ସତ : ୧୦
ସତ : ୧୦
{୧}
ମା'ଙ୍କ ଲେଉଟାଣିରେ ;
ସତେଯେମିତି ମାସକତଳୁ ମା'ଙ୍କ ଆଗମନ , ମା'ଙ୍କ ଆଗମନ , କହିକହି , ଜନ୍ମେଇଥିବା ସବୁଯାକ ଉତ୍ସାହ ଏକବେଗ୍ ଖତମ୍ ଆଜିଠୁଁ !
ସତେକି , କାଶତଣ୍ଡୀର ଶ୍ୱେତ ଗାଲିଚା ସବୁ ଉଜୁଡି ଗଲା ଆଜିଠୁଁ !
ପାର୍ବଣର ସବୁଯାକ ମହକ ମଉଳି ଗଲା ଏବେଠୁଁ !
ବନ୍ଦ ହୋଇଗଲା କୋଳାହଳ , କଳରବ ଆଜିଠୁଁ !
{୨}
ସୁଲିମା ମରିଗଲା ଆଜି ସକାଳୁ । ଦି'ମାସ ହେଲାଣି ବିଛଣାରେ ପଡିଥିଲା । ତା'ର ନିଜର ବୋଲି ଅର୍ଦ୍ଧପାଗେଳି ଝିଅ ସୁଲି। ପାଗେଳି କିନ୍ତୁ ବୁଝିପାରିଥିଲାଯେ' ମା' ନାହିଁ ତ ସାହା ନାହିଁ । ଏଇକଥାକୁ ତା' ଛାତିଫଟା କାନ୍ଦରେ , ସମସ୍ତଙ୍କୁ ବତାଇ ଦେଇଥିଲା ।
ଧିରେଧିରେ , ବସ୍ତିଯାକ ଠୁଳ ହେଉଥିଲେ । ହେବେନି ବି କେମିତି ? ସୁଲିମା ସମସ୍ତିଙ୍କ ମା' ଥିଲା । ପାରିଲାଯାଏଁ ଭଲମନ୍ଦରେ, ବିନା ଡାକରାରେ ପହଞ୍ଚୁଥିଲା ଯାଇ ପର ଦୁଆରେ । ବିନା ପାଉଣାରେ ମୁରବୀ ସାଜି , କାମ ଉଠାଇ ଫେରୁଥିଲା ଘରକୁ ।
ସୁଲିମା କହେ , ପ୍ରକୃତରେ ଚଳଣିରେ ଅସୁବିଧା , ଥିଲାବାଲାଏ ଭୋଗନ୍ତି , ଗରିବ ଗୁରୁବାଙ୍କ ଅଡୁଆ କିଛି ନଥାଏ । ସେମାନେ ଭୋକ ସମ୍ଭାଳି ନିଅନ୍ତି ।
ସମସ୍ତେ ଚିନ୍ତା କରୁଥିଲେ ସୁଲିକୁ କିଏ ସମ୍ଭାଳିବ ଏବେ ? ମାନିବୋଉ କହୁଥିଲା , ବୁଢୀ ପରା ସବୁବେଳେ କୁହେ , ପାଗେଳିର ଆୟୁଷ ଆଗ ପୁରିଯା'ନ୍ତା କି !
ଯାହେଉ ସାହିଭାଇ ମିଶି ଉଠାଇନେଲେ ଶବକୁ। ପଛେପଛେ ଧାଉଁଥିବା ସୁଲିକୁ , ମାଇପିଏ ଭିଡ଼ି ଧରି ତୁଠକୁ ନେଇଗଲେ।
{୩}
ବଡ ପୋଖରୀର ଦୃଶ୍ୟ ଖୁବ୍ କରୁଣ ଥିଲା । ଗଲାକାଲି ଆଖପାଖ ଦୁର୍ଗାମା ମେଢ ସବୁ , ଏଇଠେଇ ବିସର୍ଜନ କରାଯାଇଥିଲା ।
ଆଠ ଦଶ ମୁର୍ତ୍ତିର ଖଣ୍ଡବିଖଣ୍ଡିତ ମୁଣ୍ଡ ଦେହ ପୋଖରୀ ସାରା ଭାସୁଥିଲା ।
ତିରୋଧାନ ଆଉ ବିସର୍ଜନ ଏକାକଥାକି ?
ତେବେ ମା'ମାନେ ଅମର ନହୋଇ, ମରିଯାନ୍ତି କାହିଁକି ???
ସୁଲିପାଗେଳି କଣ ବୁଝୁଥିଲା କେଯାଣି , ହୁଡା ଉପରେ ନାଚୁଥିଲା କହିକହି - ମା ମରିଗଲା , ମା ମରିଗଲା .....।
@ ଅମିୟ