Kulamani Sarangi

Classics

3  

Kulamani Sarangi

Classics

ସରଯୂ ନଦୀର ତୀରେ(୧୦୪)

ସରଯୂ ନଦୀର ତୀରେ(୧୦୪)

5 mins
140



ବ୍ରହ୍ମାସ୍ତ୍ର ବନ୍ଧନରେ ପଡି ହନୁମାନ ଯେତେବେଳେ ଅସହାୟ ହେବାର ନାଟକ କରୁଥିଲେ, ମେଘନାଦ ସହିତ ଆସିଥିବା ରାକ୍ଷସ ସୈନ୍ୟମାନେ ଆନନ୍ଦରେ ଚିତ୍କାର କରିବା ଆରମ୍ଭ କରିଦେଲେ। ଏପର୍ଯ୍ୟନ୍ତ ସେମାନେ ଡରିମରି ଦୂରେଇ ରହୁଥିଲେ।ଏବେ ସାହସ ସଞ୍ଚୟ କରି ପାଖକୁ ଆସି ହନୁମାନଙ୍କୁ ଅସଭ୍ୟ ଭାଷାରେ ଗାଳିଦେବା ଆରମ୍ଭ କରିଦେଲେ। ସେମାନଙ୍କ ଭିତରୁ କିଛି ରାକ୍ଷସ କହିଲେ.. କେଡେ ସାହସ ଦେଖ ମର୍କଟର ! ଆମ ଯୁବରାଜଙ୍କ ସହିତ ପୁଣି ଲଢେଇ କରିବାକୁ ଦୁଃସାହସ କରୁଥିଲା !ତୁ ଚିହ୍ନିନାହୁଁ ଆମ ଯୁବରାଜଙ୍କୁ,ତୋ ଭଳି କେତେ ମର୍କଟଙ୍କୁ ମ଼ହାଶୂନ୍ୟରେ ଉଠେଇ ଦେବାର ଶକ୍ତି ତାଙ୍କର ଅଛି।"

ଅନ୍ୟ ଜଣେ ରାକ୍ଷସ କହିଲା..ଏ ମର୍କଟଟା ପାହାଡ଼ ଭଳି ଦେଖାଯାଉଛି ! ଆଜି ମନଇଚ୍ଛା ମାଙ୍କଡ ମାଂସ ଖାଇବାକୁ ମିଳିବ।" ଅନ୍ୟ କିଛି ରାକ୍ଷସ ବ୍ରହ୍ମାସ୍ତ୍ରରେ ବନ୍ଦୀ ହୋଇଥିବା ହନୁମାନଙ୍କୁ ଅନ୍ୟ ଦଉଡିରେ ବାନ୍ଧିବା ଆରମ୍ଭ କରିଦେଲେ।ଏହା ଦେଖି ଇନ୍ଦ୍ରଜିତ ଭାବିଲା...କି ମୂର୍ଖ ଏମାନେ ! ବ୍ରହ୍ମାସ୍ତ୍ରରେ ବନ୍ଦୀ ହୋଇଥିବା ଏହି ପ୍ରାଣୀକୁ ପୁନର୍ବାର ସାଧାରଣ ଦଉଡ଼ିରେ ବାନ୍ଧିଲେ ବ୍ରହ୍ମାସ୍ତ୍ରର ପ୍ରଭାବ ରହିବ ନାହିଁ ବୋଲି ଦୁର୍ଭାଗ୍ୟ ବଶତଃ ଏମାନେ ଜାଣନ୍ତି ନାହିଁ।" 


ଇନ୍ଦ୍ରଜିତ ଯାହା ଭାବୁଥିଲା ହନୁମାନ ମଧ୍ୟ ତାହା ଜାଣିଥିଲେ। ଇଚ୍ଛା କରିଥିଲେ ଅତି ସହଜରେ ନିଜକୁ ବନ୍ଧନମୁକ୍ତ କରି ପାରିଥାନ୍ତେ ହନୁମାନ। କିନ୍ତୁ ତାଙ୍କର ତ ଉଦ୍ଦେଶ୍ୟ ଭିନ୍ନ।ରାବଣର ଦରବାରର ଥାଟପାଟ ସେ ଦେଖିବାକୁ ଚାହୁଁଥିଲେ।ରାବଣ ନିକଟରେ ଶ୍ରୀରାମଙ୍କ ବାର୍ତ୍ତା ଦେବାପାଇଁ ଚାହୁଁ ଥିଲେ ମହାବୀର। ତେଣୁ ରାକ୍ଷସମାନେ ତାଙ୍କୁ ତାତ୍ସଲ୍ୟ କରିବା ସମୟରେ କିଛି ପ୍ରତିକ୍ରିୟା ନଦେଖାଇ ମୁରୁକି ମୁରୁକି ହସୁଥିଲେ ଆଞ୍ଜନେୟ।ତାଙ୍କ ମୁରୁକିହସା ଦେଖି କିଛି ରାକ୍ଷସ କହିଲେ..ଦେଖୁନ, ହସୁଛି କେମିତି;ମରିବା ପୂର୍ବରୁ କି ଆନନ୍ଦ ମ !ଏହା ଦୀପ ଲିଭିବା ପୂର୍ବରୁ ଜଳିଉଠିବା ଲକ୍ଷଣ।

 

ଇନ୍ଦ୍ରଜିତ ହାତରେ ହନୁମାନଙ୍କ ବନ୍ଦୀ ହେବା ସମ୍ବାଦ ଲଙ୍କାରେ ବନଅଗ୍ନି ଭଳି ପ୍ରସାରିତ ହୋଇଗଲା। କିଛି ରାକ୍ଷସୀ ସୀତାଙ୍କ ପାଖରେ ପହଞ୍ଚି ତାତ୍ସଲ୍ୟ କରି କହିଲେ..ଆଲୋ ରାମ ଘରଣୀ ! ତୋ ପାଖକୁ ତୋ ସ୍ବାମୀର ଦୂତ ହୋଇ ଯେଉଁ ମର୍କଟ ଆସି ଅଶୋକ ବନ ଉଜାଡୁଥିଲା,ସେ ଏବେ ଆମ ଯୁବରାଜ ଇନ୍ଦ୍ରଜିତଙ୍କ ହାତରେ ବନ୍ଦୀ। ଯୁବରାଜ ଅକ୍ଷୟ କୁମାରଙ୍କୁ ସେ ମର୍କଟ ବଧ କରିଛି, ତାକୁ କ'ଣ ଆମ ରାଜା ଛାଡ଼ିବେ ? ତାକୁ ମାରି,ତାର ମାଂସ ରାକ୍ଷସ ମାନଙ୍କ ଭିତରେ ବାଣ୍ଟିଦେବେ ବୋଲି ଶୁଣାଗଲାଣି।ତୋ ଖବର ଆଉ କିଏ ଯାଇ ରାମଙ୍କୁ ଜଣେଇବେ ? ତୁ ତ ତିନି ପାଞ୍ଜିରୁ ଗଲୁ ଲୋ ଉପରମୁହୀଁ!ଭଲ ଦଶା ଥିଲେ ଆମ ରାଜାଙ୍କୁ ବାହା ହେବାପାଇଁ ରାଜି ହୋଇ ଯା'।ରାମ କଥା ଭୁଲି ଯା'।"


ହନୁମାନ ବନ୍ଦୀ ହେବା ସମ୍ବାଦ ସୀତାଙ୍କୁ ଶୋକାକୁଳ କରିଦେଲା।ଉପରକୁ ଚାହିଁ ଯୋଡହସ୍ତରେ ପ୍ରାର୍ଥନା କଲେ ବୈଦେହୀ..ହେ ସର୍ବ ନିୟନ୍ତା ! ମୋ ପୁତ୍ର ହନୁମାନକୁ ସର୍ବ କୁଶଳରେ ରଖିଥାଅ।"


ରାବଣ ପାଖରେ ହନୁମାନଙ୍କୁ ପହଞ୍ଚାଇଲେ ରାକ୍ଷସଗଣ।ସେ ସମୟରେ ଦରବାରରେ ବସିଥିଲା ଲଙ୍କେଶ।ସିଂହାସନରୁ ଓହ୍ଲାଇ ଆସି ଇନ୍ଦ୍ରଜିତକୁ ଆଲିଙ୍ଗନ କରି ରାବଣ କହିଲା..ସାବାସ୍ ମୋର ବୀରପୁତ୍ର, ତୁ ଆଜି ଗର୍ବରେ ମୋ ଛାତି ପ୍ରଶସ୍ତ କରିଦେଇଛୁ।"


ଇନ୍ଦ୍ରଜିତ କହିଲା... ଏହି ସାମାନ୍ୟ କାର୍ଯ୍ୟ ପାଇଁ ମୋତେ ପ୍ରଶଂସା କରି ନଗଣ୍ୟ ମର୍କଟର ମାନବୃଦ୍ଧି କରନ୍ତୁ ନାହିଁ ଲଙ୍କେଶ। ଦୋଷୀ ଆପଣଙ୍କ ସମ୍ମୁଖରେ ଦଣ୍ଡାୟମାନ, ତାକୁ ଉପଯୁକ୍ତ ଦଣ୍ଡ ଦିଅନ୍ତୁ।ଏହାର ଅପରାଧ ପାଇଁ ମୃତ୍ୟୁ ଦଣ୍ଡ ମଧ୍ୟ କମ୍ ପଡିବ।


ରାବଣର ସୁନା ରୂପା ମଣି ମାଣିକ୍ୟରେ ଖଚିତ ରାଜସଭାର ବିଭବ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ହନୁମାନ।ନାନା ଅଳଙ୍କାରରେ ସଜ୍ଜିତ ହୋଇ ବିଶାଳ ସିଂହାସନରେ ପର୍ବତ ପ୍ରକାର କୃଷ୍ଣବର୍ଣ୍ଣର ଶରୀର ଧାରଣ କରି ବସିଥିଲା ଲଙ୍କେଶ୍ବର।ଦଶ ମସ୍ତକରେ ହୀରାନୀଳା ଖଚିତ ସୁବର୍ଣ୍ଣ ମୁକୁଟ ଶୋଭା ପାଉଥିଲା।ଅଙ୍ଗରେ ବିଜଡ଼ିତ ଥିଲା ଧବଳ ରେଶମୀ ବସ୍ତ୍ର।

କୋଡିଏଟି ବାହୁ ନାନା ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଶୋଭା ପାଉଥିଲେ।ପାତ୍ର ମନ୍ତ୍ରୀ ମିତ୍ର ସାମନ୍ତ ମାନଙ୍କ ଉପସ୍ଥିତିରେ ଗହ ଗହ କମ୍ପୁଥିଲା ରାଜସଭା। ଗର୍ବୋନ୍ନତ ମଥା ଟେକି ରାବଣ ପ୍ରହସ୍ତକୁ କହିଲା..ଏହି ମର୍କଟକୁ ଜିଜ୍ଞାସା କର ପ୍ରହସ୍ତ, କାହାର ସେ ଦୂତ ଭାବରେ ଲଙ୍କାରେ ପ୍ରବେଶ କରିଛି,କେଉଁ ଉଦ୍ଦେଶ୍ୟରେ ଏଠାକୁ ତାର ଆଗମନ ?"


ପହସ୍ତ ହନୁମାନଙ୍କୁ ପଚାରିଲା..କିଏ ତୁ ମର୍କଟ ? ବିନା ଭୟଭ୍ରାନ୍ତିରେ ସତ୍ୟ ପ୍ରକାଶ କଲେ ଦଣ୍ଡରୁ ରକ୍ଷା ପାଇଯିବୁ। ଇନ୍ଦ୍ର, କୁବେର କିମ୍ବା ବରୁଣ,କାହାର ଦୂତ ହୋଇ ତୁ ଛଦ୍ମବେଶରେ ଲଙ୍କାରେ ପ୍ରବେଶ କରିଛୁ ?"


ବିନା ଭୟରେ ଉର୍ଦ୍ଧ୍ବକୁ ମସ୍ତକ ତୋଳି ହନୁମାନ କହିଲେ.. କୁବେର,ଇନ୍ଦ୍ର କିମ୍ବା ବରୁଣ,କାହାର ମୁଁ ଦୂତ ନୁହେଁ।ସେମାନଙ୍କୁ ଅଯଥା ସନ୍ଦେହର ବଳୟ ଭିତରକୁ ଆଣନାହିଁ ଲଙ୍କେଶ। ମୋର ନାମ ପବନପୁତ୍ର ଆଞ୍ଜନେୟ ହନୁମାନ; ମୁଁ କିସ୍କିନ୍ଧ୍ୟା ରାଜା ସୁଗ୍ରୀବଙ୍କ ଦୂତ ତଥା ଉତ୍ତର-କୋଶଳ ରାଜକୁମାର ଶ୍ରୀରାମଙ୍କ ଭୃତ୍ୟ। କିଷ୍କିନ୍ଧ୍ୟାର ରାଜା ସୁଗ୍ରୀବଙ୍କର ଆପଣଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଛି।ଦୂତ ଭାବରେ ତାଙ୍କ ପକ୍ଷରୁ ସଦିଚ୍ଛା ଓ ଶୁଭକାମନା ତୁମକୁ ମୁଁ ଜଣାଉଛି ଲଙ୍କେଶ।ମୋ ପ୍ରଭୁ ଶ୍ରୀରାମ ସୁଗ୍ରୀବଙ୍କର ମିତ୍ର।ପ୍ରଭୁ ଦଣ୍ଡକାରଣ୍ୟରେ ଅବସ୍ଥାନ କରୁଥିବା ସମୟରେ ଛଦ୍ମବେଶରେ ତାଙ୍କ ପତ୍ନୀ ଜାନକୀଙ୍କୁ ତୁମେ ହରଣ କରିଛ।ସେ ସମ୍ବାଦ ଶ୍ରୀରାମ ଜଟାୟୁ ଠରୁ ଏବଂ ଆମେ ସମ୍ପାତିଙ୍କ ଠାରୁ ଅବଗତ ହେବାପରେ,ପ୍ରଭୁଙ୍କ ନିର୍ଦ୍ଦେଶରେ ମାତାଙ୍କ ଅନ୍ବେଷଣ ପାଇଁ ଲଙ୍କାଗଡ଼କୁ ମୋର ଆଗମନ। ଅଶୋକ ବାଟିକାରେ ମାତା ସୀତାଙ୍କର ଦୁର୍ଦ୍ଦଶା ଦର୍ଶନ କରିବା ପରେ ହୃଦୟ ମୋର ବିଗଳିତ।ପ୍ରଭୁ ରାମଚନ୍ଦ୍ରଙ୍କ ବାର୍ତ୍ତା ତୁମ ନିକଟରେ ପହଞ୍ଚାଇବା ପାଇଁ ମୋତେ ଅଶୋକ ବନକୁ ଧ୍ବଂସ କରି ତୁମ ଦୃଷ୍ଟି ଆକର୍ଷଣ କରିବାକୁ ପଡିଲା। ରାମଚନ୍ଦ୍ରଙ୍କର ଗୋଟିଏ ଭୃତ୍ୟର କାର୍ଯ୍ୟକଳାପ ଦେଖିଲ ତ ଲଙ୍କେଶ ! ମୋ ଠାରୁ ଅଧିକ ବଳବାନ ଶହ ଶହ ବାନର ସୁଗ୍ରୀବଙ୍କ ସେନାବାହିନୀରେ ରହିଛନ୍ତି। ସେମାନଙ୍କ ସହାୟତାରେ ପ୍ରଭୁ ଶ୍ରୀରାମ ଅବଲୀଳାକ୍ରମେ ଲଙ୍କାଗଡକୁ ଧ୍ବଂସସ୍ତୁପରେ ପରିଣତ କରିପାରିବେ।ତା'ପୂର୍ବରୁ ସୀତାମାତାଙ୍କୁ ସସମ୍ମାନେ ପ୍ରଭୁଙ୍କ ପାଖରେ ପ୍ରତ୍ୟର୍ପଣ କର ଲଙ୍କେଶ।ପ୍ରଭୁ ମୋର ବଡ଼ ଦୟାଳୁ।ତୁମ ଅକ୍ଷମଣୀୟ ଅପରାଧ ସତ୍ତ୍ୱେ ତୁମକୁ ସେ କ୍ଷମା କରିଦେବେ।ନହେଲେ ତୁମେ ଯେଉଁ ବଂଶ ପଦ୍ମବନ ବୃଦ୍ଧି କରିଛ, ତାହା ପ୍ରଭୁ ରାମଚନ୍ଦ୍ର ହସ୍ତୀ ଭଳି ଅତି ସହଜରେ ଦଳନ କରିଦେବେ।"


ହନୁମାନଙ୍କ ନିର୍ଭୟ ବକ୍ତବ୍ୟ ଶୁଣି ଭୟଙ୍କର କ୍ରୋଧରେ କମ୍ପିଯାଇ ଦଶାନନ କହିଲା.. ଓଃ,ତୁ ତାହେଲେ ଜଟାଧାରୀ ରାମର ଦୂତ ହୋଇ ଲଙ୍କାଗଡରେ ପ୍ରବେଶ କରିଛୁ; ନିର୍ବୋଧ ମର୍କଟ ! ତୁ ରାବଣର ଶକ୍ତି ଜାଣିନାହୁଁ।ଜଟାଧାରୀ ରାମ ସହସ୍ର ଚେଷ୍ଟା କଲେ ମଧ୍ୟ ସାଗର ଲଂଘନ କରି ଲଙ୍କାରେ ପ୍ରବେଶ କରିପାରିବ ନାହିଁ।ମୋ ପ୍ରିୟ ପୁତ୍ର ଅକ୍ଷୟ କୁମାରର ହତ୍ୟାକାରୀ ମର୍କଟ ! ମୃତ୍ୟୁଦଣ୍ଡ ତୋ କୃତକର୍ମର ଉପଯୁକ୍ତ ଶାସ୍ତି।"


ତା'ପରେ ପ୍ରହସ୍ତକୁ ଚାହିଁ ରାବଣ କହିଲା..ଯାଅ ପ୍ରହସ୍ତ,ଏ ଉଦ୍ଧତ ମର୍କଟକୁ ସର୍ବ ସମକ୍ଷରେ ହତ୍ୟାକରି ମୋ ପ୍ରିୟ ପୁତ୍ର ଅକ୍ଷୟ କୁମାରର ମୃତ୍ୟୁର ପ୍ରତିଶୋଧ ନିଅ।"


ରାବଣର ନିଷ୍ପତ୍ତି ଶୁଣି "ସାଧୁ ସାଧୁ"ଶବ୍ଦରେ ରାଜସଭା ପ୍ରକମ୍ପିତ ହେଲା। କିନ୍ତୁ ରାବଣର ଅନୁଜ ବିଭୀଷଣ କରଯୋଡି କହିଲେ..ଆପଣଙ୍କ ନିଷ୍ପତ୍ତି ଉପରେ ମନ୍ତବ୍ୟ ଦେଉଥିବାରୁ ସେ ଦୋଷ ପାଇଁ ମୋତେ କ୍ଷମା କରନ୍ତୁ ଲଙ୍କେଶ;ଏହି ମର୍କଟ ସୁଗ୍ରୀବଙ୍କର ଦୂତ ଭାବରେ ଲଙ୍କା ଗଡରେ ପ୍ରବେଶ କରିଛି।ଆପଣ ମହା ପଣ୍ଡିତ ଏବଂ ରାଜଧର୍ମ ବିଶାରଦ।ରାଜଧର୍ମ ଅନୁଯାୟୀ ଦୂତକୁ ବଧ କରିବା ଉଚିତ ନୁହେଁ।ଦୂତକୁ ବଧ କଲେ ଆପଣଙ୍କ ଯଶ କଳଙ୍କିତ ହେବ।"


ବିଭିଷଣଙ୍କ ମନ୍ତବ୍ୟ ରାବଣକୁ ନିଜର ନିଷ୍ପତ୍ତି ଉପରେ ପୁନଃ ଚିନ୍ତା କରିବା ପାଇଁ ବିବଶ କଲା।ଦଶାନନ କହିଲା..ତୁମର ମନ୍ତବ୍ୟ ଗ୍ରହଣୀୟ ହେଲେ ମଧ୍ୟ ଏହି ଦୂତ ଯେଉଁ ଅପରାଧ କରିଛି ତାହା କ୍ଷମାଯୋଗ୍ୟ ନୁହେଁ।ଏହାର ଶରୀର ବିକଳାଙ୍ଗ କରି,ଏହାକୁ ଉଦାହରଣୀୟ ଦଣ୍ଡଦେଇ ଛାଡି ଦିଆଯାଉ। କିଷ୍କିନ୍ଧ୍ୟା ଫେରିଯାଇ ଏ' ମର୍କଟ ନିଜର ବିକଳ ଶରୀର ପ୍ରଦର୍ଶନ କଲେ ସୁଗ୍ରୀବ ଏବଂ ରାମ,ଦଶାନନର ଶକ୍ତି ବିଷୟରେ ଅବଗତ ହେବେ। ମର୍କଟମାନଙ୍କର ଲାଞ୍ଜ ସେମାନଙ୍କର ଅତି ପ୍ରିୟ। ଏହାର ପୁଚ୍ଛରେ ଅଗ୍ନି ସଂଯୋଗ କରି ଛାଡିଦିଅ।ଲାଞ୍ଜ ପୋଡିଗଲା ପରେ,ସାରା ଜୀବନ ଲାଙ୍ଗୁଳହୀନ ହେବାର ଯନ୍ତ୍ରଣା ଭୋଗକରୁ ଏ' ମର୍କଟ।ରାବଣ ଏକ ଲେଲିହାନ ଅଗ୍ନି।ସେ ଅଗ୍ନିକୁ ସ୍ପର୍ଶ କରିବା ଶାସ୍ତି କେତେ ଭୟାବହ ହୋଇପାରେ, ଏହି ଲଙ୍ଗୁଳହୀନ ମର୍କଟକୁ ଦେଖି କିଷ୍କିନ୍ଧ୍ୟାର ରାଜା ସୁଗ୍ରୀବ ସମେତ ପ୍ରତ୍ୟେକ କିଷ୍କିନ୍ଧ୍ୟାବାସୀ ଜାଣନ୍ତୁ।"


ରାବଣର ଏହି ନିଷ୍ପତ୍ତି ଅଶୋକ ବନରେ ସୀତାଙ୍କ କାନରେ ପଡ଼ିଲା।ଜଣେ ରାକ୍ଷସୀ କହିଲା...ଆଲୋ ସୀତା ! ତୋ ମାଙ୍କଡ଼ ପୁତ୍ରର ଲାଙ୍ଗୁଳ ପୋଡ଼ି ଦେବା ପାଇଁ ଆମ ରାଜା ନିଷ୍ପତ୍ତି ନେଲେଣି। ପୁଚ୍ଛହୀନ ହୋଇ ସତେ ଆଉ କ'ଣ ହନୁ ବଞ୍ଚିବ!"


ସୀତାଙ୍କ ଆଖିରୁ ଲୁହ ଧାରଧାର ହୋଇ ବହିଗଲା।ବସିଥିବା ମଣ୍ଡପ ଉପରେ ଦୀପଟିଏ ପ୍ରଜ୍ବଳନ କରି ଜାନକୀ ପ୍ରାର୍ଥନା କଲେ ...ହେ ପ୍ରଭୁ ହୁତାଶନ ! ମୋ ପୁତ୍ର ହନୁମାନକୁ ସହାୟ ହୁଅନ୍ତୁ ପ୍ରଭୁ।ସତ୍ ପଥଗାମୀ ଆପଣଙ୍କ କନ୍ୟା ସୀତା ମଥା ନୁଆଇଁ ପ୍ରାର୍ଥନା କରୁଛି...ମୋ ସତୀତ୍ବ ଓ ପବିତ୍ରତାର ପୁରସ୍କାର ମୋ ପୁତ୍ର ହନୁମାନଙ୍କୁ ଦିଅନ୍ତୁ ଅଗ୍ନିଦେବ ! ଆପଣ ମୋ ପୁତ୍ରର ଶରୀରକୁ ସ୍ପର୍ଶ କରନ୍ତୁ ନାହିଁ।"


କ୍ରମଶଃ....



Rate this content
Log in

Similar oriya story from Classics