Kulamani Sarangi

Others

3  

Kulamani Sarangi

Others

ସରଯୂ ନଦୀର ତୀରେ(୯୭)

ସରଯୂ ନଦୀର ତୀରେ(୯୭)

4 mins
201


ରାବଣର ଅନ୍ତଃପୁରରେ ସୃଷ୍ଟିର ଶ୍ରେଷ୍ଠ ସୁନ୍ଦରୀମାନେ ନିବାସ କରୁଥିଲେ। ସେମାନଙ୍କ ସହିତ ରାବଣ ସମୂହ ବିଳାସ କରୁଥିଲା।ଏକ ସମୟରେ ଅନେକ ନାରୀଙ୍କୁ ଶଯ୍ୟା ସଙ୍ଗିନୀ କରି, ସେମାନଙ୍କୁ ମଦ୍ୟପାନ କରାଇ କାମାନ୍ଧ ରାକ୍ଷସ ସେମାନଙ୍କୁ ମଦମତ୍ତ ହସ୍ତୀଭଳି ଦଳିତ ମଥିତ କରି ଆନନ୍ଦ ଲାଭ କରୁଥିଲା।ଅପର ପକ୍ଷେ ଶ୍ରୀରାମଙ୍କର ଥିଲା ଏକପତ୍ନୀ ବ୍ରତ। ସୀତା ଥିଲେ ତାଙ୍କ ଚେତନାର କେନ୍ଦ୍ରବିନ୍ଦୁ। ଆଦିକବି ବାଲ୍ମୀକିଙ୍କର ଏହି ଦୁଇ ଚରିତ୍ର ଚିତ୍ରଣ ଭିତରେ "କାମ" ଓ "ପ୍ରେମର" ସଂଜ୍ଞା ସାଙ୍କେତିକ ଭାବରେ ଲୁଚି ରହିଛି।


ଶ୍ରୀରାମଙ୍କର 'ଏକପତ୍ନୀ' ବ୍ରତ ଭିତରେ ପବିତ୍ର ପ୍ରେମର ଶାଶ୍ୱତ ଜାହ୍ନବୀ ଧାରା ପ୍ରବାହିତ ହେଉଥିଲା।ସେ ପ୍ରେମର ବନ୍ଧନ ଏତେ ଦୃଢ଼ ଥିଲା ଯେ ତାକୁ ରାବଣର ଚନ୍ଦ୍ରହାସ ଖଡ୍'ଗ କାଟିବା ସମ୍ଭବ ନଥିଲା।ରାବଣର କୁବେର ଐଶ୍ୱର୍ଯ୍ୟ ତାକୁ କିଣିବା ପାଇଁ ମଧ୍ୟ ସକ୍ଷମ ନଥିଲା। 


ଅନେକ ସୁନ୍ଦରୀ ରମଣୀଙ୍କୁ ଉପଭୋଗ କରି ମଧ୍ୟ ରାବଣର ଏକା ଜିଦ୍ ଥିଲା ସୀତାଙ୍କୁ ଶଯ୍ୟା ସଙ୍ଗିନୀ କରିବା।ଯାହା ବାରଣ କରାଯାଏ,ତାହା ପାଇବା ପାଇଁ ଅହେତୁକ ଇଚ୍ଛା ଜାଗ୍ରତ ହୁଏ।ଏହା ଜିଦଖୋର ବ୍ୟକ୍ତିର ମନସ୍ତତ୍ତ୍ୱ। ସୀତା ଥିଲେ ରାବଣର ଚରମ ଦୁର୍ବଳତା।କଳେ ବଳେ କୌଶଳେ ତାଙ୍କୁ ଭୋଗ କରିବା ଲାଳସା ପୂର୍ଣ୍ଣ ନହେବାରୁ ରାବଣ ଶେଷ ଅସ୍ତ୍ର ପ୍ରୟୋଗ କରିବାପାଇଁ ଅଶୋକ ବନରେ ପହଞ୍ଚିଲା।


କୁତ୍ସିତ କଦାକାର ରାକ୍ଷସ ରାବଣ ସୀତାଙ୍କୁ ପ୍ରଲୋଭିତ କରିବାପାଇଁ, ରାକ୍ଷସ ରମଣୀମାନଙ୍କ ଗହଣରେ ଅଶୋକ ବନରେ ପହଞ୍ଚିଲା। ସୀତାଙ୍କ ନିକଟକୁ ରାବଣ ଆସୁଥିବା ଦେଖି ହନୁମାନ ଉତ୍କର୍ଣ୍ଣ ହୋଇ ଅନାଇଁ ରହିଲେ।ରାବଣକୁ ଦୂରରୁ ଦେଖି ସୀତା ଭୟଭୀତା ହୋଇ ବରଡାପତ୍ର ପରି ଥରିବାକୁ ଲାଗିଲେ। ଗୋଟିଏ ତୃଣକୁ ଢାଲ କରି ମଝିରେ ରଖି କହିଲେ.. ସାବଧାନ ରାକ୍ଷସ ! ଏହି ତୃଣ ଅତିକ୍ରମ କରିବାକୁ ଚେଷ୍ଟା କଲେ ସତୀ ନାରୀର ସୁରକ୍ଷା ଅଗ୍ନିରେ ଜଳି ପାଉଁଶ ହୋଇଯିବୁ।"

 

ରାବଣ କହିଲା... ସୁନ୍ଦରୀ ! କାହିଁକି ମୋଠାରୁ ଦୂରେଇ ରହୁଛୁ? ତୁ କ'ଣ ଜାଣିପାରୁ ନାହୁଁ ମୁଁ ତତେ କେତେ ଭଲପାଏ ?ପରଦାରା ହରଣ କରି ବଳାତ୍କାରେ ଉପଭୋଗ କରିବା ଆମ ରାକ୍ଷସ ମାନଙ୍କ ପାଇଁ କିଛି ଅନୈତିକ କାର୍ଯ୍ୟ ନୁହେଁ। କିନ୍ତୁ ମୁଁ କଣ ତାହା କରିଛି ?ସୁନ୍ଦରୀ, ମୁଁ ତୋ ପ୍ରେମର ଭିକାରୀ।ତୁ ମୋତେ ଡରିବାର ଆବଶ୍ୟକତା ନାହିଁ।ତୁ ମୋତେ ନିଜ ଇଚ୍ଛାରେ ପ୍ରୀତି ଦାନ ନକରିବା ପର୍ଯ୍ୟନ୍ତ ମୁଁ ତୋର ଅଙ୍ଗସ୍ପର୍ଶ କରିବି ନାହିଁ। ମୁଁ ଚାହେଁ ଯେପରି ମୁଁ ତୋତେ ଭଲପାଏ ତୁ ମଧ୍ୟ ମୋତେ ସେପରି ଭଲପାଇ ନିଜର କରି ନେ।ଏ ସୁନ୍ଦର ଶରୀରକୁ କାହିଁକି ଏତେ କଷ୍ଟ ଦେଉଛୁ ?


ମୃଗନୟନୀ ! ତୋଭଳି ଅପୂର୍ବ ସୁନ୍ଦରୀ ତ୍ରିଭୁବନରେ ନାହାଁନ୍ତି।ମୋର ପ୍ରଦତ୍ତ ବହୁମୂଲ୍ୟ ବସ୍ତ୍ର ଓ ଅଳଙ୍କାର ଗ୍ରହଣ ନକରି, ଏଭଳି ମଳିନ ବସ୍ତ୍ର ଧାରଣ କରି,କେଶ ଆଲୁଳାୟିତ କରି, ଭୂମିରେ ଶୟନ କରି କାହିଁକି ତୋ ଅଙ୍ଗଲତାକୁ କଷ୍ଟ ଦେଉଛୁ ସୁନ୍ଦରୀ ? ନାରୀମାନଙ୍କ ମଧ୍ୟରେ ହୀରା ତୁ ଜାନକୀ !ମୋ କଥା ମାନି ମୋ ପ୍ରେମ ନିବେଦନକୁ ସ୍ୱୀକାର କର,ବିଶ୍ୱର ସମସ୍ତ ଐଶ୍ୱର୍ଯ୍ୟ ତୋ ପାଦତଳେ ଅଜାଡ଼ି ଦେବି।


ପୂର୍ଣ୍ଣେନ୍ଦୁ ଭଳି ବିଭା ପ୍ରକାଶ କରୁଥିବା ତୋ ମୁଖ ମଣ୍ଡଳରୁ ମୁଁ ଦୃଷ୍ଟି ଫେରାଇ ପାରୁନାହିଁ ସୁନ୍ଦରୀ।ତୋ ଅଙ୍ଗଲତିକାରେ ମୋର ଦୃଷ୍ଟି ଯେଉଁଠାରେ ପଡୁଛି, ସେଠାରୁ ମୁଁ ଦୃଷ୍ଟି ଅପସାରିତ କରିପାରୁନାହିଁ। ଏପରି ଅନିନ୍ଦ୍ୟ ସୁନ୍ଦରୀ କାହିଁକି ଏତେ ଦୁଃଖ ଭୋଗ କରିବ !ମୋର ପ୍ରେମ ନିବେଦନ ଗ୍ରହଣ କର ଜାନକୀ, ମୁଁ ସମଗ୍ର ସୃଷ୍ଟି ଜୟକରି, ସେଥିରୁ ପ୍ରାପ୍ତ ସମସ୍ତ ଐଶ୍ୱର୍ଯ୍ୟ ତୋର ପିତା ଜନକଙ୍କ ପାଦତଳେ ଅଜାଡ଼ି ଦେବି।ତୁ ଯାହା ଚାହିଁବୁ ତୋ ପାଇଁ ମୁଁ କରିବାକୁ ପ୍ରସ୍ତୁତ।ରାଣୀମାନଙ୍କ ମଧ୍ୟରେ ମୁଁ ତୋତେ ପାଟରାଣୀ କରି ରଖିବି।ରାବଣର ପ୍ରାସାଦ ଭିତରେ ତୋର ହିଁ ଶାସନ ଚାଲିବ।ମୋର ସମସ୍ତ ରାଜ୍ୟ ଓ ଐଶ୍ୱର୍ଯ୍ୟର ଅଧିକାରିଣୀ ତୁ ହିଁ ହେବୁ ସୁନ୍ଦରୀ।ତ୍ରିଭୁବନରେ ମୋର ବଳବୀର୍ଯ୍ୟ ବିଷୟରେ କିଏ ନଜାଣେ ?ଦେବ ଦାନବ ରକ୍ଷ ଗନ୍ଧର୍ବ ସମସ୍ତେ ମୋ ପାଦତଳର କିଙ୍କର। ସେମାନେ ସମସ୍ତେ ମଧ୍ୟ ତୋ ପାଦତଳେ ପରିଚାରକ ହୋଇ ସେବା କରିବେ।


ଦରିଦ୍ର ଭିକାରୀ ରାମ କଥା ଭାବି ଭାବି କାହିଁକି ତୁ ତୋର ଯୌବନ ନଷ୍ଟ କରୁଛୁ ଜାନକୀ ?ରାଜ୍ୟରୁ ବିତାଡିତ, ଅରଣ୍ୟରେ ଯାଯାବର ଭଳି ବୁଲୁଥିବା ଗୋଟାଏ ଢୋଙ୍ଗୀ ସନ୍ୟାସୀ ଉପରେ ତୋର କିପରି ଏତେ ବିଶ୍ୱାସ,କିପରି ଏତେ ପ୍ରେମ ! ରାଜଲକ୍ଷ୍ମୀ ଓ ଧନଲକ୍ଷ୍ମୀ ଯାହାକୁ ତ୍ୟାଗ କରିଛନ୍ତି ସେପରି ଜଟାଜୁଟ ବଳ୍କଳଧାରୀ ଗୋଟାଏ ନିଶ୍ୱ ସନ୍ୟାସୀ କଥା କାହିଁକି ଦିନରାତି ଚିନ୍ତା କରୁଛୁ ସୁନ୍ଦରୀ ?ମୋର ତ ସନ୍ଦେହ,ସେ ବଞ୍ଚିଛି ନା ସ୍ୱର୍ଗଗାମୀ ହେଲାଣି।ବଞ୍ଚିଥିଲେ ମଧ୍ୟ ସମୁଦ୍ର ପରିବେଷ୍ଠିତ ଲଙ୍କାଗଡର ଭୂମି ସ୍ପର୍ଶ କରିବା ତା' ପାଇଁ ଅସମ୍ଭବ।


ସୁନ୍ଦରୀ ! ସର୍ପ ଯେପରି ଗରୁଡକୁ ଆକର୍ଷିତ କରେ ତୋ ସୌନ୍ଦର୍ଯ୍ୟ ମୋତେ ସେହିପରି ଆକର୍ଷିତ କରିଛି।ତୁ ମୋର ଚରମ ଦୁର୍ବଳତା ସୀତେ ! ସେ ଆକର୍ଷଣରୁ ମୁଁ ମୁକ୍ତି ପାଇଁ ପାରୁନାହିଁ, ମୋ ଉପରେ ଦୟା କର।ତୋର ଏଭଳି ଦୀନହୀନ ବେଶରେ ମଧ୍ୟ ମୋର ମନ, ଅନ୍ୟ ସୁନ୍ଦରୀ ରାଣୀମାନଙ୍କ ଠାରୁ ଦୂରେଇ ଯାଇ ତୋ ଠାରେ ହିଁ ଲାଗିରହିଛି।


ବଳ,ଐଶ୍ୱର୍ଯ୍ୟ ଓ ସୌନ୍ଦର୍ଯ୍ୟରେ ରାମଠାରୁ ମୁଁ ବହୁତ ଉଚ୍ଚରେ।ସେ' ଦରିଦ୍ର ସନ୍ନ୍ୟାସୀକୁ ତ୍ୟାଗ କରି ମୋ ଅଙ୍କ ପଲ୍ୟଙ୍କ ମଣ୍ଡନ କର ସୁନ୍ଦରୀ,ମୋ ଉପରେ ଦୟାକର। ନିର୍ଲ୍ଲଜ କନ୍ଦର୍ପ ମୋତେ ତୋ ଆଡ଼କୁ ଆକର୍ଷିତ କରି ପଞ୍ଚବାଣରେ ଅସ୍ଥିର କରୁଛି।"


ସୀତା କହିଲେ..ରାକ୍ଷସ, ତୋ ନିର୍ଲ୍ଲଜ ପଣିଆ ଦେଖି ମୋତେ ହସ ଲାଗୁଛି। ତୋତେ ଭଲ ବୁଦ୍ଧି ଦେବାପାଇଁ କଣ ତୋ ରାଜ୍ୟରେ କେହି ନାହାନ୍ତି ? ମୁଁ ଶ୍ରୀରାମଙ୍କର ବିବାହିତା ପତ୍ନୀ,ତୋର ପତ୍ନୀ କିପରି ହୋଇ ପାରିବି ?ତୋ ପତ୍ନୀକୁ ହରଣ କରି ତା' ନିକଟରେ ଯଦି କେହି ପ୍ରେମ ଭିକ୍ଷା କରେ ତୋତେ କିପରି ଲାଗିବ ରାବଣ ?

 

ମଦ୍ୟପ ହାତକୁ କେହି କେବେ ବେଦପୋଥି ଦେଇଛି ?ତୁ ତ ଗୋଟାଏ ଅଧର୍ମୀ ରାକ୍ଷସ,ତୁ ପତିବ୍ରତା ନାରୀଧର୍ମ କଥା କ'ଣ ଜାଣିବୁ।ତୋ ନିଜ ସ୍ୱାର୍ଥ ଓ ପ୍ରଜାଙ୍କ ସ୍ୱାର୍ଥ ପାଇଁ କହୁଛି ଏ ଅନାଚାର ପଥ ତ୍ୟାଗ କରେ ରାବଣ,ନହେଲେ ରାଜାର ପାପ ପ୍ରଜା ଭୋଗ କରିବେ।ତୋ ସ୍ୱର୍ଣ୍ଣଲଙ୍କା ଭସ୍ମୀଭୂତ ହୋଇଯିବ।


କି ଐଶ୍ୱର୍ଯ୍ୟ ତୁ ମୋତେ ଦେଖାଉଛୁ ରାବଣ ? ଶ୍ରୀରାମ ମୋ ପାଇଁ ବିଶ୍ୱର ସମସ୍ତ ଐଶ୍ୱର୍ଯ୍ୟ ଠାରୁ ଅଧିକ।ତୋ ସୁବର୍ଣ୍ଣ ଲଙ୍କାର ସମସ୍ତ ଐଶ୍ୱର୍ଯ୍ୟକୁ ମୁଁ ପଦାଘାତ କରୁଛି ରାକ୍ଷସ;ଆଉ ଦିନେ ତୋ ଧନସମ୍ପଦ ଓ ବୀରତ୍ୱର କାହାଣୀ ବଖାଣିବୁ ନାହିଁ।ତୁ କେତେ ବଡ ବୀର ମୁଁ ଭଲ ଭାବରେ ଜାଣେ। ଦଣ୍ଡକାରଣ୍ୟର 'ଜନସ୍ଥାନ'ରେ ଖର ଦୂଷଣ ତ୍ରିଶିରାଙ୍କ ସମେତ ତୋର ଚଉଦ ହଜାର ରାକ୍ଷସଙ୍କୁ ଶ୍ରୀରାମ ଏକା ବିନାଶ କରିବାପରେ ତୋର କଲିଜା ଭୟରେ କମ୍ପିଗଲା। ସେଥିପାଇଁ ଶ୍ରୀରାମଙ୍କ ସମ୍ମୁଖୀନ ନହୋଇ କପଟରେ ମୋତେ ଚୋରାଇ ନେଇ ଆସିଛୁ।ଏବେ ମଧ୍ୟ ସମୟ ଅଛି।ମୋ ଶ୍ରୀରାମ ବଡ଼ ଦୟାଳୁ।ମୋତେ ତାଙ୍କ ପାଖରେ ସମର୍ପଣ କରି କ୍ଷମା ମାଗିଲେ ସେ ତୋତେ କ୍ଷମା କରିଦେବେ।ନହେଲେ ସବଂଶ ବିନାଶ ହେବୁ ରାକ୍ଷସ।ତୋର କୁଳରେ ପାଣି ଦେବାପାଇଁ କେହି ରହିବେ ନାହିଁ। 


ଶ୍ରୀରାମଙ୍କ ଧନୁର ଟଙ୍କାର ମୁଁ ଶୁଣି ପାରୁଛି।ତୋର ବଂଶ ପଦ୍ମବନକୁ ଦଳିବା ପାଇଁ ଶ୍ରୀରାମ ରୂପକ ହସ୍ତୀ ଆସୁଛନ୍ତି।ରାମ ଓ ଲକ୍ଷ୍ମଣ ସିଂହ ହେଲେ ତୁ ଗୋଟାଏ ଶୃଗାଳ। ସିଂହ ଆଗରେ ଶୃଗାଳ କେତେ ସମୟ ତିଷ୍ଠି ପାରିବ ? ସମୁଦ୍ର ହେଉ ବା ପର୍ବତ ଗହ୍ୱର,ତୁ ଯେଉଁଠାରେ ଲୁଚିବାକୁ ଚେଷ୍ଟାକଲେ ମଧ୍ୟ ଶ୍ରୀରାମଙ୍କ ବାଣ ତୋତେ ଗୋଡ଼ାଇ ଗୋଡ଼ାଇ ମାରିବ, ନିର୍ଲ୍ଲଜ ନାରୀ ଚୋର।"


ସୀତାଙ୍କ ଭର୍ତ୍ସନା ଶୁଣି ଭୟଙ୍କର କ୍ରୋଧରେ କମ୍ପିଯାଇ ଦଶାନନ କହିଲା...ପ୍ରଳାପ ବନ୍ଦ୍ କର ସୀତା।ତୋ ପ୍ରତି ମୋର ପ୍ରେମଭାବ ଯୋଗୁଁ ମୁଁ ତୋତେ ଏପର୍ଯ୍ୟନ୍ତ ସହ୍ୟ କରିଛି,ନହେଲେ ତୋର ଏହି ଧୃଷ୍ଟତା ପାଇଁ ତୋର ମସ୍ତକ ଭୂଲୁଣ୍ଠିତ ହୋଇ ସାରନ୍ତାଣି।ଏବେ ମୋର ଚରମ ନିଷ୍ପତ୍ତି ଶୁଣ୍ ସୀତା, ଦୁଇ ମାସ ଭିତରେ ଯେବେ ତୋର ତଥାକଥିତ ବୀରପୁଙ୍ଗବ ରାମକୁ ଲଙ୍କାରେ ଉପସ୍ଥିତ କରି ନ' ପାରିବୁ ତାହେଲେ ତୋତେ ହତ୍ୟାକରି ତୋର ମାଂସ ଭକ୍ଷଣ କରିବି।"


ରାବଣ ସେ ସ୍ଥାନ ତ୍ୟାଗକରି ଚାଲିଯିବା ପରେ ଅସହାୟ ହୃଦୟରେ କ୍ରନ୍ଦନ କରି ଜାନକୀ କହିଲେ... କେହି କ'ଣ ନାହିଁ ମୋତେ ଏ' ରାକ୍ଷସ ରାଜ୍ୟରେ ସହାୟତା ଦେବାପାଇଁ। ସୀତାଙ୍କ ଦୁଃଖ ଦେଖି ଶିଂଶପା ବୃକ୍ଷର ଡାଳରେ ବସିଥିବା ହନୁମାନଙ୍କ ଆଖିରୁ ଝରିଗଲା ଦୁଇ ବିନ୍ଦୁ ଲୁହ।


କ୍ରମଶଃ....

(କୁଳମଣି ଷଡଙ୍ଗୀ)



Rate this content
Log in