ସତ କହିବାକୁ କିଆଁ ଡରିବି
ସତ କହିବାକୁ କିଆଁ ଡରିବି


ତରବରରେ ସ୍କୁଲ ବାହାରୁଥିବା ବେଳେ ଠାକୁରଙ୍କ ଭୋଗ ପୂଜା ପାଇଁ ସେଓ କାଟିବାକୁ ଛୁରୀ ଖୋଜି ଖୋଜି ବେଦମ ଓ ନାକେଦମ ହେଲା ପରେ ସେଇ ପିତ୍ତଳ ଥାଳିରେ ସେଓ କାଟି,ଥାଳିମାନଙ୍କରେ ଭୋଗ ବାଢି, ଆଉ ଖଣ୍ଡେ ଟୁକୁରା ଧରି ତୁଳସୀ ପୂଜା ଓ ଚଉରା ପୂଜା କରିବାକୁ ଛାତ ଉପରକୁ ଚଢିଲେ ମେଘା. ପୂଜା ସାରି ଧଡ଼ପଡ଼ ହୋଇ ତଳକୁ ଆସି ପୁଣି ଯାବତୀୟ କାମ ସାରୁ ସାରୁ ଦେଖିଲେ ପୂଜା ଥାଳିରେ ଭୋଗ ସେଓ ଗାଏବ. ଏତେ ଚଞ୍ଚଳ ଭୋଗ ଥାଳିରୁ କିଏ ନେଲା ଭୋଗ ଭାବି ଡାକ ଛାଡିଲେ ପୁଅକୁ, ଆ ଶୀଘ୍ର ଖାଇଲେ ସ୍କୁଲ ଯିବା. ତତେ ବାଟରେ ଛାଡ଼ି ମୁଁ ପୁଣି ମୋ ସ୍କୁଲରେ ପ୍ରାର୍ଥନା କ୍ଲାସରେ ଯୋଗ ଦେବି ଯେ.
ପୁଅ ରିଙ୍କୁ ଏତେବେଳେ ଛାତ ଉପରୁ ଓଲ୍ହେଇବା ଦେଖି ଆଶ୍ଚର୍ଯ୍ୟ ହୋଇ ମେଘା ପଚାରିଲେ, ଛାତ ଉପରେ ଏତେବେଳେ କଣ କରୁଥିଲୁ ରିଙ୍କୁ?? ମୁଁ ତ ତୋ ଡ୍ରେସ ୱାସିଂ ମେସିନରେ ପକାଇ ଧୋଇ ଧାଇ ଶୁଖାଇ ଦେଇଛି. ନାଇଁ ମାଆ ଗାଧେଇ ସାରି ତୁମେ କହିବା ଅନୁଯାୟୀ ସୂର୍ଯ୍ୟଙ୍କୁ ନମସ୍କାର କରି ଖରା ଖାଉଥିଲି ତ ସେଇଥିପାଇଁ. ହଉ ହଉ ଆସେ, ଡେରି ହେଲାଣି କହି ବାହାରିଗଲେ ମାଆ ପୁଅ ସ୍କୁଲ.ଫେରିଲା ବେଳେ ମେଘା ସ୍ୱାମୀଙ୍କୁ ଫୋନ କରି କହିଲେ ଛୁରୀ ଟିଏ ଆଣିବ? ଏତେ ଛୁରୀ ଥାଉ ଥାଉ ନିଅଣ୍ଟ ପଡିଲା ଛୁରୀ? ଆରେ ସେଗୁଡା ସବୁ ବ୍ୟବହୃତ. ପିଆଜ, ପରିବା, ଶାଗ ସହ ତେଲ, ଲୁଣ, ଜୀରା ହଳଦୀ ପ୍ୟାକେଟ ସବୁ ଖୋଲାଯାଏ ସେଥିରେ. ସେଇ ଗୋଟେ ଅଲଗା ଛୁରୀ ଠାକୁର ଘରେ ଥାଏ.କାହିଁ ମିଳୁନି ତ, ସେଇଥିପାଇଁ. ଏଁ ମିଳୁନି ମାନେ?? ଛୁରୀ ଭଳି ଜିନିଷ ନମିଳିବା ଜମା ଭଲ କଥା ନୁହେଁ. ରିଙ୍କୁ ଛୋଟ ପିଲା. ତା ହାତରେ ପଡିଲେ କଣ ଅବସ୍ଥା ହେବ?ସ୍ୱାମୀଙ୍କ ତାଗିଦାରେ ମାଆ ମେଘା ଯେବେ ପୁଅକୁ ପଚାରିଲେ ଛୁରୀ କଥା ସେ ଏକଦମ ଜାଣେନି ବୋଲି କହିଦେଲା. ଆଛା ଭୋଗ ଥାଳି ଭିତରୁ ଆପୁଲ ନେଇଥିଲୁ କି ଆଜି ତୁ?? ଛୁରୀ ଲଗାଇ କାଟି କୋଉଠି ରଖିଥିବୁ ଯଦି ଛୁରୀ?? ନା ନା ମାଆ, ଛୋଟ ସେଓ ଖଣ୍ଡ ଭୋଗ ଖାଇଲା ବେଳେ ଛୁରୀ କଣ ହେବ?? ସେଦିନର କଥା ଭୁଲିଗଲେ ମେଘା. ନୂଆ ଛୁରୀ ମଧ୍ୟ ଆସିଯାଇଥିଲା.
ଦୁର୍ଗା ପୂଜା ଛୁଟି ଆସିଯାଆଇଥାଏ. ଦଶହରାରେ ସଜ ପ୍ରସ୍ତୁତ କଲାବେଳେ ବହି,ଖାତା,ପେନ,ପେନସିଲ, ତାଳପତ୍ର, ଲେଖନୀ କଟୁରୀ ଇତ୍ୟାଦି ସହ ଛୁରୀ ଥୋଇଲା ବେଳେ ମନେପଡୁଥିଲା ହଜି ଯାଇଥିବା ଛୁରୀ କଥା. ପୂଜା ସାରିବା ପରେ ନିୟମିତ ପୂଜା ପାଇଁ ଛାତକୁ ଯାଇ ତୁଳସୀ ଦେବୀ ଓ ସୂର୍ଯ୍ୟଦେବଙ୍କୁ ପୂଜା କରିବା ସମୟରେ ଦେଖିଲେ ମେଘା ଛୁରୀଟିକୁ. ଡାକିଲେ ରିଙ୍କୁକୁ. ଦେଖେତ ବାବା, ଛୁରୀଟା ଏଇଠି ପଡିଛି କେମିତି? କାହିଁକି କେଜାଣି ମେଘାଙ୍କର ହୃଦବୋଧ ହେଲା ରିଙ୍କୁ ନିଶ୍ଚୟ ଛୁରୀଟିକୁ ଏଇଠି ପକାଇଛି. ସେଦିନ ସନ୍ଧ୍ୟାରେ ସଜ ଉଠେଇବା ବେଳେ ପୁଅକୁ କୋଳରେ ବସାଇ ଗଣେଷ ଦେବତାଙ୍କ ଜନ୍ମ ବେଳ କଥା କହି ଚାଲିଥାନ୍ତି ମେଘା. ମାତୃ ଭକ୍ତିର ପରାକାଷ୍ଠା ଦେଖାଇବାକୁ ଯାଇ ଗଣେଷ ତାଙ୍କ ନିଜ ମୁଣ୍ଡ ପିତା ଶିବଙ୍କ କ୍ରୋଧ ଦ୍ୱାରା ହରାଇ ଥିବା କଥା ଓ ପରେ ମାତାଙ୍କ କାକୁତି ମିନତି ଫଳରେ, ହାତୀର କଟାମୁଣ୍ଡ ଲାଗିବା କଥା ଇତ୍ୟାଦି ଶୁଣି ରିଙ୍କୁ ଆଖିରେ ଲୁହ ଆସିଯାଇଥିଲା.ତା ମନୋଭାବ ଜାଣି ରାତିରେ ମାଆ ମେଘା ରିଙ୍କୁକୁ, ଗାନ୍ଧୀଙ୍କ ପିଲାଦିନ କଥା କହିଥିଲେ. ପିଲାଦିନେ ସେ ଥରେ ବାପାଙ୍କ ପକେଟରୁ ପଇସା ଚୋରୀ କରି ସାରିବା ପରେ ମିଛ କହି ପରେ ଅନୁତାପ କରିଥିଲେ. ଆଉ ଜୀବନରେ କେବେ ମିଛ କହିବେ ନାହିଁ ବୋଲି କହିଥିଲେ. ସେଦିନ ରିଙ୍କୁ ଶୋଇ ପଡିଲା ସତ କିନ୍ତୁ ତା ଆରଦିନ ମା ପୂଜା ସାରିବା ପରେ ଭୋଗ ସେଓ ଖଣ୍ଡେ ଧରି ଉପରକୁ ଯିବା ଦେଖି ମାଆ ତା ପଛେ ପଛେ ଯାଇ ଦେଖିଥିଲେ ପୁଅ ରିଙ୍କୁ ସେହି ଛୁରୀ ସାହାଯ୍ୟରେ ଭୋଗ ସେଓ ଖଣ୍ଡକୁ ଛୋଟ ଛୋଟ କରି କାଟି, ପକ୍ଷୀମାନଙ୍କୁ ଖାଇବାକୁ ଦେଉଛି. ସେ ସୁନ୍ଦର ଦୃଶ୍ୟରେ ବିମୋହିତ ହୋଇ ମେଘା କାନ୍ଦି ପକେଇଥିଲେ. ପୁଅ ମଧ୍ୟ ମାଆଙ୍କୁ କୁଣ୍ଢେଇ ପକେଇ କହୁଥିଲା ଆଉ କେବେ ମିଛ କହିବିନାହିଁ ମାଆ.।