Satyabati Swain

Inspirational

4  

Satyabati Swain

Inspirational

ଟିକେ ପ୍ରଶଂସା

ଟିକେ ପ୍ରଶଂସା

7 mins
224



ସେ କାନ୍ଥରେ ମୁହଁ ଚାପି ଛିଡା ହୋଇଥିଲା । 


ବହେ ପିଲା ଘେରି ତା ପିଠିରେ ହାତ ମାରି କଣ କହୁଥିଲେ । ହୋ ହାଲ୍କା ଭିତରେ ବାରି ହେଉ ନଥିଲା ଘଟଣା କଣ । 


ମୁଁ ନୂଆ ହୋଇ ସେ ସ୍କୁଲରେ ଜଏନ୍ କରିଥାଏ । ରିସେସରେ ପିଲାମାନେ ଏମିତି ଖେଳି ହୋ ହୋ ଘୋ ଘୋ ହେବା ସେମାନଙ୍କ ପିଲାବେଳକୁ ସୂଚାଏ । ଏଇ ଲାଗେ ବାଡ଼ିଆପିଟା ହୋଇଥିବେ । ପୁଣି କିଛି କ୍ଷଣ ପରେ ମିଶିଯିବେ । ବଡ଼ ଲୋକଙ୍କ ପରି କଥାରେ ଗଣ୍ଠି ପକାଇବା ସ୍ୱଭାଵ ପିଲାଳିଆମୀରେ ନଥାଏ । ଦୌଡା ଦୌଡ଼ି ଝାଳ ନାଳ ହେବାରେ ଖୁବ୍ ଆନନ୍ଦ ଥାଏ ଏଇ ଜୀବନରେ । ଯେତେ ବୁଝାଅ, ସତେକି ଆଁ କରି ସବୁ ବୁଝିଯିବେ । କିନ୍ତୁ ଯେଉଁ କଥାକୁ ପୁଣି ସେଇ କଥା । ସେଇ ମରା ଧରା, ସେଇ ଚୁମୁଟା ଚୁମୁଟି, ବହି ଚିରା, କଲମ ଭଙ୍ଗା ଓ କାଗଜ ବିଣ୍ଡା କରି ଫିଙ୍ଗା ଫିଙ୍ଗି ହେଉଥିବେ । 


ସାରଙ୍କ ମୁହଁକୁ ଅନେଇଁ ପାଠ ପିଇ ଯାଉଥିବେ ତେଣେ ଟେବୁଲ ତଳେ ହାତରୁ ହାତ ମିକ୍ସଚର କି କୁର୍କୁରି, କରମଙ୍ଗା, ଆମ୍ବ ବେଳେ ଆମ୍ବ, କମଳା ଖୋଲା କି ଖଟା ଗୁଳା ହୋଇ ବଢା ହେଉଥିବ । ସୁତୁରେ ପାଟି ଭିତରକୁ ଖାଦ୍ୟଟି ଯାଉଥିବ, ଧୀରେ ପାଟି ବୁଲୁଥିବ, କେହି ନଜାଣିଲା ପରି । ବେଶୀ ଧରା ପଡନ୍ତି କମଳା ଚୋପା ଛଡେଇଲା ବେଳେ । କିମ୍ବା ଆମ୍ବୁଲ ଚାଟିଲା ବେଳେ । ହାତ ସିନା ବ୍ୟାଗ୍ କି ଟେବୁଲ ଭିତରେ ଲୁଚିଯାଏ ; କିନ୍ତୁ କମଳା ଚୋପା ଛଡାହେଲା ବେଳେ କି ଆମ୍ବୁଲ ମୋଡା ମୋଡି କାଗଜରୁ ବାହାରିଲା ସମୟର ଯେଉଁ ବାସ୍ନା, ତାକୁ କଣ ଲୁଚେଇ ହୁଏ ! କି ସୁନ୍ଦର ବାସ୍ନାରେ ନାକପୁଡା ଫୁଲି ଉଠେ । ସାର୍ ହୋଇଥିଲେ ଅଲଗା, ମ୍ୟାଡ଼ାମ ହୋଇଥିଲେ ପାଟିରେ ପାଣି ଆସିଯାଏ ।  


ସେଦିନ ରିସେସ୍ ବେଲ୍ ପଡିଲା । ମୋର ଷଷ୍ଠ ଶ୍ରେଣୀରେ ଇଙ୍ଗ୍ଲିସ୍ ପିରିୟଡ଼ ଥାଏ । ପ୍ରଥମେ କ୍ଲାସକୁ ଯାଇ ସବୁ ପିଲା ପ୍ରେଜେଣ୍ଟ କି ନାହିଁ ଆଗ ତନଖି କରିବାକୁ ପଡେ । ଭାରି ଉତ୍ପାତ ଆଜିକାଲି ଅଭିଭାବକଙ୍କର । ପିଲା ଯାହା କଲେ ଟିଚର୍ ଦୋଷୀ । ଝରକା ବାଟେ ବ୍ୟାଗ୍ ଗଳେଇ କ୍ଲାସ୍ ଆରମ୍ଭ ହେଲା ବେଳକୁ କୁଆଡେ ମାରିଥିବେ ଛୁ । ଆଜିକାଲି ଯେଉଁ ପରିସ୍ଥିତି ପଢା ସମୟରେ ପିଲା କୁଆଡେ ଯିବା ଭାରି ବିପଦ । ଏଣୁ ପ୍ରତି ଶିକ୍ଷକ ତା ପିରିୟଡ଼ରେ ଆଗ ଚେକ୍ କରନ୍ତି ପିଲା । 


ମୁଁ ଦେଖିଲି ତିନୋଟି ବେଞ୍ଚ୍ ଛାଡି ଗୋଟିଏ ପିଲା ସ୍ଥାନ ଖାଲି । ନୂଆ ଯେହେତୁ ସ୍କୁଲ ଓ ପିଲାମାନଙ୍କୁ ଜାଣି ନଥାଏ । ମୁଁ ପଚାରିଲି ସବୁ ପିଲା ବାହାରୁ ଆସିଛନ୍ତି ? ରିସେସ୍ ପର ପିରିୟଡ଼ । ହୁଏତ କେଉଁ ପିଲା ବାହାରେ ରହି ଯାଇଥିବେ । ଶ୍ରେଣୀ ପିଲାମାନେ ସମସ୍ତେ କହିଲେ ପବନାକୁ ଛାଡି ଆଉ ସମସ୍ତେ ଆସିଛନ୍ତି ମାମ୍ । 


ପବନା !


ଝିଅ ପିଲାଏ କହିଲେ ନା ମାମ୍ ତା ନାଆଁ ସୌଭାଗ୍ୟ । ତା ଡାକ ନା ପବନା । ଏ ପୁଅ ପିଲାଗୁଡା ତାକୁ ପବନ, ପବନା ପାଗଳ ଡାକନ୍ତି । 


କେତେ ସୁନ୍ଦର ନାଆଁ ଟିଏ, ସୌଭାଗ୍ୟ ।  


ସେ ଆସିନି କାହିଁକି ?କୁଆଡେ ଯାଇଛି?


ତାକୁ ସବୁ ପିଲା ପବନା ପାଗଳ, ପବନା ପାଗଳ କହି ଚିଡ଼େଇଲେ ଓ ମାରିଲେ । ରାଗିକି ସେ ଆସୁନି । 


କେଉଁମାନେ ଚିଡାଇଲେ ? ହେଉ ତାକୁ ଡାକ ବୁଝିବା କଣ ହୋଇଛି । ପିଲାଟିଏ ଗଲା । ସେ କିନ୍ତୁ ଆସିଲା ନାହିଁ । ଶେଷକୁ ମୁଁ ଗଲି । ପିଲାଟିଏ ମୋତେ ନେଇ ଦେଖାଇ ଦେଲା କେଉଁଠି ସେ ଅଛି । 


ଆରେ ଏଇ ପିଲାକୁ ଚିଡ଼େଇ ମାରୁଥିଲେ ସେତେବେଳେ ? 


ମୁଁ ତା ପାଖକୁ ଗଲି । 


ସୌଭାଗ୍ୟ,  ରିସେସ୍ ବେଲ୍ ପଡିଲା ପରେ ପିଲାମାନେ ବାହାର କଣ ବୁଲନ୍ତି କି ବାବୁ ! 


ସେ ଯେମିତି କାନ୍ଥ ସହିତ କାନ୍ଥ ହୋଇଯାଇଥିଲା । ମୋ କଥା ସେ ଆଦୌ ଶୁଣି ପାରୁନଥିଲା ବୋଧେ । 


ମୁଁ ତା ହାତ ଧରି କହିଲି ତୁମେ ସୁନା ପିଲା ନା । ଷଷ୍ଠ ଶ୍ରେଣୀରେ ପଢୁଛ । ଟିକେ ବଡ଼ ହେଲଣି । ଏମିତି କଣ ହୁଅନ୍ତି । ଆମେ ପଢିବାକୁ ସ୍କୁଲ ଆସୁଛନ୍ତି ନା ଏମିତି ଦୁଷ୍ଟାମୀ କରିବାକୁ?


ମୋ ସଙ୍ଗେ ଯାଇଥିବା ପିଲାଟି ତାକୁ ଜୋର କରି ମୋ ଆଡ଼କୁ ତା ମୁହଁଟି କଲା । 


ସେ ତଳକୁ ମୁହଁ ପୋତି ଖୁଣ୍ଟ ପରି ଠିଆ ହୋଇଥାଏ । 


ହେ ଭଗବାନ ! କେତେ କାନ୍ଦିଛି ପିଲାଟି ! ମୁହଁ ମାଡି ଥିବା କାନ୍ଥ ଓ ତା ସାର୍ଟ ସାରା ଲୁହ ସିଙ୍ଘାଣି ଏକାଖଣ୍ଡ! ମୁଁ ତାକୁ ନଳ କୂଅ ପାଖକୁ ନେଲି । ମୁହଁ ସଫା କଲା ସେ । ମୋ ରୁମାଲ ଦେଲି ମୁହଁ ପୋଛି ବାକୁ । ମୁଣ୍ଡ ଟୁଙ୍ଗାରି ମନା କଲା । 


କାହିଁକି ନେବନି ?


ଅସନା ହୋଇଯିବ । 


ରୁମାଲ କାମ ତ ଅସନା ହେବା । ମୁଁ ରୁମାଲଟି ଜବରଦସ୍ତ ଦେଲି । ସେ ମୁହଁ ପୋଛି ଦୌଡ଼ି ପଳେଇଲା କ୍ଲାସକୁ । 


କ୍ଲାସରେ କହିଲି, ପିଲାଏ ଜୀବନରେ ଏମିତି କାମ କରିବ ନାହିଁ ଯେମିତି ତୁମ ଖୁସି ପାଇଁ କେହି ଦୁଃଖ ପାଇବେ । ସୌଭାଗ୍ୟ ତୁମ ସାଙ୍ଗ । ତାର ଏତେ ସୁନ୍ଦର ନାଆଁଟିଏ ଅଛି । ତୁମେ ତାକୁ ପବନା ପାଗଳ କାହିଁକି କୁହ ? ପାଗଳ କାହାକୁ କୁହନ୍ତି ଜାଣିଛ ? 


ଯେ ନିଜେ କଣ କରୁଛି କିମ୍ବା ତା ଚାରିପାଖେ କଣ ଘଟୁଛି ଜାଣି ପାରେନି । ଭୋକ, ଶୋଷ, ରାଗ ରୁଷା, ମାନ ଅପମାନ କିଛି ବୁଝି ପାରେନି । 


ତୁମ ସାଙ୍ଗ ସୌଭାଗ୍ୟର ଏପରି ଗୁଣ ଅଛି କି? ସେ କାଇଁ ପାଗଳ ହେବ? ଆଜିଠାରୁ ତାକୁ କେହି ପବନା ଡାକିବେନି । ସମସ୍ତେ ସୌଭାଗ୍ୟ ହିଁ ଡାକିବେ । 


ଦୁଇ ଦିନ ପରେ ମୋ ରୁମାଲଟି ସଫା କରି ଭାଙ୍ଗି ଭୁଙ୍ଗି ଆଣି ମୋତେ ଦେଲା । ମୁଁ କହିଲି ତୁମ ପାଖେ ଥାଉ । ମୁହଁ ପୋଛିବ । 


ଟିକେ କଣ ଚିନ୍ତା କଲା । ଲାଜୁଆ ହସଟିଏ ହସି ଦେଇ ଚାଲିଗଲା । ସବୁବେଳେ ମୁଁ ଦେଖେ ସେ ରୁମାଲଟି ତା ଛାତି ପକେଟରେ ସବୁ ପିଲାଙ୍କୁ ଦେଖାଇଲା ପରି ଖୁବ୍ ଯତ୍ନରେ ରଖିଥାଏ । 


ତାପରଠାରୁ ଯିଏ ସୌଭାଗ୍ୟକୁ ପବନା ପାଗଳ ଡାକିଲେ, ମୁଁ ଯେଉଁଠି ଥାଏ ; କ୍ଲାସ୍ ହେଉ କି କମନ୍ ରୁମ୍ ଅବା ଷ୍ଟାପ ରୁମ୍ ସେ ଖୋଜି ଖୋଜି ଆସି କହିବ ରିମା ମାମ୍ ନିଖିଳ ମୋତେ ପବନା ପାଗଳ ଡାକୁଛି । ଛୁଟି ହୋଇ ଗଲା ବେଳେ ନିତୁ, ରିଙ୍କି,  ଶିବା ଓ ମନୁ ବି ପବନା ପାଗଳ ଡାକୁଥିଲେ । ମୁଁ ତା ପିଠି ଥାପୁଡ଼େଇ କୁହେ, ହେଉ ତୁମେ ଯାଅ ମୁଁ ସେମାନଙ୍କ କଥା ବୁଝୁଛି । 


ସୌଭାଗ୍ୟ ଗୋଟେ ଆବନର୍ମାଲ ପିଲା । ପଢା ଘରେ ବି ଶୁନ । ସ୍ଥିର ହୋଇ ଗୋଟିଏ ଜାଗାରେ ସେ ବସିବା ମହା ମୁସ୍କିଲ । ପର ଆପଣ ବୁଝେନା । ଟିକିଏ ଟିକିଏ କଥାରେ ଅଭିମାନ କରେ । ରାଗିଗଲେ ତାକୁ ବୁଝାଇବା ଅତି କଷ୍ଟ । ସମସ୍ତଙ୍କୁ ନିଜ ଲୋକଙ୍କ ଉପରେ ଅଭିମାନ କଲା ପରି ବ୍ୟବହାର କରେ । ଘରେ ପିଲାମାନେ ଯେମିତି ରୁଷନ୍ତି ; ସେ ସ୍କୁଲରେ ବି ସେମିତି ରୁଷେ । ମନ ହୋଇଥିଲେ ସବୁ କଥା ଶୁଣିବ । ମନ ନ ହୋଇଥିଲେ ଯେତେ କୁହ କିଛି ବି ଶୁଣିବନି । ଭାରି ଅଭିମାନ କରେ ସବୁବେଳେ । ଖୁଣ୍ଟ ପରି ହଲ୍ ଚଲ୍ ହେବ ନାହିଁ ମନ ଯଦି ନ ହୋଇଛି । ନିଜ ରାଇଜର ରାଜା ସେ । କ୍ଲାସରେ ତା ଶରୀର ସିନା ଥାଏ, ମନ କିନ୍ତୁ କୁଆଡେ ବୁଲେ ବୁଝିବା କଷ୍ଟ । 


ଅକ୍ଷର କି ସଂଖ୍ୟା ଠିକରେ ଲେଖିପାରେନି ସେ । ଥିବ ଥିବ ବେଞ୍ଚରୁ ତଳକୁ ଆସି ଗୋଲ୍ ଗୋଲ୍ ବୁଲିବ । ମନ ହେଲେ ଡାକଟିଏ ମାରିବ "ହୋଏ ।"


ଭାରି ସ୍ନେହ କାଙ୍ଗାଳ, ପ୍ରଶଂସା ପ୍ରିୟ । ତା କାମକୁ ଟିକେ ପ୍ରଶଂସା କରିଦେଲେ କି ଦେଖିବ ତା ଖୁସି !ଲାଗ ଲାଗ ସେଇ ଏକା କାମ କରି ଆଣି ଦେଖେଇବ । ବେଳେବେଳେ ଚିଡ଼େଇ ଦେବ । ତାର ଇଚ୍ଛା କାହାକୁ ନ ପଢେଇ ମୁଁ କେବଳ ତା ସହ କଥା ହୁଅନ୍ତି, ତାରି ମନ ଅନୁଯାୟୀ କାମ କରନ୍ତି । ସବୁବେଳେ ତାର ନୂଆ କିଛି ଦରକାର । 


ତା ପରି ପିଲାକୁ କିଛି ବି ଶିଖାଇବାକୁ ହେଲେ ଅସୀମ ଧୈର୍ଯ୍ୟ ଆବଶ୍ୟକ । ଶାନ୍ତ ଚିତ୍ତରେ ତା କଥା ଶୁଣିବାକୁ ହେବ । ଅନ୍ୟ ଅର୍ଥରେ ଠିକ୍ ତା ପରି ହୋଇଯିବାକୁ ପଡିବ । 


ଠିକରେ ସିନା କିଛି ଲେଖି ପାରେନି କିନ୍ତୁ ଗୋଟିଏ ଭଲ ଗୁଣ ତା ପାଖରେ ଥିଲା । ତାକୁ ଯଦି କୌଣସି ମତେ ପାଠ ମୁହାଁ କରିପାରିଲ, ତେବେ ସେ ଯାହା ମନ ଦେଇ ଶୁଣେ ପୁରା ମନ ରଖିଦିଏ । ଏପରିକି ଅନ୍ୟ ପିଲାମାନେ ଯେଉଁ ପ୍ରଶ୍ନ ଉତ୍ତର କହି ପାରନ୍ତି ନାହିଁ, ସେ କହିଦିଏ । ଯାହା ସୌଭାଗ୍ୟ ଭିତର ଏକ ପ୍ଲସ ପଏଣ୍ଟ ମୁଁ ଆବିଷ୍କାର କରିଥିଲି । ସେଇ ଗୁଣଟିକୁ ଅସ୍ତ୍ର କରି ମୁଁ ତାକୁ କିଛି ଶିଖାଇବାକୁ ଚେଷ୍ଟା କଲି । 


ଦିନେ ଫେମିଲି ଶବ୍ଦକୁ ନେଇ କ୍ଲାସରେ ଚାରିଟି ଦଳ କରି ପ୍ରତି ଦଳକୁ କିଛି ଟ୍ୟାକ୍ସ ଦେଲି । ଗୋଟିଏ ଦଳ ଫେମିଲି ରିଲେଟେଡ୍ ୱାର୍ଡ ଲେଖିବେ, ଆଉ ଗୋଟେ ଦଳ ଫେମିଲିର ପ୍ରତି ଅକ୍ଷରକୁ ନେଇ ଶବ୍ଦ ଲେଖିବେ, ତୃତୀୟ ଦଳ ଚିତ୍ର କରିବେ ଫେମିଲି ଉପରେ, ଚତୁର୍ଥ ଦଳ ଫେମିଲିରେ ଥିବା ଶେଷ ଅକ୍ଷରରୁ ନୂଆ ଶବ୍ଦ ଗଢି ୱାର୍ଡ ଚେନଟିଏ କରିବେ । 


ଆଶ୍ଚର୍ଯ୍ୟ ! ସୌଭାଗ୍ୟ ଚିତ୍ର କରିବା ଦଳରେ ଥିଲା ଓ ଚମତ୍କାର ଚିତ୍ର କରିଥିଲା । ଚିତ୍ର ନୁହେଁ ତ ତା ପରିବାର କଥା ହିଁ ଚିତ୍ର ମାଧ୍ୟମ ପ୍ରକାଶ କରିଥିଲ । ଯଦିଓ ଚିତ୍ରଗୁଡିକ ସେମିତି ଅଲୌକିକତା ନଥିଲା, ଥିଲା କିନ୍ତୁ ତା ପରିବାର ଦୈନ୍ୟତା, ଅଶିକ୍ଷା, ମଦ ବୋତଲ ରାଜୁତି । 


ରେଖା ଚିତ୍ର ମାଧ୍ୟମରେ ଜଣେ ପୁରୁଷ ମାରୁଛି ଜଣେ ମହିଳାଙ୍କୁ ମୋଟା ଠେଙ୍ଗାଟିଏ ଧରି । ଘର ଭିତର ସାରା ଏଣେ ତେଣେ ଗଡୁଛି ମଦ ବୋତଲ । ତଳେ ଶୋଇଛି ଜଣେ ରେଖା ମଣିଷ । ପିଲାଟିଏ ଭୟାଳୁ ଆଖିରେ ଚାହିଁଛି ମାଡ଼ ହେଉଥିବା ଦୃଶ୍ୟ । ସେଇ ପିଲା ଚିତ୍ର ତଳେ ଲେଖିଛି ସୌଭାଗ୍ୟ । 


ଅବଶ୍ୟ ଦୁର୍ବୋଧ୍ୟ ହେଲେ ବି ମଡ଼ର୍ଣ୍ଣ ଆର୍ଟ ପରି କେତେ ଅର୍ଥ ବି ବାହାରି ପାରେ ତା ଚିତ୍ରରୁ । 


ସେ ଏଣୁ ତେଣୁ ଗାର ଟାଣି କରିଥିବା ଚିତ୍ର ପ୍ରଥମେ ମୁଁ ବୁଝି ପାରୁନଥିଲି । କିନ୍ତୁ ଯେତେବେଳେ ମୁଁ ତାକୁ ଖୁସି କରିବାକୁ ତା ଖାତାଟିକୁ ସମସ୍ତଙ୍କୁ ଦେଖାଇ କହିଲି, ବାଃ ସୌଭାଗ୍ୟକୁ ତ ବଢ଼ିଆ ଚିତ୍ର ଆସେ । ସୁନା ପିଲା । ସବୁ କଥା ଶୁଣି ମନେ ରଖିପାରୁଛ । ସୁନ୍ଦର ଚିତ୍ର ବି ଆଙ୍କିପାରୁଛ ? ତା ଚିତ୍ର ପାଇଁ ମୋ ସହ ଅନ୍ୟ ପିଲାମାନେ ବି ତାଳି ତିନି ଥର ମାରିଦେଲୁ । ସେ ଆହୁରି ଉତ୍ସାହିତ ହୋଇ କେତେ ଚିତ୍ର ଆଙ୍କି ଗଲା । ଗୋଟିଏ ଦିନରେ ଗୋଟିଏ ଖାତା ସାରି ଦେଲା । 


ମୁଁ ତାକୁ ପାଖକୁ ଡାକି ପଚାରିଲି ଚିତ୍ର ଦେଖାଇ ପଚାରିଲି, ଏ ତୁମ ଘର!!


ସେ ଅତି ଖୁସିରେ ମୁଣ୍ଡ ଟୁଙ୍ଗାରି ହଁ ଭରିଲା ଏବଂ ତା ମା, ବାପା, ଜେଜେ ଓ ସେ କିଏ ଅତି ଆନନ୍ଦିତ ହୋଇ ମୋତେ ଚିହ୍ନାଇ ଦେଲା । 


ମୁହଁରେ ହସି ମୁଁ ଭିତରେ ଖୁବ୍ ଦୁଃଖିତ ହୋଇଗଲି । ଆହା ପିଲାଟି ଏମିତିରେ ଆବନର୍ମାଲ, ତାର ପରିବାର ତାକୁ ଆହୁରି ଆବନର୍ମାଲ କରି ଦେଉଛି । ବିଚରା କେତେ ଦୁଃଖୀଟିଏ ! ବୟସ ହେବାରୁ ତା ପାଇଁ ଫେଲ୍ ନାହିଁ ବୋଲି ସିନା ଶ୍ରେଣୀ ପରେ ଶ୍ରେଣୀ ଉଠି ଆସି ଅଷ୍ଟମ ଶ୍ରେଣୀରେ ପହଞ୍ଚିଛି ; କିନ୍ତୁ ସେ ପାଞ୍ଚ ବର୍ଷ ବୟସ ପିଲା ପରି ହୁଏ । ତା ନିରୀହ ହସିଲା ମୁହଁକୁ ଦେଖି ମୋତେ ଭାରି ଆକୁଳ ଲାଗିଲା । ତା ମୁଣ୍ଡ ଆଉଁସି କହିଲି ରଙ୍ଗ ଆଣି ଦେଲେ ତୁମେ ଚିତ୍ର କରିବ ?


ରଙ୍ଗ !


ତା ଆଖିରେ ଫୁଟି ଉଠିଲା ବିସ୍ମୟର ଖୁସି । ବିସ୍ମୟ ଏଇଥି ପାଇଁ ରଙ୍ଗ ତାକୁ କିଏ ଦେବ! ଖୁସି ଏଇଥି ପାଇଁ ଯେ ସେ ଚିତ୍ର କରିବ । 


ତାପର ଦିନ ମୁଁ ଦିଟା ଅଏଲ ପେଣ୍ଟ ରଙ୍ଗ ଓ କିଛି କାର୍ଡ ବୋର୍ଡ଼ ନେଇ ଦେଲି । ବହିର କିଛି ଚିତ୍ର ଦେଇ ଦେଖି କରିବାକୁ କହିଲି । ଆରେ ବାବା ଖାଇବା ପିଇବା ଭୁଲି ଖାଲି ତ ଚିତ୍ର କଲା । ଗୋଟିଏ କରିବ ଦଉଡ଼ି ଦଉଡ଼ି ଆସି କହିବ, "ହେଲା ଦେଖିଲେ "?


ଶେଷରେ ଏମିତି ହେଲା ସୌଭାଗ୍ୟ, ଯାହାକୁ ସମସ୍ତେ ପାଗଳ କୁହନ୍ତି ବ୍ଳକ୍ ସ୍ତ୍ରରୀୟ ଚିତ୍ର ପ୍ରତିଯୋଗିତାରେ ଫାଷ୍ଟ ହେଲା । ହୃଦୟରୁ "ଟିକିଏ ପ୍ରଶଂସା", ଟିକିଏ ସ୍ନେହ ଢାଳିଦେଲେ କେତେ ଆବନର୍ମାଲ ସୌଭାଗ୍ୟ ମୁହଁରେ ଖୁସି ଝଲସେ !


ବିଡ଼ିଓଙ୍କ ହାତରୁ ସାର୍ଟିଫିକେଟ ଓ ଟ୍ରଫିଟିଏ ସୌଭାଗ୍ୟ ଆଣି ମୋତେ ଯେତେବେଳେ ଦେଖାଇ କହିଲା, ମାମ୍ ମୁଁ ଫାଷ୍ଟ୍ ହୋଇଛି । ଦେଖିଲ ମୋତେ ବିଡିଓ କଣ ଦେଇଛନ୍ତି !


ଓଃ ତା ମୁହଁର ସେ ଯେଉଁ ଖୁସି କୌଣସି କଲମ ଲେଖି ପାରିବ ନାହିଁ । କେଜାଣି ସୌଭାଗ୍ୟ ଅପେକ୍ଷା ମୁଁ କାଇଁ ଅଧିକ ଆନନ୍ଦ ସାଗରରେ ପହଁରୁଥିଲି । 






Rate this content
Log in

Similar oriya story from Inspirational