Kulamani Sarangi

Classics

4  

Kulamani Sarangi

Classics

ସରଯୂ ନଦୀର ତୀରେ(୯୬)

ସରଯୂ ନଦୀର ତୀରେ(୯୬)

4 mins
262


ରାବଣର ପ୍ରାସାଦ ସଂଲଗ୍ନ ଉଦ୍ୟାନର ନାମ ଥିଲା ଅଶୋକ ବନ।ସ୍ବର୍ଗରେ ନନ୍ଦନକାନନକୁ ନିନ୍ଦା କରୁଥିଲା ସେ ବାଟିକା।ସେ କାନନରେ ଥରେ ଭ୍ରମଣ କରି ଆସିଲେ ମନରୁ ସମସ୍ତ ଶୋକ ସନ୍ତାପ ଦୂର ହୋଇଯାଏ ବୋଲି ବୋଧହୁଏ ତାର ଏପରି ନାମକରଣ ହୋଇଥିଲା। କିନ୍ତୁ ସୀତାଙ୍କ ଦୁଃଖର ବୋଝ ଏତେ ଅଧିକ ଥିଲା ଯେ ଅଶୋକ ବନର ସୌମ୍ୟ, ଶାନ୍ତ, ସ୍ନିଗ୍ଧ ପ୍ରକୃତି ତାର ଉପଶମ ପାଇଁ ପର୍ଯ୍ୟାପ୍ତ ନଥିଲା।

ଅଶୋକ ବନର ପ୍ରାଚୀର ଉପରେ ପାଦ ଦେଉ ଦେଉ ହନୁମାନଙ୍କ ଶରୀରରେ ଏକ ଶିହରଣ ଖେଳିଗଲା। ଲୁହାକୁ ଚୁମ୍ବକ ଟାଣିଲା ଭଳି ହନୁମାନ ବାଟିକା ଭିତରକୁ ଟାଣି ହୋଇଗଲେ। ବିଭିନ୍ନ ଫୁଲର ବାସ୍ନାରେ ଭରିଯାଇଥିଲା ବାତାବରଣ। ହନୁମାନଙ୍କ ମନରେ ଯେଉଁ ଅଜ୍ଞାତ ପୁଲକର ଜୁଆର ଉଠୁଥିଲା ତାର କାରଣ ନିଜେ ଜାଣିପାରୁନଥିଲେ ଆଞ୍ଜନେୟ।ଚକ୍ଷୁ ମୁଦ୍ରିତ କରି ଯୋଡହସ୍ତରେ ଶ୍ରୀରାମଙ୍କୁ ଧ୍ୟାନରେ ଭକ୍ତିପୁତ ପ୍ରଣାମ ଜଣାଇ ହନୁମାନ ଡାକିଲେ...ପ୍ରଭୁ ରାଜୀବ ଲୋଚନ ! ମୋର ମନ କହୁଛି ସୀତା ମାତା ଏଠାରେ ନିଶ୍ଚିତ ଭାବରେ ଅଛନ୍ତି।ଆପଣଙ୍କ ଆଶୀର୍ବାଦ ବିନା ମାତାଙ୍କ ଦର୍ଶନ ସମ୍ଭବ ନୁହେଁ ଦାଶରଥି ! ମୋତେ ଆଶୀର୍ବାଦ ଦିଅନ୍ତୁ ଅନ୍ତର୍ଯ୍ୟାମୀ, ମୁଁ ସଫଳ ହୁଏ।" 

କିଛି ଦିନ ହେଲା ଅଶୋକ ବନରେ ବସନ୍ତ ପ୍ରବେଶ କରିଛି।ବୃକ୍ଷମାନେ ଫୁଲରେ ଲଦିହୋଇ ଆକ୍ତାମାକ୍ତା ହୋଇ ପଡିଛନ୍ତି।ବୃକ୍ଷ ଡାଳରେ ହନୁମାନଙ୍କର ଚଳପ୍ରଚଳ ଯୋଗୁଁ ତଳେ ଫୁଲର ବର୍ଷା ହୋଇଗଲା। ପ୍ରହରୀମାନେ ଆଶ୍ଚର୍ଯ୍ୟ ହୋଇ ବୃକ୍ଷଡାଳକୁ ଚାହିଁ ଭାବିଲେ..କି ଆଶ୍ଚର୍ଯ୍ୟ ! କେହି ତ ନାହାଁନ୍ତି, କିପରି ଏତେ ଫୁଲ ତଳେ ଝଡିପଡୁଛି ? ବୃକ୍ଷ ଡାଳରେ ପକ୍ଷୀମାନେ ହନୁମାନଙ୍କର ଜ୍ୟୋତିର୍ମୟ ରୂପଦେଖି ଭାବୁଥିଲେ ସ୍ଵୟଂ ଋତୁରାଜ ବସନ୍ତ ଅଶୋକ ବନର ସୌନ୍ଦର୍ଯ୍ୟ ଦର୍ଶନ କରିବା ପାଇଁ ସ୍ବଦେହରେ ବୃକ୍ଷ ଡାଳରେ ବିରାଜମାନ ହୋଇଛନ୍ତି କି?

ଅଶୋକ ବନର ଅପରୂପ ସୌନ୍ଦର୍ଯ୍ୟରେ ହନୁମାନଙ୍କ ମନ ପ୍ରାଣ ଉଲ୍ଲସିତ। ସେହି ଉପବନରେ ଥିବା ପୁଷ୍କରିଣୀ ମାନଙ୍କରେ ପଦ୍ମଫୁଲ ପରିପୂର୍ଣ୍ଣ ହୋଇ ରହିଥିଲେ; ଭ୍ରମରମାନେ ଗୁଣୁଗୁଣୁ ହୋଇ ଫୁଲରୁ ଫୁଲକୁ ଉଡି ମଧୁ ଆସ୍ବାଦନ କରୁଥିଲେ। କୃତ୍ରିମ ପାହାଡ଼,ତା ଦେହରେ କ୍ଷୁଦ୍ର ଝରଣାର କୁଳୁକୁଳୁ ଶବ୍ଦ,ମୟୂର ମୟୂରୀ ମାନଙ୍କର ନୃତ୍ୟ ଏବଂ ରଙ୍ଗ ବିରଙ୍ଗ ଫୁଲରୁ ପ୍ରଜାପତି ମାନଙ୍କର ମଧୁଚୟନ ପରିବେଶକୁ ଶାଶ୍ବତ ଗାରିମାରେ ଭରି ଦେଇଥିଲା।ଯୂଥ ଯୂଥ ହୋଇ ମୃଗ ଓ ମୃଗୁଣୀ ନିର୍ଭୟରେ ବିଚରଣ କରୁଥିଲେ।

ହନୁମାନ ଭାବିଲେ ପ୍ରଭୁ ରାମଚନ୍ଦ୍ର ତ କହୁଥିଲେ ଜନକନନ୍ଦିନୀ ପ୍ରକୃତିକୁ ବହୁତ ଭଲ ପାଆନ୍ତି; ହଜିଯିବାକୁ ଚାହାଁନ୍ତି ସେ ବନାନୀର ପ୍ରକୃତିକ ପ୍ରାଣପ୍ରାଚୁର୍ଯ୍ୟ ଭିତରେ।ସେ ଯେବେ ଲଙ୍କାରେ କେଉଁଠି ଥିବେ,ପ୍ରଭୁଙ୍କ ବିରହ ବେଦନାରେ ବ୍ୟଥିତା ହୋଇ ମନ ପରିବର୍ତ୍ତନ କରିବାକୁ ନିଶ୍ଚିତ ଭାବରେ ଏହି ଉପବନକୁ ଆସିବେ।ମୋତେ ଏଠାରେ ଅପେକ୍ଷା କରିବାପାଇଁ ପଡିବ।" ଏହା ଚିନ୍ତା କରି ଏକ ସୁଉଚ୍ଚ ଶିଂଶପା ବୃକ୍ଷର ଗହଳ ଡାଳ ଭିତରେ ଗୋପନରେ ବସି ରହିଲେ ପବନ ନନ୍ଦନ।

କିଛି ଶୁଭ ସଙ୍କେତ ହନୁମାନଙ୍କ ମନରେ ଦୃଢ଼ତା ଆଣିଦେଲା।ତାଙ୍କର ଦକ୍ଷିଣ ଆଖି ଡେଇଁଲା ଏବଂ ଦକ୍ଷିଣ ଭୁଜ ଥରିଲା,ବାମ ପାଶରେ ତାଙ୍କୁ ଶୃଗାଳ ଅତିକ୍ରମ କଲା ଏବଂ ଆକାଶରେ ଶଙ୍ଖ ଚିଲ ଓ ଭଦଭଦଳିଆ ପକ୍ଷୀ ଉଡ଼ିଲେ। ହନୁମାନ ଆନନ୍ଦିତ ହୋଇ ଭାବିଲେ, ସଫଳତା ଲାଭ କରିବାର ସମସ୍ତ ଲକ୍ଷଣ ଦେଖା ଯାଉଛି,ତେଣିକି ଭାଗ୍ୟ।"

ଶିଂଶପା ବୃକ୍ଷର ସୁଉଚ୍ଚ ଡାଳରେ ବସିଥିବା ହନୁମାନଙ୍କୁ ଅଶୋକ କାନନ ଭିତରେ ଏକ ସୁଉଚ୍ଚ ଧବଳ ପ୍ରାସାଦ ଦେଖାଗଲା। କୈଳାସ ଶିଖର ପରି ଅତ୍ୟନ୍ତ ଉଚ୍ଚ ସେହି ପ୍ରାସାଦର ବାହାରେ ଗୋଟିଏ ବୃକ୍ଷମୂଳ ମଣ୍ଡପରେ ରାକ୍ଷସୀଙ୍କ ଦ୍ବାରା ପରିବେଷ୍ଠିତା ହୋଇ ବସିଥିଲେ ଜଣେ ରମଣୀ।ଆଖିରୁ ବହି ଯାଉଥିଲା ଧାର ଧାର ଅଶ୍ରୁ। ଅତି ମଳିନ ଏକ ପୁରାତନ ପୀତ ବର୍ଣ୍ଣର ବସ୍ତ୍ର ପିନ୍ଧିଥିଲେ ସେ ଦୁଃଖିନୀ।ଆଉଟା ସୁନା ଭଳି ଦେଖାଯାଉଥିଲା ତାଙ୍କ ଦେହର ତେଜ। କିନ୍ତୁ ସେ କାନ୍ଦି କାନ୍ଦି ଘନ ଘନ ନିଶ୍ବାସ ଛାଡୁଥିଲେ ।ବୃନ୍ତଚ୍ୟୁତ ପଦ୍ମଫୁଲ ପରି ମଳିନ ଦେଖାଯାଉଥିଲା ତାଙ୍କ ମୁଖ ମଣ୍ଡଳ। ଦେହରେ କିଛି ଅଳଙ୍କାର ନଥିଲା କହିଲେ ଚଳେ।ମଙ୍ଗଳ ଗ୍ରହ ଦ୍ବାରା ପ୍ରଭାବିତା ରୋହିଣୀ ନକ୍ଷତ୍ର ଭଳି ଶ୍ରୀହୀନା ଦେଖା ଯାଉଥିଲେ ସେ।ତ୍ରସ୍ତା ହରିଣୀ ଯେପରି ଶ୍ବାନମାନଙ୍କ ମେଳରେ ଭୟଭୀତା ହୋଇ ରହିଥାଏ, ରାକ୍ଷସୀମାନଙ୍କ ମେଳରେ ସେହିପରି ଥିଲା ତାଙ୍କ ଅବସ୍ଥା।ନୀଳ ରଙ୍ଗର ସର୍ପଭଳି ବେଣୀଟି ତାଙ୍କର ଜଘନ ପର୍ଯ୍ୟନ୍ତ ଲମ୍ବିତ ହୋଇ ପଡ଼ିଥିଲା। 

ଜୀବନରେ ଦୁଃଖ କ'ଣ ଜାଣିନଥିଲେ ଜନକନନ୍ଦିନୀ;ତେଣୁ ଚାରୁ ବିଶାଳ ନୟନା ସୀତା ମଳିନ ଓ କ୍ଷୀଣ ଦେଖାଯାଉଥିଲେ।ଉପବନର ଝଡ ବିଧ୍ବସ୍ତ ପୁଷ୍ପଲତା ଭଳି ଦେଖାଯାଉଥିଲା ତାଙ୍କ ଜ୍ୟୋତିହୀନ ଅଙ୍ଗବଲ୍ଲରୀ ।

ଏହି ସବୁ ଲକ୍ଷଣ ଦେଖି ହନୁମାନ ଭାବିଲେ ଯେ ଏ'ନିଶ୍ଚୟ ଜନକ ନନ୍ଦିନୀ ସୀତା। ପୁଣି ହନୁମାନଙ୍କର ମନେପଡିଲା ଋଷ୍ୟମୁକ ପର୍ବତରେ ସେ ସୁଗ୍ରୀବଙ୍କ ସହିତ ବସିଥିବା ବେଳେ ଯେଉଁ ଲଳନା,ପିନ୍ଧାକାନି ଚିରି ଅଙ୍ଗ-ଅଳଙ୍କାର ସେଥିରେ ବାନ୍ଧି ତଳେ ପକାଇ ଥିଲେ,ଏ ତାଙ୍କ ଭଳି ଦେଖା ଯାଉଛନ୍ତି।ସେହି ପୀତ ବର୍ଣ୍ଣର ବସ୍ତ୍ର ମଧ୍ୟ ଏ ଯାବତ୍ ତାଙ୍କ ଅଙ୍ଗ ଲତାରେ ରହିଛି। ଚନ୍ଦ୍ରମୁଖୀ,ପଙ୍କଜନୟନୀ,କୃଶକଟି, ଜବାଧରୀ ସୀତାଙ୍କୁ ଦର୍ଶନ କରି ପବିତ୍ର ଭାବନାରେ ଦ୍ରବିଗଲା ମାରୁତିଙ୍କ ମନ।ସତେ ଯେପରି ପୁଅଟିଏ କହୁଛି ମୋ ମାଆଠାରୁ ସୁନ୍ଦର ଆଉ କେହି ନାହିଁ ଏ ସଂସାରରେ। ଶାଶ୍ବତ ସୌନ୍ଦର୍ଯ୍ୟର ପ୍ରତିମା ମାତା ସୀତାଙ୍କର ପାଦରେ ମନେ ମନେ ମଥା ନୁଆଇଁଲେ ମାରୁତି କହିଲେ ଏ ପୁତ୍ରର ଭକ୍ତିପୁତ ପ୍ରଣାମ ଘେନାକର ଜନନୀ !"

ଭାବିଲେ ମାରୁତି ଆହା ! ମାତା ମୋର କେତେ କଷ୍ଟ ପାଉଛନ୍ତି ! ଅଯୋଧ୍ୟାର ରାଜପ୍ରାସାଦରେ ଥିଲାବେଳେ ପାଦରେ ଧୂଳି ଲାଗୁନଥିବ।ଶତ ଶତ ଦାସ ଦାସୀ ପାଦତଳେ ଖଟୁଥିବେ। ଶୁଣିଛି ତୁଳିତଳ୍ପରେ ନିଦ୍ରା ହୁଏନାହିଁ ବୋଲି ପ୍ରଭୁଙ୍କ ଅଙ୍କ ପର୍ଯ୍ୟଙ୍କରେ ମାତା ଜାନକୀ ଶୟନ କରନ୍ତି।ପ୍ରଭୁଙ୍କ ସହିତ ଅରଣ୍ୟରେ ସମୟ ଅତିବାହିତ କରିବା ସମୟରେ ମଧ୍ୟ ଫୁଲର ଶେଯ ସଜାଇ ଦିଅନ୍ତି ପ୍ରଭୁ ଜାନକୀଙ୍କ ପାଇଁ। ଆଜି ତାଙ୍କର ଏ କି ଦଶା ! କେଉଁ ଅପଦେବତାର ଅଭିଶାପ ଭୋଗ କରୁଛନ୍ତି ମୋ ମାତା ଜାନକୀ !"

ତେଣେ ପ୍ରଭୁଙ୍କର ଦଶା ମଧ୍ୟ କେତେ କଷ୍ଟ ଦାୟକ ନହେଉଛି ସତେ !ବିରହ ବ୍ୟଥାରେ ବିଧୂର ଶ୍ରୀରାମଙ୍କ ମନୋବେଦନା ଅବର୍ଣ୍ଣନୀୟ। ପତ୍ନୀବିରହ ବ୍ୟଥା ସଙ୍ଗେ ସଙ୍ଗେ ପତ୍ନୀକୁ ସୁରକ୍ଷା ଦେଇ ନପାରିବାର ଆତ୍ମଗ୍ଲାନି ପ୍ରତିମୁହୂର୍ତ୍ତରେ ପ୍ରଭୁଙ୍କ ମନକୁ ଯନ୍ତ୍ରଣା ଦେଉଛି। ସୀତା ଏବଂ ଶ୍ରୀରାମଙ୍କ କଥା ଭାବି ଭାବି ହନୁମାନଙ୍କ ଆଖି ସଜଳ ହୋଇଗଲା।ସୀତାଙ୍କୁ ରାବଣ କବଳରୁ ଉଦ୍ଧାର କରିବା ଭାବନା ମନରେ ଦୃଢ଼ ହେବାକୁ ଲାଗିଲା। କିନ୍ତୁ କିପରି ସେ ସୀତାଙ୍କୁ ଶ୍ରୀରାମଙ୍କ ସନ୍ଦେଶ ଦେବେ ? ସୀତା ଯେ ଅହର୍ନିଶ ରାକ୍ଷସୀମାନଙ୍କ ଦ୍ବାରା ପରିବେଷ୍ଠିତା; ସେମାନଙ୍କ ଉପସ୍ଥିତିରେ କିଛି କହିବା ଅର୍ଥ ଆଶୁ ବିପଦକୁ ଆମନ୍ତ୍ରଣ କରିବା।ତତ୍ ବ୍ୟତୀତ ସୀତା କାହିଁକି ହନୁମାନଙ୍କୁ ବିଶ୍ବାସ କରିବେ ? ସେ ହନୁମାନଙ୍କ ପ୍ରତି କାର୍ଯ୍ୟକୁ ରାବଣର ମାୟା ବୋଲି ନିଶ୍ଚୟ ଭାବିବେ।

ଶିଂଶପା ବୃକ୍ଷର ଡାଳରେ ଏହିପରି ଚିନ୍ତା କରୁକରୁ ଦିନ ଯାଇ ରାତି ହେଲା।ପହରା ଦେଉଥିବା ରାକ୍ଷସୀ ଦଳ ବଦଳ ହୋଇ ନୂଆ ପ୍ରହରୀ ଆସିଲେ ସୀତାଙ୍କୁ ଜଗିବା ପାଇଁ। ହନୁମାନଙ୍କୁ ଅବସର ମିଳିଲା ନାହିଁ ସୀତାଙ୍କ ଆଗରେ ନିଜର ପରିଚୟ ଦେବାପାଇଁ। ସେହି ରାତିରେ ପାହାନ୍ତି ପ୍ରହରରେ ରାବଣ ଏକ ସ୍ବପ୍ନ ଦେଖିଲା। "ଲଙ୍କାଦେବୀ" ତାକୁ ସ୍ୱପ୍ନରେ କହୁଥିଲେ ଲଙ୍କାଗଡ ପାଇଁ ଦୁର୍ଦ୍ଦିନ ମାଡି ଆସୁଛି ପୁତ୍ର ରାବଣ ! ଗଡରେ ଶ୍ରୀରାମଙ୍କ ବାନର ଦୂତ ପ୍ରବେଶ କରି ସାରିଲାଣି।ଏହା ସ୍ବର୍ଣ୍ଣଲଙ୍କା ପାଇଁ ମଙ୍ଗଳକାରକ ନୁହେଁ।ତୁ ସୀତାଙ୍କୁ ଲଙ୍କାଗଡ଼ରୁ ବାହାର ନକଲେ ସ୍ବର୍ଣ୍ଣଲଙ୍କା ଭସ୍ମୀଭୂତ ହୋଇଯିବ।"

ପାହାନ୍ତି ପହରର ସ୍ବପ୍ନ ସତ୍ୟ ହୁଏ।ରାବଣ କିନ୍ତୁ ବିପରୀତ ବୁଝିଲା।ଭାବିଲା ସୀତାଙ୍କୁ ସମ୍ମତ କରି ଯେବେ ବିବାହ କରାଯାଏ ତାହେଲେ ଆପେ ଆପେ ସମସ୍ୟାର ସମାଧାନ ହୋଇଯିବ।ସୀତା ଯେବେ ସମ୍ମତ ନହୁଅନ୍ତି ,ଶ୍ରୀରାମଙ୍କୁ ଆଣି ଦେଖାଇବା ପାଇଁ ତାଙ୍କୁ ଦୁଇ ମାସର ଅବଧି ଦିଆଯିବ। ଦୁଇ ମାସ ପରେ ତାଙ୍କୁ ହତ୍ୟାକଲେ ସମସ୍ୟାର ସମାଧାନ ସ୍ବତଃ ହୋଇଯିବ। ସୀତାଙ୍କ ବିବାହ ସମ୍ବାଦ କିମ୍ବା ମୃତ୍ୟୁ ସମ୍ବାଦ ଯାହା ବି ହେଉ, ପାଇବା ପରେ କେଉଁ ରାମ କାହିଁକି ଲଙ୍କା ଆକ୍ରମଣ କରିବାକୁ ଆସିବେ? ଏହା ଚିନ୍ତା କରି ରାତ୍ର ଶେଷ ନହେଉଣୁ ନାରୀ-ଶ୍ରେଣୀ ସଙ୍ଗରେ ନେଇ ଲଙ୍କେଶ,ସୀତାଙ୍କ ପାଖରେ ପହଞ୍ଚିଲା। ଉଦ୍ଦେଶ୍ୟ,ହାତ ପାଦ ଧରି ପ୍ରୀତି ଭିକ୍ଷା କରିବା ଏବଂ ବିବାହ ପାଇଁ ସମ୍ମତ କରାଇବା।


କ୍ରମଶଃ


Rate this content
Log in

Similar oriya story from Classics