Kulamani Sarangi

Classics

4  

Kulamani Sarangi

Classics

ସରଯୂ ନଦୀର ତୀରେ (୧୦୨) - ରାବଣ ଆଖିରେ ଲୁହ

ସରଯୂ ନଦୀର ତୀରେ (୧୦୨) - ରାବଣ ଆଖିରେ ଲୁହ

4 mins
317



ହନୁମାନଙ୍କୁ ବନ୍ଦୀ କିମ୍ବା ନିହତ କରିବାପାଇଁ,ପାଞ୍ଚଜଣ ଦୁର୍ଦ୍ଧାନ୍ତ ସେନାନାୟକଙ୍କ ଅଧୀନରେ ରାବଣ ଏକ ବିଶାଳ ରାକ୍ଷସସେନା ଅଶୋକ ବନକୁ ପ୍ରେରଣକଲା।ହନୁମାନଙ୍କ ଭୟଙ୍କର ରୂପ ସେ ସମୟରେ ଦର୍ଶନୀୟ ଥିଲା। ଅଶୋକ ବନକୁ ଚାରିପାଦରେ ଅତିକ୍ରମ କରି ରାକ୍ଷସ ସୈନିକମାନଙ୍କୁ ଅବଲୀଳାକ୍ରମେ କ୍ରୀଡନକ ଭଳି ମହାଶୂନ୍ୟକୁ ଫିଙ୍ଗିଦେଲେ ହନୁମାନ। ତତ୍ପରେ ପାଞ୍ଚ ସେନାଧ୍ୟକ୍ଷଙ୍କୁ ଯମପୁରକୁ ପଠାଇ ଅଶୋକ ବନର ପ୍ରାଚୀର ଉପରେ ବିଶ୍ରାମ ନେଲେ ଆଞ୍ଜନେୟ।


ରାବଣ ପାଖରେ ଏହି ସମ୍ବାଦ ପହଞ୍ଚିବା ପାଇଁ ବେଶି ସମୟ ଲାଗିଲି ନାହିଁ।ସଙ୍ଗେ ସଙ୍ଗେ ଦଶାନନ ରାଜସଭାର ଆୟୋଜନ କଲା। ଗୋଟାଏ ମର୍କଟକୁ କାବୁ କରିବାପାଇଁ ପୁଣି ରାଜସଭା !!ଏହା ଲଙ୍କାଗଡର ଇତିହାସରେ ଅଭୂତପୂର୍ବ ଓ ଅଶ୍ରୁତପୂର୍ବ ଘଟଣା ଥିଲା।ଲଙ୍କାଗଡର ଘରେ ଘରେ କୋକୁଆ ଭୟ ଖେଳିଗଲା।ନିଜ ନିଜର ଦୁଆର ଝରକା ବନ୍ଦକରି ଲଙ୍କାର ଅନ୍ତେବାସୀମାନେ ସମ୍ଭାବ୍ୟ ମର୍କଟ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଯେ ଯାହାର ଘର ଭିତରେ ଲୁଚି ରହିଲେ। ଅଶୋକ ବନରେ ବିତ୍ପାତ ସୃଷ୍ଟି କରୁଥିବା ଅଦ୍ଭୁତ ବାନରର କାର୍ଯ୍ୟ କଳାପ ଉପରେ ଆଲୋଚନା କରି ଭବିଷ୍ୟତ କର୍ମପନ୍ଥା ନିର୍ଦ୍ଧାରଣ ପାଇଁ ରାଜସଭାରେ ତୁମୁଳ ଆଲୋଚନା ଚାଲିଲା। 


ସଭାରେ ଉପସ୍ଥିତ ଥିଲେ ରାବଣର ବୀରପୁତ୍ର ମହାବଳୀ ଇନ୍ଦ୍ରଜିତ ଏବଂ ତା'ର ଅନୁଜ ଅକ୍ଷୟ କୁମାର।ଏହି ଦୁଇ ମହାବୀରଙ୍କ ଜନନୀ ଥିଲେ ମହାରାଣୀ ମନ୍ଦୋଦରୀ।ଜଗତର ସମସ୍ତ ଅସ୍ତ୍ରଶସ୍ତ୍ରରେ ପ୍ରଶିକ୍ଷିତ ଏହି ଦୁଇ ବୀର ଥିଲେ ଲଙ୍କାର ଗର୍ବ ଓ ଗୌରବ।ରାବଣକୁ ଚିନ୍ତିତ ଦେଖି ମହାବଳୀ ଅକ୍ଷୟ କୁମାର ରାଜସଭାରେ ଦଣ୍ଡାୟମାନ ହୋଇ କରଯୋଡି କହିଲା..ପିତାଶ୍ରୀ ! ଗୋଟାଏ ସାମାନ୍ୟ ମର୍କଟ ପାଇଁ ଆପଣ ଏତେ ଚିନ୍ତିତ ! ଯେଉଁ ରାବଣର ପରାକ୍ରମରେ ତ୍ରିଭୁବନ ପ୍ରକମ୍ପିତ, ଯାହାର ପାଦତଳେ ଦେବତାମାନେ କିଙ୍କର ହୋଇ ଖଟୁଛନ୍ତି,ସେ ପୁଣି ଗୋଟାଏ ବାନର ଆଗରେ ବିବଶ ! 


ପିତାଶ୍ରୀ ! ଗୁରୁ କୃପାରୁ ଯେଉଁ ବୀରତ୍ବର ମୁଁ ଅଧିକାରୀ, ତପସ୍ୟାରେ ଦେବତାମାନଙ୍କୁ ସନ୍ତୁଷ୍ଟ କରି ମୋତେ ଯେଉଁ ଦିବ୍ୟ ଅସ୍ତ୍ରଶସ୍ତ୍ର ପ୍ରାପ୍ତ ହୋଇଛି ତାହା ଆଉ କେତେବେଳେ କାର୍ଯ୍ୟରେ ନିୟୋଜିତ ହେବ ? ଜମ୍ବୁମାଳି ଭଳି ଗୋଟାଏ ମଦ୍ୟପ ରାକ୍ଷସ ଏବଂ କିଛି ଦୁର୍ବଳ ସେନାନାୟକଙ୍କୁ ବଧ କରି ନିଜକୁ ମହାବୀର ବୋଲାଉଥିବା ମାୟାବୀ ମର୍କଟକୁ ଶରାଘାତରେ ଯମପୁରକୁ ପଠାଇବା ପାଇଁ ମୋତେ ଆଜ୍ଞା ଦିଅନ୍ତୁ ଲଙ୍କେଶ,ଆଉ ବିଳମ୍ବ କରନ୍ତୁ ନାହିଁ।"


ରାବଣର ଏହି କୁଳନନ୍ଦନ ଏକ ମହାନ ଯୋଦ୍ଧା ଥିଲା।ନିଜ ବୀରତ୍ବ ପ୍ରମାଣିତ କରିବା ପାଇଁ ସର୍ବଦା ଉଦ୍ବିଘ୍ନ ଥିଲା ଅକ୍ଷୟ କୁମାର। ଯୌବନଦୀପ୍ତ ବିଶାଳ ବାହୁରେ ଶତ ହସ୍ତୀର ବଳ, ବଳିଷ୍ଠ ସୁନ୍ଦର ଶରୀର;ଅକ୍ଷୟ କୁମାର ଦେବ ସେନାପତି କାର୍ତ୍ତିକେୟଙ୍କ ଭଳି ଦେଖା ଯାଉଥିଲା। ପୁତ୍ରର ଯୁଦ୍ଧପାଇଁ ଉଦ୍ବିଘ୍ନ ମନୋଭାବ ଲକ୍ଷ୍ୟକରି ରାବଣର ଛାତି ଗର୍ବରେ ଫୁଲି ଉଠିଲା।ପୁତ୍ରକୁ ଆଲିଙ୍ଗନ କରି ରାବଣ କହିଲା..ଯାଅ ବୀରପୁତ୍ର;ସେ ଅଦ୍ଭୁତ ମର୍କଟକୁ ହତ୍ୟା କରି କିମ୍ବା ଜୀବନ୍ତ ବନ୍ଧନ କରି ମୋ ନିକଟରେ ଉପସ୍ଥିତ କରାଅ। କିନ୍ତୁ ଶତ୍ରୁ ତୁମର ମର୍କଟ ହେଲେ ମଧ୍ୟ ତାକୁ ହେୟଜ୍ଞାନ କରିବା ଅନୁଚିତ।ସେ ସାମାନ୍ୟ ମର୍କଟ ନୁହେଁ,ସେ ଏକ ମାୟାବୀ ପ୍ରାଣୀ।ନିଜ ଶରୀରକୁ ବର୍ଦ୍ଧିତ ଓ ସଙ୍କୁଚିତ କରି ସେ ତୁମକୁ ଯୁଦ୍ଧ ସମୟରେ ବିଭ୍ରାନ୍ତ କରି ଆକ୍ରମଣ କରିବ। ତେଣୁ ତୁମେ ସଦାସର୍ବଦା ସତର୍କତା ଅବଲମ୍ବନ କରିବ ପୁତ୍ର!ଯାଅ ବୀରପୁତ୍ର, ବିଜୟୀ ଭବ।"


ଆଠଗୋଟି ଧବଳ ଅଶ୍ଵ ଦ୍ବାରା ପରିଚାଳିତ ସୁବର୍ଣ୍ଣ ରଥରେ ମହାବିକ୍ରମରେ ଅଶୋକ ବନରେ ପହଞ୍ଚିଲା ଅକ୍ଷୟ କୁମାର। ଅଶୋକ ବନରେ ଗୋଟିଏ ପଥର ଉପରେ ବସିଥିବା ହନୁମାନଙ୍କର ବିଶାଳ କାୟା ଦର୍ଶନ କରି ଆଶ୍ଚର୍ଯ୍ୟ ହେଲା ରାବଣପୁତ୍ର। ମନେମନେ ଭାବିଲା..ଏହା ସହିତ ଯୁଦ୍ଧ କରିବା ନିଶ୍ଚିତ ଭାବରେ ଭିନ୍ନ ଓ ଆନନ୍ଦଦାୟକ ହେବ।ତୂଣୀରରୁ ତିନୋଟି ଦିବ୍ୟ ଅସ୍ତ୍ର ଅଭିମନ୍ତ୍ରିତ କରି, ଧନୁରେ ଖଞ୍ଜି ହନୁମାନଙ୍କ ଉପରେ ପ୍ରହାର କଲା ଅକ୍ଷୟ କୁମାର।ବାଣ ଆଘାତରେ ହନୁମାନଙ୍କ ଶରୀର ଅବଶ୍ୟ ରକ୍ତାକ୍ତ ହେଲା। କିନ୍ତୁ ଲାଲ୍ ରଙ୍ଗ ତାଙ୍କ ଶରୀରକୁ ଅଧିକ ଆକର୍ଷଣୀୟ କରି ତୋଳିଲା। ଜଣାଗଲା ଯେପରି ଲେଲିହାନ ଅଗ୍ନିଶିଖା ପ୍ରଜ୍ବଳିତ ହୋଇ ଆକାଶକୁ ସ୍ପର୍ଶ କରିଛି।


ଭୟଙ୍କର ଯୁଦ୍ଧ ଲାଗିଗଲା ଦୁଇ ବୀରଙ୍କ ମଧ୍ୟରେ।ଅକ୍ଷୟ କୁମାରର ରଣ କୌଶଳ ଦେଖି ଆଶ୍ଚର୍ଯ୍ୟ ହେଲେ ହନୁମାନ।ମେଘବାଣ ପ୍ରହାର କରି ଅକ୍ଷୟ କୁମାର ହନୁମାନଙ୍କ ଶରୀରରେ ବାଣର ବର୍ଷା କରିବାରେ ଲାଗିଲା।ନିଜ ଶରୀରକୁ ସଙ୍କୁଚିତ କରି ସେ ସମସ୍ତ ବାଣ ଆଘାତରୁ ନିଜକୁ ଅପସାରିତ କରିନେଲେ ମାରୁତି।ମନେ ମନେ ରାବଣର ଏହି ବୀର ପୁତ୍ରର ରଣ କୌଶଳର ଭୂୟସୀ ପ୍ରଶଂସା କଲେ ହନୁମାନ।ଯୁଦ୍ଧ ବେଳକୁ ବେଳ ଭୟଙ୍କର ହେବାକୁ ଲାଗିଲା। ଜଗତରେ ଅଦ୍ଭୁତ ରଣକୌଶଳର ଅଧିକାରୀ ରାବଣର ଏହି ପୁତ୍ରକୁ ବଧ କରିବାକୁ ଇଚ୍ଛା ନଥିଲେ ମଧ୍ୟ ବାଧ୍ୟ ହୋଇ ବିନାଶ କରିବାକୁ ନିଷ୍ପତ୍ତି ନେଲେ ହନୁମାନ। ଅଧିକ ସମୟ ଯୁଦ୍ଧ କରି ସମୟ ଅପଚୟ କରିବାକୁ ସେ ଚାହୁଁନଥିଲେ ।


ଅକ୍ଷୟ କୁମାରର ସୁବର୍ଣ୍ଣ ରଥକୁ ପ୍ରଥମେ ପଦାଘାତ କରି ଚୂର୍ଣ୍ଣ କରିଦେଲେ ହନୁମାନ।ରଥ ଭାଙ୍ଗିଗଲେ ମଧ୍ୟ ଅକ୍ଷୟ କୁମାରଙ୍କୁ କିଛି ପ୍ରଭେଦ ପଡ଼ିଲା ନାହିଁ। ଆକାଶ ମାର୍ଗରୁ ହନୁମାନଙ୍କ ଉପରକୁ ଦିବ୍ୟ ବାଣମାନ ପ୍ରହାର କଲା ଅକ୍ଷୟ।ଅବଶେଷରେ ହନୁମାନ ଅକ୍ଷୟ କୁମାର ଉପରେ ଗଦା ପ୍ରହାର କରି ତାର ଶରୀରର ସମସ୍ତ ହାଡ଼ ଚୂର୍ଣ୍ଣ କରିଦେଲେ।ଘୋର ଗର୍ଜନ କରି ରାବଣପୁତ୍ର ଭୂମିରେ ପଡ଼ି ପ୍ରାଣ ହରାଇଲା।ଅକ୍ଷୟ କୁମାର ସହିତ ଥିବା ସମସ୍ତ ସୈନ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ବଧକଲେ ମାରୁତି।ବିଜୟ ଗର୍ବରେ "ଜୟ ଶ୍ରୀରାମ"ଜୟ ଲକ୍ଷ୍ମଣ" ଏବଂ 'ଜୟ ସୁଗ୍ରୀବ' ଶବ୍ଦରେ ଗଗନ ପବନ ମୁଖରିତ କରିଦେଲେ ବାୟୁପୁତ୍ର। ହନୁମାନଙ୍କ ପରିଚୟ ଅଗତ୍ୟା ଲଙ୍କାବାସୀଙ୍କୁ ଅଗୋଚର ରହିଲା ନାହିଁ। ହନୁମାନଙ୍କ ହାତରୁ ଖସି ଯାଇଥିବା ଅବଶିଷ୍ଟ ରାକ୍ଷସ-ସୈନ୍ୟ ରାବଣ ପାଖରେ ପହଞ୍ଚି ଅକ୍ଷୟ କୁମାରର ମୃତ୍ୟୁ ସମ୍ବାଦ ଜଣାଇଲେ।


ପୁତ୍ରର ନିଧନ ସମ୍ବାଦ ପାଇ ଛାତି କୋରି ହୋଇଗଲା ରାବଣର। ଦୁଃଖ ଅପମାନ ଓ ଗ୍ଲାନିରେ ତାର ପିଞ୍ଜରା ଥରାଇ ଦୀର୍ଘ ନିଃଶ୍ବାସ ବାହାରି ଆସିଲା। ଲଜ୍ଜାରେ ନଇଁ ଗଲା ଦଶ ମସ୍ତକ।ବୀରପୁତ୍ରର ମୃତ୍ୟୁରେ ଆଖିରୁ ଝରିଗଲା ଅଶ୍ରୁଧାର। ସାନ୍ତ୍ଵନା ଦେଇ ଇନ୍ଦ୍ରଜିତ କହିଲା... ନାଁ ପିତାଶ୍ରୀ ନାଁ,ଅଶ୍ରୁ ବୀରର ଦୁର୍ବଳତା। ଏହି ସାମାନ୍ୟ କଥାରେ ଆପଣ ବିଚଳିତ ହୁଅନ୍ତୁ ନାହିଁ। ଇନ୍ଦ୍ରଜିତ ମେଘନାଦ ଥିବା ପର୍ଯ୍ୟନ୍ତ ଲଙ୍କାର ଗୌରବ ଉପରେ ସେ ଆଞ୍ଚ ଆସିବାକୁ ଦେବନାହିଁ। ମୋତେ ଆଦେଶ ଦିଅନ୍ତୁ ପିତାଶ୍ରୀ !ସେ ମର୍କଟକୁ ଅବିଳମ୍ବେ ଆପଣଙ୍କ ସମ୍ମୁଖରେ ଉପସ୍ଥିତ କରାଇବି। ତାକୁ ବଧକରି ଆପଣ ପୁତ୍ରକଷ୍ଟ ଦୂର କରିବେ।"


ଅକ୍ଷୟ କୁମାରର ମୃତ୍ୟୁ ସମ୍ବାଦ ପହଞ୍ଚିବା ପରେ ରାଣୀଅନ୍ତଃପୁରରେ ଶୁଣାଗଲା କ୍ରନ୍ଦନ ରୋଳ। ପୁତ୍ରର ନିଧନରେ ମନ୍ଦୋଦରୀଙ୍କ ହୃଦୟ ବିଦୀର୍ଣ୍ଣ ହୋଇଗଲା।ଅଶ୍ରୁଳ ନୟନା,ଆଲୁଳାୟିତ କୁନ୍ତଳା ମନ୍ଦୋଦରୀ ରାବଣ ପାଖରେ ପହଞ୍ଚି ରୋଦନରେ ପରିବେଶ ପ୍ରକମ୍ପିତ କରିଦେଲେ। କହିଲେ..ମୋ ବୀର ପୁତ୍ରର ମୃତ୍ୟୁ ଆପଣଙ୍କ ପାଇଁ ଚେତାବନୀ ସ୍ବାମୀ। ମୁଁ ଶୁଣୁଛି ସେ ଅଦ୍ଭୁତ ମର୍କଟ ରାମଚନ୍ଦ୍ରଙ୍କର ଦୂତ ଭାବରେ ଆସି ଅଶୋକ ବନରେ ବିତ୍ପାତ ସୃଷ୍ଟି କରୁଛି।ମୋ ଛୋଟ କଥା ମାନ ସ୍ବାମୀ!ସୀତାଙ୍କୁ ଶ୍ରୀରାମଙ୍କ ପାଖରେ ସସମ୍ମାନ ଅର୍ପଣ କର।ନହେଲେ ସତୀ ନାରୀର କ୍ରୋଧରେ ଲଙ୍କାଗଡ ଭସ୍ମ ହୋଇଯିବ।"


ମନ୍ଦୋଦରୀ କଥା ଶୁଣି ଭୟଙ୍କର କ୍ରୋଧରେ କମ୍ପିଗଲା ଲଙ୍କେଶ;କହିଲା..ରାବଣର ରାଣୀ ହୋଇ ତୁମେ ମୋତେ ଏହି ଉପଦେଶ ଦେଉଛ ! ଗୋଟାଏ ମର୍କଟ ପାଖରେ ରାବଣ ମୁଣ୍ଡ ନୁଆଇଁ ଦୁର୍ବଳତା ସ୍ବୀକାର କରିବ ! ତୁମେ ମୋର ପାଟରାଣୀ ହେବାପରି ଅନୁପଯୁକ୍ତା। ସୀତା ପ୍ରତି ତୁମର ଈର୍ଷାଭାବ ଯୋଗୁଁ ତୁମେ ଏପରି ପ୍ରଳାପ କରୁଛ ମନ୍ଦୋଦରୀ, ନଚେତ୍ ମୋ ବୀରପୁତ୍ରର ମୃତ୍ୟୁର ପ୍ରତିଶୋଧ ନିମନ୍ତେ ରଣକ୍ଷେତ୍ରକୁ ଯିବାପାଇଁ ତୁମେ ନିଜେ ମୋ ମଥାରେ ବିଜୟ ଟୀକା ଲଗାଇ ସାରନ୍ତଣି।"


ନିକଟରେ ଦଣ୍ଡାୟମାନ ଇନ୍ଦ୍ରଜିତ କହିଲା.. ଏହି ସାମାନ୍ୟ କାର୍ଯ୍ୟ ପାଇଁ ଆପଣ ସ୍ବୟଂ ରଣକ୍ଷେତ୍ରକୁ ଯିବା ଆବଶ୍ୟକ ନାହିଁ। ମୋତେ ଆଜ୍ଞା ଦିଅନ୍ତୁ ପିତାଶ୍ରୀ ! ଅବିଳମ୍ବେ ସେ ମର୍କଟକୁ ବନ୍ଧନ କରି ଆପଣଙ୍କ ସମକ୍ଷରେ ଉପସ୍ଥିତ କରାଇବି।


କ୍ରମଶଃ....


Rate this content
Log in

Similar oriya story from Classics