Sanjya Tripathy

Classics

4.5  

Sanjya Tripathy

Classics

ତିନିବନ୍ଧୁଙ୍କର କାହାଣୀ

ତିନିବନ୍ଧୁଙ୍କର କାହାଣୀ

3 mins
379


ବହୁଦିନ ପୂର୍ବର କଥା । 

ନିର୍ଦ୍ଦିଷ୍ଟ ଏକ ସହରରେ ଗୋଟିଏ ସ୍କୁଲରେ ଗୋଟିଏ କ୍ଲାସରେ ତିନିଜଣ ସାଙ୍ଗ ପଢୁଥିଲେ । ସବୁବେଳେ ସେମାନେ ଗୋଟିଏ ବେଞ୍ଚରେ ହିଁ ବସୁଥିଲେ । ଅଭିନ୍ନ ହୃଦୟ । ପ୍ରଥମ ବନ୍ଧୁ ଜଣକ ବ୍ରିଲିୟାଣ୍ଟ । ଜୀବନରେ କେବେହେଲେ କୌଣସି ପରୀକ୍ଷାରେ ଦ୍ବିତୀୟ ହୋଇନାହାନ୍ତି । ସ୍କୁଲ କଲେଜ ୟୁନିଭର୍ସିଟି , ପ୍ରତିଟି ପରୀକ୍ଷାରେ ଟପ୍ପର । ସ୍ଫୁଲିଙ୍ଗ । ଦ୍ବିତୀୟ ବନ୍ଧୁ ଜଣକ ମଧ୍ୟମ ମେଧାର । କେବେହେଲେ କୌଣସି ପରୀକ୍ଷାରେ ଫେଲ୍ ହୋଇ ନାହାନ୍ତି କିନ୍ତୁ ମେଡାଲ୍ ମଧ୍ୟ ପାଇ ନାହାନ୍ତି କେବେ । କୌଣସି ମତେ କ୍ଲାସର ଗଣ୍ଡି ପାରି ହୋଇଛନ୍ତି । ତୃତୀୟ ଜଣକ ହାତ ସଫେଇରେ ଜିନିୟସ୍ । ସ୍କୁଲ ସମୟରୁ ବାଜେ ପିଲାମାନଙ୍କ ସହିତ ମିଶିବାର ଆରମ୍ଭ ହୋଇଯାଇଥିଲା । ସେହି ବୟସରୁ ଲୋକଙ୍କୁ ଠକି ଟଙ୍କା ଉପାର୍ଜନରେ ସିଦ୍ଧହସ୍ତ । ପାଠ ରୁ ବହୁ ଦୂରରେ । ତାଙ୍କୁ ପରୀକ୍ଷା ବେଳେ ବୈତରଣୀ ପାରି କରାଇବାର ଦାୟିତ୍ଵ ଅନ୍ୟ ଦୁଇଜଣ ସାଙ୍ଗଙ୍କ ଉପରେ । ତଥାପି କୌଣସି ଚିନ୍ତା ନାହିଁ। ସ୍କୁଲ ପାଖ କଲଭର୍ଟ ଉପରେ ବସି ଗୋଡ଼ ହଲାଇ ହଲାଇ ତିନିଜଣ ସାଙ୍ଗଙ୍କର ଆଡ୍ଡା ଜମୁଥିଲା ସ୍କୁଲ ପାଠ ସରିବା ପରେ ସମସ୍ତେ ନିଜ ନିଜ ବାଟରେ ଆଗେଇ ଗଲେ । ଏକଦା ସେମାନଙ୍କର ପାଠପଢ଼ା ଶେଷ ହେଲା ।

ପ୍ରଥମ ଜଣକ ଆରମ୍ଭରୁ ହିଁ ଜିନିୟାସ୍ ତେଣୁ ଇଞ୍ଜିନିୟରିଂ ସର୍ଭିସ ରେ ପ୍ରଥମ ସ୍ଥାନ ଅଧିକାର କରି ସରକାରୀ ଇଞ୍ଜିନିୟର ଭାବରେ ଅବସ୍ଥାପିତ ହେଲେ । ପରବର୍ତ୍ତୀ କାଳରେ ସେ ଭାରତୀୟ ରେଳ ର ଚିଫ୍ ଇଞ୍ଜିନିୟର ହୋଇଥିଲେ । ଦ୍ବିତୀୟ ଜଣକ ଫିଜିକ୍ସ ଅନର୍ସ ନେଇ ସ୍ନାତକ ହେବା ପରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କଲେ । କୃତକାର୍ଯ୍ୟ ମଧ୍ୟ ହେଲେ । ସରକାରୀ ଅଧିକାରୀ ଭାବରେ ନିଯୁକ୍ତ ହେଲେ । ଯେଉଁଦିନ ସରକାରୀ ଅଧିକାରୀ ଭାବରେ ଦାୟିତ୍ଵ ଗ୍ରହଣ କଲେ , ଅନେକ ବିଭାଗୀୟ କର୍ମଚାରୀ ଶୁଭେଚ୍ଛା ଜଣାଇବା ପାଇଁ ତାଙ୍କ ଚ୍ୟାମ୍ବର ରେ ଉପସ୍ଥିତ ହେଲେ । ଶୁଭେଚ୍ଛା ଜଣାଇବା ପାଇଁ ଆସିଥିବା ଅନେକଙ୍କ ଭିଡ଼ ଭିତରେ ଜଣେ ହାତରେ ଗେଣ୍ଡୁଫୁଲ ମାଳଟିଏ ଧରି ଛିଡା ହୋଇଥିଲେ । ତାଙ୍କୁ ଭିଡ ଭିତରେ ଦେଖି ନିଜ ଆସନରୁ ଉଠି ଆସିଲେ ଅଧିକାରୀ, ଦୁଇ ହାତରେ କୁଣ୍ଢେଇ ଧରିଲେ ଗେଣ୍ଡୁଫୁଲ ହାର ଧରି ଛିଡା ହୋଇଥିବା ବ୍ୟକ୍ତିଙ୍କୁ । ସମସ୍ତେ ଅବାକ୍ । ଗେଣ୍ଡୁଫୁଲ ହାର ହାତରେ ଧରି ଛିଡା ହୋଇଥିବା ଯୁବକ ଜଣକ ହେଉଛନ୍ତି ସ୍କୁଲ ଜୀବନରେ କଲଭର୍ଟ ଉପରେ ବସି ଗୋଡ଼ ହଲାଇ ହଲାଇ ଆଡ୍ଡା ମାରୁଥିବା ତିନିଜଣ ସାଙ୍ଗଙ୍କ ମଧ୍ୟରୁ ପ୍ରଥମ ଜଣକ । ଜିନିୟାସ୍ । ପ୍ରତ୍ୟେକ ପରୀକ୍ଷାରେ ଯିଏ ଟପ୍ପର ହେଉଥିଲେ । ସିଭିଲ ସର୍ଭିସ ପରୀକ୍ଷାରେ କୃତିତ୍ବ ଅର୍ଜନ କରି ଅଧିକାରୀ ଭାବରେ ନିଯୁକ୍ତ ହୋଇଥିବା ପିଲାଦିନର ମଧ୍ୟମ ମେଧାର ବନ୍ଧୁ ଙ୍କ ବିଭାଗର ଅଧସ୍ତନ କର୍ମଚାରୀ ତେଣୁ ଉପରିସ୍ଥ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁଁ ଆସିଛନ୍ତି ।

ତୃତୀୟ ବନ୍ଧୁ ଦୀର୍ଘଦିନ ବିଚ୍ଛିନ୍ନ । ସ୍କୁଲ ପରେ ଆଉ କଲେଜରେ ପାଦ ପକାଇ ନାହାଁନ୍ତି । ସେ ଜାଣିଥିଲେ ତାଙ୍କ ଦ୍ବାରା ପାଠ ହେବନାହିଁ । ମିଶିଥିଲେ ଗୋଟିଏ ରାଜନୈତିକ ଦଳରେ । ସଭା ସମିତି ରେ ଓଜସ୍ବିନୀ ବକ୍ତୃତା ଦେଇ ଲୋକଙ୍କୁ ମତାଇଦେଇ ପାରୁଥିଲେ । ଯଥା ସମୟରେ ଲୋକସଭା ନିର୍ବାଚନ ରେ ଟିକେଟ ପାଇଗଲେ । ନିର୍ବାଚନ ରେ ବିଜୟୀ ହୋଇ , ସାଂସଦ ହେଲେ । ତାପରେ କେନ୍ଦ୍ରୀୟ ମନ୍ତ୍ରୀ । ତାହା ଏକ ଉତ୍ତରଣ । ଘଟଣାକ୍ରମରେ , ସେଦିନ କଲଭର୍ଟ ଉପରେ ବସି ଆଡ୍ଡା ମାରୁଥିବା ସେହି ତିନିଜଣ ସାଙ୍ଗ ଗୋଟିଏ ବିଭାଗର ବିଭିନ୍ନ ପଦବୀରେ ଅବସ୍ଥାପିତ ହେଲେ । ପ୍ରଥମ ଏବଂ ଦ୍ବିତୀୟ ବନ୍ଧୁ , ତୃତୀୟ ବନ୍ଧୁଙ୍କ ଅଧୀନସ୍ଥ । ଏହା କୌଣସି କାଳ୍ପନିକ କାହାଣୀ ନୁହେଁ । ପ୍ରଥମ ଜଣକ ହେଉଛନ୍ତି , ଇ . ଶ୍ରୀଧରନ୍ , ଦ ମେଟ୍ରୋ ମ୍ୟାନ୍ ! ଯାହାଙ୍କର ଅବଦାନ ଫଳରେ ଆଜି ଦିଲ୍ଲୀ ର ମେଟ୍ରୋ ଧାଉଁଛି । ଦ୍ବିତୀୟ ଜଣକ ହେଉଛନ୍ତି , ଟି. ଏନ୍. ଶେଷାନ୍ । ଭାରତର ପ୍ରାକ୍ତନ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବରେ ଯିଏ ଅବସର ଗ୍ରହଣ କରିଥିଲେ । ନିର୍ବାଚନ ରେ ସଂସ୍କାର ପାଇଁ ଯାହାଙ୍କର ନାମ ଶ୍ରଦ୍ଧାର ସହ ଉଚ୍ଚାରଣ କରା ଯାଇଥାଏ । ତୃତୀୟ ଜଣକ, କେ . ପି . ଉନ୍ନିକୃଷ୍ଣନ୍ । ପାଞ୍ଚଥର ଲୋକସଭା ସଦସ୍ୟ ଏବଂ କେନ୍ଦ୍ରୀୟ ମନ୍ତ୍ରୀ ।

ତିନି ବନ୍ଧୁ । ଗୋଟିଏ ସ୍କୁଲ । ସମାନ ଶିକ୍ଷକ । କିନ୍ତୁ ଛିଡା ହେବାର ପଥ ଭିନ୍ନ । କୌଣସି ଈର୍ଷା ନ ଥିଲା ସେମାନଙ୍କ ଭିତରେ ଅନାବିଳ ବନ୍ଧୁତ୍ୱ ର ଅଧିକାରୀ ଥିଲେ ସେମାନେ ।


Rate this content
Log in

Similar oriya story from Classics