଁ ଦେହ ଚାଟି ପକେଇବ । 

  

   ରାକ୍ଷୀ ଆସିଲେ ମୁଁ ତା ହାତରେ ରାକ୍ଷୀ ବାନ୍ଧେ । ତା ପାଇଁ ଭଳିକି ଭଳି ପୋଷାକ ମାଆ ତିଆରି କରେ । ଆମ ଗାଁ ସାରା ସମସ୍ତେ ତାକୁ ଯେତିକି ଭଲ ପାଆନ୍ତି ସେତିକି ଡରନ୍ତି । କାଉ ଛୁଆଟିଏ ବି ଆମ ବାଡ଼ିରେ ପୁରେଇ ଦେବ ନାହିଁ । ଦେଖିଲା ମାତ୍ରକେ ଭୁ ଭୁ ହୋଇ ଚଢି ଯିବ ଉପରେ । ଏପରିକି ମାଙ୍କଡ଼ଟିଏ ବି ଟିପୁ ଭୟରେ ଆମ ବାଡ଼ିରେ ପଶନ୍ତି ନାହିଁ । ଭୟରେ ଆମ ବାଡ଼ି ପିଜୁଳୀ କି ଆମ୍ବ ଖାଉଥିବା ପିଲା ମାନେ ବାଡ଼ିରେ ପଶିବାକୁ ଡରନ୍ତି । ଏଣୁ ମନ ଭିତରେ ଟିପୁ ପାଇଁ ରାଗ ରଖିଥାନ୍ତି । 


  ଦିନେ ଖରା ଦିନ ଖରାବେଳେ ବାଡ଼ି ପଟ ଦୁଆର ଘରେ ବାପା ଶୋଇଥାନ୍ତି । ମାଆ ଦାଣ୍ଡ ଖଞ୍ଜାରେ ଚାଉଳ ପାଛୁଡୁ ଥାଏ । ମୁଁ ଶୋଇଥାଏ । ହଠାତ୍ ଟିପୁ ଆମକୁ ଡାକିଲା ପରି ଚୋବେଇଲା । ଆମେ ତ ବୋବାରୁ ବୁଝି ଯାଉ ସେ ଖୁସିରେ, ଦୁଃଖରେ, ଭୟରେ କି କାହାକୁ ଦେଖି କଣ କହୁଛି । ଭୁ ଭୁ ଦୁଇ ଥର ହେଲେ ଆମକୁ କିଏ ଆସିଲେଣି ଦେଖିବାକୁ ଡାକୁଛି ବୁଝୁ । 

   

  ଭୁକ୍ ଭୁକ୍ ଭୁ ହେଲେ କାହାକୁ ଦେଖି ଭୟ କରିଛି । କୁଁ କୁଁ ହେଲେ ଭୁଲ୍ କାମ କରି କ୍ଷମା ମାଗୁଛି । ଇତ୍ୟାଦି । ତା ଭୋକିବା ଶବ୍ଦ କହୁଥିଲା କଣ ଗୋଟେ ଦେଖି ଭୟ କରି ଡାକୁଛି । ମାଆ ଯାଇ ଦେଖେ ତ ବାପାଙ୍କ ଖଟ ତଳେ ଫଣା ଟେକି ରହିଛି ଗୋଟେ ଠାକୁରଙ୍କ ସାପ । ମାଆର ପାଟି ପଡି ଗଲା । ପଡିଶା ଘର ନିଲୁ ଓ ବୁବୁ ଦାଦା ଆସି ସତର୍କତା ସହ ବାପାଙ୍କୁ ଖଟରୁ ଧୀରେ ବାହାରି ଆସିବାକୁ କହି ସାପଟିକୁ ଖଟ ତଳୁ ବାହାର କଲେ । ଓହୋ ଟିପୁ ନ ଥିଲେ କଣ ହୋଇଥାନ୍ତା !


  ଆଉ ଦିନେ ମାଆକୁ ବି ସେମିତି ଗୋଟେ ମାରଣା ଷଣ୍ଢ କବଳରୁ ସେ ରକ୍ଷା କରିଥିଲା । ଏଣୁ ଟିପୁ ଆମ ରକ୍ଷା କବଚ ଥିଲା କହିଲେ ଭୁଲ ହେବ ନାହିଁ । 


  ଦିନେ ରାତିରେ ଖାଇବା ବେଳକୁ ଦାଣ୍ଡ ଘରେ ସେ ନ ଥିଲା । ଏମିତି କେବେ ବ୍ୟତିକ୍ରମ ହୁଏନି । କୁଆଡେ ଗଲା । ତା ପାଇଁ ବାଢି ଦେଇ ମାଆ କହିଲା ତୁମେ ଖାଅ ସେ ଆସିଯିବ । ବଡ଼ ହେଲାଣି ତ ସାଙ୍ଗ ସାଥି ମେଳକୁ ଚାଲି ଯାଉଛି ବେଳେବେଳେ । 


  ମୋ ମନ ବୁଝିଲା ନାହିଁ । ବାରଣ୍ଡାକୁ ଯାଇ ଟିପୁ ଟିପୁରେ ଦୁଇ ଡାକ ମାରିଛି ତ ଆସି ହାଜର । ମୋ ଚାରିପଟେ ଆଗ ବୁଲିଗଲା ବହେ । କାନ ଧରି ଭୁଲ୍ ମାଗିଲା । 


 କି ଦୁଷ୍ଟ ! ଭୁଲ୍ କରି ସବୁବେଳେ ସରି କହୁଛି । ଭୁଲ୍ କରୁଛୁ କାହିଁକି ଯେ ? ତୁ କୁଆଡେ ବଡ଼ ହେଲୁଣି ? ବୁଦ୍ଧି କାଇଁ ହେଉ ନାହିଁ ? ଯା ଖାଇ ସାରେ ତୋ କଥା ଆଜି ବୁଝା ହେବ ମୁଁ କହିଲି । 


  ସବୁଦିନ ପରି ଖାଦ୍ୟ ଦେଖି ଖୁସି ହେଲା ନାହିଁ କି ଖାଇଲା ନାହିଁ ସେ । ଖାଲି ଦୁଇ ଗୋଡ଼ ଭରା ଦେଇ ଜିଭ ଲହ ଲହ କରି ମନ ମାରି ଦାଣ୍ଡରେ ବସିଲା । 


  ଇରେ ଆସି ଖାଉନୁ ? ମାଡ଼କୁ ଡ଼ରୁଛୁ କି ? ଆ ବା ମୋ ଗେହ୍ଲାଟା, ଖାଆ । ମାଆ ତା ମୁହଁ ପାଖକୁ ଖାଇବା ନେଲେ ବି ଖାଇଲା ନାହିଁ । ଧୀରେ କି ତା ଶୋଇବା ଜାଗାକୁ ଯାଇ ଶୋଇ ପଡ଼ିଲା । 


  ମାଆ କହିଲା ବାହାରୁ କଣ ଆଜେ ବାଜେ ଖାଦ୍ୟ ଖାଇ ଦେଇଛି କି କଣ ? କଥା କଣ ମାନୁଛି ? ବିଭୁ ଘର ସେ ମାଈ କୁତିଟାକୁ ଦେଖିଲେ ମାରୁଛି ଡିଆଁ । ବୟସ ହେଲାଣି ବୋଲ ମାନୁନାହିଁ । କାଲିଠାରୁ ଚେନରେ ବନ୍ଧା ହେବୁ ରହ । 


  ଖାଇ ସାରି ତାକୁ ଟିକେ ଆଉଁସି ଦେଇ କହିଲି ତୁ ଦୁଷ୍ଟ ହେଉଛୁ ? ସୁନା ପିଲା ଦୁଷ୍ଟ ହୁଅନ୍ତି କି ? କଣ ଭାବିଲା କେଜାଣି ମୋ ହାତ ନେଇ ତା ପେଟରେ ଥୋଇଲା । ଦୁଇ ଥର ଭୁ ଭୁ ହେଲା । ମୋ ପାଦ ଆଉଁସିଲା । ଅର୍ଥାତ କିଛି ଅସୁବିଧା ହୋଇଛି । କିନ୍ତୁ କଣ ?


  ବାପା କହିଲେ, ହଉ ଶୋଇ ପଡ କାଲି ସକାଳ ହେଲେ ତୋତେ ଡାକ୍ତରଖାନା ନେଇଯିବି । ତା ପାଖରେ ପାଣି ଓ କିଛି ଖାଦ୍ୟ ଥୋଇ କହିଲି ଭୋକ ହେଲେ ଖାଇବୁ ଆଁ । ଏମିତି ଦିନେ ଦିନେ ଖାଏନି । ନଖରାମୀ ବାହାର କରେ । ତା ଖାଇବା ପିଇବା ଥୋଇ ଆମେ ଶୋଇ । ସେ ତାର ଭୋକ ହେଲେ ଖାଏ । 


   କିନ୍ତୁ ସକାଳୁ ଉଠି ଦେଖିଲା ବେଳକୁ ଟିପୁ ଖାଇ ନାହିଁ ସେମିତି ଶୋଇଛି ! ମାଆ ଆଶ୍ଚର୍ଯ୍ୟ । ଟିପୁ ଭୋର ଚାରିଟାରୁ ଉଠି ବାରି ଘର ବୁଲେ । ଆଜି କଣ ଶୋଇଛି । ହେଇଟି ଶୁଣୁଛ ସତରେ ଟିପୁର କଣ ହେଉଛି । ତାକୁ ଟିକେ ନେଇଗଲା ଡାକ୍ତର ଦେଖେଇ ଆଣିବ । 

    

  ବାପା ଆସି ଡାକିଲେ ଟିପୁ ଏ ଟିପୁ ଉଠ୍ ସଜବାଜ ହଅ । ସାତଟା ବେଳକୁ ଡାକ୍ତର ଖାନା ଯିବା । ଟିପୁ କିନ୍ତୁ ଉଠିଲା ନାହିଁ । ବାପା ତାକୁ ହଲେଇ ଦେବାକୁ ଗଲା ବେଳକୁ ଦେଖିଲେ ଟିପୁ ମରି କାଠ । ତା ମୁହଁରେ ଶୁଖି ଯାଇଛି କିଛି ଧଳା ଧଳା ଫେଣ । ତା ମାନେ ଟିପୁକୁ କେହି ବିଷ ଦେଇ ମାରି ଦେଇଛି ! କାଲି ସେ ଆମକୁ କହିବାକୁ ଚେଷ୍ଟା କରିଥିଲା କିନ୍ତୁ ଆମେ ମୂର୍ଖ ବୁଝି ପାରିଲୁ ନାହିଁ । ଟିପୁ ଉ ଉ ... 

   ମାଆ କାନ୍ଦରେ ମୋ ନିଦ ଭାଙ୍ଗିଗଲା । ମୁଁ ଆଖି ମଳି ମଳି ଦଣ୍ଡ ଘରକୁ ଗଲି । ମାଆ ମୋତେ କୁଣ୍ଡେଇ ଧରି କହିଲା, ଦ୍ରାକ୍ଷା ଲୋ ତୋ ଟିପୁ ଆଉ ନାହିଁ । 

   ଏଇଠି ବା ଶୋଇଛି ନାହିଁ କଣ ?

ବାପା ମାଆ ମୋତେ ଧରି କାନ୍ଦୁଥିଲେ ଟିପୁ ଗୁଣ ବାହୁନି । 



Rate this content
Log in