ସତସତିକା ବାହାଘର
ସତସତିକା ବାହାଘର
ସତସତିକା ଏମିତି ଦିନେ ଘଟିବ ଭାବିନଥିଲା ମାଆ ସୁଭଦ୍ରା। ସ୍ୱାମୀ ବିଦେଶ ଯାଉଛି କହି ଗଲା ଯେ ଗଲା ଆଉ ଫେରିବାର ନାମ ଧରିଲାନି। ପୁଅ ଝିଅ ଦୁଇଟିଙ୍କୁ ବଢ଼ାଇବାରେ କେତେ ଯେ କଷ୍ଟ କରିଛି ସୁଭଦ୍ରା ହିଁ ଜାଣେ। ବାବୁଘରେ ବାସିପାଇଟି କରି ଜୀଵନ କାଟୁଥିବା ସୁଭଦ୍ରା କିନ୍ତୁ ଗୋଟେ ବର୍ଷ ରଜରେ ତାଙ୍କ ଝିଅ ବାହାଘର ବେଳେ ମାଆ ସାଆନ୍ତାଣୀଙ୍କ ସହ ଖୁବ କାନ୍ଦିଥିଲା। କାରଣ ବିଦା ହେଉଥିବା ବାବୁଘର ଝିଅ ଅଳକା ଜାଗାରେ ସେ ତା ଝିଅ ମାଳକୁ ଭାବି ନେଇଥିଲା। ମାଳ ବଡ଼ ହେଲାଣି। ଏମିତି ପ୍ରତିବର୍ଷ ରଜ ଆସିବା ପୂର୍ବରୁ ମାଆ ସୁଭଦ୍ରା ମାଳ ପାଇଁ କେତେ କଥା କରିବ ଭାବି ବସେ। ଯେମିତିକି କେବେ ନୂଆ ଡ୍ରେସ କିଣିଦେଵ ଭାବେ ତ କେବେ ଚପଲ କେବେ କିଛି ନହେଲେ ନାକଫୁଲ କିଣିବ ଭାବେ ତ କେବେ ପୋଡପିଠା କରି ଗାଁର ସବୁ ଝିଅଙ୍କୁ ଖାଇବାକୁ ଡାକି ମାଳ ମନ ଖୁସି କରିବାକୁ ଭାବେ କିନ୍ତୁ ଭାବିବା କଥା କେବେ ସତ ହେଉନଥିବା ବେଳେ ମାଳ ପାଇଁ ସତସତିକା ଦୋଳି ବାନ୍ଧେ ସାନଭାଇ। ସେଇ ଦୋଳିରେ ବସି ବାବୁଙ୍କ ଝିଅ ଅଳକାର ପୁରୁଣା ଡ୍ରେସ ଓ ଚପଲ ପିନ୍ଧି ମଧ୍ୟ ଖୁସି ହୁଏ ମାଳ। ଭାଇ ତାର ସାନ ହେଲେ କଣ ହେଲା ଗଛରେ ଚଢି ତା ପାଇଁ ଦୋଳି ବାନ୍ଧିଛି ରାଜୁ। ଏତିକିରେ ସିନା ମାଳ ଖୁସି ହୋଇଯାଏ କିନ୍ତୁ ଖୁସି ହୋଇପାରେନା ମାଆ ସୁଭଦ୍ରା। ଦିନକୁ ଦିନ ବଢୁଥିବା ମାଳକୁ ହାତକୁ ଦିହାତ କରିବାକୁ ପଡିବ ନିଶ୍ଚୟ। ମାଆ ପାଖରେ ଥିଲା ବେଳେ ଯୋଉ ଝିଅ ରଜ କରିନି କି କୁମାର ପୂର୍ଣ୍ଣମୀରେ ଚାନ୍ଦ ଖାଇନି ତା ପାଇଁ ବୋହୁ ହେବା ପରେ କଣ ଯେ ଥିବ ଭାଗ୍ୟରେ କିଏ କହିବ! ସେଇଥିପାଇଁ ବାବୁଘର ଝିଅ ବିଦାବେଳେ ସୁଭଦ୍ରା କାନ୍ଦୁଥିଲା ଝର ଝର। ସତେ ଯେମିତି ସୁଭଦ୍ରା ଆଖିରେ ମୌସୁମୀ ଗଙ୍ଗା ଯମୁନା ହୋଇ ଓଦା କରୁଛି ମାଟି। ଉର୍ବର କରୁଛି ଚାଷ ଜମି।
ଅଳକା ଯିବା ପରେ ସାଆନ୍ତାଣୀ କିନ୍ତୁ ଅଳକାର ସିଲେଇ ମେସିନଟିକୁ ସୁଭଦ୍ରାକୁ ଦେଇ କହିଥିଲେ ନେ ତୋ ଝିଅ ମାଳ ପାଇଁ। ପାଠ ଦି ଅକ୍ଷର ପଢ଼େଇ ପାରିନୁ ଝିଅକୁ ବୋଲି ମନଦୁଃଖ କରନା। ବିଦ୍ୟା ବୁଦ୍ଧି ଥିଲେ ଜ୍ଞାନ ଆସେ ଆପେ ଆପେ। ସିଲେଇ ଶିଖି ଝିଅ ବୋହୁଙ୍କ କାମ କଲେ ତା ପଇସା କିଏ ଖାଇବ। ସତସତିକା ବାବୁଆଣୀଙ୍କ ତୁଣ୍ଡ ସୁତୁଣ୍ଡ ହେଲା। ଅଳପ ଦିନରେ ସବୁ ସିଲେଇ ଶିଖି ଝିଅ ମାଳ ଉପାର୍ଜ୍ଜନ କଲା। ମାଆ ସୁଭଦ୍ରା ଯାହା କରିପାରୁନଥିଲା ଝିଅ ମାଳ ମାଆ ପାଇଁ ସାବିତ୍ରୀକୁ ନୂଆ ଶାଢ଼ୀ,ଚୁଡ଼ି, କାନଫୁଲ ଓ ନାକଫୁଲ କିଣିଦେଲା ତ ସୁଭଦ୍ରା ସୁଉଁ ସୁଉଁ ହେଲା। ସ୍ୱାମୀ ଥିବା ସ୍ତ୍ରୀ ଲୋକଟା କାନ୍ଦୁଛୁ କାହିଁକି ମାଆ କହି ମାଳ ବୁଝାଉଥିଲା ଖୁବ। ଆଉ ନିଜେ ରଜକୁ ପାଦରେ ଅଳତା ନାଇ, ପାଉଁଜି ପିନ୍ଧି, ନୂଆ ଶାଢ଼ୀ ପିନ୍ଧି ଭାଇ ବାଡ଼ିପଟ ଆମ୍ବ ଗଛରେ ଦୋଳି ଖେଳୁ ଖେଳୁ କୁଆଡେ ଉଭାନ ହୋଇଗଲା। ଘରର ଶିରୀ ତୁଟିଗଲା। ରଜ ଯାଇ ରଜ ଆସୁଥିଲା କିନ୍ତୁ ସୁଭଦ୍ରାମାଆ ଆଖିରୁ ଧାରା ଶ୍ରାବଣ ଶୁଖୁ ନଥିଲା। କିଏ କହୁଥିଲା କଣ୍ଟ୍ରାକ୍ଟରବାବୁ ମାଳକୁ ଶିଖେଇ ନେଇଗଲା ତ କିଏ କହୁଥିଲା ମାଳ ଭୁବନେଶ୍ୱରରେ ଅଛି। ସାନଭାଇ ରାଜୁ ଦିନେ କେତେ ଭୁବନେଶ୍ୱରରେ ଖୋଜିଲା ଅପା ମାଳକୁ ହେଲେ ମାଳ ଶୂନ୍ୟରେ ଉଭେଇ ଯାଇଥିଲା ଯେମିତି।
ଏ ସନ ରଜରେ ମା ସୁଭଦ୍ରା ବହୁନା ପକାଉଥିଲା କୁଆଡେ ଗଲୁଲୋ ମୋ ମାଳ। ପୋଡପିଠା ଖିଲିପାନ ଖାଇ କିଏ ଝୁଲିବ ଦୋଳି ଲୋ ମୋ ଝିଅ ମାଳ। ତୋ ଯୋଗୁଁ ସିନା ପୁରିଥିଲା ମୋ ଗରୀବ କୁଡ଼ିଆ ଥାଳ ଲୋ ମୋ ମାଳ। ସୁଭଦ୍ରା ଦେଖିଲା ହଠାତ ତା ପୁଅ ରାଜୁ ରଜ ସଜବାଜ ଦିନ ସକାଳୁ ସକାଳୁ ନିଶ ଦାଢ଼ି କାଟି ମାଳ ପାଇଁ ସାଇତା ରଜ ଡ୍ରେସ ସହ କାନଫୁଲ, ନାକଫୁଲ, ହାର ଇତ୍ୟାଦି ନକଲି ଗହଣା ପିନ୍ଧି ପହିଲି ରଜ ଦିନ ବାହାରିଗଲା ବେଳେ ସୁଭଦ୍ରା ପୁଅକୁ କାବା ହୋଇ ଚାହିଁଥିଲା। ପୁଅ ରାଜୁ କହୁଥିଲା ମାଳ ଅପାକୁ ଖୋଜିବା ଓ ଘରର ଥାଳ ପୁରାଇବାକୁ ମୁଁ ଯାଉଛି ମାଆ। ମାଆ କେତେକଣ ଭାବୁଥିଲା ରାଜୁକୁ ଏ ବେଶରେ ଦେଖି। କିଏ କହୁଥିଲା ତା ପୁଅ ରାଜୁ ଗୋଟେ ଛକା ଅର୍ଥାତ ହିଞ୍ଜିଡା। ସୁଭଦ୍ରା ଗାଳି ଦେଉଥିଲା ଗାଁ ଟୋକାଙ୍କୁ ସିନା ହେଲେ ଭାବୁଥିଲା ସେ ଯିବ ଏଥର ଭୁବନେଶ୍ୱର ପଡା। ଖୋଜିବ ଝିଅ ମାଳକୁ ଓ ଜାଣିବ ପୁଅର ଏ ବେଶର ରହସ୍ୟ। କିନ୍ତୁ ସେହି ବର୍ଷ ରଜ ସଂକ୍ରାନ୍ତି ଦିନ କରି ମାଳ ଫେରିଥିଲା ଘରକୁ। ମିଶନ ଶକ୍ତିର ସଭାନେତ୍ରୀ ହୋଇ ଗାଁକୁ ଗାଁ ବୁଲି ଝିଅ ବୋହୁମାନଙ୍କୁ ସିଲେଇ ଶିଖେଇବା ସହ ବଡି, ଆଚାର, ପାମ୍ପଡ଼ ତିଆରି କରିବା ଶିକ୍ଷାଦେବା କଥା ଶୁଣି ମାଳ ଯେତିକି ଖୁସି ହୋଇଥିଲା ଭାଇର ହିଞ୍ଜଡ଼ା ବେଶ ଧରି ଘରୁ ପଳାୟନ କରି ଅପା ମାଳକୁ ଖୋଜିବାର ଏ ଅଭିନଵ ଉପାୟ ଆପଣେଇବା ସେତିକି ଦୁଃଖ ଦେଲାବେଳେ ପୁଅ ରାଜୁ ମଧ୍ୟ ଫେରିଥିଲା ଶେଷ ରଜ ଦିନ ଓ କହିଥିଲା ସେଇ ବେଶ
ରେ ରହି ଝିଅ ପିଲାମାନଙ୍କୁ ହଇରାଣ କରୁଥିବା ପୁଅପିଲାମାନଙ୍କୁ ଧରାଇଦେବା ତାଙ୍କ ମିଶନର କାମ। ମାଆ ସୁଭଦ୍ରା ଗୋଡ଼ ଦଶହାତରେ ପଡୁଥିଲା ବେଳେ ଯାହା କରୁଛ କର କିନ୍ତୁ ଘରେ ଜଣେଇକି ଯାଅ କହିବା ସହ ସୁଭଦ୍ରାକୁ ରଜରେ ଶୁଭୁଥିଲା ବନସ୍ତେ ଡାକିଲା ଗଜ ଗୀତର ସ୍ୱର ଧୁନ। ଭଉଣୀ ମାଳ କହୁଥିଲା ମୋ ପାଇଁ ଦୋଳି ବାନ୍ଧ ରାଜୁ। ଦୋଳି ଖେଳି ଗାଇବି ସେଇ ଗୀତ,ବନସ୍ତେ ଡାକିଲା ଗଜ। ସତକୁ ସତ ମୌସୁମୀ ବରଷା ଭିଜେଇ ଦେଇଥିଲା ମାଟିମାଆକୁ। ଆଉ କାନ୍ଦୁଥିଲା ମାଆ ସୁଭଦ୍ରା। କାହିଁକି କାନ୍ଦୁଛ ମାଆ କହି ଝିଅ ମାଳ କାରଣ ପଚାରିବାରୁ ମାଆ ସୁଭଦ୍ରା କହିଥିଲେ ସଂସାରରେ ସଂସାରୀ ହୋଇ ତୁମେ ଦୁଇ ଭାଇ ଭଉଣୀ ବାହାଚୋରା ହୋଇ ସୁଖୀ ଜୀଵନ ବିତାଇଲେ ମୋ ମାଆ ମନ ଖୁସି। ସେଇଠୁ ମାଳ, ସୁଖୀ ଜୀଵନ ବିଷୟରେ ଏକ କାହାଣୀ କହିଥିଲେ। ଆଦି ଶଙ୍କରାଚାର୍ଯ୍ୟ ଜ୍ଞାନର ମୂର୍ତ୍ତିମନ୍ତ ଅବତାର ଥିଲେ। ବିଭିନ୍ନ ପ୍ରାନ୍ତରୁ ସ୍ବୀୟ ଜିଜ୍ଞାସାର ସମାଧାନ ଲାଗି ଶ୍ରଦ୍ଧାଳୁମାନେ ତାଙ୍କ ନିକଟକୁ ଆସୁଥିଲେ। ନିଜ ଭିତରେ ଉଙ୍କି ମାରୁଥିବା ପ୍ରଶ୍ନର ସୁସମାଧାନ କାରଣରୁ ସେମାନେ ହୃଷ୍ଟଚିତ୍ତରେ ଫେରୁଥିଲେ। ଥରେ ଜଣେ ଜିଜ୍ଞାସୁ ତାଙ୍କୁ ସାକ୍ଷାତ୍ କରିବାକୁ ଆସିଥିଲେ କିଛି ପ୍ରଶ୍ନର ଉତ୍ତର ପାଇବା ଆଶାରେ। ତାଙ୍କର ପ୍ରଥମ ପ୍ରଶ୍ନ ଥିଲା - ଗରିବ କାହାକୁ କୁହାଯିବ ?
ଆଚାର୍ଯ୍ୟ ଶଙ୍କରଙ୍କ ଉତ୍ତର ଥିଲା - ଯାହାଙ୍କ ତୃଷାର ସୀମା ସରହଦ ନାହିଁ ସେ ହିଁ ସବୁଠାରୁ ବଡ଼ ଦରିଦ୍ର। ଏ ଧରଣର ବ୍ଯକ୍ତି ଯେତେ ଅଧିକ ପାଇଲେ ବି କିଛି ପାଇ ନଥିବାର ଅଭିନୟ କରିଥାନ୍ତି। ତେଣୁ ମାନସିକ ଦାରିଦ୍ର୍ୟ କବଳିତ ହୋଇ ଅତି ଦୟନୀୟ ଭାବରେ ଦିନ କାଟିଥାନ୍ତି।
ଜିଜ୍ଞାସୁଙ୍କର ଦ୍ବିତୀୟ ପ୍ରଶ୍ନ ଥିଲା - ଧନଶାଳୀ କାହାକୁ କୁହାଯିବ ?
ଶଙ୍କରାଚାର୍ଯ୍ୟଙ୍କ ଉତ୍ତର ଥିଲା - ଯିଏ ସୁଖ, ଶାନ୍ତି, ସନ୍ତୋଷରେ କାଳାତିପାତ କରୁଛନ୍ତି ପ୍ରକୃତ ପକ୍ଷେ ସେ ହିଁ ଧନୀ। ସନ୍ତୋଷ ଠାରୁ ବଳି ଶ୍ରେଷ୍ଠ ଧନ ଏ ଦୁନିଆରେ କିଛି ବି ନାହିଁ। ଜିଜ୍ଞାସୁଙ୍କର ତୃତୀୟ ପ୍ରଶ୍ନ ଥିଲା - ସେହି ବ୍ଯକ୍ତି କିଏ? ଯିଏ ଜୀବିତ ଥିଲେ ବି ମୃତ ସମ ଗଣ୍ଯ ହୋଇଥାନ୍ତି ?ଶଙ୍କରାଚାର୍ଯ୍ୟ ଉତ୍ତରରେ କହିଥିଲେ - ଯିଏ ଉଦ୍ୟମହୀନ, ନିରାଶାରେ କାଳାତିପାତ କରୁଥାନ୍ତି ସେହି ବ୍ଯକ୍ତି ଜୀବିତ ଥିଲେ ବି ମୃତ ତୁଲ୍ୟ ଗଣ୍ଯ ହୋଇଥାନ୍ତି। ବାସ୍ତବ ସ୍ଥିତି ଅନୁଧ୍ୟାନ କଲେ ଆମେ ଦେଖିପାରିବା ଅତି ଦରିଦ୍ର ଲୋକଟିଏ ହସଖୁସି ଭିତରେ ମହା ଆନନ୍ଦରେ କାଳ କଟାଉଥିବା ବେଳେ ବିଚରା ଅସୀମିତ ତୃଷାର ଦାସ ହୋଇ ଧନୀ ବ୍ଯକ୍ତିଟିଏ ଘୋର ଅସନ୍ତୋଷ ଭିତରେ ଦିନ କଟାଉଛି। ଶାନ୍ତି-ସନ୍ତୋଷ ହିଁ ଦୁନିଆରେ ଶ୍ରେଷ୍ଠ ଧନ, ଯାହା ଧନ, ପ୍ରତିଷ୍ଠା, ପ୍ରତିପତ୍ତି ପଛରେ ଧାଉଁଥିବା ବ୍ଯକ୍ତିଟିଏ ସ୍ବ ଜୀବନକାଳ ଭିତରେ ପାଇ ପାରିନଥାଏ। ଆଉ ଆଳସ୍ଯ ନିରାଶାରେ କାଳାତିପାତ କରୁଥିବା, ନିରୁଦ୍ଯମୀ ବ୍ଯକ୍ତି ମୃତ ତୁଲ୍ୟ ଜୀବନ ନିର୍ବାହ କରିଥାନ୍ତି। ସେମାନେ ଏ ସଂସାରର ବୋଝ ସଦୃଶ୍ୟ। ଆଉ ଯିଏ ସନ୍ତୋଷ, ଶାନ୍ତି ଭଳି ମହାର୍ଘ ସମ୍ପଦର ଅଧିକାରୀ ସେ ପାର୍ଥିବ ସୁଖଲାଳସା ଭିତରେ ଧାଇଁ ଏହାକୁ ହାତଛଡା କରିନଥାନ୍ତି। ଏସବୁ କହି ଝିଅ ମାଳ ଓ ପୁଅ ରାଜୁ ମାଆ ସୁଭଦ୍ରାଙ୍କୁ କହିଥିଲେ ଏବେ କୁହ ମାଆ ଆମ ଭାଇ ଭଉଣୀଦୁହିଁଙ୍କ କର୍ତ୍ତବ୍ୟ କର୍ମ ପାଇଁ ତୁମେ କଣ ଖୁସି ନୁହଁ ?
ମାଆ ସୁଭଦ୍ରା ଏଥର ପାଟି ଖୋଲି କହିଥିଲେ ମୁଁ ମାଆ। ମାଆ ସର୍ବଦା ସନ୍ତାନମାନଙ୍କର ସୁଖ ଚାହେଁ। ସେ ସୁଖ ଗଡିଆସୁଥିବା ପ୍ରଚଳିତ ସୁସ୍ଥ ପରମ୍ପରା ଅନ୍ତର୍ଗତ। ମୋ ଝିଅ ମାଳ ଆଜି ଗାଁ ଗହଳିର କୋଣ ଅନୁକୋଣରୁ ଝିଅ ବୋହୁମାନଙ୍କୁ ଆତ୍ମନିର୍ଭରଶୀଳ କରି ଗାଁର ଓ ନିଜ ରାଜ୍ୟର ଗୌରବ ଆଣିଥିଲେ ମଧ୍ୟ ଘର ପରିବାରର ମର୍ଯ୍ୟାଦା ରକ୍ଷା କରିବାକୁ ସାମାଜିକ ନୀତି ନିୟମ ଉଲଂଘନ ନକରି ବିବାହ ବନ୍ଧନରେ ଆବଦ୍ଧ ହେବା ଉଚିତ। ସେହିପରି ପୁତ୍ର ରାଜୁ ମଧ୍ୟ ସାଂସାରିକ ନିୟମ ଅନୁଯାୟୀ କୂଳଧର୍ମ ରକ୍ଷା କରିବାକୁ ବିବାହ କରିବା ସହିତ ପୂର୍ବରୁ ନିଜ ଉପରେ, ନିଜ ପରିବାର ଉପରେ ଲାଗିଥିବା ସମସ୍ତ ମିଛର ମୁଳୋତ୍ପାଟନ ସହିତ ପରିବାରର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବା ସହ ନିଜ ଗାଁ, ରାଜ୍ୟ ଓ ଦେଶର ସୁରକ୍ଷା ପାଇଁ ଯୁବ ସମାଜକୁ ନିୟନ୍ତ୍ରିତ କରି ବୃଦ୍ଧ ବୃଦ୍ଧା, ବୁଲାଜନ୍ତୁ, ପକ୍ଷୀ, ପ୍ରକୃତିର ସମସ୍ତ ନଦୀ, ହ୍ରଦ, ବଣ, ପାହାଡ଼ର ସୁରକ୍ଷା ଦିଗରେ ଯତ୍ନବାନ ହୋଇ ଗୋମାତା ସେବାକୁ ପ୍ରାଧାନ୍ୟ ଦେଇ, ବୃକ୍ଷରୋପଣକୁ ଗୁରୁତ୍ୱ ଦେଇ,ମାତୃସ୍ଥାନୀୟ ଲୋକଙ୍କୁ ସମ୍ମାନ ଦେବା ଉଚିତ। ପୁଅ ରାଜୁ ଓ ଝିଅ ମାଳ ମାଆଙ୍କ କଥାରେ ରାଜି ହୋଇ ଏ ବର୍ଷ ରଜରେ ସତସତିକା ମାଆଙ୍କ କଥା ରଖି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।