Sachidananda Kar

Tragedy

3  

Sachidananda Kar

Tragedy

ତୃଷ୍ଣା ମିଶ୍ର : ଗୋଟେ ବଡ଼ ଖବର

ତୃଷ୍ଣା ମିଶ୍ର : ଗୋଟେ ବଡ଼ ଖବର

2 mins
167



       କାଠଯୋଡ଼ି ପୋଲ ଉପରୁ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ମହିଳା ଉଦ୍ଧାର ।


       ସକାଳୁ ସକାଳୁ ଖବରକାଗଜରେ ଆସିଥିବା ଏଇ ଶୀର୍ଷକଟି ପାଖରେ ମୁଁ ଅଟକିଗଲି। 


       ଆତ୍ମହତ୍ୟା ସଂପର୍କିତ ଖବର ମୋତେ ବେଶୀ ଟାଣେ।ତେଣୁ ଖବରଟିକୁ ନ ପଢ଼ି ରହିପାରିଲି ନାହିଁ। 

       - ' ଖବରରୁ ଜଣାପଡ଼ିଛି ଯେ ତୃଷ୍ଣା ମିଶ୍ର ନାମ୍ନୀ ଜନୈକ ମହିଳା ହଠାତ୍ ତାଙ୍କ ସ୍କୁଟିକୁ କାଠଯୋଡ଼ି ପୋଲ ଉପରେ ରଖି ନଦୀକୁ ଡେଇଁବାକୁ ଉଦ୍ୟମ କରୁଥିବା ବେଳେ ଦୁଇ ଜଣ ଅପରିଚିତ ଯୁବକ ବାଇକ୍ ଅଟକାଇ ତାଙ୍କୁ କାବୁ କରି ନେଇଛନ୍ତି।କାରଣ ସ୍ପଷ୍ଟ ହୋଇ ନ ଥିଲେ ହେଁ ଏହା ପଛରେ ଘରୋଇ କଳି ଥିବା ସନ୍ଦେହ କରାଯାଉଛି। ' 

       ଆତ୍ମହତ୍ୟା ଉଦ୍ୟମ କରିଥିଲା ତୃଷ୍ଣା ମିଶ୍ର!ଖବରଟି ଏବେ ମୋ ପାଇଁ ଖାଲି ଖବରଟିଏ ନ ଥିଲା,ବରଂ ଗୋଟେ ବଡ଼ ଖବର ଥିଲା।ଏବଂ ସେଇ ବଡ଼ ଖବରଟି ମୋ ଭିତରେ ଗୋଟେ ବଡ଼ ପ୍ରତିକ୍ରିୟା ସୃଷ୍ଟି କଲା। 

       ବହୁତ ସୁନ୍ଦରୀ ଥିଲା ଏ ତୃଷ୍ଣା ମିଶ୍ର।ଖୁବ୍ ଆଧୁନିକା।ସବୁବେଳେ ନିଜକୁ ସଜେଇ ରଖୁଥିଲା।ମୁଁ ତା' ପଛରେ ପଡୁ ପଡୁ ପଡ଼ିଥିଲି।ତାକୁ ପ୍ରେମ କରୁଥିଲି।ମୋ ପ୍ରସ୍ତାବରେ ରାଜି ହୋଇଥିଲା ସେ।ମୋର ପ୍ରେମିକା ଥିଲା। 

       ହୃଦୟ ନ ଚିହ୍ନି ତାକୁ ହୃଦୟ ସମର୍ପି ଥିଲି।ମଣିଷ ନ ଚିହ୍ନି ତାକୁ ମନ ବିକିଥିଲି।ସେ ଖୁବ୍ ଖେଳିଲା ମୋ ସହିତ।ଖୁବ୍ ହଜିଲା ମୋ ଭିତରେ।ଶେଷରେ ଦିନେ ମୋତେ ରାସ୍ତା କଡ଼କୁ ଫିଙ୍ଗି ଦେଇ ଆଉ ଜଣକ ସାଥିରେ ଚାଲିଗଲା।ପ୍ରତାରିତ ପ୍ରେମ ଓ ଭଙ୍ଗା ହୃଦୟକୁ ସାଥୀ କରି ମୁଁ ବଞ୍ଚିଲି। 

       ହେଲେ ଏବେ ଇଏ ଆତ୍ମହତ୍ୟା ଉଦ୍ୟମ କରୁଥିଲା କାହିଁକି?କ'ଣ ସୁଖୀ ନ ଥିଲା? 


       ଏ ପ୍ରଶ୍ନ ମୋ ମନକୁ ଆନ୍ଦୋଳିତ କଲା। 


       ସୁଖୀ ହେବ ନାହିଁ ବୋଲି ମୁଁ ତ କେବେ ତାକୁ ଅଭିଶାପ ଦେଇ ନ ଥିଲି?ବିନା ଅଭିଶାପରେ ବି ସେ ସୁଖୀ ହେଲାନାହିଁ?କାହିଁକି ହେଲାନାହିଁ? 


       ପୁଣି ଏସବୁ ପ୍ରଶ୍ନ ମୋ ମନକୁ ଆସିଲା।ମୁଁ ବିସ୍ମିତ ହେଲି । 


       ମୋର ଏବେ ମନେପଡ଼ିଲା ଏକଦା ସେ ମୋତେ କହିଥିବା କିଛି କଥା।କହିଥିଲା - ' ଶୁଣ,ତୁମେ ତୁମ ସ୍ତ୍ରୀକୁ ବିଦା କରିଦିଅ।ମୁଁ ପୁଣି ତୁମ ପାଖକୁ ଫେରିବାକୁ ଚାହେଁ।ମୋତେ ତାଙ୍କ ପାଖରେ ଆଦୌ ଭଲଲାଗୁନି।ରାତି ରାତି ନିର୍ଜନତା କେତେ ସହିବି? ' 


       ହେଲେ ତା'ର ଏସବୁ କଥାକୁ ମୁଁ ହସରେ ଉଡ଼ାଇ ଦେଇଥିଲି ସେଦିନ।କିଛି ଭୁଲ୍ କରିଛି ଭାବୁ ନ ଥିଲି।ବୁଝିଥିଲି ସେ ତା'ର ଦାମ୍ପତ୍ୟରେ ଆଦୌ ସୁଖୀ ନାହିଁ ବୋଲି।ପରେ ମୋତେ ଖୁବ୍ ଅଭିଶାପ ଦେଇଥିଲା ସେ।ମୁଁ ଆଦୌ ସୁଖୀ ହେବିନି ବୋଲି କହିଥିଲା। 


       ଦାମ୍ପତ୍ୟକୁ ସୁଖପୂର୍ଣ୍ଣ କରିବା ନିଜ ହାତରେ ଥାଏ।ରୂପଗୁଣର ଝିଅଟିଏ ଜୀବନସାଥୀ ରୂପେ ପାଇ ମୁଁ ତାହା କରିପାରିଥିଲି।ମୋ ସ୍ତ୍ରୀ,ପିଲାଙ୍କ ସହ ମୁଁ ସୁଖରେ ଥିଲି।ତା'ର ଅନ୍ୟାୟ ଅଭିଶାପ ଆଦୌ ଫଳି ନ ଥିଲା ମୋ ଜୀବନରେ।ମୁଁ ତାକୁ ଆଦୌ ଗୁରୁତ୍ୱ ଦେଉ ନ ଥିଲି।ହେଲେ ଏକଥା ସ୍ବୀକାର କରିବାକୁ ମୁଁ ଆଦୌ ପଛାଉ ନ ଥିଲି ଯେ ଏକଦା ସେ ମୋର ଖୁବ୍ ଅନ୍ତରଙ୍ଗ ପ୍ରେମିକା ଥିଲା ବୋଲି। 


       ତା'ର ଆତ୍ମହତ୍ୟା ଉଦ୍ୟମରୁ ଏବେ ସ୍ପଷ୍ଟ ପ୍ରମାଣିତ ହୋଇଗଲା ଯେ ବାସ୍ତବରେ ନିଜ ଦାମ୍ପତ୍ୟରେ ସେ ସୁଖୀ ନ ଥିଲା।ମୋର ମନେହେଲା ଯେମିତି ସେ ନିଜେ ହିଁ ଭୋଗୁଛି ତା' ନିଜ କର୍ମର ଫଳ,ନିଜର ଅଭିଶାପ। ହାୟ , ଯେ ପାଞ୍ଚେ ପର ମନ୍ଦ . . । 


       - ' ତୃଷ୍ଣା ମିଶ୍ର, ତୁ ବଞ୍ଚି ରହ।ତୋତେ ଆହୁରି ଭୋଗିବାକୁ ଅଛି।ଆଉ ଶୁଣ୍,କେବେ ବି ମୋ ଦାମ୍ପତ୍ୟରେ କୁ ନଜର ପକାଇବୁନି।ସେଥିରେ ଅନଧିକାର ଦଖଲ୍ ଦେବାକୁ ଇଚ୍ଛା କରିବୁନି ମଧ୍ୟ। ' 


       ଯିଏ ଯାହା ଭାବୁ ପଛେ, ଏବେ ତୃଷ୍ଣା ମିଶ୍ର ଉଦ୍ଦେଶ୍ୟରେ ଏଇ କଥା ହିଁ ମୋ ପାଟିରୁ ବାହାରିଗଲା।ତା' ସଂପର୍କିତ ଖବରଟି ପଢ଼ି ମୋତେ ଟିକେ ବି ଦୁଃଖ ଲାଗିଲାନି।ନା,ଟିକେ ବି ନୁହେଁ।


Rate this content
Log in

Similar oriya story from Tragedy