Kulamani Sarangi

Classics

3  

Kulamani Sarangi

Classics

ସରଯୂ ନଦୀର ତୀରେ(୯୯)

ସରଯୂ ନଦୀର ତୀରେ(୯୯)

5 mins
164



ଶିଂଶପା ବୃକ୍ଷର ପତ୍ର ଆଢ଼ୁଆଳରେ ବସି ହନୁମାନ ସୁମଧୁର କଣ୍ଠରେ ରାମକଥା ଗାଉଥିଲେ। ଅଶୋକ ଗଛ ମୂଳରେ ବସି ମନ୍ତ୍ରମୁଗ୍ଧ ହୋଇ ସେହି ଅମୃତ ବାଣୀ ଶୁଣୁଥିଲେ ଜାନକୀ।ଭାବବିହ୍ବଳ ହୋଇ, ଲଳିତ କଣ୍ଠରେ ହନୁମାନ ଇକ୍ଷ୍ବାକୁ ବଂଶର ଗୌରବ ଗାଥା ସହିତ ଅଯୋଧ୍ୟାର ବିଭବ ଏବଂ ମହାରାଜା ଦଶରଥଙ୍କ ଗୁଣରାଜି ବର୍ଣ୍ଣନା କରିବା ଆରମ୍ଭ କରିଦେଲେ। ପୁତ୍ରହୀନ ଦଶରଥ କିପରି ପୁତ୍ରେଷ୍ଟି ଯଜ୍ଞରୁ ଚରୁ ଲାଭକରି ତିନି ରାଣୀଙ୍କ ମଧ୍ୟରେ ବାଣ୍ଟିଦେଲେ, କିପରି ଅଭିରାମ ଶ୍ରୀରାମ,ସୁଭରତ ଭରତ,ସଲକ୍ଷଣ ଲକ୍ଷ୍ମଣ ଓ ଶତ୍ରୁଜିତ ଶତୃଘ୍ନ ଜନ୍ମଲାଭ କଲେ; କିପରି କ୍ରତୁ ରକ୍ଷା ନିମନ୍ତେ ବିଶ୍ଵାମିତ୍ର ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ଦଣ୍ଡକାରଣ୍ୟକୁ ନେଇ ସେମାନଙ୍କ ହାତରେ ସୁବାହୁ ଓ ତାଡକାକୁ ବିନାଶ କଲେ ତାହା ଲଳିତ କଣ୍ଠରେ ଗାଉଥିଲେ ହନୁମାନ।ମନ୍ତ୍ରମୁଗ୍ଧ ହୋଇ ସେ ଅମୃତ ପିଇଯାଉଥିଲେ ଜନକ ନନ୍ଦିନୀ ସୀତା। 


ଶ୍ରୀରାମଙ୍କ ପାଦ ସ୍ପର୍ଶରେ ପାଷାଣୀ ଅହଲ୍ୟା ନାରୀରେ ପରିଣତ ହେବା, ଶିବ ଧନୁ ଭାଙ୍ଗି ଶ୍ରୀରାମ ସୀତାଙ୍କ ପାଣିଗ୍ରହଣ କରିବା ଏବଂ ଭରତ ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କର ଯଥାକ୍ରମେ ମାଣ୍ଡବୀ, ଉର୍ମିଳା ଓ ଶ୍ରୁତକିର୍ତ୍ତୀଙ୍କ ସହିତ ବିବାହ ବିଷୟ ବର୍ଣ୍ଣନା ଶୁଣି ଭାବବିହ୍ବଳ ହୋଇ ପଡିଲେ ଜାନକୀ।ଆଖିରୁ ବହି ଯାଉଥାଏ ଧାର ଧାର ଆନନ୍ଦାଶ୍ରୁ। ଭାବୁଥାନ୍ତି.. କେଉଁଠାରୁ ଭାସି ଆସୁଛି ଏ ମଧୁର ଗାୟନ !ଲଙ୍କାରେ କିଏ ପଢୁଛି ରାମନାମ !!


ଶିଂଶପା ଡାଳକୁ ଚାହିଁଲେ ସୀତା।ଧୀର ମଧୁର କଣ୍ଠସ୍ବରରେ ପୁଣି କହୁଛନ୍ତି ହନୁମାନ ... ସୀତାଙ୍କ ସହିତ ବିବାହ ନିର୍ବାହ ପରେ ବୀର ବାଦ୍ୟ ବଜାଇ ଅଯୋଧ୍ୟା ଫେରୁଥିଲେ ଦାଶରଥି; ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମ ଏହା ପ୍ରଭୁଙ୍କର ଅହଂକାରର ପ୍ରତୀକ ମନେକରି ନିଜ ଧନୁରେ ଗୁଣ ଚଢାଇବା ପାଇଁ ରାମଚନ୍ଦ୍ରଙ୍କୁ ଆହ୍ବାନ କଲେ।ଧନୁରେ ଗୁଣ ଚଢାଇବା ସଙ୍ଗେ ସଙ୍ଗେ ସେହି ବାଣରେ ପର୍ଶୁରାମଙ୍କ ଗର୍ବ ଖର୍ବ କଲେ ପ୍ରଭୁ ଶ୍ରୀରାମ। ବାର ବର୍ଷ ଅଯୋଧ୍ୟାରେ ସୀତାଙ୍କ ସହିତ ମଧୁର ଦାମ୍ପତ୍ୟ ବିତାଇବା ପରେ ପ୍ରଭୁ ଶ୍ରୀରାମ ଅଯୋଧ୍ୟାର ସିଂହାସନ ଆରୋହଣ କରିବାକୁ ଯାଉଥିଲେ।ମନ୍ଥରା ଦାସୀର କୁମନ୍ତ୍ରଣା ଯୋଗୁଁ ସୁମାତା କୈକେୟୀ କୁମାତାରେ ପରିଣତ ହେଲେ। ରାଜାଙ୍କଠାରୁ ସତ୍ୟକରାଇ ଶ୍ରୀରାମଙ୍କୁ ଚଉଦ ବର୍ଷ ପାଇଁ ବନବାସୀ କରାଇଲେ;ତାଙ୍କର ଇଚ୍ଛା ଥିଲା ପୁତ୍ର ଭରତଙ୍କୁ ସିଂହାସନରେ ଅଭିଷିକ୍ତ କରିବେ। କିନ୍ତୁ ରଘୁବଂଶର ମହାନତା ଦେଖ,ଦେବୋପମ ଭରତ ସିଂହାସନ ପ୍ରତ୍ୟାଖ୍ୟାନ କରି ଅଗ୍ରଜ ଶ୍ରୀରାମଙ୍କୁ ଅଯୋଧ୍ୟାକୁ ଫେରାଇ ନେବାକୁ ବନରେ ପହଞ୍ଚିଲେ।


ରଘୁକୁଳ ରୀତିର ଅପୂର୍ବ ନିଦର୍ଶନ ,ପ୍ରାଣ ଚାଲିଯିବ ପଛେ ଦେଇଥିବା ବଚନ ପାଳିତ ହେବ ହିଁ ହେବ।ପିତୃସତ୍ୟ ପାଳନକୁ ଅଗ୍ରାଧିକାର ଦେଇ ଭରତଙ୍କୁ ଅଯୋଧ୍ୟାକୁ ଫେରାଇ ଦେଲେ ରଘୁପତି। ଭ୍ରାତାଙ୍କ ପାଦୁକା ମସ୍ତକରେ ବହନକରି, ଅଶ୍ରୁଳ ନେତ୍ରରେ ଅଯୋଧ୍ୟାକୁ ଫେରିଗଲେ ଭରତ। ସେହି ପାଦୁକାକୁ ନନ୍ଦିଗ୍ରାମ ଠାରେ ସିଂହାସନରେ ଥୋଇ ପୂଜା କରୁଛନ୍ତି ଭରତ। ପ୍ରଭୁଙ୍କର ପ୍ରତିନିଧି ହୋଇ ରାଜ୍ୟ ଶାସନ କରୁଛନ୍ତି ସେହି ମହାତ୍ମା। 


ଏଣେ ପତ୍ନୀ ସୀତା ଓ ଅନୁଜ ଲକ୍ଷ୍ମଣଙ୍କ ସହିତ ବହୁ ପୁଣ୍ୟ ତୀର୍ଥ ଓ ଆଶ୍ରମ ଭ୍ରମଣ କରି ଦଣ୍ଡକାରଣ୍ୟରେ ଆନନ୍ଦରେ ନିବାସ କରୁଥିଲେ ରଘୁପତି। "ଜନସ୍ଥାନ"ର ରାକ୍ଷସମାନଙ୍କର ପ୍ରଭୁ ଶ୍ରୀରାମଙ୍କ ହାତରେ ବିନାଶ ପରେ ଲଙ୍କାପତି ରାବଣ ଛଦ୍ମବେଶରେ ଦେବୀ ସୀତାଙ୍କୁ ହରଣ କରି,ପୁଷ୍ପକ ବିମାନରେ ଲଙ୍କା କଟକକୁ ନେଇଗଲା।ମୁମୂର୍ଷୁ ପକ୍ଷୀ ଜଟାୟୁଙ୍କ ଠାରୁ ସୀତାଙ୍କ ହରଣ ବିଷୟରେ ସମ୍ବାଦ ପାଇ ପ୍ରଭୁ ରାମଚନ୍ଦ୍ର ଏବଂ ଲକ୍ଷ୍ମଣ ସୀତାଙ୍କୁ ଖୋଜି ଖୋଜି ଆସି ପହଞ୍ଚିଛନ୍ତି କିଷ୍କିନ୍ଧ୍ୟା କଟକରେ।" 


ଏତେ ସୁମଧୁର କଣ୍ଠରେ ରାମକଥା ଶୁଣି ବୈଦେହୀଙ୍କ ଆଖିରୁ ବହି ଯାଉଛି ଧାର ଧାର ଲୁହ।ବୃକ୍ଷର ଡାଳକୁ ନିରେଖି ଚାହିଁଲେ ସୀତା। ଆଃ କି ସୁନ୍ଦର ମର୍କଟଟିଏ ପତ୍ର ଆଢୁଆଳରେ ବସି,ଆଖିରୁ ଲୁହ ଝରାଇ ରାମକଥା ଗାୟନ କରୁଛି।ନବୋଦିତ ସୂର୍ଯ୍ୟଙ୍କ ଜ୍ୟୋତି ଯେମିତି ଝଲକି ଉଠୁଛି ତାର ମୁଖମଣ୍ଡଳରେ। ଆଶ୍ଚର୍ଯ୍ୟ ହୋଇ ସୀତା ଭାବିଲେ... ମୁଁ ସ୍ବପ୍ନ ଦେଖୁ ନାହିଁ ତ ! ଯାହା ଦେଖୁଛି ଆଉ ଶୁଣୁଛି,ତାହା କଣ ସତ ! ସବୁବେଳେ ପ୍ରଭୁଙ୍କ କଥା ଭାବି ଭାବି ସ୍ଵପ୍ନ ମଧ୍ୟ ମୋତେ ସତ ଲାଗୁଛି; କଥାରେ ଅଛି ସ୍ୱପ୍ନରେ ମର୍କଟ ଦର୍ଶନ କଲେ ବିପଦ ପଡେ।ହେ ପ୍ରଭୁ,ମୋ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ଭଲରେ ରଖିଥାଅ।"


ଆଉ ଥରେ ଭଲ ଭାବରେ ବୃକ୍ଷ ଡାଳକୁ ଚାହିଁଲେ ବୈଦେହୀ। ନାଁ ଏହା ସ୍ଵପ୍ନ ହୋଇ ନପାରେ ,ନିରାଟ ବାସ୍ତବ।ସତରେ କ'ଣ ଶ୍ରୀରାମଙ୍କ ଦୂତ ହୋଇ ଏ ମର୍କଟ ମୋ ପାଖକୁ ଆସିଛନ୍ତି !"


ଆନନ୍ଦରେ ଉତ୍'ଫୁଲ୍ଲିତ ହନୁମାନ ବୃକ୍ଷରୁ ଅବତରଣ କରି ମଥା ଅବନତ କରି ଯୋଡହସ୍ତରେ ସୀତାଙ୍କ ଆଗରେ ଦଣ୍ଡାୟମାନ ହୋଇ ଧୀର କଣ୍ଠରେ କହିଲେ..ମା ! କିଏ ଆପଣ ଜ୍ୟୋତିର୍ମୟୀ ! ପଦ୍ମପତ୍ରରୁ ଜଳ ଝରିପଡିବା ଭଳି ଆଖିରୁ ଆପଣଙ୍କର ଝରିଯାଉଛି ଅଶ୍ରୁ,ଅଶୋକ ବୃକ୍ଷକୁ ଆଉଜି ଦୁଃଖର ଘୋର ଘନଘଟାରେ ମୁଖକୁ ଆବୃତ କରିଛନ୍ତି କିଏ ଆପଣ ଅଶ୍ରୁଳନେତ୍ରା ! କେଉଁ ଦେବୀ କିମ୍ବା ନାଗକନ୍ୟା ନୁହଁନ୍ତି ତ ମାତା ଆପଣ ! ଆପଣଙ୍କର ଅପୂର୍ବ ସୁନ୍ଦର ଦେବୀସ୍ବରୂପ ଦେଖି ମୋର ମନେହୁଏ ସତେ ଯେପରି କୌଣସି କାରଣରୁ ଚନ୍ଦ୍ରଙ୍କଠାରୁ ସାମୟିକ ବିଚ୍ଛେଦ ଭୋଗ କରୁଛନ୍ତି ଦେବୀ ରୋହିଣୀ; କିମ୍ବା କୌଣସି କାରଣରୁ ମହର୍ଷି ବଶିଷ୍ଠଙ୍କଠାରୁ ବିଚ୍ଛେଦ କଷ୍ଟ ଭୋଗ କରୁଛନ୍ତି ମାତା ଅରୁନ୍ଧତୀ।ମୋର ସନ୍ଦେହ ମୋଚନ କରନ୍ତୁ ଜନନୀ। କୁହନ୍ତୁ ଦେବୀ,ଆପଣ କ'ଣ ମୋ ପ୍ରଭୁ ଶ୍ରୀରାମଙ୍କ ହୃଦୟ ହାରିଣୀ ଜନକ ନନ୍ଦିନୀ?ସତରେ କ'ଣ ମୋର ଏଡେ ସୌଭାଗ୍ୟ ଯେ ମୁଁ ମାତା ସୀତାଙ୍କୁ ମୋ ଆଗରେ ଦର୍ଶନ କରୁଛି !!"


ଆନନ୍ଦରେ ଗଦ୍'ଗଦ ହୋଇ ସୀତା କହିଲେ.. ହଁ ପୁତ୍ର! ମୁଁ ହିଁ ଶ୍ରୀରାମଙ୍କ ଅର୍ଦ୍ଧାଙ୍ଗିନୀ ସୀତା; ମୁଁ ହିଁ ବିଦେହ ରାଜନନ୍ଦିନୀ ସୀତା।ରାବଣ ମୋତେ କପଟରେ ହରଣ କରି ଅଶୋକ ବନରେ ବନ୍ଦିନୀ କରି ରଖିଛି। ମୁଁ ତାର ପାପ ଲାଳସାର ଶିକାର ନହେବାରୁ ସେ ମୋତେ ବାରମାସର ଅବଧି ଦେଇଥିଲା ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ଲଙ୍କାରେ ଉପସ୍ଥିତ କରିବା ପାଇଁ।;ନହେଲେ ସେ ମୋତେ ହତ୍ୟା କରିବ।ସେ ଅବଧି ଭିତରୁ ଆଉ ମାତ୍ର ଦୁଇମାସ ବାକି ଅଛି ପୁତ୍ର।"


କରଯୋଡ଼ି ହନୁମାନ କହିଲେ.. ମାତା ! ମୁଁ ପ୍ରଭୁ ଶ୍ରୀ ରାମଙ୍କର ଦୂତ।ଅସୀମ ପ୍ରଭୁଙ୍କର ମହିମା।ପ୍ରଭୁ ଶ୍ରୀରାମ ଏବଂ ଭ୍ରାତା ଲକ୍ଷ୍ମଣ ଅତି ଶୀଘ୍ର ଲଙ୍କା ଜୟ କରି ଆପଣଙ୍କୁ ଉଦ୍ଧାର କରିବେ।ଆପଣଙ୍କ ଦୁଃଖର ଦିନ ଶେଷ ହେବାକୁ ଯାଉଛି ଜନନୀ।"


ହନୁମାନ କଥା ଶୁଣି ସୀତା ଆନନ୍ଦରେ ଆତ୍ମହରା ହୋଇଗଲେ।ସୀତାଙ୍କୁ ଶାନ୍ତ୍ବନା ଦେବାପାଇଁ ହନୁମାନ ସୀତାଙ୍କର ଟିକିଏ ନିକଟବର୍ତ୍ତୀ ହେଲେ।ସୀତାଙ୍କ ମନରେ ସନ୍ଦେହ ଆସିଲା।ଭୀତ ବ୍ୟକ୍ତି ପାଖରେ ସତ୍ୟ ସବୁବେଳେ ଅସତ୍ୟ ଭଳି ପ୍ରତୀୟମାନ ହୁଏ,ହିତ ଅହିତ ଭଳି ଜଣାପଡ଼େ। ସୀତା ଦୂରକୁ ଘୁଞ୍ଚିଯାଇ କହିଲେ.. ଛଦ୍ମବେଶୀ ପାଷଣ୍ଡ ରାବଣ ! ମୁଁ ଭଲ ଭାବରେ ତୋତେ ଚିହ୍ନିଛି।ତୁ ମର୍କଟ ବେଶ ଧାରଣ କରି ମୋ ସହିତ ଛଳନା କରିବାକୁ ଆସିଛୁ ? ଦୂରେଇ ରହ ପାଷଣ୍ଡ,ନହେଲେ ସତୀ ନାରୀର ଅଭିଶାପରେ ଭସ୍ମ ହୋଇଯିବୁ।"


ସୀତାଙ୍କ ପ୍ରତିକ୍ରିୟା ଦେଖି ହନୁମାନ ଦୂରେଇ ଠିଆ ହେଲେ। ପୁଣି ଯୋଡହସ୍ତରେ ପ୍ରଣାମ କରି କହିଲେ..ଆପଣଙ୍କ ପ୍ରତିକ୍ରିୟା ସ୍ବଭାବିକ ମାତା। ଏଠାରେ ଅନେକ ସମୟ ଧରି ମୁଁ ରାବଣର କାର୍ଯ୍ୟ କଳାପ ଦେଖି ଆସୁଛି।ଆପଣ ମୋତେ ଛଦ୍ମବେଶୀ ରାବଣ ବୋଲି ସନ୍ଦେହ କରିବା ସ୍ବଭାବିକ। କିନ୍ତୁ ବାସ୍ତବରେ ମୁଁ ପ୍ରଭୁ ଶ୍ରୀରାମଙ୍କ ଭୃତ୍ୟ ଓ ଆପଣଙ୍କ ପୁତ୍ର ପବନ ନନ୍ଦନ ହନୁମାନ।ଆପଣଙ୍କ ସନ୍ଧାନରେ ଅନେକେ ସ୍ଥାନ ଭ୍ରମଣ କରି ପ୍ରଭୁ ଶ୍ରୀରାମ ଯେତେବେଳେ ଋଷ୍ୟମୁକ ପର୍ବତରେ ପହଞ୍ଚିଲେ ସେଠାରେ, ରାଜ୍ୟରୁ ବିତାଡିତ ବାନରରାଜ ସୁଗ୍ରୀବଙ୍କ ସହିତ ତାଙ୍କର ଭେଟ ହେଲା। ସୁଗ୍ରୀବଙ୍କ ଅଗ୍ରଜ ବାଳି କିଷ୍କିନ୍ଧ୍ୟା ରାଜ୍ୟ ଅଧିକାର କରି ଅନୁଜ ସୁଗ୍ରୀବଙ୍କ ପତ୍ନୀ ରୋମାଙ୍କୁ ବଳାତ୍କାରେ ହରଣ କରି ତାଙ୍କୁ ଅନେକ କଷ୍ଟ ଦେଉଥିଲେ।ପ୍ରଭୁ ଶ୍ରୀରାମ ସୁଗ୍ରୀବଙ୍କ ସହିତ ମିତ୍ରତା କରି ବାଳିଙ୍କୁ ବଧ କରି ସୁଗ୍ରୀବଙ୍କୁ ସିଂହାସନରେ ଅଧିଷ୍ଠିତ କରିଛନ୍ତି। ପୂର୍ବରୁ ଶ୍ରୀରାମ ବଧ କରିଥିବା କବନ୍ଧ ଶରୀରରୁ ବହିର୍ଗତ ଗନ୍ଧର୍ବ ଭବିଷ୍ୟ ବାଣୀ କରିଥିଲେ ଯେ ବାନର ସେନାଙ୍କ ସହାୟତାରେ ହିଁ ପ୍ରଭୁ ଶ୍ରୀରାମ ଲଙ୍କା ଜୟ କରି ଆପଣଙ୍କୁ ଉଦ୍ଧାର କରିବେ।


ଲଙ୍କା-ଜୟ ଯୋଜନାର ଅଂଶ ଭାବରେ ଦକ୍ଷିଣ ଦିଗକୁ ଯେଉଁ ବାନରମାନେ ଆପଣଙ୍କ ଅନୁସନ୍ଧାନରେ ଯାଇଥିଲେ, ମୁଁ ସେହି ଦଳର ଜଣେ ସଦସ୍ୟ। ଆମ୍ଭେମାନେ ଜଟାୟୁଙ୍କ ଅଗ୍ରଜ ସମ୍ପାତିଙ୍କ ପାଖରୁ ସନ୍ଦେଶ ପାଇଲୁ ଯେ ଆପଣଙ୍କୁ ରାବଣ ଅଶୋକ ବନରେ ବନ୍ଦୀ କରି ରଖିଛି। ଆପଣଙ୍କୁ ଭେଟିବା ପାଇଁ ଏଠାକୁ ମୋର ଆଗମନ। ନାମ ମୋର ପବନ ନନ୍ଦନ ହନୁମାନ। ଅଞ୍ଜନା ମୋର ଜନନୀ; ତେଣୁ ମୋର ଅନ୍ୟନାମ ଆଞ୍ଜନେୟ।ଆପଣ ମୋତେ ସନ୍ଦେହ କରନ୍ତୁ ନାହିଁ ଜନନୀ।"


ଏହା ଶୁଣି ସୀତାଙ୍କ ସନ୍ଦେହ ଦୂର ହେଲା। ସୀତା କହିଲେ.. ତୁମକୁ ସନ୍ଦେହ କରିଥିବାରୁ ମୋତେ କ୍ଷମା କର ପୁତ୍ର! ଆଜି ମୋର ଆନନ୍ଦର ସୀମା ନାହିଁ।"ନିଃଶ୍ବାସ ଥିବା ପର୍ଯ୍ୟନ୍ତ ବିଶ୍ବାସ ରହିବା ଉଚିତ" ବୋଲି ଯାହା କୁହାଯାଏ ମୁଁ ତା'ର ସତ୍ୟତା ଆଜି ହୃଦୟଙ୍ଗମ କରୁଛି। ଆଜି ମୋର ଜୀବନର ସବୁଠାରୁ ଆନନ୍ଦମୟ ଦିନ। ମୁଁ ତ ଭାବିଥିଲି ମୋର ଜୀବନ ଏହି ଅଶୋକ ବନରେ କାନ୍ଦି କାନ୍ଦି ଶେଷ ହୋଇଯିବ। ତୁମେ ମୋ ପାଖକୁ ଦେବଦୂତ ହୋଇ ଆସିଛ ପୁତ୍ର ହନୁମାନ।"


ସୀତାଙ୍କ ମନରେ ଅଧିକ ବିଶ୍ବାସ ସୃଷ୍ଟି କରିବା ପାଇଁ ଶ୍ରୀରାମଙ୍କ ପ୍ରଦତ୍ତ ମୁଦ୍ରିକା ହନୁମାନ ସୀତାଙ୍କ ଆଗରେ ରଖିଦେଲେ। ଧୈର୍ଯ୍ୟ ବନ୍ଧ ଭାଙ୍ଗି ଗଲା ସତୀଙ୍କର।ଅଶ୍ରୁ ମନା ମାନୁନଥିଲା।ମୁଦ୍ରିକାକୁ ଆଖିରେ ଛୁଆଁଇ ମଥାରେ ଲଗାଇଲେ ସୀତା। କହିଲେ.. ଆହା ! ମୋର ପ୍ରଭୁଙ୍କର ଅନାମିକା ଅଙ୍ଗୁଳି ଶୂନ୍ୟ ଦେଖାଯାଉଥିବ।ପୁତ୍ର ହନୁମାନ ! କେତେ କଷ୍ଟ ସତେ ପାଉଛନ୍ତି ମୋର ପ୍ରଭୁ ଏବଂ ଦେବର ଲକ୍ଷ୍ମଣ !


କ୍ରମଶଃ....



Rate this content
Log in

Similar oriya story from Classics