ତଳ ବରଡା ବେଳ ଆସିଛି
ତଳ ବରଡା ବେଳ ଆସିଛି


ନିଜ ବୋଉକୁ ସିନା କୌଣସି ମତେ ଭାଲେଣ୍ଟାଇନ ଡେ ର ଅର୍ଥ ବୁଝେଇ ଦେବାକୁ ଯାଇ ସୋନି କହିଦେଇଥିଲେ ବୁଝିପାରୁନୁ କଣ ମ ବାପା ଓ ମାଆମାନଙ୍କ ଭିତରେ ଥିବା ପ୍ରେମ ହିଁ ଭାଲେଣ୍ଟାଇନ ଡେ. ଯେମିତି ମାତୃ ଦିବସ ଓ ପିତୃ ଦିବସ ସେମିତି ଵାପା ମାଆଙ୍କ ଭିତରେ ଥିବା ସମ୍ବନ୍ଧ ଓ ସମ୍ପର୍କକୁ ମାନ୍ୟତା ଦେଇ ଗୋଟେ ଦିନ ରଖାଯାଇଛି ଭାଲେଣ୍ଟାଇନ ଡେ ନାମରେ. ଲାଜ ଲାଜ ହୋଇ ସେ ବୟସରେ ବି ବୋଉ କହିଥିଲା ଏ ପରଦା ପଛର ପ୍ରେମକୁ ଷ୍ଟେଜ ଆଗକୁ ନେବା କଣ ଦରକାର ଯେ!ଦରକାର ହେବନି କେମିତି କହିଲୁ ବୋଉ!ସେଇ ଦିନଟା ନରହିଲେ କି ନପାଳିଲେ ଦାମ୍ପତ୍ୟ ଫାଟ ସୃଷ୍ଟି ହୋଇ କୋର୍ଟ କଚେରୀ ଯାଏଁ କଥା ଯାଉଛି ପରା. ଏଥର ବୋଉ ବୁଝିଯାଇଥିଲା ଓ ପଚାରିଥିଲା ତେବେ ମତେ କଣ କରିବାକୁ ହେବ ଝିଅ?କିଛି ନାହିଁ ମ ସେଇ ଯେମିତି ସବୁଦିନ ବାପାଙ୍କ ମନକଥା ବୁଝି ନଅ ତରକାରୀ ଛଅ ଭଜା କରିବା ସହ ତାଙ୍କ ଲୁଗା ଗାମୁଛା ଗଞ୍ଜି ସଫା କରି ଧୋଉ ଓ ଠିକ ସମୟରେ ପିକଦାନୀ ଧୋଇବା ସଙ୍ଗେ ପାନଖିଲ ଭାଙ୍ଗି ଥରକୁ ଥର ପାନଡ଼ିବା ଭରି କରୁ ସେମିତି ସବୁ. ତା ଭିତରେ ବାପା ଯୋଉ ସାହିତ୍ୟ ସଭା କରିବାକୁ ଏଠି ସେଠି ପଇସା ଦେବାରୁ ତାଙ୍କୁ ବିରକ୍ତ ହେଉଛୁ ସେତକି ଅନ୍ତତଃ ଏ ଫେବୃଆରି ମାସଟାରେ କରିବୁନି. ସେତିକି କରିଦେଲେ ହେବ ତ?ହଁ,ତା ଛଡା ତାଙ୍କ କଣ୍ଠ ସଂଗୀତକୁ ଘାଗଡା ନକହି ଟିକେ ପ୍ରଶଂସା କରିଦେବୁ. ସବୁ ସ୍ୱାମୀମାନେ ପରା ତାଙ୍କ ଦଶ ଦୋଷଗୁଣ ଥାଇ ମଧ୍ୟ ପ୍ରଶଂସା ପ୍ରିୟ. ହଁ ଲୋ ଝିଅ ତୋ ବାପା ସକାଳୁ ସକାଳୁ ଉଠି ନିଜ ରଚିତ କବିତା, ଗୀତକୁ ଏମିତି ଉଚ୍ଚ ସ୍ୱରରେ ଆବୃତ୍ତି କରି ବୋଲନ୍ତି ବୋହୁ ଗୁଡା କଣ ପୁଅମାନେ ମଧ୍ୟ ଦିନେ ଅଧେ ଘରକୁ ଆସି ଟିକେ ଶୋଇପାରନ୍ତି ନାହିଁ ବୋଲି ମୁଁ ସିନା ତାଗିଦା କରେ ହେଲେ ତୋ ବାପାଙ୍କ ସେହି ଗୁଣ ଯୋଗୁଁ ସେ ସମାଜ, ସାଙ୍ଗସାଥୀ ଭିତରେ ଆଦୃତ. ସତେଲୋ ଝିଅ ଆଉ କିଛି କହିବିନି.ଏ ବୟସରେ ଛାଡ଼ପତ୍ର ପରି କିଛି ଅଘଟଣ ହେଲ
େ, ନା ତୁମମାନଙ୍କ ଘରକୁ ଯାଇପାରିବି ନା କାହାକୁ ମୁହଁ ଦେଖେଇପାରିବି ବରଂ ଆଉ କଣ କଣ କରିବାକୁ ହେବ କହିଦେଇ ଯାଆ ଝିଅ କହିଥିଲା ବୋଉ.
ଆଜି ନାତୁଣୀଟା ତାଙ୍କୁ ଚକମା ଦେଖାଇ, ଆଜି ହଗ ଡେ, ଆଜି ରୋଜ ଡେ କହି କୁଆଡେ ଯିବାରୁ ଅଟକାଇଲେ କହୁଛି. ତୁମ ଯୁଗ ଅଲଗା ଥିଲା ଜେଜେମା. ପରିବର୍ତ୍ତନଶୀଳ ହେଉଛି ଦୁନିଆଁର ଅନ୍ୟ ନାମ. ତୁମ ପ୍ୟାରେଣ୍ଟସଙ୍କ ପାଇଁ ଆଖି ହିଁ ଥିଲା କ୍ୟାମେରା. ଆଖି ମାଧ୍ୟମରେ ସେ ସମୟର ପ୍ରେମର ଭାବ ବିନିମୟ ଚାଲିଥିଲା ବେଳେ ତୁମ ବେଳକୁ କୋଡାର୍କ କ୍ୟାମେରାର ଅଦଭୂତ ଶୈଳୀ ଦେଖିଥିଲ ଆଉ ଏବେ ତ ଡିଜିଟାଲ ଯୁଗ ନା! ତୁମେ ମାନିନେଲେ ଶାନ୍ତିରେ ରହିବ ଆଉ ନମାନିଲେ ଖାଲି ଆଶାନ୍ତି. ଏଇ ଦେଖୁନ ସେଇଥିପାଇଁ ଜେଜେ ତୁମ ସଙ୍ଗେ ଖିଟପିଟ ହେଉଛନ୍ତି. ପ୍ରେମିକ କବି ମାୟାଧର ମାନସିଂହଙ୍କ 'ତୁମେ 'କବିତାର ପଂକ୍ତିଗୁଡିକ ତୁମ ଯାଏଁ ସୀମିତ ଥିଲା ଜେଜେମା. ଏଇଟା ପରା ଡିଜିଟାଲ ଯୁଗ. ଦେଖାଚାହାଁ ନହୋଇ ମଧ୍ୟ ପ୍ରେମ ହୋଇପାରୁଛି ମିଡ଼ିଆରେ . ପୁଣି ତୁମେ ବଦଳରେ ସ୍ୱାମୀ ସ୍ତ୍ରୀ ପରସ୍ପରକୁ ବାବୁ ଡାକିଲେଣି. ଆଉ ତୁମେ ସେତକ ନବୁଝି ଜେଜେଙ୍କୁ ଟିକେ ଟିକେ କଥାରେ କହୁଛ ତାଙ୍କର କାଳେ ଭାବ ଥିଲା କାହା ସଙ୍ଗେ ବିବାହ ପୂର୍ବରୁ . ଥାଉ ଜେଜେମା, ତୁମର ଅସୁବିଧା କଣ!ତୁମ ହାତରେ ମଧ୍ୟ ମୋବାଇଲ. ତୁମେ ମଧ୍ୟ ସ୍ବାଧୀନ ଭାବେ ଭାବ ପ୍ରୀତି ବଢ଼େଇପାରିବ ତୁମ ମନ ବୁଝିଲା ଯାଏଁ କହି ଗୋଲାପ ତୋଡ଼ା ନେଇ ରୁବି ଘରୁ ବାହାରି ଯାଉଥିଲା ନିଶଙ୍କୋଚରେ ତ ଆଁ କରି ଚାହିଁଥିଲେ ଜେଜେମା ସୋନି. ପୁଅକୁ ଫୋନ କରି କହିବାରୁ ସେ କହିଥିଲା ତୁ ବ୍ୟସ୍ତ ହୁଅନା ମାଆ ମୁଁ ତାକୁ ବୁଝେଇଦେଵି ସିଏ ବରଂ ରେଲେସନସିପରେ ରହୁ କିନ୍ତୁ ତୋ ଅନୁମତି ଓ ଆଶୀର୍ବାଦ ନେଇ. କଥାଟା ବୁଝିବାକୁ ଯାଇ କାଠ ପାଲଟି ଯାଇଥିଲେ ସୋନି.ବୋହୁକୁ କଣ ଅବା କହନ୍ତେ ସୋନି ତାକୁ ତ ବୋହୁ ରୂପେ ମାନିନେବାକୁ ସେ ବାଧ୍ୟ ହୋଇଥିଲେ ଦିନେ.