ତଥାସ୍ତୁ
ତଥାସ୍ତୁ


ସମୟ ସ୍ଥିର. ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷ ଯାଉଛି. ମଣିଷ ସେହି ଅନୁସାରେ ଜନ୍ମ ହେଇ ,ବଞ୍ଚୁବାଠୁ ମରିବା ଯାଏଁ, ସମୟ ସ୍ରୋତରେ ତାଳ ଦେଇ ପିଲାଦିନ, ଯୌବନ, ସାୟାହ୍ନ, ବାର୍ଦ୍ଧକ୍ୟ ପାରହେଲା ବେଳେ କେବେ ସମୟକୁ ଦୋଷ ଦେଉଛି ତ କେବେ ସମୟ ଚାଲିଗଲା ବୋଲି କହୁଛି.କିନ୍ତୁ ସମୟ ସ୍ଥିର. ସେ ବଦଳୁନି, ବଦଳୁଛି ମଣିଷର କର୍ମ. ବଦଳୁଛି ମଣିଷର ଆଚାର ବ୍ୟବହାର. ସହିତ ସ୍ୱାର୍ଥ ଓ ସର୍ତ୍ତ.ପିଲାଦିନେ ବାପାଙ୍କ ସଙ୍ଗେ ଗଣେଷ ପୂଜାବେଳେ, କାଗଜ ଫୁଲର ମେଢ଼ କରି, ଚୁମୁକି ଖଞ୍ଜି ସୋଲ ସାହାଯ୍ୟରେ ସଜେଇ, ଝାଉଁଡ଼ାଳ ଓ ବିଭିର୍ଣ୍ଣ କିସମର ଡ଼ାଳସବୁକୁ କୁଣ୍ଡ ମାନଙ୍କରେ ସଜାଇ, ବ୍ରାହ୍ମଣ ଆସିବାଯାଏଁ କିଛି ନଖାଇ, ଫୁଲ ଗୁନ୍ଥା, ମାଳ ସଜ୍ଜା, ମୁରୁଜ ଓ ଝୋଟି ପକାରେ ବ୍ୟସ୍ତ ରହୁଥିଲୁ. ବ୍ରାହ୍ମଣ ନନା ଆସିଲେ ତାଙ୍କ ଗୋଡ଼ ଧୋଇ, ସେ ପୂଜାରେ ବସିଲା ପରେ ବାପା କର୍ତ୍ତା ହୁଅନ୍ତି ତ ପାଖେ ପାଖେ ଥାଇ, ସଜାଇ ଦେଉ ଦୀପ, ଧୂପ, ଚନ୍ଦନ, ଓ ବଢ଼ାଇ ଦେଉ ହୋମ ସାମଗ୍ରୀ ସହିତ ଦୁବ, ବେଲପତ୍ର, ଝୁରା ଫୁଲ ସହ ପ୍ରସ୍ତୁତ କରୁ, ପୁଷ୍ପାଞ୍ଜଳି ଓ ଚୁଡାଘସା ଭୋଗ.ସେଦିନ ସତରେ କି ଶାନ୍ତି ଥିଲା. କେତେ ନମନୀୟ ଆଉ କମନୀୟ. ସେହି ସମୟ ସ୍ରୋତରେ ବଢିଥିବା ପୁଅ ଝିଅ ପରବର୍ତ୍ତୀ ସମୟରେ ନିଶ୍ଚୟ ସଂସ୍କାରୀ ଆଖ୍ୟା ନେଇ ନିଜ ନିଜ ସମୟରେ ସବୁ କର୍ତ୍ତବ୍ୟ ପାଳନ କରୁଥିବା ବେଳେ କିଛି ଅଘଟଣ, ବିଘଟଣ ଦେଖିଲେ ସହି ପାରନ୍ତି ନାହିଁ.କାହିଁକିର ଉତ୍ତର ମଧ୍ୟ କେବେ ସ୍ପଷ୍ଟ ତ କେବେ ଅସ୍ପଷ୍ଟ.
ଗଣେଷ ମହାପ୍ରଭୁଙ୍କୁ ସାଇକେଲରେ ବାସାଇବା,ସ୍କୁଟି ଉପରେ ବସାଇବା ବା ଅନ୍ୟ କୌଣସି ରୂପ ଦେଇ ମୂର୍ତ୍ତି ପୂଜା କରିବାକୁ ଭଲ ଲାଗେନାହିଁ. ସମୟର ଦୋଷ କହି କେତେକ ଚୁପ ରହି ଯାଉଥିବା ବେଳେ କେତେକ ପ୍ରତିବାଦ କରନ୍ତି. କିନ୍ତୁ ମଣିଷ ନିଜେ ବଦଳି ସମୟ ବଦଳୁଛି କହି ନିଜ ଦୋଷ ଦେଖିପାରେନି. ସମୟ କିନ୍ତୁ ସବୁବେଳେ ସ୍ଥିର. କେବେ ପରମ୍ପରା ଓ ସଂସ୍କୃତି ମାର୍ଜିତ ହୁଏ. ଟିକେ ଚେଞ୍ଜ ଭଲଲାଗେ. ଯେମିତିକି ଝୋଟି ବଦଳରେ ରଙ୍ଗୋଲି, ମେଢ଼ ବଦଳରେ, ଶାଢ଼ୀ ସାଜାସଜ୍ଜା ତ ପରବର୍ତ୍ତୀ ସମୟରେ କପଡା ଡେକୋରେସନ. କିନ୍ତୁ ଘଣ୍ଟ,କାହାଳୀ, ପେଁକାଳୀ ବଦଳରେ ଡିଜେ ବାଜିଲେ କାନ କଣ ହେଇଯାଏ, ଦୀପ ବଦଳେ ମହମବତୀ ଜଳିଲେ ସଂସ୍କୃତି ବିହୀନ ଲାଗେ. ବଦଳୁଥିବା ପରମ୍ପରା ସବୁବେଳେ ସ୍ୱଚ୍ଛ କି ଅସ୍ୱଚ୍ଛ ନୁହେଁ. ସମୟ ମଧ୍ୟ ତା ବାଟରେ ଥାଏ. ବଦଳୁ ଥାଏ ମଣିଷ ଓ ମଣିଷର ଆଚାର ବ୍ୟବହାର. ଆଜି ଗଣେଷ ଚତୁର୍ଥୀ. ପିଲାଦିନେ ବାପାଙ୍କ ସଙ୍ଗେ ଯେଉଁ ସଂସ୍କୃତିରେ ଗଣେଷ ପୂଜା ପାଳନ କରୁଥିଲେ ତାହା ବଡ଼ ହେଲା ପରେ, ଆସ୍ତେ ଆସ୍ତେ ବଦଳି ବଦଳି ସମ୍ପୂର୍ଣ୍ଣ ବଦଳି ଗଲାଣି ଏ ଭିତରେ ତ ଲିଜା, ଆଉ କରୁନଥିଲେ ଗଣେଷ ପୂଜା. କେବଳ ଉପାସ କରୁଥିଲେ ଭକ୍ତି ଆଉ ଭାବରେ.
ଏବେ ଲିଜା ବୟସର ଶେଷ ପାହାଚରେ ନହେଲେ ବି ବାର୍ଦ୍ଧକ୍ୟରେ ଉପସ୍ଥିତ. କିଏ କହିବ କେତେବେଳେ କଣ??ତଳଘର ଭଡାନେଇ ଗୋଟେ ପ୍ରାଇଭେଟ ସ୍କୁଲ ଚାଲେ. ପ୍ରଥମେ ପ୍ରଥମେ ସେମାନେ ଘରଭଡା ଠିକ ଠିକ ପୈଠ କରୁଥିଲେ. ହେଲେ ଏବେ କରୋନା ପରଠୁ ଆଉ ଭଡା ଦେଉନାହାଁନ୍ତି ଦୀର୍ଘ ପାଞ୍ଚ ବର୍ଷ ଧରି. କରୋନା ସମୟତକ ଘରଭଡା ଛାଡ଼ କହିବା ପରେ ସେବର୍ଷ ଯାଇ ଆଉ ଚାରିବର୍ଷର ପଇସା ମାଗି ମାଗି ଦେଉନଥାନ୍ତି. ଆଜି ଦେବୁ କାଲି ଦେବୁ କହି କହି ତାରିଖ ଗଡା଼ଉଥାଆନ୍ତି. ଲିଜାଙ୍କ ସ୍ୱାମୀ ଏ ଭିତରେ ଦୁଇ ଥର ଦୁଆରେ ତାଲା ପକାଇ ଥିଲେ ମଧ୍ୟ, ସେମାନଙ୍କ ଅନୁନୟ ବିନୟରେ ପୁଣି ଖୋଲନ୍ତି ତାଲା. ପଇସା ନଦେବା ଗୋଟେ ପଟେ କାରଣ ବନିଥିଲା ବେଳେ ଅନ୍ୟ ପଟେ,ସ୍ୱାମୀ ଓ ସ୍ତ୍ରୀ ଦୁହିଁଙ୍କର ଏବେ ଶିଡି ଚଢି,ତଳ ଉପର ହେବା କଷ୍ଟ ହେଉଥିଲା.ଉପରେ ରହିବାରେ ଯେମିତି କିଛିଟା ସୁବିଧା ଅସୁବିଧା ଅଛି ତଳେ ରହିଲେ ସେମିତି କିଛିଟା ସୁବିଧା ଅସୁବିଧା ଅଛି. କିନ୍ତୁ ଲିଜା ଓ ତାଙ୍କ ସ୍ୱାମୀଙ୍କର ଅଳ୍ପେ ବହୁତେ ଆଣ୍ଠୁ ଯନ୍ତ୍ରଣା ସାଙ୍ଗକୁ ଶ୍ୱାସ ଓ ଧଇଁସଇଁ ବଢିବାରେ ଲାଗିଛି ତ ଏଣିକି ତଳେ ରହିବାକୁ ଇଛା.ଦୂରରେ ରହୁଥିବା ପୁଅ ଝିଅଙ୍କର ମଧ୍ୟ ସେହି ଇଛା. ତ ଘର ଖାଲି କରନ୍ତୁ ବୋଲି ଭଡାନେଇ ସ୍କୁଲ କରୁଥିବା, ମୁଖ୍ୟ ମୁନା ସାରଙ୍କୁ କହି କହି ମଧ୍ୟ ସେମାନେ ଘର ଛାଡ଼ୁନଥିଲେ. ସ୍କୁଲର ବାର୍ଷିକ ଉତ୍ସବ, କ୍ରୀଡା, ନାଚ, ଗୀତ ଭୋଜିଭାତ ସହିତ ଗଣେଷ ପୂଜା ମଧ୍ୟ କରନ୍ତି ସେମାନେ.ଆଉ ଭୋଗ ଦେଇଯିବା ସମୟରେ କହନ୍ତି ପିଲାଙ୍କ ପଇସାରେ ଯାହା ହେଇଛି ଚଳେଇ ନେବେ. ଲିଜା ଭାବନ୍ତି ଘରଭଡା ନଦେଇ,ଠକି ଚାଲିଥିବା ଏ ଭଦ୍ର ଖୋଳପା ପିନ୍ଧା ବ୍ୟକ୍ତି ବିଶେଷଙ୍କୁ କିଏ କହୁଥିଲା ଭୋଗ ଦେବାକୁ?? ଗଣେଷଙ୍କ ପ୍ରସାଦ ବୋଲି ରଖନ୍ତି ବାଧ୍ୟ ହୋଇ.
ଏ ବର୍ଷ ରାଶିଫଳରେ ବିଶ୍ୱାସୀ,ଲିଜା ଦେଖିଲେ ଗଣେଷ ପୂଜା ଦିନ ଓ ତା ପରଠୁ ସ୍ୱାମୀ ସ୍ତ୍ରୀଙ୍କର ରାଶିରେ ଭଲ ନାହିଁ. ଲିଜା ବୁଝେଇଲେ ସ୍ୱାମୀଙ୍କୁ, ଏବର୍ଷ ଆମେ ଗଣେଷ ପୂଜା କଲେ କେମିତି ହୁଅନ୍ତା?? ସେ ରାଜି ହେଲେ. ଡାକ୍ତର, ଇଞ୍ଜିନିଅର, ଓକିଲ, ଶିକ୍ଷକ, ବୈଜ୍ଞାନିକ ସବୁର ଉର୍ଦ୍ଧରେ ତ ଭଗବାନ. ସେ ପୁଣି ଅଗ୍ରଗଣ୍ୟ, ମହାବିନାୟକ, ବିଘ୍ନେଶ୍ଵର . ତାଙ୍କୁ ପୂଜା କଲେ ନିଶ୍ଚୟ ଗ୍ରହ ଦୋଷ ଓ ରିଷ୍ଟ କଟିଯିବ. ଭଡା ନଦିଅନ୍ତୁ ପଛେ ଘର ଛାଡ଼ି ସେମାନେ ଚାଲିଗଲେ ଆମେ ତଳକୁ ଚାଲିଯିବା. ସେଇୟା ହେଲା. ଘରେ ପୂଜାର ଆୟୋଜନ କରାଇଲେ ସ୍ୱାମୀ ସ୍ତ୍ରୀ. ଚାହିଁ ଚାହିଁ ବ୍ରାହ୍ମଣଙ୍କ ଡେରି. ସହଜେ ଏ ବର୍ଷ ରବିବାରଦିନ ସଂକ୍ରାନ୍ତି ଓ ବିଶ୍ୱକର୍ମା ପୂଜା, ତା ପରଦିନ ସୋମବାର ବାଲିତୃତୀୟା ନିର୍ଜ୍ଜଳ ଓପାସ ପୁଣି ଆଜି, ମଙ୍ଗଳବାର ଗଣେଷ ପୂଜା ଆୟୋଜନ କରୁ କରୁ ଏତେ ବେଳ!
ଲିଜା ଦେଖିଲେ, ଘରଖାଲି କରିବାକୁ ଦିଆଯାଇଥିବା କଣ୍ଟ ପୁରିବାକୁ ଆଉ ଗୋଟେ ଦିନ ବାକି ଥିବାବେଳେ ସ୍କୁଲରେ ପୂଜା ଆୟୋଜନ ହୋଇ ଗଣେଷ ପୂଜା ଚାଲିଛି ଆଉ ଯେଉଁ ବ୍ରାହ୍ମଣ ଲିଜାଙ୍କ ଶାଶୁଙ୍କ ଦିନିକିଆ ଶ୍ରାଦ୍ଧ ପତ୍ର ପକାଅଇବାକୁ ଆସି କଥା ଦେଇଥିଲେ, ନିର୍ଦ୍ଦିଷ୍ଟ ସମୟରେ ଆସିବେ,ସେ ସେଠି ପୂଜା କରୁଛନ୍ତି. ଏଣେ ଭୋକରେ ପେଟରୁ ନିଆଁ ବାହାରୁଛି. ତାଙ୍କ ପୂଜା ସରିଲା ପରେ ଲିଜା ଚୁପ ଚାପ ଯାଇ ସବୁ ଦୁଆରୁ ତାଙ୍କ ଚାବି ରଖିଦେଇ ନିଜ ଚାବି ପକାଇଦେଲେ. ତଥା କଥିତ ମୁନା ସାର କାହିଁ ଚାବି ପକେଇଲେ କହୁଥିଲା ବେଳେ ବ୍ରାହ୍ମଣ ଭାଇନା, ପାଖ ପଡୋଶୀ ହୋଇ କହୁଥାଏ ଆହେ କେହିତ ତୁମ ଘରେ ନାହାଁନ୍ତି. ସେମାନେ ତଳେ ଯଦି ପିଲାଙ୍କୁ ପଢ଼ାଉଛନ୍ତି ପଢ଼ାନ୍ତୁ. ଇଲେକ୍ଟ୍ରିକ ବିଲ ତ ଦେଉଛନ୍ତି. ଚାହିଁଲେ ଲିଜା ବ୍ରାହ୍ମଣଙ୍କୁ କହିଲେ ହଉ ଭାଇନା ଆଗେ ପୂଜା ସାରନ୍ତୁ. ଠି ଠା କରି ବ୍ରାହ୍ମଣ ତାଙ୍କ ଉପର ଘରେ ବସିଥିବା ଗଣେଷଙ୍କ ପୂଜା ସାରି ଯାଉ ଯାଉ ହସି ହସି କହୁଥିଲା ଦୁଇ ପ୍ରାଣୀ ମାତ୍ର. କଣ ହେବ ତୁମର ଘରଭଡା??ଲିଜା କହୁଥିଲେ ଆପଣ ବ୍ୟାଙ୍କ ଲୋନଟା ଦେଇଦେବେ ବୋଧେ ଆମର? କିଛି ନକହି ନନା ହସି ହସି ଚାଲି ଯାଉଥିବା ସମୟରେ ମୁନା ସାର କହିଲେ ଆପଣ ଦୁଆରେ ଚାବି ଦେଲେ ଆମର ବିସର୍ଜ୍ଜନ କିପରି ହେବ? ଲିଜାଙ୍କ ଉତ୍ତର ଥିଲା ଗଣେଷ ଠାକୁର ସମସ୍ତଙ୍କର. ଆମ ଘରେ ଠାକୁର ବସିଛନ୍ତି, ଆମେ ବୁଝିବୁ. ନନା ଫେରିପଡ଼ି କହୁଥିଲେ ସେ ଯଦି ବିସର୍ଜ୍ଜନ ଉପରେ ଓ ତଳେ କରାଇବେ ଭଲକଥା ତୁମେ ଆଉ କାହିଁକି ଏଠାରେ ରହିଛ? ଅନ୍ୟ ବ୍ୟବସ୍ଥା କର ଏଥର.ଲିଜା ଭାବୁଥିଲେ କେଇଟା ଟଙ୍କା ଲୋଭରେ ଭାଇନା ଗଣେଷ ପୂଜାକରି ପ୍ରତିବର୍ଷ, ପୂଜା ଓ ବିସର୍ଜ୍ଜନରେ ଦକ୍ଷିଣା ପାଇବ ବୋଲି ଭଡା ଦିଅନ୍ତୁ ନଦିଅନ୍ତୁ ତାଙ୍କୁ ରଖ ବୋଲି ଏଇ ଟିକିଏ ଆଗରୁ କହୁଥିବା ନନା କେଡେ ଚଞ୍ଚଳ ବଦଳି ଯାଉଛନ୍ତି. ଯିଏ ଯାହା ସ୍ୱାର୍ଥରେ ଥାଇ ଏ ଗଣେଷ ପୂଜାର ପ୍ରହସନ ଭିତରେ ଲିଜା ମଧ୍ୟ ଅଣନିଶ୍ୱାସୀ ହୋଇ ପଡୁଥିଲେ.
ଶେଷକୁ ବାକି ଥିଲା ଲଢେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ. ସେମାନେ ତ ରାତି ପାହିଥଲେ ଯାଇଥାନ୍ତେ, କଣ ଦରକାର ଥିଲା ଚାବି ଦେବା? ଆକାଶ ପାତାଳ ଭାବୁଥିଲେ ଲିଜା.ଦୁଇ ଦୁଇ ଥର ଚାବି ଦେଇ ସାରିବା ପରେ ମଧ୍ୟ ସେମାନେ ଆସୁଛନ୍ତି. ଏସବୁ ପରିସ୍ଥିତି ଦେଖି ଅନେକ ପିଲା ଅନ୍ୟ ଅନ୍ୟ ସ୍କୁଲରେ ନାମ ଲେଖାଇ ସାରିବା ପରେ ମଧ୍ୟ ସେମାନେ ଘର ଖାଲି କରୁନାହାଁନ୍ତି. ତଥାପି ପର ଲୋକଙ୍କ ଉପରେ ଏତେ ବିଶ୍ୱାସ ରଖି ନିଜ ସ୍ତ୍ରୀ ଲିଜାଙ୍କୁ ସଂସ୍କାର ଅଛିତ?ବୋଲି ପ୍ରଶ୍ନ ପଚାରୁଛନ୍ତି?. ଯାହା ହେଉଛି ହେଉ. ସେ ଆଉ ଶିଡି ଚଢି ଯାଇ ଆସି ପାରିବେ ନାହିଁ. ଚାବି ଦେଇ ଠିକ କରିଛନ୍ତି ଭାବି ପଞ୍ଚାମୃତ ପିଇ ଭୋଗ ଖାଇବାକୁ ଯାଉ ଯାଉ ସ୍ୱାମୀ କହେଲେ ବିଘ୍ନ ନାଶ କରିବାକୁ ଗଣେଷ ପୂଜା କରିବାକୁ ଯାଇ,ପୁଣି ଏ ବିଘ୍ନ କଣ ପାଇଁ? କିଛି ବୁଝା କିଛି ଅବୁଝା ଆଖିରେ ସ୍ୱାମୀଙ୍କ ଜବାବ ଇଟା ବଦଳରେ ପଥରରେ ଫୋପାଡିଦେଲେ ଲିଜା. ଯୁଗ ବଦଳି ଗଲାଣି. ମଣିଷ ଭାରି ସୁବିଧାବାଦୀ. ମୋର ଭଡା ରଖିବା ବହୁତ ହୋଇଗଲା.ତଥାପି ସ୍ୱାମୀ କହୁ ଥିଲେ କବାଟ ଖୋଲ ସେମାନେ ବିସର୍ଜନ କରିବା ଦରକାର.ଲିଜା ଭାବୁଥିଲେ ଯୁଗ ସହ ତାଳ ଦେଇ ସେ ବି ବଦଳିବେ. ନହେଲେ ସ୍ଥିର ସମୟ ଭଳି ଅଚଳନ୍ତି ହୋଇ ଯିବା ସାର ହେବ. କବାଟରୁ ଚାବି କେବେ ଫିଟେଇବେ ନାହିଁ ସେ. ଏଣେ ଭାବୁଥିଲେ ହେ ପ୍ରଭୁ ବିଘ୍ନ ବିନାଶନ. ରକ୍ଷାକର ପ୍ରଭୁ. ଯେମିତି ହେଲେ ଏହାର ଆଶୁ ସମାଧାନ କର ପ୍ରଭୁ. ମୋର ଆଉ ଏ ଘରଭଡା ପାଲା ଚକରରେ ପଶିବାର ନାହିଁ.ହୃଦୟ ତନ୍ତ୍ରୀରୁ ଶୁଭୁଥିଲା ତଥାସ୍ତୁ.