ତୃତୀୟ ପ୍ରହର ର ପ୍ରଥମ ମାତୃତ୍ୱ
ତୃତୀୟ ପ୍ରହର ର ପ୍ରଥମ ମାତୃତ୍ୱ
ମୁଁ ଶ୍ୱେତା। ଶ୍ୱେତାମ୍ବରା ମୋର ପୂର୍ଣ୍ଣ ନାମ। ଲେଖିକାଂକର ବାନ୍ଧବୀ। ଅନ୍ତରଂଗ ନହେଲେ ବି ଜଣେ ଭଲ ବାନ୍ଧବୀ। ନିରନ୍ତର ନହେଲେ ମଧ୍ଯ ସମୟ ବ୍ଯବଧାନରେ ଆମର ବାର୍ତ୍ତାଳପ ହୁଏ। କିଛି କଥାବାର୍ତ୍ତା ଦୁଃଖ ସୁଖ କରୁ। କଥା ହଉ ହଉ ମନେ ପଡିଲା ମୋର ଗୋଟେ ଅନୁଭୂତି। ଲେଖିକାଂକୁ କହିଲି ସେ ଶ୍ୱେତା ହୋଇ ମୋ ଅନୁଭୂତି ଟା ଲେଖି ଦିଅନ୍ତୁ।
ହଁ ମୋ ନାଁ ଟା ଅଜା ରଖିଥିଲେ। ଶ୍ୱେତାମ୍ବରା ଜନ୍ମ ବେଳେ ମୁଁ ଆକାଶର ବାଦଲ ପରି ଶ୍ୱେତ ବର୍ଣ୍ଣ ଥିଲି। ଚର୍ମ ଟା ସିନା ଶ୍ୱେତ ମାତ୍ର ଭିତରୁ ମୁଁ ଗୋଟେ ଦରପୋଡା କାଠ। ମାନେ ପୋଡା ଅଂଗାର। ଏଇଠୁ ବମ୍ୱେ ଯାଏ ମାତେ ବାଡେଇ ବାଡେଇ ନେଲେ ଗୋଟେ ହେଲେ ଭଲ ଗୁଣ ଝଡିବ କି ନା ସନ୍ଦେହ। କଥାରେ ନାହିଁ ‘ଉପର ଚିକ୍କଣ, ଭିତର ମହାକାଳ ଫଳ।’ ମୁଁ ତାର ଜ୍ୱଳନ୍ତ ଉଦାହାରଣ। ଅନେକ ଥର ମା’ କୁ ଗାଳିକରି ପକାଏ। ମତେ ତ’ ଜନ୍ମ କଲୁ ଆଉ ଚାରିଟାଂକୁ କ’ଣ ପାଇଁ ଜନ୍ମ କରୁଥିଲୁ? ଛିଃ ଏଗୁଡା କ’ଣ ମା’ କୁ କୁହନ୍ତି? କୁହନ୍ତିନି ଆଉ କ’ଣ? ଏ ମେଣ୍ଢା ପଲ୍ଲ ଖାଲି ଅନ୍ନ ଧ୍ୱଂଶ କରିବାରେ ଲାଗିଚନ୍ତି। ତା ଛଡା ବାପାଂକର ସ୍ୱଳ୍ପ ରୋଜଗାର। ଆମେ ମା’ ଛୁଆ କରି ଛଅ। ଜେଜେ ମା ବୁଢି ବି ବସିଚି। ବାପାଂକୁ ମତେ ଭାରି ଦୟା ଲାଗେ। ଅକ୍ଲାନ୍ତ ପରିଶ୍ରମ କରି ଯାହା ଦିଅନ୍ତି ସବୁ ଏଇ ମାନଂକ ପେଟରେ ପସେ। ତା ଛଡା ମୋ ଖାତା ବହି ଚିରି ପକାନ୍ତି ଏମାନେ। ମୋ ତଳେ ଏ ସାନ ମାଂକଡ ଦିଇଟା ଯାକ ଝିଅ। ଗୋଟେ ହେଲେ ନୂଆ ପୋଷାକ ପିନ୍ଧେଇ ଦିଅନ୍ତିନି। ମୋର ରାଗ ହବା ସ୍ୱାଭାବିକ କି ନୁହେଁ। ପୁରା ସାନ ଦିଇ ଟା ପୁଅ। ମା’ ତାଂକ ଦିଇଟା କୁ ବେସି ସ୍ନେହ କରେ। ସବା ସାନ ଟା ମୋର ଶତ୍ରୁ। ଦୁନିଆ ସାରାର ଖାଦ୍ଯ ତା ପେଟରେ। ସେ ଯାହା କହିବ ମା’ ତାକୁ ସେଇଆ ଆଣି ଦବ। ଇଚ୍ଛା ହୁଏ ତା ରକ୍ତ ପିଇ ଦିଅନ୍ତି। କୋଉ ଡାହାଣୀ ଭଉଣୀ ଏମିତି କଥା ଚିନ୍ତା କରିବ। ମୁଁ ହଉଚି ସେ ସ୍ୱତନ୍ତ୍ର ନମୁନା। ସମସ୍ତଂକୁ ଗୋଇଠା ବିଧା ଖୁନ୍ଦା ଦବା ମୋ ଚାକିରୀ। ପାଠ ପଢାରେ ହେଳା କଲେ ଜୀବନ ଛଡା ମାଡ। କାମ ନକଲେ ମାଡ। ବଡ ପାଟି କଲେ ମାଡ। ପୋଖରୀ ରେ ବୁଡିଲେ ମାଡ। ଡାକ ନଶୁଣିଲେ ମାଡ। ମାଡ ଖାଇ ବେଶି କାନ୍ଦିଲେ ମାଡ। ମାନେ ଦିନ ରାତି ମାଡ ପର୍ବ। ଏମାନେ ସମସ୍ତେ ରାଗୁଥିବେ ମତେ। କୋଉ ଦିନ ମୁଁ ଘର ଛାଡି ଯିବି।
ବାପାଂକୁ ସାହାଯ୍ଯ କରିବା ମୋର ଭାରି ଇଚ୍ଛା। କେମିତି କେମିତି କରି ଚାକିରୀ ଟେ କରନ୍ତି। ବେସି ପାଠ ପଢି ବି ହବନି। ସମସ୍ତଂକ କଥା ବି ବୁଝିବେ ନା। ମା’ ପାଇଁ ମୋ ମନରେ ଟିକେ ବି ଦରଦ ନାହିଁ। ତାର କାରଣ? କାରଣ ଏ ମେଣ୍ଢା ପଲ୍ଲଂକୁ ସେ ସାଶନ କରେନି। ତାଂକୁ ଖାଲି ଖୁଆଏ। ସେମାନେ ଯେତେ ଦୁଷ୍ଟ ହେଲେ ଗାଳି ପଦେ ବି କରେନି। ଆଉ ସବା ସାନ ଟାକୁ ମୁଣ୍ଡରେ ବସାଏ। ଘରେ ସମସ୍ତେ କେବଳ ମତେ ହିଁ ଡରନ୍ତି। ମୁଁ ହଷ୍ଟେଲ୍ ରୁ ଘରକୁ ଫେରିଲେ ମତେ ଟିକେ ବେଶି ସମ୍ମାନ ମିଳେ। ନହେଲେ କୁଟି ଦେବି।
ତେବେ ପାଠ ପଢା ପଢି ଶରି ଗଲାଣି। ବି.ଇଡି ଶାରି ମତେ ଚାକିରି ବି ମିଳିଚି। ନବରଂଗ ପୁର ଜିଲ୍ଲା ର ଗୋଟେ ଉଚ୍ଚ ବିଦ୍ଯାଳୟ ରେ ମୁଁ କାର୍ଯ୍ଯରତ। ସେଠି ଏକା ରୁହେ। ମା’ କହୁଥିଲା ସାନ ଟୋକା ଭାରି ଦୁଷ୍ଟ ହଉଚି। ଇନ୍ଦ୍ର ଚନ୍ଦ୍ର ମାନୁନି। ଏ ବର୍ଷ ଷଷ୍ଠ ଶ୍ରେଣୀ ହେଲା। ମାଂକଡ ଟିକେ ସିନା ହେଲେ ଭାଉଟା ପୁରା ୨୦୦୦ ଟଂକିଆ। ଦିଇ ଥର ଗାଁ ପୋଖରୀରେ ବୁଡି ଗଲାଣି। ଗଛରୁ ପଡି ବାମ ହାତଟାକୁ ଭାଂଗି ଦେଇଚି। ମା’ ନୟାନ୍ତ ହେଇଗଲାଣି। ମୁଁ ରାଗିକି ନିଆଁ ବାଣ। “ ତୁ ହିଁ ତ’ କରିଚୁ ସବୁ। ଗଛ ଲଗେଇଲେ ଫଳ ବି ଖାଇବୁ ନା। ଏବେ ବୁଦ୍ଧି ହେଲା ତ’। “ ଏମିତି କେତେ କଥା କହି ରାଗିଲି। ମା କହୁଚି ତାକୁ ନେଇ ମୋ ପାଖରେ ରଖିବାକୁ। ସେ ବିଛୁଆତି କୁ କିଏ ରଖିବ? ସଂସାର ଯାକର ଖାଦ୍ଯ ଖାଇବ। କୁମ୍ଭକର୍ଣ୍ଣ ଶୋଇବ ଖାଲି। ପାଠ ଘର ଶୂନ୍ଯ ଶୂନ୍ଯ ମହାଶୂନ୍ଯ। ଅବଶ୍ଯ ଡରେ ମତେ। ଆଉ ମୋ ପାଖରେ ରହିଲେ ଦୁଷ୍ଟାମି କରିପାରିବନି। ଆମର ନୋଡାଲ୍ ସ୍କୁଲ୍। ମୋ ସାଂଗରେ ସ୍କୁଲ୍ ବି ଯିବ। ଯୋଜନା ଟା ତାହାଲେ ଖରା ଛୁଟି ପରେ କାମରେ ଲଗେଇବା।
ମେ ମାସ ରେ ଖରା ଛୁଟି ରେ ଘରକୁ ଗଲି। ଘରେ ଆଲୋଚନା ହେଲା। ବାପା ବି ରାଜି। ମାତ୍ର ମୋ ଜେଜେ ମା’ ଏକବାରେ ଧୁଆଁ। ଜେଜି ନାତି ଦିଇ ଜଣ ପରଷ୍ପରର ଭକ୍ତ। ସେ ଟଂକେ ଟଂକେ ଦବ ଇଏ ନେଇ ଦଉଡିବ ଶିଲୁଆ ଦୋକାନକୁ। ତା’ର ହିଁ ବୋଲ ହାକ କରେ। ଟୋକା ଯେମିତି ଜାଣିଲା ଏ କଥା! କି ନାଟକ ଲୋ ମା’! କାନ୍ଦି କାନ୍ଦି ବନ୍ଯା କରିଦେଲା। ରାତିରେ ଶୋଇକି ସ୍ୱପ୍ନ ଦେଖୁଚି ଆଉ ଚିତ୍କାର କରୁଚି। “ମା’ ମତେ ଛାଡେନା। ମୁଁ କେମିତି ରହିବି ସେଠି?” ମା’ ତାକୁ କୋଳେଇ କାନ୍ଦୁଚି। ଏମିତି ଯାତ୍ରା ଚାଲିଲା। ମା’ ମତେ ବୁଝୋଉ ଥାଏ। “ତାକୁ ଭଲକି ଖାଇବାକୁ ଦବୁ। ପେଟ ପୁରିଗଲେ ସେ କିଛି ହବନି। ଯାଉ ଯାଉ ମାଡ ଦବୁନି। ବେସି ପାଠ ବି ଦବୁନି। ଡରିବ ସେ। ଯାହା ପଢିବ ପଢିବ, ସେ ଖାଲି ସ୍ଥିର ହେଇ ଯାଉ। ଅଭ୍ଯାସ ରେ ପଡିଲେ ଆପେ ପଢିବ। କାନ୍ଧରେ ଢୋଲ ପଡିଲେ ସମସ୍ତେ ବଜାନ୍ତି।” ଏମିତି କେତେ କଥା କହି କହି ମୋ ମୁଣ୍ଡ ଖାଇ ଦେଲା। ଇଏ ଯୋଉ ଢୋଲ ବଜାରୀ ଆମେ ଜାଣିନୁ ଆଉ! ବହିରେ ପଢିଥିଲି ‘learning disability’ । ମାନେ ଗୋଟେ ଜାଣିଶିଆଣିଆ ରୋଗ। ଦୁନିଆ ଯାକର କଥା ବୁଝିପାରିବେ ଆଉ ନହେଲା କଥା ମାନ କହିବେ ମାତ୍ର ଏ ଧରଣର ରୋଗ ପାଠ ପଢିଲା ବେଳେ ମାରେ। ‘disgraphia ‘, dislexia ‘, ‘discalculia’ ଏଗୁଡା ସବୁ ସେ ରୋଗର ଗୋଟେ ଗୋଟେ ପାର୍ଶ୍ୱ। ମାନେ ଖାଲି ବାକ୍ଯ ବୀର ଏମାନେ। ପାଠ ପଢିଲା ବେଳେ ଅକ୍ଷର ଓଲଟା ଦେଖାଯାଏ, ହିସାବ ଠିକ୍ ରେ କରିପାପନ୍ତିନି, ଆକ୍ଷର ଓଲଟା ଲେଖନ୍ତି। ହେଲାନି କି ଜାଣିଶାଆଣିଆ। ଆରେ ସବୁ ତ ଜାଣୁଚୁ ଆଉ ଖାଲି ପାଠ ପଢାଟା କେମିତି ଜାଣୁନୁ? तारे जमिन पर ଚଳଚିତ୍ର ରେ ସେ ପିଲାକୁ ଯେମିତି ହେଇ ଥିଲା। ମୋ ପାଖରେ ସବୁ ରୋଗର ଔଷଧ ଠୁଳ। ଗପ ଗୀତ ନହେଲେ ବିଧା, ଚାପୁଡା, ଗୋଇଠା, ଠେଂଗା, ଚୁଟି ରୁମା। ଯୋଉଟା ଗୋଟେ କାମରେ ଆସିବ! ସେ ଯାହା ହଉ ମୁଁ ଅଣ୍ଟା ଭିଡିଲି ଆଉ ଅଭିଯାନର ଶୁଭାରମ୍ଭ ଜୁନ୍ ୨୨ ରେ କରିବାକୁ ପ୍ରସ୍ତାବ ବାଢିଲି।
ରଜ ପରଠୁ ମୋ ମା’ ଗୋଟେ ରାତି ବି ଶୋଇନି। କେତେବେଳେ ତାକୁ କୋଳରେ ବସେଇ ଗେଲ କରୁଚି, ହାତରେ ଖୋଇ ଦଉଚି, କାନ୍ଦୁଚି, ମତେ ଉପଦେଶ ବାଢୁଚି ପୁଣି କେତେବେଳେ ମନେ ମନେ କଥା ହଉଚି। ମୁଁ ତାକୁ ବାରମ୍ବାର ସହମତ କରୁଚି ତା ପୁଅକୁ ବାଡେଇବି ନାହିଁ, ପେଟ ପୁରା ଖାଇ ବାକୁ ଦେବି ଆଉ ଖେଳ ବୁଲ କରିକୁ ଯଥେଷ୍ଟ ସମୟ ଦେବି। ମତେ ବିରକ୍ତ କରି ସାରିଲାଣି ମା’। କି ଅପୂର୍ବ ପୁଅ ଟେ ଜନ୍ମ କରିଚି ଯେ ଏତେ କାନ୍ଦୁଚି। ନାଟକ ବାଜି ମତେ ଆଦୌ ଭଲ ନୁହେଁ। ରାଗି କି କହିଲି ରଖ ତୋ ପୁଅକୁ। ମୁର୍ଖ ହଉ କି ଗୁଣ୍ଡା ହଉ। ସେ ଭୋଗିବ। ତୁ ତ ମରିଯିବୁ ସେ କ’ଣ ଖମ୍ବଆଳୁ ଭାଜି ଖାଇବ? ଏବେ ସମୟ ଅଛି, ପାଠ ସାଠ ଦି ଅକ୍ଷର ପଢିଲେ ମଣିଷ ହବ। କିଛି ନ ହେଲେ ବେପାର ବଣିଜ କରି ପେଟ ପୋଶିବ। ମାର୍ଜିତ ହବ ଆଉ ଏ ଗାଁ ଟୋକାଂକ ସାଂଗରେ ମିଶି ମାଛ ଧରି ପୋଖରୀରେ ବୁଡିବନି ବୁଝିଲୁ। ଫୁଲେଇ କ’ଣ ହଉଚୁ? ସେପଟେ ଟୋକା ମାନି ଗଲାଣି। ପାଂଚ ହଜାର ରକମ ର ବୁଝା ସୁଝା ପରେ ମହାଶୟ ମାନିଚନ୍ତି। ଏପଟେ ମହୋଦୟା ମାତାଂକ ଆଖିରୁ ଗଂଗା ଜମୁନା ଛୁଟିଲେଣି। ଟୋକା ମନ ଖୁସି ରେ ବ୍ଯାଗ ବହି ସଜାଡୁଚି।
ଜୁନ୍ ୨୨ ତାରିଖ ଦିନ ବେଳ ସମୟ। ମା’ ଜାଇ, ବଡି, ମୁଢୀ, ଅରୁଆ ଚାଉଳ, ବାରି ରଶୁଣ ସବୁ ବାନ୍ଧୁଚି। ତା ମୁଁହ ଟା ମଳିନ ଦିଶୁଚି। ତେଜ ଦିପ୍ତ ମୁହଁ ଟା ଶୁଖିଲା ହେଇଚି। ମୁଁ ଜାଣି ଜାଣି ତା’ ଠୁ ଦୁରେଇ ରହୁଚି। ଏକ ତ ପାଖକୁ ଗଲେ ତା ପୁଅ ର ସୁରକ୍ଷା ଭାଷଣ ଦବ ଦୁଇ ମତେ ଦେଖି କାନ୍ଦିବ। ସଂଧ୍ଯା ହେଲା। ଆମ ବସ୍ ଅଛି ରାତି ଦଶଟା ରେ। ବାପା ଛାଡିବା ପାଇଁ ଯିବେ। ସଂଧ୍ଯାରେ ମନ୍ଦିର ଗଲି ମା’ ସହ। ଗୋପିନାଥଂକ ମୁହଁ କୁ ଅନେଇ କାନ୍ଦୁଚି ସେ। ମୋ ଭିତରେ ଏତେ ନିଷ୍ଠୁରତା ଅଛି ଯେ ମା’ କୁ ମୁଁ କେବେ ବିକଳ ପାଏନି। ତା ଓଲଟା ପାଲଟା କାମ କୁ ସବୁବେଳେ ରାଗେ। ଆଜି କିନ୍ତୁ ମୁଁ ଦେଖି ପାରୁଚି ଏ ସାନ ଟୋକା ଲାଗି ତା ମନର ଦିଇ ଏକର ଜାଗା ପୂର୍ଣ୍ଣ। ଇଏ ଗଲା ପରେ ମା’ କେମିତି ରହିବ? ଗୋପିନାଥଂକୁ ପ୍ରଣାମରେ ଗୁହାରୀ କଲି। ଟୋକାକୁ ଭଲରେ ରଖିବେ ଆଉ ମୋ ମା’ର ମନକୁ ସମ୍ଭାଳି ନେବେ। ଖିଆ ପିଆ ସାରି ଆମେ ବାହାରିଲୁ। ଟୋକା ଡେଉଁଚି ଖୁସିରେ। ଆଗୁଆ ଯୋତା ପିନ୍ଧି ଦାଣ୍ଡ ରେ ବସିଚି। ମା’ ତାକୁ ଡାକୁଚି ହେଲେ ସେ ଆଉ ଯୋତା ଖୋଲି ଘର ଭିତରକୁ ଯିବନି କହୁଚି। ଜେଜେ ମା’ ପାଖକୁ ବି ଯାଉନି। ମା’ ବାହାରକୁ ଆସି ତାକୁ କାଖେଇ ପକେଇଲା। ଦୁଇ ଶହ ଟଂକା ତା ପକେଟ୍ ରେ ଗୁଂଜି ଦେଲା। ବହୁତ ସମ୍ଭାଳି ରହିଲା। ଆମେ ଗଲା ପରେ ପରେ କୁଆଡେ ଭୋ ଭୋ ହେଇ କାନ୍ଦିଲା ବୋଲି ଝିଅ ଠୁ ଶୁଣିଲି।
ମୁଁ କାହିଁକି ଅନୁଭବ କରିବି ମାତୃତ୍ୱ? ମା’ ସବୁବେଳେ କହେ ତୁ ମା’ ହେଲେ ବୁଝିବୁ। ମା’ ମନ କ’ଣ ହୁଏ ଛୁଆ ପାଇଁ? ମୁଁ ଫେଁ କରି ହସେ। ମୋ ମା ଗୋଟେ ଅଜବ ପ୍ରାଣି। ଆମ ପାଇଁ ତାର ଏତେ କ’ଣ ଗୋଟେ ମୋହ? ନିଜେ ନଖାଇ ସବୁ ବାଣ୍ଟି ଦିଏ। ଘରେ କେତେ ଜିନିଷ ଥିବ କେହି କିଛି ଖାଇବେନି। ମା ଜାହା ଧରିଥିବ ସେଇଟା ରେ ସମସ୍ତଂକ ଆଖି। ସେ ବି ସେମିତି ସବୁ ଦେଇ ଦବ। ମତେ ଏଇ ସବୁ ଗୁଣ ବେଶି ରାଗ ଲାଗେ। ସେ ନିଜ ଇଚ୍ଛାରେ ଖାଇ ପାରେନି କି ଶାନ୍ତି ରେ ଟିକେ ଶୋଇ ପାରେନି। ଏ ମାଂକଡ ମାନେ କିଏ ଚେଁ ଚାଁ ହଉଥିବେ, କିଏ ବାଡିଆ ପିଟା ହେଇ ମରୁଥିବେ। ମା’ ପାଂଚ ବର୍ଷ ହେଲାଣି ମାମୁଁ ଘର ଦୁଆର ମାଡିନି। ଶେଷ ଥର ସାନ ମାଉସୀଂକ ବାହାଘର ରେ ଯାଇଥିଲା। ଏଇ ମାନଂକ ଲାଗି। କାର ଜର, ଝାଡା, ବାନ୍ତୀ, ହାଡଫୁଟି, ମିଳିମିଳା, କାର ପରୀକ୍ଷା, କାର ସ୍କୁଲ୍ ବାର୍ଷିକ ଉତ୍ସବ। ସିଏ ବି ସେମିତି ଘରୁ ପାଦ କାଢିବନି। ମୁଁ ତାକୁ କହେ “ ତୋ ଭଳିଆ ମୁଁ ଜମାରୁ ହେବିନି। ଜାହା ଇଚ୍ଛା ଖାଇବି, ଯୁଆଡେ ଇଚ୍ଛା ବୁଲିବି ଆଉ ମୋ ଛୁଆକୁ ଶାସନ କରିବି।” ସେ ହସେ “ସମସ୍ତେ ସେମିତି କୁହନ୍ତି ଲୋ ମା’। ହେଲେ ମା’ ହେଲା ପରେ ମନ ଆପେ ଛୁଆ ପାଇଁ ଢଳି ଯାଏ।”
ମା’ ର ସେ କଥା ସବୁ ମୋର ମନେ ଅଛି। ମାତୃତ୍ୱ ସତରେ ଗୋଟେ ଅଦ୍ଭୁତ ଅନୁଭୁତି। ଆଜି ମୁଁ ଅନୁଭବ କରି ପାରୁଚି। ଛୁଆ ରୋଗରେ ପଡିଲେ ମା’ କେମିତି ଜନ୍ତ୍ରଣା ର ତେଲ କୁଣ୍ଡରେ ଛଟପଟ ହୋଇ ମରେ। ଛୁଆ ସମୟରେ ଘରକୁ ନଫେରିଲେ ତା ମନ କେମିତି ଡହଳ ବିକଳ ହୁଏ। ଛୁଆ ପଡିଗଲେ ମା’ ଛାତି କେମିତି ଚିରି ହେଇ ଯାଏ। ଛୁଆ ଭୋକରେ ଥିଲେ ମା’ କେମିତି ଆତୁର ହୁଏ। ସେ ସବୁ ଭାବନା ମୁଁ ଅଂଗେ ଅଂଗେ ନିଭେଇଲି। ଆଉ ମା’ ର ଧର୍ଯ୍ଯ, ଶହନସିଳତା କୁ ପ୍ରଣାମ କଲି। ସବୁ ଦୁଃଖ କଷ୍ଟ ସେ କେମିତି ଆକଣ୍ଠ ପାନ କରିଯାଏ ଭାବି ଭାବି ଢେର୍ କାନ୍ଦିଚି। ମୋ ଆଖି ଲାଗି ଯାଇଛି।
ଠିକ୍ ସେତିକି ବେଳେ ହସ୍ପିଟାଲ୍ ର ନର୍ସ ଆସି ମତେ ଉଠେଇ ଦେଲେ। “ମ୍ଯାଡାମ୍ ଉଠନ୍ତୁ ଇଂଜେକ୍ସନ୍ ସମୟ ହେଲାଣି।” ମୁଁ ଚମକି ପଡିଲି ଆଉ ଉଠିଗଲି। ସେ ଇଂଜେକ୍ସନ୍ ଦେଇ ଚାଲିଗଲେ। ମୁଁ ମେଡିସିନ୍ ଷ୍ଟୋର୍ ଆଡେ ଯାଉଚି ଆଉ ପଛରୁ ଅପା ଡାକ ଶୁଭିଲା। ବୁଲି ଦେଖିଲି ସେ ଉଠିଚି। ହଁ ଏଇଟା ମୋର ସେଇ ସାନ ଭାଇ। ଯାହାକୁ ମୁଁ ରାକ୍ଷାସ, ଭିକାରୀ, କାଂଗାଳ ବଦଳ ରେ ତା ନା ଧରି କେବେ ଡାକିନି। ଆଜି କିନ୍ତୁ ପୁଅ କ’ଣ ହେଲା କହି ଦୌଡି ଆସିଲି। ତା ଆଖି ଦିଇଟା ଯେମିତି କହୁଛନ୍ତି ଆମେ ମା’ କୁ ଦେଖିବୁ। ତା ମୁହଁ କହୁଚି ମତେ ମା’ ଦରକାର। ମା’ ର ଜାଗା ଟା ମୁଁ କେମିତି ପୁରଣ କରିବି? ମା’ ତ ଏଯାଏ ଜାଣିନି ମୁଁ ତାକୁ ନେଇ ହସ୍ପିଟାଲ୍ ରେ ଦିଇ ଦିନ ହେଲା ଅଛି। ହଁ ସେଦିନ ସ୍କୁଲ୍ ରୁ ଆସି ବେସ୍ ଖେଳ ବୁଲ କଲା। ରାତିରେ ଖାଇ ପିଇ ଶୋଇଲା ଆଉ ରାତି ଅଧରେ ପୁରା ୧୦୪ ଜ୍ୱର। ମୁଁ ଜାଣି ପାରିନି। ଠିକ୍ ତା ତିନି ଦିନ ଆଗରୁ ମତେ ଟାଇଫଏଡ୍ ହେଇଚି। ଉଠି ସେ କହିଲା ତାକୁ କାଲି ଶୀତ ହେଲା ଆଉ ଦେହ ବି ତାତିଥିଲା। ପର ଦିନ କିଛି ହେଲାନି। ଠିକ୍ ଠାକ୍ ପୁରା। ଖାଇ ପିଇ ସ୍କୁଲ୍ ଗଲା। ସଂଧ୍ଯାରେ ଆସି ତିନି ଥର ପାଇଖାନା ଦଉଡୁଚି। ପାଠ ଅଧିକ ହେଲେ ସେ ଏମିତି ନାଟକ କରେ। ହେଲେ ଚାରି ପାଂଚ ଥର କେବେ ନାଟକ କରିବନି। ମୁଁ ରୋଷେଇ ଘରେ ବ୍ଯସ୍ତ ଅଛି ଆଉ ସେ ଘର କୁ ପାଇଖାନା ହଉଚି। ଆସି କହିଲା “ଅପା ମୁଁ ଆଉ ଚାଲି ପାରୁନି। ମତେ ବାନ୍ତି ବି ଲାଗୁଚି।” ପାଟିରୁ ସରିଚି କି ନା ବାହାରକୁ ଯାଇ ପାହାଚ ଉପରେ ବାନ୍ତି କରିପକେଇଲା। ମୋର ଟିକେ ବେଶି ଧର୍ଯ୍ଯ। ମା’ ଠୁ ଶିଖିଛି। ବଦ ହଜମ ହେଇ ଏମିତି ଝାଡା ବାନ୍ତି ହୁଏ। ମୋ ବ୍ଯାଗ୍ ଖୋଜିଲି କିଛି ଔଷଧ ମିଳିଲାନି କିନ୍ତୁ। ରାତି ଦଶ ବାଜିଲାଣି। ଏଠି କିଛି ଔଷଦ ବି ମିଳେନି। ସକାଳ ହେଲେ ଯାଇ ଯାହା ବ୍ଯବସ୍ଥା। ସେ ରାତି ଶାରା ସୋଇନି। ପେଟ ପେଟ କହି କାନ୍ଦୁଚି। ମୁଁ ଏତେ ଅସୁସ୍ଥ ଆଉ ଦୁର୍ବଳ ଯେ ତା ସାଂଗରେ ପାଇଖାନା ପର୍ଯ୍ଯନ୍ତ ଯାଇ ପାରୁନି। କେମିତି ନାଟକ ଭଳି ଲାଗୁଚି ନା। କିନ୍ତୁ ପୁରା ପୁରି ସତ କଥା।
ସେଇ ରାତିର ଠିକ୍ ତୃତୀୟ ପ୍ରହର ମୋ ଭିତରେ ମାତୃତ୍ୱ ଯଗେଇ ଥିଲା। ମୋ ହୃଦର ପ୍ରତି କୋଣ ଅନୁକୋଣ ରୁ ଝରୁଥିଲା ଏକ ଅଚିହ୍ନା ଯନ୍ତ୍ରଣା। ମୁଁ ନିରୁପାୟ ଅସହାୟ ରୋଗି ନଥିଲି। ଶହେ ଯୋଦ୍ଧାର ବଳ ବାନ୍ଧିଧରି ଚାହିଁ ବସିଥିଲି ରାତି ଶାରା। ତାର ପଦେ କାନ୍ଦରେ ମୋ ହୃଦୟର ଶକ୍ତ କାନ୍ଥ ଭାଂଗି ଚୁରମାର୍ ହଉଥିଲା। କିନ୍ତୁ ମୋ ମା’ ପରି କହୁଥିଲି କିଛି ହବନି। ସକାଳ ହେଲେ ଯିବା ମେଡିକାଲ୍। ଶୋଇ ପଡ। ସେ କ’ଣ କରିବ? କାନ୍ଦି କାନ୍ଦି ଥକି ଯାଉଥିଲା। ଆଉ ମୁଁ ଭିତରେ ଭିତରେ ଗୁମୁରି କାନ୍ଦୁଥିଲି। ଆଜି ଆଉ ମା’ ପ୍ରତି ନିଷ୍ଠୁରତା ନାହିଁ ମୋ ମନରେ। ମୁଁ ମର୍ମେ ମର୍ମେ ବୁଝିଗଲି ତା ହୃଦୟକୁ। ତା ଦମ୍ଭ ଆଉ ଧର୍ଯ୍ଯକୁ।
ସତରେ ମାତୃତ୍ୱ କେମିତିକିଆ ଗୋଟେ ଅଦ୍ଭୁତ ଅନୁଭୁତି। ମା’ କୁ କେମିତି କହିବି ତା’ର severe stomach infection ଆଉ ଟାଇଫଏଡ୍ ଏକା ସାଂଗରେ ହେଇଚି। ଯିଏ ଦିନ ରାତି ଖାଇବି ଖାଇବି ହଉଥିଲା ଏବେ ଅନେକ ଦିନ ଯାଏ ଖାଇ ପାରିବନି। ପେଟ ମରା ସହି ନପାରି କାନ୍ଦୁଚି। ମୁଁ ସତରେ ସହି ପାରୁନି। ଇଂଜେକ୍ସନ୍ ଆଉ ଖଇବନି ବୋଲି ମତେ ପଛରୁ ଡାକି କହୁଚି। ମୁଁ ବସି ପଡିଲି। ତା ମୁଣ୍ଡ ଆଉଁସି କହିଲି ଆଉ ଅଳ୍ପ କେତେଟା ଅଛି। ସରିଗଲେ ପୁରା ଭଲ ହେଇଯିବୁ ଆଉ ଘରକୁ ଯିବା। ତୁ ପୁରା ଠିକ୍ ହେଇଯିବୁ ରେ। କାନ୍ଦନା। “ତୁ ବି ମା’ ଭଳିଆ କହୁଚୁ , ଭଲ ହେଇଯିବି। “ କହି ସେ ମୁହଁ ଲୁଚେଇ ଦେଲା।
ମୁଁ ଆଜି ମା’ ଭଳିଆ କଥା କହୁଚି! କରିବିନି କେମିତି? ମୁଁ ତ’ ମା ହେଇଚି ଆଜି। ମାତୃତ୍ୱ କୁ ଚାଖିଚି। ଆଉ ମା’ର କଥା ନ କହି ରହି ପାରିବି? ତୃତୀୟ ପ୍ରହର ର ସେ ପ୍ରଥମ ମାତୃତ୍ୱ ମୋ ଜୀବନ ର ସ୍ମୃତି ପଟରେ ଏକ ଅଲିଭା ଅଧ୍ଯାୟ ହୋଇ ରହିବ। ମୁଁ ସେଇ ନିଷ୍ଠୁର ଶ୍ୱେତାମ୍ୱରା, ମେରୁର ଶକ୍ତ ବରଫ ଆଜି ତରଳି ଯାଇଛି। ମା’ ର ଶୀତଳ ପଣତ ଛାଇ କୁ ଚିରଦିନର ସଖୀ କରି ରଖିବି ବୋଲି ପଣ କରିଛି। ତାର କୌଣସି କାମ ମତେ ଆଉ ବିରକ୍ତ ଲାଗୁନି। ଏବେ ବାପାଂକୁ ରାଗୁଛି କୁଅରେ କାହିଁକି ମଟର ଟେ ଲଗୋଉ ନାହାନ୍ତି। ମା ଏବେ ମତେ ଭାରି ଉଦାର ଲାଗୁଛି। ଏ ପ୍ରଥମ ମାତୃତ୍ୱ କହୁଛି ମୋ ମା’ କୁ ଝିଅ କରି କୋଳେଇ ନବାକୁ। ତାର ଯତ୍ନ କରିବାକୁ। ତାକୁ ହାତରେ ଖୋଇ ଦବାକୁ ଆଉ ଧୋରେ ବାଇଆ କହି ଗୋଡରେ ଶୁଆଇବାକୁ।