Kulamani Sarangi

Classics

4  

Kulamani Sarangi

Classics

ସରଯୂ ନଦୀର ତୀରେ (୧୦୧) - {ଲଙ୍କାରେ ରକ୍ତତର୍ପଣ.. ଜମ୍ବୁମାଳିର ନିଧନ }

ସରଯୂ ନଦୀର ତୀରେ (୧୦୧) - {ଲଙ୍କାରେ ରକ୍ତତର୍ପଣ.. ଜମ୍ବୁମାଳିର ନିଧନ }

5 mins
404



ସୀତାଙ୍କଠାରୁ ବିଦାୟ ନେଇ ହନୁମାନ ଅଶୋକ ବାଟିକାର ପ୍ରାଚୀର ଉପରେ ବସି ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ଚିନ୍ତା କଲେ।ସୀତାଙ୍କ ସନ୍ଧାନ ପାଇବା ପରେ ମୁଣ୍ଡ ଉପରୁ ତାଙ୍କର ହିମାଳୟର ବୋଝ ଓହ୍ଲାଇ ଯାଇଥିଲା। ମାତା ସୀତାଙ୍କର ମଥାମଣି ସ୍ପର୍ଶରେ ଦେହ ଓ ମନରେ ଅସୀମ ଶକ୍ତି ଆସିଯାଇଥିଲା। ସୀତାଙ୍କ ଅନୁସନ୍ଧାନରେ ସଫଳକାମ ହୋଇ ବାୟୁ-ପୁତ୍ରଙ୍କ ମନକୁ ଆସିଲା ଯେ ମାତାଙ୍କ ଉଦ୍ଧାର କାର୍ଯ୍ୟ ଅର୍ଦ୍ଧାଧିକ ସଫଳ ହୋଇଗଲା। ପ୍ରଭୁ ଶ୍ରୀରାମ ନିଶ୍ଚିତ ଭାବରେ କପି ସେନା ସହିତ ଲଙ୍କାରେ ପହଞ୍ଚି ରାବଣକୁ ସକୁଟୁମ୍ବ ବିନାଶ କରିବେ, ଏଥିରେ ସନ୍ଦେହ ନାହିଁ। କିନ୍ତୁ ସୀତାଙ୍କ ପ୍ରତି ରାବଣ ଏବଂ ରାକ୍ଷସୀ ମାନଙ୍କର ବ୍ୟବହାର ଦେଖି ଅତ୍ୟନ୍ତ ବ୍ୟଥିତ ହେଲେ ପବନସୁତ। ଶ୍ରୀରାମଙ୍କ ପାଖକୁ ଯିବା ପୂର୍ବରୁ ରାକ୍ଷସ ମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବାପାଇଁ ସ୍ଥିରକଲେ ହନୁମାନ।


ସୀତାଙ୍କ ମନରେ ଆତ୍ମବିଶ୍ବାସ ଭରି ଦେବା ପାଇଁ,ରାବଣର ଅହଂକାରର ଦୁର୍ଗକୁ ଦୋହଲାଇ ଦେବାପାଇଁ ଏବଂ ଲଙ୍କାବାସୀଙ୍କ ମନରେ ଶ୍ରୀରାମଙ୍କ ପ୍ରତି ଭୟ ସୃଷ୍ଟି କରିବାପାଇଁ କିଛି ବିତ୍ପାତ କରିବାକୁ ଚାହିଁଲେ ବାୟୁନନ୍ଦନ। ଏଭଳି ଉଦାହରଣ ମୂଳକ କାର୍ଯ୍ୟ ସେ କରିବାକୁ ଚାହିଁଲେ ଯାହା ଶ୍ରୀରାମଙ୍କ ସୁବର୍ଣ୍ଣ ଲଙ୍କା ଆକ୍ରମଣର ପୂର୍ବ ସୂଚନା ଲଙ୍କାବାସୀଙ୍କୁ ପ୍ରଦାନ କରିବ। ଶ୍ରୀରାମଙ୍କ ବାନର ସେନାବାହିନୀର ଶୌର୍ଯ୍ୟ ଓ ଶକ୍ତିର ନମୁନା ଲଙ୍କାବାସୀଙ୍କୁ ଦେବାପାଇଁ ଚାହିଁଲେ ହନୁମାନ।ବାସ୍ତବ ଆକ୍ରମଣ ପୂର୍ବରୁ ଶତ୍ରୁ ମନରେ ଭୟ ସୃଷ୍ଟି କରିବାପାଇଁ ବୁଦ୍ଧିମାନ ମାରୁତିଙ୍କର ଏହା ଥିଲା କୂଟନୀତି।


ଅତି ଭୟଙ୍କର ରୂପ ଧାରଣ କଲେ ବାୟୁନନ୍ଦନ।ପର୍ବତ ଭଳି ବିଶାଳ ଶରୀର ଧାରଣ କରି ଘୋର ହୁଙ୍କାର ନାଦରେ ଚତୁର୍ଦ୍ଦିଗ ପ୍ରକମ୍ପିତ କରିଦେଲେ । ବିନା ମେଘରେ ଘଡଘଡି ଶବ୍ଦ ଶୁଣି ଆଶ୍ଚର୍ଯ୍ୟରେ ଆକାଶକୁ ଚାହିଁ ରହିଲେ ଲଙ୍କାଗଡ ବାସୀ। ଶିଂଶପା ବୃକ୍ଷ ଏବଂ ତା ନିକଟରେ ଥିବା ସୀତାଙ୍କ ନିବାସକୁ ଛାଡ଼ିଦେଇ ଅଶୋକ ବନରେ ଥିବା ସବୁ ବୃକ୍ଷଲତା ଘରଦ୍ୱାର ଧ୍ବସ୍ତ ବିଧ୍ବସ୍ତ କରିଦେଲେ ଆଞ୍ଜନେୟ। ପୁଷ୍ପ ଉଦ୍ୟାନର ସମସ୍ତ ବୃକ୍ଷ ଲତା ଉତ୍ପାଟିତ କରି ଇତସ୍ତତ ଫିଙ୍ଗିଦେଲେ।ବୃକ୍ଷମାନଙ୍କରୁ ପକ୍ବ ଫଳ ଭକ୍ଷଣ କରି ସେଗୁଡିକୁ ଉପାଡ଼ି ଦୂରକୁ ଫିଙ୍ଗି ଦେଲେ। କୃତ୍ରିମ ପାହାଡ଼,ଝରଣା, ଆଲୋକ ସ୍ତମ୍ଭ ଇତ୍ୟାଦି ଭାଙ୍ଗିରୁଜି ଇତସ୍ତତ କରିଦେଲେ ବାୟୁ ପୁତ୍ର ।


ନନ୍ଦନକାନନ ଭଳି ସୁନ୍ଦର ଅଶୋକ ବନ ହନୁମାନଙ୍କ କ୍ରୋଧର ଶିକାର ହୋଇ ଅଳ୍ପସମୟ ଭିତରେ ଶ୍ରୀହୀନ ହୋଇଗଲା। ବାଟିକା ଭିତରେ ଥିବା ହରିଣ ହରିଣୀ ଏବଂ ପଶୁପକ୍ଷୀ ଭୟରେ ପଳାୟନ କଲେ।ପର୍ବତ ଭଳି ଶରୀର ଧାରଣ କରି ହନୁମାନ ଅଶୋକ ବାଟିକାର ପାଚେରୀ ଉପରେ ବସି ଅପେକ୍ଷା କଲେ ରକ୍ଷୀମାନଙ୍କର ସମ୍ମୁଖୀନ ହେବାପାଇଁ। କ୍ରୋଧରେ ଅଗ୍ନି ବର୍ଷା ହେଉଥିଲା ,କୁରାଳଚକ୍ର ପରି ଘୂର୍ଣ୍ଣୟମାନ ଦୁଇ ଚକ୍ଷୁରୁ। ଘୋର ଗର୍ଜନ ତର୍ଜନ କରି ରାକ୍ଷସ ମାନଙ୍କୁ ଆହ୍ବାନ କରୁଥାନ୍ତି ହନୁମାନ।


ହନୁମାନଙ୍କର ବିଶାଳ ଶରୀର ଦେଖି ଭୟରେ ରକ୍ଷୀମାନେ ଇତସ୍ତତ ପଳାୟନ କଲେ। ସେମାନଙ୍କ ମଧ୍ୟରୁ କିଛି ଯାଇ ରାବଣ ଆଗରେ ଅଦ୍ଭୁତ ମର୍କଟର ଉପସ୍ଥିତି ବିଷୟ,ଭୟରେ ଥରି ଥରି ପ୍ରକାଶ କଲେ।ଆଉ କିଛି ରକ୍ଷୀ ସୀତାଙ୍କ ପାଖରେ ପହଞ୍ଚି ପଚାରିଲେ...ସମଗ୍ର ଅଶୋକ ବନ ଧ୍ବଂସ ହେଲାବେଳେ ଶିଂଶପା ବୃକ୍ଷ ଓ ତା'ପାଖରେ ଥିବା ମଣ୍ଡପ କିପରି ରକ୍ଷା ପାଇଯାଇଛି ? କିଏ ସେହି ଅଦ୍ଭୁତ ମର୍କଟ।ତୁମ ସହିତ ସେ କଣ କଥାବାର୍ତ୍ତା ହେଉଥିଲା? ନିଶ୍ଚୟ ତୁମେ ତା ବିଷୟରେ ଅବଗତ ଅଛ।ରାଜାଙ୍କ କ୍ରୋଧରୁ ଯେବେ ରକ୍ଷା ପାଇବାକୁ ଚାହୁଁଛ ବିନା ସଂକୋଚରେ ସତ୍ୟ ପ୍ରକାଶ କର।"


ସୀତାଙ୍କ ଆଖିରେ ଆତ୍ମ ସନ୍ତୋଷ ସଙ୍ଗେ ସଙ୍ଗେ ପ୍ରଗଲ୍ଭତା ଉକୁଟି ଉଠୁଥିଲା। ହନୁମାନଙ୍କ କାର୍ଯ୍ୟକଳାପକୁ ମନେମନେ ପ୍ରଶଂସା କରୁଥିଲେ ଯୋଜନଗନ୍ଧା; କହିଲେ..କି ଆଶ୍ଚର୍ଯ୍ୟ କଥା ! ଏ ରାକ୍ଷସ ନଗରୀକୁ କିଏ ଆସୁଛି ବା ଯାଉଛି, ମୁଁ ତାର ହିସାବ ରଖିଛି ନା କଣ?ସେ ଅଦ୍ଭୁତ ମର୍କଟ ତୁମଭଳି କେଉଁ ବହୁରୂପୀ ରାକ୍ଷସର ମାୟାର ସ୍ବରୂପ ହୋଇଥିବ।ସତ୍ୟ ତୁମକୁ ହିଁ ଜଣା।ତୁମ ରାଜାକୁ ଯାଇ କୁହ ପାପର ଘଟ ପୂର୍ଣ୍ଣ ହେଲାବେଳେ ଏଭଳି ଅନେକ ଅଲୌକିକ ଘଟଣା ଘଟେ। ବେଳହୁଁ ସାବଧାନ ହେବା ଉଚିତ।"


ରାବଣ ଯେତେବେଳେ ଅଶୋକ ବନର ଦୁରାବସ୍ଥା କଥା ରକ୍ଷୀମାନଙ୍କ ଠାରୁ ଶୁଣିଲା,ଭୟଙ୍କର କ୍ରୋଧରେ ସେ କମ୍ପିଗଲା।ଅଶୋକ ବନ ତାର ଅତିପ୍ରିୟ ଉପବନ ଥିଲା। ଏଠାରେ ସେ ରାଣୀ ମାନଙ୍କ ସହିତ ସାନ୍ଧ୍ୟ ବିହାର କରୁଥିଲା।ସ୍ବର୍ଗର ନନ୍ଦନକାନନ ଭଳି ସଜାଇ ରଖିଥିଲା ସେ ଏହି ଉପବନକୁ।ଲଙ୍କାଗଡର ସମ୍ମାନର ପ୍ରତୀକ ଏହି ଉପବନକୁ ଗୋଟାଏ ମର୍କଟ ପୁଣି ଧ୍ବସ୍ତ ବିଧ୍ବସ୍ତ କରିଦେଲା ! ଗାଲରେ ଗୋଟାଏ ଶକ୍ତ ଚାପୁଡ଼ା ଖାଇବା ଭଳି ଲାଗିଲା ରାବଣକୁ। ମର୍କଟକୁ ହତ୍ୟା କରିବା ପାଇଁ ବଛା ବଛା ରାକ୍ଷସ ସୈନ୍ୟଙ୍କୁ ପ୍ରେରଣ କଲା ଲଙ୍କେଶ। ହନୁମାନ ରକ୍ତମୁଖା ହୋଇ ରହିଥିଲେ। ଅଶୋକ ବନର ପ୍ରବେଶ ଦ୍ବାରକୁ ଭାଙ୍ଗି, ସେଥିରେ ଥିବା ଏକ ବିଶାଳ ଲୌହଦଣ୍ଡକୁ ଉପାଡ଼ି ଘୋର ଗର୍ଜନ କରି ହନୁମାନ କହିଲେ.. ଓଃ,ତାହେଲେ ଯମାଳୟ ଯିବାପାଇଁ ଆସିଗଲ ଭେଡିଆ ଦଳ ?"


ସେହି ଲୌହଦଣ୍ଡ ପ୍ରହାର କରି କିଛି ରାକ୍ଷସ ସୈନ୍ୟଙ୍କୁ ଶେଷଯାତ୍ରା ପଥରେ ପ୍ରେରଣ କଲେ ହନୁମାନ। ତା'ପରେ ଗୋଟିଏ ବିଶାଳ ବୃକ୍ଷ ଉତ୍ପାଟନ କରି ଅନ୍ୟ ସଶସ୍ତ୍ର ରାକ୍ଷସ ସୈନ୍ୟମାନଙ୍କ ଉପରେ ପ୍ରହାର କଲେ ମହାବଳୀ।ଜଣକୁ ଛାଡି ସମସ୍ତ ସୈନିକ ସେହିଠାରେ ଇହଲୀଳା ସମ୍ବରଣ କଲେ।ରକ୍ଷା ପାଇ ଯାଇଥିବା ସୈନିକଟି ରାବଣ ଆଗରେ ଅନ୍ୟମାନଙ୍କର ମୃତ୍ୟୁ ସମ୍ବାଦ ଜଣାଇବା ପାଇଁ ଦଉଡିଲା।


ରାକ୍ଷସ ସୈନ୍ୟ ମାନଙ୍କର ମୃତ୍ୟୁ ପରେ ଘୋର ଗର୍ଜନ କରି ଜୟ ଶ୍ରୀରାମ' 'ଜୟ ଲକ୍ଷ୍ମଣ 'ଜୟ ବାନରରାଜ ସୁଗ୍ରୀବ' ନାଦରେ ଚତୁର୍ଦ୍ଦିଗ ପ୍ରକମ୍ପିତ କରିଦେଲେ ପବନ ନନ୍ଦନ।ରାକ୍ଷସ ସୈନ୍ୟମାନଙ୍କ ମୃତ୍ୟୁ ସମ୍ବାଦ ରାବଣ ପାଇଁ ଅଗ୍ନିରେ ଘୃତାହୂତି ଦେବା ସମାନ ଥିଲା। ମୃତ୍ୟୁ ମୁଖରୁ ରକ୍ଷା ପାଇଯାଇଥିବା ରକ୍ଷୀ ରାବଣର ପାଦତଳେ ପଡି କହିଲା.. ରକ୍ଷାକର ଲଙ୍କେଶ ! ଅତି ପରାକ୍ରମଶାଳୀ ଏହି ଅଦ୍ଭୁତ ଜୀବ,ଆପଣ ପ୍ରେରଣ କରିଥିବା ସମସ୍ତ ରକ୍ଷସୈନ୍ୟଙ୍କୁ ନିର୍ମମ ଭାବରେ ହତ୍ୟା କରିଛି;ସେ ସାଧାରଣ ମର୍କଟ ନୁହେଁ।ଇନ୍ଦ୍ର,ବରୁଣ, କୁବେର ଆଦି ଦେବତାମାନେ ନିଶ୍ଚୟ ଆପଣଙ୍କ ବିରୂଦ୍ଧରେ ଷଡ଼ଯନ୍ତ୍ର କରି ଏହି ଅଦ୍ଭୁତ ଜୀବକୁ ଲଙ୍କାକୁ ଧ୍ବଂସ କରିବାପାଇଁ ପଠାଇଛନ୍ତି।ସେ ମଧ୍ୟ ରାମଚନ୍ଦ୍ରଙ୍କର ଦୂତ ହୋଇପାରେ,କାରଣ ମଝିରେ ମଝିରେ ଜୟ ଶ୍ରୀରାମ,ଜୟ ଲକ୍ଷ୍ମଣ ଶବ୍ଦରେ ସେ ଚିତ୍କାର କରୁଛି।ଏହାକୁ ସାଧାରଣ ମର୍କଟ ବୋଲି ହେୟଜ୍ଞାନ କରନ୍ତୁ ନାହିଁ ଲଙ୍କେଶ ! ତାକୁ ବିନାଶ କରିବାପାଇଁ ଉପଯୁକ୍ତ ଉପାୟ କରନ୍ତୁ।"


ରାବଣ ଜମ୍ବୁମାଳୀ ନାମକ ଏକ ରାକ୍ଷସକୁ ହନୁମାନଙ୍କ ସହିତ ଯୁଦ୍ଧ କରିବାପାଇଁ ପ୍ରେରଣ କରିବାକୁ ମନସ୍ଥ କଲା। ଜମ୍ବୁମାଳି ରାବଣର ପ୍ରିୟ ସେନାପତି ପ୍ରହସ୍ତର ପୁତ୍ର ଥିଲା। ଜମ୍ବୁମାଳୀ ଏକ ବିରାଟ ମଦ୍ୟପ ଥିଲା ଏବଂ କ୍ଷଣକୋପୀ ମଧ୍ୟ। ତା କୋପରୁ ଅନ୍ୟମାନଙ୍କୁ ରକ୍ଷା କରିବା ପାଇଁ ରାବଣ ତା'ପାଇଁ ଏକ ସ୍ବତନ୍ତ୍ର "ମଦ୍ୟଦ୍ଵୀପ" ସୃଷ୍ଟି କରିଥିଲା।ସେହି ଦ୍ଵୀପରେ ଜମ୍ବୁମାଳୀ ସଦାସର୍ବଦା ମଦ୍ୟପାନରେ ବୁଡ଼ି ରହୁଥିଲା।ପ୍ରହସ୍ତ ପ୍ରତି ଅଧିକ ସ୍ନେହ ଯୋଗୁଁ ରାବଣ ତା'ର ପୁତ୍ର ଜମ୍ବୁମାଳୀ ପାଇଁ ଏହି ସ୍ବତନ୍ତ୍ର ବ୍ୟବସ୍ଥା କରିଥିଲା। 


ରାବଣ ଜମ୍ବୁମାଳୀକୁ ଡାକି କହିଲା.. ଗୋଟାଏ ସାମାନ୍ୟ ମର୍କଟ ଲଙ୍କପତି ରାବଣକୁ ଆହ୍ବାନ ଦେଉଛି ! ଯାଅ ଜମ୍ବୁମାଳୀ,ସେ ମର୍କଟକୁ ଅବିଳମ୍ବେ ବଧ କରି ମୋ ପାଖରେ ସୁସମ୍ବାଦ ଜଣାଅ।"


ଜମ୍ବୁମାଳୀ ରାଜାଜ୍ଞା ପାଳନ କରିବା ପାଇଁ କିଛି ସମୟ ନେଲା।ବକ୍ଷରେ ସାଞ୍ଜୁ, ହସ୍ତରେ ଖଡ୍ଗ,ଭାଲ, ଧନୁଶର ଇତ୍ୟାଦି ଧରି ଘୋର ଅଟ୍ଟହାସ କରି,ମଦ୍ୟ ନିଶାରେ ଟଳମଳ ହୋଇ ଅଦ୍ଭୁତ ବାନରକୁ ବିନାଶ କରିବାପାଇଁ ବାହାରିଲା ଜମ୍ବୁମାଳି।


ଜମ୍ବୁମାଳୀ ଏହିଭଳି ବୀର ବେଶରେ ସଜ୍ଜିତ ହେଉଥିବା ବେଳେ ଧୀରସ୍ଥିର ହୋଇ ବସି ନଥିଲେ ହନୁମାନ। ଅଶୋକ ବନରେ ଥିବା ଏକ ମନ୍ଦିର ଉପରେ ଆରୋହଣ କରି ବିଶାଳକାୟ ଶରୀରକୁ ଆହୁରି ବୃଦ୍ଧି କରିବାକୁ ଲିଗିଲେ ଆଞ୍ଜନେୟ।ଲଙ୍କାଗଡର ଦିଗବଳୟରେ ଉଦିତ ସୂର୍ଯ୍ୟ ଭଳି ପ୍ରତିଭାତ ହେଲେ ବାୟୁନନ୍ଦନ। ଘୋର ଗର୍ଜନରେ ଲଙ୍କାର ରାକ୍ଷସ ମାନଙ୍କ ହୃଦୟରେ ସ୍ପନ୍ଦନ ସୃଷ୍ଟି କରି ହନୁମାନ କହୁଥାନ୍ତି... ମୁଁ ବାୟୁ ପୁତ୍ର ହନୁମାନ ଲଙ୍କାଗଡର ଯମ ସାଜି ଆସିଛି। ଉତ୍ତର କୋଶଳେଶ୍ୱର ଶ୍ରୀରାମଙ୍କ ପ୍ରତିନିଧି ହୋଇ ଲଙ୍କା ଧ୍ବଂସ କରିବାକୁ ଏଠାକୁ ମୋର ଆଗମନ। ମାତା ସୀତାଙ୍କର ଆଶୀର୍ବାଦ ରହିଛି ମୋ ମସ୍ତକରେ।ଜୟ ଶ୍ରୀରାମ,ଜୟ ଶ୍ରୀଲକ୍ଷ୍ମଣ,ଜୟ ବାନରରାଜ ସୁଗ୍ରୀବ।"

 

ପ୍ରହସ୍ତ-ନନ୍ଦନ ଜମ୍ବୁମାଳୀ ଅଶୋକ ବନରେ ପହଞ୍ଚି ,ନିଜ ରଥରେ ବସି ହନୁମାନଙ୍କ ଉପରକୁ ବାଣ ପ୍ରହାର କଲା। ସେହି ତୀର ହନୁମାନଙ୍କ ମୁଖରେ ବାଜି କିଛି କ୍ଷତ ସୃଷ୍ଟି କଲା। ସେହି କ୍ଷତରୁ ଝରିବା ରକ୍ତରେ ହନୁମାନଙ୍କ ମୁଖ ଆହୁରି ସୁନ୍ଦର ଦେଖାଗଲା। ଲାଗିଲା ସତେ ଯେପରି ପଦ୍ମଫୁଲ ପ୍ରସ୍ଫୁଟିତ ହେଲା ଆକାଶ ପୁଷ୍କରିଣୀରେ।ଜମ୍ବୁମାଳୀର ବାଣ ଆଘାତରେ କ୍ରୋଧରେ ଗର୍ଜନ କରି ଉଠିଲେ ଆଞ୍ଜନେୟ।ଏକ କ୍ଷୁଦ୍ର ପାହାଡ ଉପାଡ଼ି ଜମ୍ବୁମାଳୀର ରଥ ଉପରକୁ ନିକ୍ଷେପ କଲେ ହନୁମାନ। ଗୋଟାଏ ବିଶାଳ ଶାଳବୃକ୍ଷ ଉତ୍ପାଟନ କରି ମଧ୍ୟ ହନୁମାନ ରାକ୍ଷସ ଉପରେ ପ୍ରହାର କଲେ। 


ଜମ୍ବୁମାଳୀ ମାୟାବୀ ଥିଲା। ନିଜର ଶରୀରକୁ ବୃଦ୍ଧି କରିବାକୁ ଲାଗିଲା ରାକ୍ଷସ। ଆକାଶକୁ ସ୍ପର୍ଶ କଲା ତାର ମସ୍ତକ। ରାକ୍ଷସ ଭାବିଲା ଯେ ହନୁମାନ ତାର ପାଦତଳେ ଠିଆ ହୋଇଛନ୍ତି। କିନ୍ତୁ ହନୁମାନ ନିଜ ଶରୀରକୁ ଏପରି ବୃଦ୍ଧି କରିଦେଲେ ଯେ ଜମ୍ବୁମାଳୀର ଆଖି ସାମନାରେ ହନୁମାନଙ୍କ ଜାନୁ(ଜଂଘ) ହିଁ ଦେଖାଗଲା। ତତ୍ପରେ ମନ୍ଦିର ଦେହରୁ ଏକ ବିଶାଳ ଲୌହଦଣ୍ଡ ଉତ୍ପାଟନ କରି ଜମ୍ବୁମାଳୀ ଦେହରେ ପ୍ରହାର କଲେ ହନୁମାନ। ଲୌହଦଣ୍ଡର ଆଘାତରେ ଜମ୍ବୁମାଳୀର ଶରୀର ଏକ ମାଂସ ପିଣ୍ଡୁଳାରେ ପରିଣତ ହୋଇଗଲା।ଜଣା ପଡ଼ିଲା ନାହିଁ କେଉଁଠାରେ ରହିଥିଲା ମସ୍ତକ, କେଉଁଠାରେ ହସ୍ତ ଓ ପାଦ।


ଜମ୍ବୁମାଳୀର ମୃତ୍ୟୁ ସମ୍ବାଦ ପାଇ ପ୍ରଥମ ଥର ପାଇଁ ରାବଣ ମନରେ ଭୟ ପ୍ରବେଶ କଲା।ତାର ହୃଦବୋଧ ହେଲା ଯେ ଏହା ସାଧାରଣ ମର୍କଟର କାର୍ଯ୍ୟ ନୁହେଁ।ତା' ବିରୁଦ୍ଧରେ ନିଶ୍ଚୟ ଦେବତାମାନେ କିଛି ଷଡ଼ଯନ୍ତ୍ର କରିଛନ୍ତି। ବ୍ରହ୍ମାଙ୍କଠାରୁ ପାଇଥିବା ବରଦାନ କଥା ମନେ ପଡ଼ିଲା ରାବଣର।ନର ଏବଂ ବାନରଙ୍କୁ ହେୟଜ୍ଞାନ କରି ସେମାନଙ୍କ ବିରୁଦ୍ଧରେ ସୁରକ୍ଷା କବଚ ମାଗିନଥିଲା ରାବଣ; ଅର୍ଥାତ୍ ନର କିମ୍ବା/ଏବଂ ବାନର ମାନଙ୍କ ହାତରେ ତା'ର ମୃତ୍ୟୁ ସମ୍ଭବ।


ଅଦ୍ଭୁତ ବାନରକୁ ବଧ କରିବା ପାଇଁ ପାଞ୍ଚଜଣ ବଛା ବଛା ସେନାପତିଙ୍କ ନେତୃତ୍ବରେ,ପୁନର୍ବାର ବିଶାଳ ସୈନ୍ୟବଳ ପ୍ରେରଣ କଲା ରାବଣ।


କ୍ରମଶଃ.....


Rate this content
Log in

Similar oriya story from Classics