Be a part of the contest Navratri Diaries, a contest to celebrate Navratri through stories and poems and win exciting prizes!
Be a part of the contest Navratri Diaries, a contest to celebrate Navratri through stories and poems and win exciting prizes!

Lalita Mohan Mishra

Romance Tragedy Classics


4  

Lalita Mohan Mishra

Romance Tragedy Classics


ସୃଷ୍ଟିର କାରୁଣ୍ୟତା

ସୃଷ୍ଟିର କାରୁଣ୍ୟତା

7 mins 228 7 mins 228


ଜୀବନର ଦୋ ଛକିରେ ମନୁଷ୍ଯ । ଏହି ମନୁଷ୍ଯ କେବେ ଜିତୁ ଜିତୁ ହାରିଯାଏ ତ କେବେ ହାରୁ ହାରୁ ଜିତିଯାଏ । ଜୀବନର କୌଣସି ଏକ ଫୁଲ ଫୁଟିବାର ମୁହୂର୍ତ୍ତ ଗୋଟିଏ ପୁରୁଷ ଓ ଜଣେ ନାରୀକୁ ଏକତା ସୁତ୍ରରେ ବାନ୍ଧି ରଖିଥିଲା । ଉଭୟେ ନିୟତିର ଅଦୃଶ୍ୟ ଇଙ୍ଗିତରେ ପରସ୍ପର ନିକଟବର୍ତ୍ତୀ ହୋଇଥିଲେ । ପରେ କୌଣସି ନା କୌଣସି କାରଣରୁ ବାଟ ଭାଙ୍ଗି ଅଲଗା ରାସ୍ତାରେ ଚାଲିଗଲେ । ପୁଣି ସମୟ କ୍ରମରେ.... । ଜୀବନ ଚାଲୁଥାଏ ତା'ବାଟରେ , ମଣିଷ ତାକୁ ଅନୁସରଣ କରୁଥାଏ । କାରଣ ଜୀବନ ହେଉଛି ଏକ ସମଷ୍ଟିଗତ ପ୍ରକ୍ରିୟା । ଖୋଜିବା ପାଇବା, ଅଛି ନାହିଁ ର ସମିଶ୍ରଣରେ ଆମ ଜୀବନ । ବଞ୍ଚି ଶିଖିଲେ ଜୀବନ ହୁଏ ମଧୁମୟ l କିଛି ଦିନ ପୂର୍ବରୁ ଏମିତି ଥିଲା ଏକ ମହାମାରୀର କରାଳ ଗ୍ରାସରେ ସାରା ସଂସାର ତ୍ରସ୍ତ । ଏମିତି ଏକ ନିଃସହାୟ ସମୟ ଆସିବ କିଏ କେବେ ଭାବି ନଥିଲା ମନରେ.... ସବୁଆଡେ ମୃତ୍ୟୁର ତାଣ୍ଡବ । କେବଳ ମଣିଷ କାହିଁକି, ଭଗବାନ ବି ନୀରବରେ ବସିଥାନ୍ତି ମନ୍ଦିରର ଗର୍ଭ ଗୃହରେ । ଘର କୋଣରେ ପଥର ମୂର୍ତ୍ତିଟିଏ ପରି ଏବେ ପଡିରହିଛି କାଞ୍ଚନ । ସେ ଭାବୁଛି ଏବେ ଜାଳି ପୋଡି ଛାରଖାର କରିଦେବ ନାହିଁ ତ ମୋର ସଂସାରକୁ । ତାର ସଂସାର ଲୀନ ହୋଇ ଯିବ ନାହିଁ ତ......? ମନରେ ଅନେକ ପ୍ରଶ୍ନ ? ଶୂନ୍ୟତାର ଏକ ଖାଁ ଖାଁ ଭାବ ଆବୋରି ବସିଛି ତାର ମନ ଓ ହୃଦୟକୁ । ଯେମିତି ହେଉନା କାହିଁକି... ସୁଖେ ଦୁଃଖେ ତାର ଜୀବନ ସେ କଟାଉ ଥିଲା । ପରିବାର କହିଲେ ଝିଅଟିଏ ଓ ପୁଅଟେ । ଝଡ ଝଞ୍ଜା ମଧ୍ଯରେ ଗତି କରି ତାର ଜୀବନ ରଥ ଯେନ ତେନ ପ୍ରକାରେଣ ଆଗକୁ ଗଡି ଚାଲିଥିଲା । ଏବେ ତା'ର ହସ ଖୁସିର ସଂତୃପ୍ତ ପରିବାର ଏକବାରେ ନିଃସ୍ୱ ହେବାକୁ ଯାଉଛି ।

ରାତି ପାଇଲେ ସାବିତ୍ରୀ ବ୍ରତ । ସତ୍ୟବାନଙ୍କ ବିନା ସାବିତ୍ରୀ ବ୍ରତ ନିରର୍ଥକ । ବଜାରର ପରିବା ଦର.. ଫଳ ଦର ନ କହିବା ଭଲ । ନୂଆ ଲୁଗା ଖଣ୍ଡେ କିଣିବା ପାଇଁ ଦୋକାନ ବନ୍ଦ । ଉଦ୍ଧବ କେଉଁ ଦୋକାନୀକୁ କହି ଲୁଗା ଖଣ୍ଡେ କିଣି ଆଣି ଦେଇଛି । ଜୀବନ ମରଣ ଦୋ ଛକିରେ ଆଜକୁ ଦଶ ଦିନ ପରେ ହେବ ପଡି ରହିଛନ୍ତି କୈଳାସ ଆଇସିୟୁରେ । ପ୍ରତିଦିନ ଚାରି ଜଣ ପାଞ୍ଚ ଜଣଙ୍କର ଶବ ଉଠୁଛି ସେଠାରୁ । ଦେଖି ଦେଖି ଜୀବନର ମୋହ ତୁଟିଗଲାଣି । ସ୍ବାମୀଙ୍କ ମଙ୍ଗଳ ମନାସୀ ଶଙ୍ଖା ସିନ୍ଦୂର ସଦା ବିରାଜମାନ କରୁ ଏହି ଉଦେଶ୍ୟରେ ସବୁ ବର୍ଷ ପାଳନ କରି ଆସୁଛି ସାବିତ୍ରୀ ବ୍ରତ । ସ୍ବାମୀ ପାଖରେ ଥାନ୍ତୁ ଅଥବା ଦୂରରେ । ନିଜର ହେଉଥାନ୍ତୁ ଅଥବା ପରର । ତାଙ୍କରି ଲାଗି ତ ଏ ଶଙ୍ଖା ସିନ୍ଦୂର... ପୁରାଣ କହେ ଦେବୀ ସାବିତ୍ରୀ ନିଜ ପ୍ରେମର ଶକ୍ତିରେ ଯମରାଜଙ୍କ ଠାରୁ ନିଜ ମୃତସ୍ଵାମୀ ଙ୍କୁ ଫେରାଇ ଆଣିଥିଲେ । ସାବିତ୍ରୀ ସାଧ୍ୱୀ ନାରୀଙ୍କର ଆଦର୍ଶ; ତେଣୁ ଏହା ନିଜ ପତିଙ୍କର ଦୀର୍ଘ ଆୟୁଷ ନିମନ୍ତେ ମଙ୍ଗଳ ମନାସିଥାନ୍ତି । ସଧବା ସ୍ତ୍ରୀମାନେ ସାବିତ୍ରୀଙ୍କ ପରି ଆଜୀବନ ସଧବା ହେବା ପାଇଁ ଏ ଓଷା ବ୍ରତ ପାଳନ କରିଥାନ୍ତି । ଏ ତ ପୁରାଣ କଥା ଆଈ ସଦାବେଳେ କହେ । ସେଥିପାଇଁ ଯୁଧିଷ୍ଠିର ଯେବେ ଋଷି ମାର୍କେଣ୍ଡେୟଙ୍କ ସମୀପରେ ଦ୍ରୌପଦୀଙ୍କ ମହାନତା ବଖାଣିଛନ୍ତି । ଦ୍ରୌପଦୀଙ୍କ ଠାରୁ ମହିୟସୀ ନାରୀ ଧରାରେ ଆଉ ଦ୍ଵିତୀୟ କେହି ନାହିଁ କହିଛନ୍ତି । ସେ ସମୟରେ ଋଷି ମାର୍କେଣ୍ଡୟ କହିଛନ୍ତି - ଦ୍ରୌପଦୀ ମହିୟସୀ ନାରୀ ଏହା ନିଃସନ୍ଦେହ । କିନ୍ତୁ ଏହାଙ୍କ ଠାରୁ ଆହୁରି ଅସୀମ ତେଜମୟୀ, ମଧୁମୟୀ, ପ୍ରେମମୟୀ ମହିୟସୀ ନାରୀ ସେ ହେଉଛନ୍ତି ସାବିତ୍ରୀ । ସେହି ସାବିତ୍ରୀଙ୍କ ପାଇଁ ପ୍ରେମର ପରିଭାଷା କଣ ହୋଇଥିବ ? ଶାଶ୍ଵତ ଜୀବନ ପ୍ରବାହରେ ମୃତ୍ୟୁ ଯେ କେତେ ମୂଲ୍ୟହୀନ ହୋଇଥିବ, ତାହା ଆମେ ଆମ ବୁଦ୍ଧି ଓ ବୋଧିରେ ତାହା ଆକଳନ କରିପାରିବା ନାହିଁ ।


ଆଜକୁ ଦଶ ଦିନ ହେବ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି କୈଳାସ । କେତେବେଳେ ଭଲ ଶୁଣିବାକୁ ମିଳୁଛି ତ କେତେବେଳେ ଖରାପ । କୁହାଯାଏ ଭାଗ୍ୟ ଓ ଭବିଷ୍ୟ ସବୁ ଈଶ୍ବରଙ୍କ ହାତରେ । ବିବାହକୁ ଆସି ବିତି ଗଲାଣି ଦଶ ବର୍ଷ । ଆଠ ନଅ ବର୍ଷର ଦୁଇଟି ପିଲାଙ୍କୁ ନେଇ ତାର ଏହି ଛୋଟିଆ ସଂସାର । ପିଲାଦିନୁ ମାଆ ଚାଲିଗଲା । ମାମୁଁ ଘରେ ରହି ବଡ ହେଲା ପାଠ ପଢିଲା କାଞ୍ଚନ । ମନ ମଧ୍ୟରେ କୁହୁଳୁଥିବା ପିଲାଳିଆମି ଓ ଚପଳତାର ଜିଦ୍ ରେ ଧିରେ ଧିରେ ବଡ ହେବାକୁ ଲାଗିଥିଲା କାଞ୍ଚନ । ଛୋଟ ବେଳେ ପିଲା ମାନଙ୍କ ଖେଳଣା ଦେଖି ମନ ଊଣା କରିବା ବଦଳରେ ଦୂରରୁ ଦେଖି ଖୁସି ହୋଇ ଯାଉଥିଲା । ମାମୁଁ ଆଣିଥିବା ତାଙ୍କ ଝିଅର ନୂଆ ଡ୍ରେସ୍ ଦେଖି କୋହରେ ଫାଟି ପଡୁଥିବା ଛାତିକୁ, ସେ ଅନାୟସେ କରି ପାରୁଥିଲା ସଂଯତ । ଅନେକ ସମୟରେ ମନ୍ଦିରର ନିର୍ଜନ ସ୍ଥାନ କାଞ୍ଚନ ଆବୋରି ବସେ ଆତ୍ମୀୟତାର ଛଳରେ । ମନ ଭରି ବୁହାଇ ଦିଏ ହୃଦୟର ସମସ୍ତ ଆବେଗକୁ । ଜାଳିଦିଏ ନିଜ ବାଞ୍ଛିତ ଅଧିକାର। ଯେମିତି ସିଏ ଜଳୁଛି ଆଜି । ଭାଗ୍ୟକୁ ଆଦରି ନେଇ କପାଳ ଲିଖନ ଉପରେ ସବୁକିଛି ନ୍ୟସ୍ତ କରି ଦେଇଥିଲା କାଞ୍ଚନ । କୁମାରୀ ମନରେ ଆନ୍ଦୋଳିତ ଅନେକ ସ୍ୱପ୍ନକୁ ସାକାର କରିବାର ଆଶା ନେଇ ଭାବିଥିଲା ; ବିବାହ ପରେ ହୁଏତ ଜୀବନଟା ହୋଇଯିବ ସହଜ । ହୁଏତ ! ଦୁଃଖର କାଳରାତ୍ରୀ ଅବସର ନେଇ ଆରମ୍ଭ ହୋଇଯିବ ସୁଖର ପର୍ଯ୍ୟାୟ । ଧିରେ ଧିରେ ଦିନ ଓ ସମୟ ବିତି ଚାଲିଲା । ଆଉ ତା'ସହ ବିତି ଚାଲିଲା ତିଥି ,ମାସ ଓ ସପ୍ତାହ । 


ସ୍ୱାମୀ କୈଳାସ ମଦ୍ୟପ । ରାତି ହେଲେ ପରିଶ୍ରମର ଆଳ ଦେଖାଇ ଆଡା ଜମାଇ ଦିଏ ଗାଆଁ ମୁଣ୍ଡ ଠାକୁରାଣୀ ପାଖ ମଦ ଭାଟିରେ । ପେଟରେ ପେଟେ ମଦ ପିଇ ଟଳି ଟଳି ଆସେ , ରାତିର ସେହି ବହଳିଆ ଅନ୍ଧାର ଭିତରେ । ସାଥିରେ ଥାଆନ୍ତି ଆହୁରୁ ଦଳେ ମଦ୍ୟପ । ଆଉ ହାତରେ ଧରିଥାନ୍ତି ଅଧା ପିଆ ବୋତଲରୁ ଗୋଟିଏ ଗୋଟିଏ । କେଉଁଠି ପଡନ୍ତି ତ କେଉଁଠି ଉଠନ୍ତି । ପୁଣି କେତେବେଳେ କାହାକୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ବହେ ମାଡ ଖାଇ ସବୁ ଘରକୁ ଫେରନ୍ତି । କାଞ୍ଚନ କିନ୍ତୁ ଭୟ ପାଇ ଯାଏ ସ୍ବାମୀ ର ଚପଲ ଶବ୍ଦରେ । ଘରକୁ ଆସିଲା କ୍ଷଣି ପତି ତାର ସାଜି ଯାଏ ନର ରୁ ରାକ୍ଷସ । ରାମ୍ପି ଝାମ୍ପି ବିଦାରି ପକାଏ କାଞ୍ଚନର ଶରୀରକୁ । ପ୍ରତିବାଦ କଲେ ପୁଣିଥରେ ପରିବର୍ତ୍ତିତ ହୋଇଯାଏ ହିଂସ୍ର ପଶୁରେ । ମାରି ପିଟି ଲହୁ ଲୁହାଣ କରି ପକାଏ । ଦରମରା କରି ପକାଇବା ଯାହା ସାର ହୋଇଯାଏ ତା ପାଇଁ । ଯନ୍ତ୍ରବତ୍ କାର୍ଯ୍ୟ କରି କେବେବି ଥକି ପଡିନି କାଞ୍ଚନ । ବରଂ ନିଜର ଲୁଗା କାନିକୁ ପାଟିରେ ଚାପି ଧରି ନୀରବରେ ଭେଁ ଭେଁ ହୋଇ କାନ୍ଦିବାକୁ ଅତି ନିଜର ମଣେ ସେ । ଖାଲି ଯାହା ପିଲା ଦୁଇଟିର ମୁହଁକୁ ଚାହିଁ ମୃତ୍ୟୁକୁ ପାଶୋରୀ ଦେଇଛି ମନରୁ । ସକାଳ ହେଲେ ନିଜର କ୍ଷତ ବିକ୍ଷତ ଚେହେରା ଓ ଫଟା ଓଠର ସୁଖିଲା ରକ୍ତ ଦାଗକୁ ନିରେଖି ଦେଖେ ଆଇନାରେ । 

କୋହଭରା ଛାତିର କଷ୍ଟ ସବୁକୁ ଚାପି ଧରି ଲୁଚାଇବାକୁ ଚେଷ୍ଟା କରେ , ନିଜର ଛଳନା ମୟ ହସ ଭିତରେ । ଚୁଲିରେ ଭାତ ଫୁଟେ , କ୍ଷୀର ଉତୁରେ । ତା ସହ ଜଳି ପୋଡି ପାଉଁଶ ହୋଇଯାଏ କାଞ୍ଚନର ହୃଦୟ । ନିଜର ସ୍ୱପ୍ନ ଓ ଖୁସିକୁ ଦୁଃଖର ଚିତାରେ ମୁଖାଗ୍ନି ଦେଇ ; ଆଶା ଓ ଆକାଂକ୍ଷା ସବୁକୁ ପଠାଇ ଦିଏ ଦୁଃଖର ହାଣ୍ଡିରେ । ପରିବା କାଟିବା ବେଳେ ନିଜ ପ୍ରତିବାଦର ପ୍ରତିକ୍ରିୟା ସବୁକୁ ଖଣ୍ଡ ବିଖଣ୍ଡିତ କରି କାଟି ମିଶାଇ ଦିଏ ହଳଦୀ ପାଣିରେ । କାରଣ ! ସେ ଜାଣେ , ଏଠି ପ୍ରତିବାଦର ଅର୍ଥ ହେଉଛି ମାଡ ଆଉ ଗାଳି । କୈଳାସ ଯଦି ମଣିଷ ଭଳି ମଣିଷ ଟିଏ ହୋଇ ଥାଆନ୍ତା । ତେବେ କଣ ଏତେ ଦୁଃଖ ଦୁର୍ଦ୍ଦଶା ଲେଖା ହୋଇଥାନ୍ତା ତା କପାଳରେ । ମଣିଷ ନୁହେଁ ସେ ଅମଣିଷ । ଏବେ କେତେବର୍ଷ ହେବ ବାଙ୍ଗାଲୋରରେ କେଉଁ ଏକ କମ୍ପାନୀରେ କାମ କରିବାକୁ ଚାଲିଗଲା । ଫେରିବାର ନାଁ ନେଲାନି । ଗାଆଁରେ ଥିବାବେଳେ କୋଉ ଭଲ ଥିଲା ଯେ । ମଦୁଆ ଗଞ୍ଜଡିଆଙ୍କ ସହ ମିଶି ନିଶା ଖାଇ ସବୁବେଳେ ନିଶାରେ ଥିଲା ଚୂର୍ । ଘରକୁ ଆସିବା କ୍ଷଣି କାଠ, ବତା, ବାଉଁଶ ଯାହା ପାଉଥିଲା ସେଥିରେ କରୁଥିଲା ଆକ୍ରମଣ । ସବୁବେଳେ ସଇତାନ ସବାର ରହୁଥିଲା ତା ମୁଣ୍ଡରେ । ଛୁଆ ଗୁଡାଙ୍କ ସୁବିଧା ଅସୁବିଧା ବୁଝିବା ତ ଦୂରର କଥା । ସେମାନଙ୍କ ସହ ମଧ୍ୟ କୁକୁର ମାଙ୍କଡ଼ ପରି ବ୍ୟବହାର କରିବା ଥିଲା ତାର ନିତିଦିନିଆ କାର୍ଯ୍ୟ । 


ଖାଲି ସେତିକିରେ ତାର ମନ ବୁଝିଲାନି ଯେ ଶେଷରେ କୋଠି କୁ ଗଲା । ବାରନାରୀଙ୍କ ସହ ସମ୍ପର୍କ ରଖିଲା । କେମିତି ଜଣେ ପତ୍ନୀ ହୋଇ ସେ ସହି ପାରିଥାନ୍ତା ସ୍ୱାମୀର ଏସବୁ ନିତ୍ୟ ବ୍ୟବହାର । ପ୍ରତିବାଦ କରିବାରୁ ଘରେ ଆରମ୍ଭ ହୋଇଗଲା ତୁମୁଳ କାଣ୍ଡ । ଶେଷରେ କାଞ୍ଚନକୁ ଏକାକରି ଚାଲିଗଲା ବାଙ୍ଗାଲୋର । କାଞ୍ଚନ ପିଲାମାନଙ୍କୁ ନେଇ ଚଳିବା କଷ୍ଟ ହୋଇ ପଡିଲା । ପର ଦୁଆରେ ଖଟିଲା... ଆଉ ଖାଇଲା । କାହା ଉପରେ ବୋଝ ହୋଇନି କି ନିଜ ପିଲା ମାନଙ୍କ ବୋଝ କାହା ଉପରେ ଲଦି ଦେଇନି । ବାଙ୍ଗାଲୋରରୁ ଫେରିଥିବା କିଛି ଲୋକ ମାନଙ୍କ ପାଖରୁ ଖବର ପାଇଛି ସେ । ତା ସ୍ବାମୀ କୁଆଡେ ଆଉ ଗୋଟେ ବିବାହ କରିଛି ସେଠି । ସେ ପୁଣି ସେଠିକାର ଅଣ ଓଡିଆ ଝିଅକୁ । ଏକଥା ଶୁଣି ଭାଙ୍ଗି ପଡିଥିଲେ ମଧ୍ୟ ପୁଣି ଅଣ୍ଟା ସଳଖି ଆଗକୁ ଚାଲିଲା । କୈଳାସ କେବେ ଫୋନ୍ କରି ନାହିଁ କି ଖବର ଅନ୍ତର ଦେଇ ନାହିଁ । ତଥାପି ସ୍ବାମୀର ସୁଖ ମନାସି ସାବିତ୍ରୀ ବ୍ରତ ପାଳନ କରେ କାଞ୍ଚନ । ସେ ଯେଉଁଠି ଥାଆନ୍ତୁ ନା କାହିଁକି ଭଲରେ ଥାଆନ୍ତୁ ସୁଖରେ ଥାଆନ୍ତୁ । ପିଲାମାନେ ପଚାରନ୍ତି ବାପାଙ୍କ ପାଇଁ ତୁ କାହିଁକି ସାବିତ୍ରୀ ବ୍ରତ ପାଳନ କରୁଛୁ ? କାଞ୍ଚନ କଥାକୁ ଏଡେଇ ଦିଏ । ହୃଦୟର ଅକୁହା ବେଦନା କୁ ଚାପି ଆଗକୁ ଚାଲିଥାଏ । କାରଣ.. ହେ ସ୍ବାମୀ,ତୁମେ ମୋର ଅଟ ପ୍ରାଣ ପ୍ରିୟ । ତୁମେ ମୋର ଜ୍ୟୋତ୍ସ୍ନା ଭରା ଜହ୍ନ ରାତି । ତୁମ ବିନା ଏଠି ପୁନେଇଁ ରାତି ହୁଏ ଅମାବାସ୍ୟା ସାଥୀ । ମୁଁ ତୁମର ସେହି ବିମୁଗ୍ଧା ପ୍ରେୟସୀ । ସାବିତ୍ରୀ ବ୍ରତରେ ମୁଁ ଆଜି ବନ୍ଦୁଛି ତୁମର ସେହି ପୟର । ଉତ୍ସର୍ଗ କରୁଛି ମୋ ପ୍ରାଣ ହୃଦୟ, ପ୍ରାଣ ସତ୍ବର । ଶଙ୍ଖା ସିନ୍ଦୂର ସଦା ମୋର ରହୁ ହେ ଅକ୍ଷୁର୍ଣ୍ଣ । ତୁମେ ଯେ ଦୀର୍ଘାୟୁ ହୁଅ । ତୁମ ମନେ ରହୁ ସଦା ସମ୍ମୋହନ । ତୁମେ ହୁଅ ସ୍ୱାସ୍ଥ୍ୟବାନ । ତୁମେ ଶିବ ହେଲେ ମୁଁ ତୁମ ପାର୍ବତୀ । ତୁମେ ସତ୍ୟବାନ ମୁଁ ତୁମ ସାବିତ୍ରୀ । ତୁମର ନାମରେ ମୁଁ ଏହି ଶଙ୍ଖା ସିନ୍ଦୂର ଧାରଣ କରୁଅଛି । ତୁମେ ସଦା ବିରାଜମାନ କରୁଥାଅ । ଏହିପରି ଭାବରେ ସବୁ ବର୍ଷ ପାଳନ କରି ଆସୁଛି ସାବିତ୍ରୀ ବ୍ରତ କାଞ୍ଚନ ।


କୈଳାସ ବାଙ୍ଗାଲୋରରେ ମହାମାରୀରେ ଆକ୍ରାନ୍ତ ହେଲା । ସେଠାକାର ଅଣ ଓଡିଆ ସ୍ତ୍ରୀ ମଧ୍ଯ ସେଥିରେ ଆକ୍ରାନ୍ତ ହେଲା । ସେ ସେହି ମହାମାରୀ ରେ ଚାଲିଗଲା । କୈଳାସ ନିଜକୁ ନିସଙ୍ଗତା ବୋଧ କଲା । ପରିବାରକୁ ଅସମୟରେ ହେତୁ କଲା । ସ୍ବତନ୍ତ୍ର ଆମ୍ବୁଲାନ୍ସ ରେ ଏଠାକୁ ଆସିଲା । ଜୀବନରେ ଯାହା ଅର୍ଥ ରୋଜଗାର କରିଥିଲା ସବୁ ସରିଲାଣି କହିଲେ ଚଳେ । ତଥାପି ବଞ୍ଚିବାର ମୋହ ତୁଟାଇ ପାରିନାହିଁ କୈଳାସ । ଏତେ ଦିନ ପରେ ରୋଗିଣା ସ୍ବାମୀକୁ ପାଇ କାଞ୍ଚନ ତଥାପି ଖୁସି । ଜୀବନ ନୌକାରେ ବଢି ପାଣିରେ ପାରି ହେବାକୁ ଆଶା ବାନ୍ଧିଛି କାଞ୍ଚନ । ସମୟ ସାଥି ଦେବ କି ନାହିଁ କହି ପାରୁ ନାହିଁ । ନିଜେ ଜଳି ଅନ୍ୟକୁ ଆଲୋକିତ କରିବାର ରହସ୍ୟ ନାରୀକୁ ହଁ ଜଣା ଥାଏ । ଏବଂ ତାହା ନାରୀ ଜୀବନର ମହତ୍ତ୍ବ। ସେଥିପାଇଁ ତ ନାରୀ ମହାନ । ଯିଏ ନିଜ ସହନଶୀଳତାକୁ ପାଥେୟ କରି ଶକ୍ତି ଏବଂ ଧୈର୍ଯ୍ୟ ବଳରେ ଗୁନ୍ଥି ରଖିପାରେ ପରିବାରର ସମସ୍ତ ସଦସ୍ୟଙ୍କ ମନ । ଯଦି ସତ୍ୟ ନିଷ୍ଠା ତ୍ଯାଗ ଓ ଏକାଗ୍ରତା ବଳରେ ସାବିତ୍ରୀ ସତ୍ଯବାନଙ୍କୁ ଜୀବନ ଫେରାଇ ଆଣିବାକୁ ସମର୍ଥ ହୋଇଥିଲେ । କାଞ୍ଚନ କଣ ସେମିତି ସ୍ବାମୀର ଜୀବନ ପାଇ ପାରିବାକୁ ସମର୍ଥ ହେବ ? ? ?


ସାବିତ୍ରୀ ବ୍ରତରେ ସ୍ବାମୀଙ୍କର ଶୁଭ ମନାସି ଠାକୁରଙ୍କ ମାଗିଲା । ହେ ପ୍ରଭୁ ! ଜୀବନର ସୁଖ ବୋଲି କିଛି ଜାଣିଲି ନାହିଁ । ପିଲାଦିନୁ ମାଆ ଛେଉଣ୍ଡର କଷ୍ଟ । ବିବାହ କଲି ପତି ବିଚ୍ଛେଦର କଷ୍ଟ । ଜୀବନ ସାରା କିଛି ମାଗି ନାହିଁ । ସମସ୍ତ କଷ୍ଟକୁ ସହ୍ଯ କରି ଚାଲିଛି । ଯେତେବେଳେ ସେ ମୋ ନିକଟକୁ ଫେରି ଆସିଛନ୍ତି। ସେ ସମୟରେ ମୋ ଠାରୁ ଛଡାଇ ନିଅ ନାହିଁ। ଶେଷରେ ଆଜିର ଦିନରେ ଏତିକି ପ୍ରାର୍ଥନା ତାଙ୍କୁ ଏ ରୋଗରୁ ଭଲ କରାଇ ଦିଅ । ମେଡିକାଲରୁ ଖବର ଆସିଲା କୈଳାସ ସୁସ୍ଥ ହେବାକୁ ଯାଉଛନ୍ତି ।ତିତିକ୍ଷାରେ ହେଉ କି ପ୍ରତୀକ୍ଷାରେ ହେଉ କାହିଁକି କେଜାଣି କାଞ୍ଚନ ଆଖି ଓଦା ହୋଇ ଆସୁଥାଏ । ମୁଁ ମନେ ମନେ ଭାବୁଥାଏ ସ୍ରଷ୍ଟା କିଛି ଫୁଲ ସୃଷ୍ଟି କରିଛନ୍ତି ନିଜର ଗୁଣ ବିକଶିତ କରିବାକୁ । ତାର କୋମଳତାର ସ୍ନିଗ୍ଧତାରେ ସୃଷ୍ଟିର କାରୁଣ୍ୟତା ଧୋଇବାକୁ । ତା ରଙ୍ଗର ଔଜଲତାରେ ଶାନ୍ତି ପ୍ରୀତିର ବନ୍ୟା ଛୁଟାଇବାକୁ । ରାତିରେ ଫୁଟି ସକାଳେ ଦେବ ଅର୍ପିତ ହେବାରେ ସମସ୍ତ ସାର୍ଥକତା ନ ଥାଏ । ଥାଏ କିଛି ତା ସ୍ନିଗ୍ଧତାରେ, । ଆଉ କିଛି ତା ଜାଜୁଲ୍ୟତାରେ । ସୁରଭିତ ବିଛୁରଣରେ ।



Rate this content
Log in

More oriya story from Lalita Mohan Mishra

Similar oriya story from Romance