Sachidananda Kar

Inspirational

3.4  

Sachidananda Kar

Inspirational

ଟିକି ଝିଅର ପ୍ରଶ୍ନ

ଟିକି ଝିଅର ପ୍ରଶ୍ନ

2 mins
157


     ପଡୋଶୀ ଘରୁ କାନ୍ଦ ଶୁଭୁଥିଲା।ତୁହାକୁତୁହା କାନ୍ଦ। 


     ସାତ ବର୍ଷର ଟିକି ଝିଅ ସେ କାନ୍ଦ ଶୁଣିପାରିଲା।ମାଆକୁ ପଚାରିଲା - " ମାଆ!ସେମାନେ କାନ୍ଦୁଛନ୍ତି କାହିଁକି? କ'ଣ ହୋଇଛି ସେମାନଙ୍କର? " 


     ଏଇ କିଛି ସମୟ ଆଗରୁ ଝିଅଟିଏ ଜନ୍ମ ହୋଇଛି ବୋଲି ଖବର ଆସିଥିଲା ମେଡିକାଲରୁ।ତେଣୁ ସେମାନେ କାନ୍ଦୁଥିଲେ।ହେଲେ ଏକଥା ଝିଅକୁ କହିପାରିବନି ତା'ର ମାଆ ଭାବିଲା।ଉତ୍ତର ଦେବାକୁ ହେବ ଝିଅକୁ।ତେଣୁ କହିଲା - " ଆଜି ତାଙ୍କର ଝିଅଟିଏ ଜନ୍ମ ହେଲା।ଝିଅ ଜନ୍ମ ପରେ ଘରେ ଦୁଃଖ କରନ୍ତି।ତେଣୁ ସେମାନେ ଦୁଃଖ କରୁଛନ୍ତି। " 


      ଝିଅ ଚଟାପଟ୍ କହିଲା - " ଦୁଃଖ!ହେଲେ କାହିଁକି? " 


      ମାଆ କହିଲା - " ତୁ ଛୋଟପିଲା।ବୁଝିପାରିବୁନି ସେକଥା।ଝିଅ ଜନ୍ମ ପର ଘରକୁ।ବଡ ହେଲେ ସେ ଘରେ ରହେନାହିଁ।ପର ଘରକୁ ଚାଲିଯାଏ।ତେଣୁ ଝିଅ ଜନ୍ମ ହେଲେ ସମସ୍ତେ କାନ୍ଦନ୍ତି।ସେମାନେ ସେଇ ଦୁଃଖରେ କାନ୍ଦୁଛନ୍ତି। " 


      ଝିଅ କିଛି ବୁଝିଲା, କିଛି ବୁଝିପାରିଲା ନାହିଁ।ତା' ପ୍ରଶ୍ନର ଉତ୍ତର ପାଇପାରିଲାନି ସେ।ହେଲେ ଆଉ କିଛି ନ କହି ନିଜର ଖେଳନା ଧରି ଖେଳିବାକୁ ଚାଲିଗଲା। 


      ଟିକି ଝିଅଟା। ଖେଳରେ ତା'ର ସବୁବେଳେ ମନ।ଖେଳୁ ଖେଳୁ ଉଠିଆସିଲା ମାଆ ପାଖକୁ।କହିଲା - " ମୋର ସବୁ ଖେଳନା ପୁରୁଣା ହୋଇଗଲାଣି।ମୋତେ ସେସବୁରେ ଖେଳିବାକୁ ଆଉ ଖୁସି ଲାଗୁନି।ମୋତେ ନୂଆ ଆଣିଦିଅ। " 


      ତା' କଥା ଶୁଣି ମାଆ ମୁର୍କି ମୁର୍କି ହସିଲା।କହିଲା - " ଜାଣେ ପୁରୁଣା ଜିନିଷରେ କେହି ଖୁସି ହୁଅନ୍ତିନି ପରା।ଯା' ଏବେ ଖେଳୁଥା'।ତୋ ପାଇଁ ନୂଆ ଖେଳନା ଆସିବ। " 


      ଝର୍କା ଖୋଲାଥିଲା।ବାହାରେ ଝରୁଥିଲା ଝିରିଝିରି ବର୍ଷା।ସେଆଡକୁ ଚାହିଁ ମାଆ ପୁଣି କହିଲା - " ଗଲୁ ଝର୍କା ବନ୍ଦ କରିଦେବୁ।ଆଜି ଭାରି ବର୍ଷା ହେଉଛି।ବର୍ଷା ଛିଟା ଘର ଓଦା କରିଦେବ। " 


      ନିଜ କଥା ଭୁଲି ବର୍ଷାମନସ୍କ ହେଲା ଝିଅ।ଝର୍କା ବନ୍ଦ କରିବା ପାଇଁ ଚାଲିଗଲା। 


      ମାଆ ମୁର୍କି ମୁର୍କି ହସିଲା।ତାକୁ ସେଇଠି ଛାଡିଦେଇ ନିଜ କାମରେ ଚାଲିଗଲା। 


      କିଛିଦିନ ପରେ ........। 


      ଦିନେ ଆଈ ଘରକୁ ଆସିଥାନ୍ତି।ସେଦିନର କଥାକୁ ମନେପକାଇ ତାଙ୍କ ପାଖକୁ ଚାଲିଆସି ଝିଅ ପ୍ରଶ୍ନ କଲା - " ଆଈ!ମାଆ ଯେତେବେଳେ ଜନ୍ମ ହୋଇଥିଲେ ତୁମେ ଦୁଃଖରେ କାନ୍ଦିଥିଲ କି? " 


      ଆଈ ଅବାକ୍ ହୋଇ ନାତୁଣୀକୁ ଚାହିଁଲେ।ତା' ପ୍ରଶ୍ନର ଅର୍ଥ ହଠାତ୍ କିଛି ବୁଝି ପାରିଲେନି। 


      ପାଖରେ ଥିବା ମାଆ ସଙ୍ଗେ ସଙ୍ଗେ କହିଲା - " ଇଏ ପରା କେତେଦିନର କଥା ହେଲାଣି।ତୋ ଆଈଙ୍କର କ'ଣ ଆଉ ମନରେ ଥିବ!ତତେ ବୁଝାଇଦେଉଛି ଶୁଣ୍।ଝିଅମାନେ ଜନ୍ମରୁ ପୁରୁଣା।ପୁରୁଣା ଜିନିଷ ମିଳିଲେ କେହି ଖୁସି ହୁଅନ୍ତି କି?ତତେ ତ ପୁଣି ତୋର ପୁରୁଣା ଖେଳନାରେ ଖେଳିବାକୁ ଖୁସି ଲାଗୁନି। ଦୁଃଖରେ କିଏ ନ କାନ୍ଦେ? " 


      ମାଆଙ୍କର କଥା ସରୁଣୁ ନ ସରୁଣୁ ଆଈ ଅଳ୍ପ ହସିଦେଇ କହିଲେ - " ହଁ,ଠିକ୍ କହୁଛି ତୋ ମାଆ।କେତେଦିନର କଥା।ଭୁଲି ଯାଇଥିବି।ବୁଢ଼ୀ ହେଲିଣି।ଆଜିକାଲି କ'ଣ କିଛି ମୋ ମନରେ ରହୁଛି! " 


      ଝିଅ ଅବାକ୍ ହୋଇ ଚାହିଁରହିଲା।କିଛି ବୁଝିଲା,କିଛି ବୁଝିପାରିଲା ନାହିଁ।ତା' ପ୍ରଶ୍ନର ଉତ୍ତର ପାଇପାରିଲାନି ସେ। 


      ବଡ ହେଲା ଝିଅ।ବାହା ହୋଇ ଶାଶୁଘରକୁ ଆସିଲା।ପ୍ରଥମ ଗର୍ଭକୁ ଝିଅଟିଏ ଜନ୍ମ ଦେଲା।ସେ ଗୋଟିଏ ଝିଅ ଜନ୍ମ ଦେଇଛି ଜାଣି ଘରେ ସମସ୍ତେ କାନ୍ଦିଲେ।ସିଏ ବି କାନ୍ଦିଲା - ଲୁଚି ଲୁଚି। 


      ସେଦିନର ସେଇ ଟିକି ଝିଅଟି ପାଇଁ ତା' ପ୍ରଶ୍ନର ସଠିକ୍ ଉତ୍ତର ବହୁ ଦିନ ପରେ ହେଲେ ବି ଏବେ ତା' ଆଖି ସାମ୍ନାରେ ଜଳଜଳ ଦିଶୁଥିଲା।



Rate this content
Log in

Similar oriya story from Inspirational