Kulamani Sarangi

Classics

3  

Kulamani Sarangi

Classics

ସରଯୂ ନଦୀର ତୀରେ (୯୮)

ସରଯୂ ନଦୀର ତୀରେ (୯୮)

4 mins
191



(ରାମାୟଣର ଅମର କଥା)

===============================

କିଏ ବୁଝିବ ସୀତାଙ୍କ ଦୁଃଖ !

===============================

ଅଶୋକ ବନରେ ରାବଣ ସହିତ ସୀତାଙ୍କର କଥୋପକଥନରୁ ହନୁମାନ ସୀତାଙ୍କ ମହନୀୟ ଚରିତ୍ର ବିଷୟରେ ଜାଣିପାରିଲେ।ରାବଣ ଭଳି ପରାକ୍ରମୀ ରାକ୍ଷସକୁ ମୁହେଁ ମୁହେଁ ଭର୍ତ୍ସନା କରିବା ଏବଂ ତା'ର ବିପୁଳ ଐଶ୍ୱର୍ଯ୍ୟକୁ ପାଦରେ ଦଳିଦେବା ଜଣେ ସାଧାରଣ ନାରୀ ପକ୍ଷରେ ସମ୍ଭବ ନୁହେଁ। ଶ୍ରୀରାମଙ୍କ ପ୍ରତି ସୀତାଙ୍କର ପ୍ରେମ ଓ ଆସ୍ଥା ଦେଖି ଜାନକୀଙ୍କ ପାଦତଳେ ସ୍ବତଃ ହନୁମାନଙ୍କର ମଥା ନଇଁଗଲା।


ରାବଣ, ସୀତାଙ୍କ ଭର୍ତ୍ସନା ଶୁଣି ଭୟଙ୍କର କ୍ରୋଧରେ ସୀତାଙ୍କୁ ଚେତାବନୀ ଦେଇ କହିଲା...ଭଣ୍ଡ ତପସ୍ୱୀର ଉଦ୍ଧତ ନାରୀ ! ଦୁଇମାସ ଭିତରେ ରାମଲକ୍ଷ୍ମଣଙ୍କୁ ଲଙ୍କା-ଭୂମିକୁ ଆଣି ନପାରିଲେ ତୋତେ ନିର୍ମମ ଭାବରେ ହତ୍ୟା କରାଯିବ ଏବଂ ତୋର କୋମଳ ମାଂସକୁ ରନ୍ଧନ କରି ମୁଁ ତୃପ୍ତିରେ ଭୋଜନ କରିବି"।


ବାଲ୍ମୀକି'ଙ୍କ ଦ୍ବାରା ଏ'ପ୍ରକାର ବର୍ଣ୍ଣନାରେ କିଛି ଅସ୍ବାଭାବିକତା ନାହିଁ। ନରମାଂସ ଭକ୍ଷଣ କରିବା ସେ ସମୟରେ ରାକ୍ଷସ ମାନଙ୍କ ଭିତରେ ପ୍ରଚଳିତ ଥିଲା। ସେଥିପାଇଁ ସୀତା ରାବଣର କଥା ଶୁଣି ଭୟରେ ଶିହରି ଉଠିଲେ ଏବଂ ରାବଣ ପ୍ରସ୍ଥାନ କରିବା ପରେ କାନ୍ଦି କାନ୍ଦି କହିଲେ...ସତରେ କ'ଣ ମୋ ସ୍ବାମୀ ଓ ଦେବର ମୋତେ ଭୁଲିଗଲେ ? ଏ ରାକ୍ଷସ ରାଜ୍ୟରେ ମୋ ଭଳି ଅସହାୟ ନାରୀକୁ ସାହାଯ୍ୟ କରିବାକୁ କଣ କେହି ନାହାନ୍ତି !" ନଦୀ ମଝିରେ ଏକାକୀ ନୌକାରେ ବସିଥିବା ଜଣେ ଅସହାୟ ବ୍ୟକ୍ତିର ନାବକୁ ବୁଭୁକ୍ଷୁ କୁମ୍ଭୀରମାନେ ବେଢିଗଲେ ଯେପରି ଭୟ ଲାଗେ, ରାକ୍ଷସୀ ମାନଙ୍କ ଦ୍ବାରା ପରିବେଷ୍ଠିତା ସୀତାଙ୍କ ମନୋଦଶା ସେହିପରି ଥିଲା।


ସେଠାରୁ ପ୍ରସ୍ଥାନ କରିବା ପୂର୍ବରୁ ସୀତାଙ୍କୁ ଜଗିଥିବା ରାକ୍ଷସୀ ମାନଙ୍କୁ ରାବଣ କହିଲା..ସାମ ଦାମ ଦଣ୍ଡ ସବୁପ୍ରକାର ଉପାୟ ଅବଲମ୍ବନ କରି ଏ' ଅହଙ୍କାରୀ ନାରୀକୁ ମୋର ଶଯ୍ୟା ସଙ୍ଗିନୀ ହେବାପାଇଁ ସମ୍ମତ କରାଅ। ସେଥିପାଇଁ ଉପଯୁକ୍ତ ପୁରସ୍କାର ପାଇବ।


ରାବଣର ପ୍ରସ୍ଥାନ ପରେ ରାକ୍ଷସୀମାନେ ସୀତାଙ୍କୁ ଅନେକ ପ୍ରଲୋଭନ ଦେଖାଇ କହିଲେ..ଆମ ରାଜାଙ୍କର ଯେତେ ଧନ ସମ୍ପତ୍ତି ଅଛି କୁବେରର ମଧ୍ୟ ନାହିଁ।ଦେଖିଲୁ ତ ,ସେ ସବୁ ତୋତେ ଦାନ କରିଦେବା ପାଇଁ ତୋ ନିକଟରେ ସେ କହିଗଲେ।ସବୁ ରାଣୀମାନଙ୍କ ମଧ୍ୟରେ ତୋତେ ପାଟରାଣୀ କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି ଆମ ରାଜା।ତଥାପି ତୁ ତାଙ୍କ କଥା ମାନିବାପାଇଁ ପ୍ରସ୍ତୁତ ନୁହଁ;କେଡେ ନିର୍ବୋଧ ସତରେ ତୁ ସୀତା! 


କାନ୍ଦି କାନ୍ଦି ସୀତା କହିଲେ... କିପରି ତୁମେମାନେ ଏତେବଡ ଅନୀତି କଥା କହୁଛ ! ମୋର ସ୍ବାମୀ ଥାଉଁ ଥାଉଁ କିପରି ମୁଁ ତୁମ ରାଜାକୁ ବିବାହ କରିବି ! ମୋର କୁମ୍ଭୀପାକ ନର୍କ ଭୋଗ ହେବ।ଏଡେ ଅନୀତି କଥା ଶୁଣିବା ପୂର୍ବରୁ ମୁଁ ବଧିର ନହେଲି କାହିଁକି,ମୋ ମୁର୍ଦ୍ଧନା ଫାଟି ନ'ଗଲା କାହିଁକି।


କଦଳୀ ଗଛ ଭଳି ଲମ୍ବା ଲମ୍ବା ଦାନ୍ତ ଦେଖାଇ ଗୋଟିଏ ରାକ୍ଷସୀ କହିଲା...କି ସତୀ ଦେଖେଇ ହଉଚୁ କିଲୋ ? ଆମ ରାକ୍ଷସ ରାଜ୍ୟରେ ନୀତି ନିୟମ ଅଲଗା।ଆମ ରାଜା ଯେବେ ଚାହିଁବେ ଆମ ଗେରସ୍ତମାନେ ମଧ୍ୟ ଆମକୁ ସମ୍ଭୋଗ ପାଇଁ ତାଙ୍କ ପାଖକୁ ପଠେଇ ଦେବେ। କିନ୍ତୁ ଆମର ଦୁର୍ଭାଗ୍ୟକୁ ଆମ ରାଜା କେବଳ ମାନବୀ,ଦେବକନ୍ୟା ଆଉ ନାଗକନ୍ୟାଙ୍କ ରୂପରେ ପାଗଳ।ଆମେ କୁଆଡେ ଅସୁନ୍ଦର।"


ଏହା ଶୁଣି ଆଉ ଏକ ରାକ୍ଷସୀ ତାତ୍ସଲ୍ୟ କରି କହିଲା...ଆହା଼ ଆହା ! ତୁ ଯୋଉ ସୁନ୍ଦରୀ ଲୋ ପେଚାମୁଁହୀ କଦଳୀ ଦାନ୍ତୀ,ତୋ ସୁନ୍ଦରୀ ପଣ ବଖାଣିବାକୁ ଆସିଚୁ ନା ଏ କରମଜଳୀ ସୀତାକୁ,ଆମ ରାଜାଙ୍କ ହାତ ଧରିବାକୁ ମନେଇବାକୁ ?ଆମ ମନା ତ ସେ ମାନୁନି,ଚାଲ ତାକୁ ମିଳିମିଶି ଚୋବେଇ ଖାଇବା।"


ଆଉ ଏକ ରାକ୍ଷସୀ କହିଲା..ମୋର ପିଲାଛୁଆ ହବାର ଅଛି, ଅରୁଚି ଧରିଚି ଯେ ମଣିଷ ମାଉଁସ ଖାଇବାକୁ ମୋର ଭାରି ଇଚ୍ଛା।ଏ ଗୋରୀ ଚମଡୀ ସୀତାଙ୍କୁ ଖାଇବାକୁ ମୋର ଭାରି ଲୋଭ।ଗେରସ୍ତ ଚିନ୍ତାରେ ଦିନକୁ ଦିନ ଏ ଯେମିତି ବାଉଁଶକଣି ଭଳି ଝଡି ଯାଉଛି ଆଉ ଦି'ମାସଠି ୟା ଦିହରେ କଣ ଥିବ ? ଆମ ରାଜା ୟାକୁ ଶୀଘ୍ର ହେଲେ ମାରନ୍ତେ,ସେରେ ଦି'ସେରେ ମାଉଁସ ତାଙ୍କଠାରୁ ମାଗିନିଅନ୍ତି।ମୋ ଅରୁଚି ଛାଡନ୍ତା,ପିଲାଟା ବି ନାଳୁଆ ନହୋଇ ଭଲ ରାକ୍ଷସ ଛୁଆଟେ ହୁଅନ୍ତା।"


ଆଉ ଗୋଟାଏ ରାକ୍ଷସୀ କହିଲା...କି ରସ ସେ ଜଟାଧାରୀ ରାମଠାରେ ଲାଗିଛି କେଜାଣି ,ଦିନ ରାତି ଖାଲି ରାମ ରାମ ଘୋଷି ହଉଚି ଏ ଚନ୍ଦ୍ର ବଦନୀ।ଆମ ରାଜାଙ୍କର କୋଉ ପାସଙ୍ଗରେ ପଡ଼ିବ ସେ ବାବାଜୀ ରାମ ?ଆଲୋ ହେ ସୀତା ! ଭଲ ଯୋଗ ଅଛି ତ ଆମ ରାଜାକୁ ବା'ସାହା ହେଇ ଘର ସଂସାର କରେ।ଆମ ରାଜାଙ୍କ ଉପରେ ତୁ ଏମିତି ଜାଦୁ କରିଛୁ ଯେ ଯାହା ଚାହିଁବୁ ତାହା ପାଇବୁ।ତାଙ୍କ ଔରସରୁ ଜନ୍ମ ତୋ ପୁଅ ସୁବର୍ଣ୍ଣ ଲଙ୍କାର ରାଜା ହେବ। ଦେଶରୁ ତଡ଼ା ଖାଇଥିବା ଭିକାରି ରାମ ସହିତ ରହି କି ଛେନା ସୁଖ ପାଇବୁ ? କଥା ମାନି ଯା, ଆମ ରାଜାଙ୍କ କୋଳ ମଣ୍ଡନ କରେ,ନହେଲେ ଦୁଇମାସ ପରେ ତତେ ସେ ଝୋଳ କରି ଖାଇଯିବେ।"


ଏହି ପ୍ରକାର ଅନେକ କଥା କହି ରାକ୍ଷସୀମାନେ ସୀତାଙ୍କୁ ଡରାଇବାକୁ ଚେଷ୍ଟା କଲେ। ରାକ୍ଷସୀ ମାନଙ୍କ କିଳିକିଳା ଶବ୍ଦଶୁଣି ସୀତା ଥରିବାକୁ ଲାଗିଲେ।ଭାବିଲେ.. ଏମାନଙ୍କ ପାଖରେ ଏଭଳି ଡରିମରି ରହିବା ଅପେକ୍ଷା ଅନାହାରରେ ପ୍ରାଣତ୍ୟାଗ କରିବା ଭଲ।

 

ରାକ୍ଷସୀମାନଙ୍କ ମଧ୍ୟରେ ବିଭୀଷଣଙ୍କ କନ୍ୟା ତ୍ରିଜଟାର ସ୍ବଭାବ ଅନ୍ୟ ମାନଙ୍କଠାରୁ ଭିନ୍ନ ଥିଲା। ସୀତାଙ୍କ ଦୁଃଖ ଓ ଅହରହ ଅଶ୍ରୁମୋଚନରେ ପ୍ରଭାବିତ ହୋଇ ସେ ତାଙ୍କୁ ସାନ୍ତ୍ଵନା ଦେଇ ମନରେ ଆଶା ଜାଗ୍ରତ କରାଉଥିଲା। ରାକ୍ଷସୀମାନେ ସୀତାଙ୍କୁ ଡରାଇବା ଏବଂ ଅପଶବ୍ଦ କହିଵା ଦେଖି ତ୍ରିଜଟା ସେମାନଙ୍କୁ ତାଗିଦ୍ କରି କହିଲା..ଏତେଜଣ ମିଶି କାହିଁକି ଜଣେ ଭାଗ୍ୟହୀନା ନିରୀହା ନାରୀକୁ ତୁମେମାନେ ଯନ୍ତ୍ରଣା ଦେଉଛ ?ଭାବ ନାହିଁ ଯେ ସ୍ଵର୍ଣ୍ଣଲଙ୍କା ସବୁବେଳେ ସ୍ବର୍ଣ୍ଣଲଙ୍କା ହୋଇ ରହିଥିବ।ଅନାଚାର, ଅପକୀର୍ତ୍ତି ଓ ସତୀ ନାରୀର ଅଭିଶାପରେ ଦିନେ ହୁଏତ ଜଳିଯିବ ଏ ସୁବର୍ଣ୍ଣ ଲଙ୍କା। ସ୍ଵପ୍ନରେ ମୁଁ କାଲି ଦେଖିଛି ଲଙ୍କା ପ୍ରତି ଭୟଙ୍କର ବିପଦ ମାଡ଼ି ଆସୁଛି।"

ତ୍ରିଜଟା କାନ୍ଧରେ ମଥା ରଖି ସୀତା କହିଲେ... ମାତା ! ସତରେ କଣ ମୋ ଦୁଃଖର ଦିନର ଅନ୍ତ ହେବ !


ରାବଣ ଭଳି ଶକ୍ତି ଆଗରେ ସୀତାଙ୍କର ମାନସିକ ଦୃଢ଼ତା ଭିତରେ ସର୍ବକାଳୀନ ସାମାଜିକ ବାର୍ତ୍ତା ଲୁଚି ରହିଛି। ବିବାହ ଏବଂ ଦାମ୍ପତ୍ୟ ଖେଳଘର ନୁହେଁ, ତାହା ଏକ ସାମାଜିକ ଓ ନୈତିକ ଅନୁଷ୍ଠାନ।ତା ଆଗରେ ରାବଣର ଅତୁଳନୀୟ ଧନ ସମ୍ପଦ,ବଳବୀର୍ଯ୍ୟ, ପ୍ରଲୋଭନ ଓ ଭୟ ସବୁ କିଛି ଅସହାୟ।ରାବଣର କଦର୍ଯ୍ୟ ମାନସିକତା ଓ ଅସୀମ ବଳ, ସୀତାଙ୍କର ବିଶ୍ବାସର ତୃଣ ଖଣ୍ଡ ଆଗରେ ନିର୍ବିବାକ। ଶ୍ରୀରାମଙ୍କ ପ୍ରତି ଆସ୍ଥା ଓ ପ୍ରେମ ଆଗରେ ରାବଣୀୟ ଶକ୍ତି ହାରମାନିବା, ଶାଶ୍ବତ ଦାମ୍ପତ୍ୟର ବିଜୟ ବ୍ୟତୀତ ଅନ୍ୟ କିଛି ନୁହେଁ। ଶ୍ରୀରାମଙ୍କ ସମୟରେ ବହୁ ପତ୍ନୀ ଗ୍ରହଣ ମଧ୍ୟ ପ୍ରଚଳିତ ଥିଲା। କିନ୍ତୁ ଶ୍ରୀରାମଙ୍କ ମନକୁ ସୀତାଙ୍କ ବ୍ୟତୀତ ଅନ୍ୟ କେହି ପ୍ରଲୋଭିତ କରି ପାରି ନଥିଲେ। ଦାମ୍ପତ୍ୟର ଏହି ବନ୍ଧନ ପାରସ୍ପରିକ ସ୍ନେହ ଓ ବିଶ୍ବାସ ଯୋଗୁଁ ହିଁ ସମ୍ଭବ ହୋଇଥିଲା। ବିଷ୍ଣୁଙ୍କର ମର୍ଯ୍ୟାଦା ପୁରୁଷୋତ୍ତମ ରୂପରେ ତତ୍କାଳୀନ ସମାଜ ପାଇଁ ଏହା ଥିଲା ବାର୍ତ୍ତା। ସୀତାଙ୍କ ପାଇଁ ଜଣେ ରାବଣ କାହିଁକି,ଲକ୍ଷେ ରାବଣ ସହିତ ଯୁଦ୍ଧ କରିବାକୁ ଶ୍ରୀରାମ ପ୍ରସ୍ତୁତ ଥିଲେ। ସୀତା ମଧ୍ୟ ଶ୍ରୀରାମଙ୍କ ପ୍ରେମ ଆଗରେ କୋଟି କୋଟି ରାବଣର ଐଶ୍ୱର୍ଯ୍ୟକୁ ତୁଚ୍ଛ ମନେ କରୁଥିଲେ।


ଶିଂଶପା ବୃକ୍ଷର ଡାଳରେ ବସି ସୀତା ମାତାଙ୍କ ଗୁଣରେ ବିମୁଗ୍ଧ ହନୁମାନ ମାତାଙ୍କ ଦୁଃଖ ଦେଖି ଅଶ୍ରୁମୋଚନ କରିବାରେ ଲାଗିଲେ।ଭାବିଲେ..କେଡେ ଅସହାୟ ମୁଁ ସତେ ! ରାକ୍ଷସୀ ମାନଙ୍କ ଉପସ୍ଥିତିରେ ନିଜର ପରିଚୟ ମୁଁ ମାତାଙ୍କୁ ଦେଇ ପାରିବି ନାହିଁ।ଦେଲେ ମଧ୍ୟ ଏହା ରାବଣର ମାୟା ବୋଲି ଭାବି ମାତା ମୋତେ ଅବିଶ୍ବାସ କରିବାର ସମ୍ଭାବନା ଅଧିକ।ହେ ପ୍ରଭୁ ଶ୍ରୀରାମ ! ମୁଁ କଣ କରିବି ? ଏହି ରାକ୍ଷସୀମାନେ ନିଦ୍ରା ଯାଆନ୍ତେ ହେଲେ। ମାତାଙ୍କ ଆଗରେ ପରିଚୟ ଦେବାପାଇଁ ପ୍ରୟାସ କରନ୍ତି।"


ସତେ ଯେପରି ନିଦ୍ରାଦେବୀ ହନୁମାନଙ୍କ କଥା ଶୁଣୁଥିଲେ।ଅଳ୍ପ ସମୟ ଭିତରେ ସବୁ ରାକ୍ଷସୀମାନେ ଜଣଙ୍କ ପରେ ଜଣେ ନିଦ୍ରା ଗଲେ। ତଥାପି ହନୁମାନ ସୀତାଙ୍କ ନିକଟକୁ ନଆସି ବୃକ୍ଷ ଡାଳରେ ବସି ସୁମଧୁର ସ୍ବରରେ ଶ୍ରୀରାମଙ୍କ ନାମ କୀର୍ତ୍ତନ କରିବାକୁ ଲାଗିଲେ।


ଶ୍ରୀରାମଙ୍କ ମଧୁର ନାମ କାନରେ ପଡ଼ିବାରୁ ସୀତାଙ୍କ ସ୍ନାୟୁମଣ୍ଡଳରେ ଅପୂର୍ବ ଶିହରଣ ଖେଳିଗଲା।


କ୍ରମଶଃ...



Rate this content
Log in

Similar oriya story from Classics