Sambit Srikumar

Tragedy Inspirational

4.7  

Sambit Srikumar

Tragedy Inspirational

ସର୍କସ୍ ବାଘ

ସର୍କସ୍ ବାଘ

4 mins
199



ବହୁ ଦିନର ବ୍ଯବଧାନ ପରେ ମୁଁ ତାଙ୍କୁ ଅଚାନକ ଭେଟିଥିଲି ବମ୍ବେରେ ଏକ ମେଘ ମେଦୂରିତ ଅପରାହ୍ନରେ। ଏମିତି ଭେଟିବି ବୋଲି କେବେ ସ୍ବପ୍ନରେ ସୁଦ୍ଧା କଳ୍ପନା କରି ନଥିଲି। କିନ୍ତୁ ଏଇ ଭେଟଘାଟ୍ ବେଶ୍ ଶିକ୍ଷଣୀୟ ଏବଂ ଉପାଦେୟ ଥିଲା ମାନବୀୟ ମନସ୍ତାତ୍ତ୍ୱିକ ଦୃଷ୍ଟି କୋଣରୁ। "ବିବାହିତ ପୁରୁଷ ଯେ ଆଜି ବି ପରାଧୀନତାର ଶୃଙ୍ଖଳାରେ ଆବଦ୍ଧ" ତାହା ମର୍ମେ ମର୍ମେ ଅନୁଭବ କରୁଥିଲି ମୁଁ।

ଚୌଧୁରୀ ଶୌର୍ଯ୍ୟ ପ୍ରକାଶ ମହାପାତ୍ର! ଏକଦା ମୋର ଅତ୍ୟନ୍ତ ଅନ୍ତରଙ୍ଗ ଥିବା ଶୌର୍ଯ୍ୟ ଭାଇ! ବୟସରେ ମୋ ଠାରୁ ଦୁଇ ତିନି ବର୍ଷ ବଡ଼ ହେଲେ ବି ଆମେ ଦୁହେଁ ବି.ଜେ.ବି କଲେଜରେ ଥିଲୁ ସହପାଠୀ। ତିନି ବର୍ଷ କାଳ ସ୍ନାତକ ବାଣିଜ୍ୟରେ ଏକତ୍ର ପାଠ ପଢିଛୁ। ରାଜଧାନୀ ଭୁବନେଶ୍ଵରର ଏକ ପ୍ରତିଷ୍ଠିତ ସ୍ବନାମଧନ୍ଯ ସମ୍ଭ୍ରାନ୍ତ ବଂଶର ଚତୁର୍ଥ ପୀଢ଼ିର ଉତ୍ତରାଧିକାରୀ ସେ। ଏକଦା ତାଙ୍କର ପ୍ରପିତାମହ ପ୍ରବଳ ପ୍ରତାପୀ ଜମିଦାର ଥିଲେ, ପ୍ରଜାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ। କିନ୍ତୁ ପିତାମହ ଥିଲେ ଭିନ୍ନ ଧରଣର ମଣିଷ, ସ୍ବାଧୀନତା ସଂଗ୍ରାମରେ ସାମିଲ ହୋଇ ବହୁଦା କାରାବରଣ କରିଥିଲେ। ଆଉ ମାତାପିତା ଉଭୟ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ, ଓଡ଼ିଶା ସରକାରଙ୍କ ଅଧିନରେ ଉଚ୍ଚ ପଦ ପଦବୀରେ ଅଧିଷ୍ଠିତ।

ତୋଫା ଶ୍ୟାମଳ ବର୍ଣ୍ଣର ସାଢ଼େ ଛଅ ଫୁଟ ଉଚ୍ଚତା ବିଶିଷ୍ଟ ସୁଠାମ ବପୁଧାରୀ ବ୍ଯକ୍ତିତ୍ବ ହେଉଛନ୍ତି ଶୌର୍ଯ୍ୟ ଭାଇ। ମୁଖମଣ୍ଡଳରେ ଆଭିଜାତ୍ୟର ଦିପ୍ତି ସ୍ପଷ୍ଟ ଭାବେ ବାରି ହୋଇ ପଡେ। କଥାଭାଷା ହାବଭାବ ଚାଲିଚଳଣି ସବୁଥିରେ ନିଆରା ସଂଭ୍ରାନ୍ତପଣ। ଏତିକି ଶାରୀରିକ ଓ ବ୍ଯବହାରିକ ବର୍ଣ୍ଣନା ଗୋଟିଏ ପୁରୁଷକୁ ଆକର୍ଷଣୀୟ କରି ଗଢି ତୋଳିବାକୁ ଯଥେଷ୍ଟ ମନେହୁଏ! ଅଯଥାରେ ସମୟ କାହିଁକି ବା ଅପଚୟ କରିବା?

ଅହଙ୍କାରୀ ସ୍ବଭାବର ନ ହୋଇଥିଲେ ମଧ୍ୟ ସେ କେବେ କାହାକୁ ଖାତିର କରିବା ମୁଁ ଦେଖିନି, ଏପରିକି କଲେଜରେ ଅଧ୍ୟାପକ, ପ୍ରାଧ୍ୟାପକ କିମ୍ବା ଅଧ୍ୟକ୍ଷଙ୍କୁ। ଏଇଟା କାଳେ ତାଙ୍କର ସ୍ୱତନ୍ତ୍ରତା! ଯାହା ଥରେ ଠିକ୍ ବୋଲି ବୁଝିଥିବେ ସୃଷ୍ଟି ପ୍ରଳୟ ହୋଇଗଲେ ମଧ୍ୟ ସେଥିରୁ ପଛକୁ ହଟିବେ ନାହିଁ। ସମସ୍ତଙ୍କୁ ମୁହେଁ ମୁହେଁ ଜବାବ ଦିଅନ୍ତି ସେ। କାହାରି ପଛରେ କେବେ କିଛି କହନ୍ତି ନାହିଁ କି କାହାରି ଅନିଷ୍ଟ ଚିନ୍ତା ବି କରନ୍ତି ନାହିଁ। ନିଜ ଜିଦରେ ସଦା ସର୍ବଦା ଦୃଢ଼ ଅଟଳ। କାଉଁରିଆ କାଠି, ଭାଙ୍ଗି ଯିବେ କିନ୍ତୁ ନଇଁବେ ନାହିଁ। ସଦାସର୍ବଦା ବେପରୁଆ ମନୋଭାବ। ଏକୋଇର ବଳା ବିଶିକେଶନ! ଘରେ ବାହାରେ ସଭିଏଁ ତାଙ୍କୁ "ଟାଇଗର୍" ବୋଲି ଡାକନ୍ତି ଶ୍ରଦ୍ଧାରେ ଅବା ଡରରେ।

ବି.ଜେ.ବି. କଲେଜ୍ କ୍ଯାମ୍ପସରେ ବୁଲେଟ୍ ଉପରେ ବସି ସିଗାରେଟ୍ ଫୁଙ୍କିଲା ବେଳେ କଣେଁଇ କଣେଁଇ ଚାହାଁନ୍ତି ତାଙ୍କୁ ଅନେକ ସୁଶ୍ରୀ ତରୁଣୀ। ଆମେ ସବୁ ସହପାଠୀମାନେ ତାଙ୍କ ପ୍ରତି ଈର୍ଷାରେ ଜଳି ଉଠୁ ଏଥିପାଇଁ। ମାତ୍ର ସେ କେବେ ବି କୌଣସି ଝିଅକୁ ଭାଉ ଦିଅନ୍ତି ନାହିଁ, ପ୍ରେମରେ ପଡ଼ିବା ତ ଦୂରର କଥା। ଆମ ହଷ୍ଟେଲରେ ଖଟି ବେଳେ ଚର୍ଚ୍ଚା ହୁଏ କାଳେ କେତେ ଝିଅ ତାଙ୍କ ପାଇଁ ହାତର ଶୀରା କାଟି ଦେଇଥିଲେ ଏକତରଫା ଭାବେ ପ୍ରେମ କରି! କିନ୍ତୁ ଶୌର୍ଯ୍ୟ ଭାଇ କେବେ ବି କାହାର ଚାଲବାଜିରେ ଭଳି ଯିବା ଲୋକ ଆଦୌ ନୁହଁନ୍ତି।

କଲେଜ ଜୀବନରେ ଅନେକ ଛାତ୍ର ଆନ୍ଦୋଳନର ନେତୃତ୍ଵ ନେଇ ବହୁତ ଥର ଗିରଫ ବି ହୋଇଛନ୍ତି ସେ। କିନ୍ତୁ କୌଣସି ବନ୍ଧନ ଅବା ଭୟ ତାଙ୍କୁ ବିଚଳିତ କରି ପାରିନାହିଁ କିମ୍ବା ବଦଳାଇ ପାରିନାହିଁ ତାଙ୍କ ବୀର ପୁଙ୍ଗଵ ସ୍ବଭାବକୁ। ଆମେ ତାଙ୍କର ନେତୃତ୍ଵ ନେବାର ଗୁଣକୁ ଦେଖି ଚିନ୍ତା କରୁଥିଲୁ କି ଭବିଷ୍ୟତରେ ଦେଶ ଜଣେ ସୁଦକ୍ଷ ନେତା ପାଇବାକୁ ଯାଉଛି ଶୌର୍ଯ୍ୟ ଭାଇଙ୍କ ରୂପରେ। କିନ୍ତୁ ଆମ ଏହି ଚିନ୍ତାଧାରାକୁ ଭୁଲ୍ ପ୍ରମାଣିତ କରିଥିଲେ ସେ କଲେଜରେ ପାଠ ପଢିବା ସମୟରେ।

"ନେତା ହୋଇ ଖଦଡ଼ ଧୋତି ଟୋପି ପିନ୍ଧି ଘର ଘର ବୁଲି କାହାକୁ ହାତ ଯୋଡ଼ି କାକୁତି ମିନତି ହୋଇ ଭୋଟ୍ ମାଗି ପାରିବେ ନାହିଁ" ବୋଲି ରୋକ୍ ଠୋକ୍ ଶୁଣାଇ ଦେଇଥିଲେ ତାଙ୍କୁ ନେଇ ରାଜନୀତିର ପଶାପାଲିରେ ଗୋଟି ଚଳାଇବାକୁ ମସୁଧା କରୁଥିବା ଗୋଟିଏ ପ୍ରମୁଖ ଜାତୀୟ ଦଳର ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କୁ। କଲେଜରୁ ସ୍ନାତକ ଶିକ୍ଷା ସମାପ୍ତ କରିବା ପରେ ଭୁବନେଶ୍ବର ଛାଡ଼ି ଦିଲ୍ଲୀ ଚାଲିଗଲେ ଯେ, କେବେ ଆସନ୍ତି କେବେ ନ ଆସନ୍ତି ଓଡିଶାକୁ ତାର ଠିକଣା ହିସାବ ନାହିଁ।

ମୁହାଁମୁହିଁ ଦେଖା ସାକ୍ଷାତ ନହେଲେ ନାହିଁ ପଛକେ ମୋ ସହିତ କିନ୍ତୁ ବରାବର ସମ୍ପର୍କରେ ଥାଆନ୍ତି ସେ। ଯେତେ ଫୋନ୍ ନମ୍ବର ବଦଳାଇଲେ ମଧ୍ୟ ମୋତେ ଜଣାନ୍ତି। ଦିଲ୍ଲୀରେ ରହି ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତି କରିବାରେ ଲାଗି ପଡ଼ିଥିଲେ ସବୁ କିଛି ଭୁଲିଯାଇ। ପ୍ରାରମ୍ଭିକ ପର୍ଯ୍ୟାୟରେ ବିଫଳତାର ସ୍ୱାଦ ଚାଖିବାକୁ ପଡିଥିଲା ତାଙ୍କୁ। ପରିଶେଷରେ ଆଇ.ଆର.ଏସ୍. ପାଇଥିଲେ, ଆୟକର ବିଭାଗରେ କିଛିଦିନ କାର୍ଯ୍ୟରତ ଥିଲେ। ହେଲେ ଚାକିରୀର ମୋହ ବେଶୀ ଦିନ ବାନ୍ଧି ରଖି ପାରିଲାନି ତାଙ୍କ ସ୍ବାଧୀନଚେତା ମାନସକୁ। ଅନେକ କହୁଥିଲେ ଜେଜେବାପାଙ୍କ ନୀତି ଆଦର୍ଶରେ ପ୍ରଭାବିତ ହୋଇଛନ୍ତି ସେ। କାହାରି ବଶ୍ୟତା ସ୍ବୀକାର କରି ହାକୁମାତିକୁ ମୁଣ୍ଡପାତି ସହିବା ତାଙ୍କ ପକ୍ଷେ ଅସମ୍ଭବ।

ଏବେ ବମ୍ବେରେ ନିଜର ବ୍ୟବସାୟିକ ସାମ୍ରାଜ୍ୟ ପ୍ରତିଷ୍ଠା କରି ରାଜ୍ କରୁଛନ୍ତି ନିଜ ସାମ୍ରାଜ୍ଯରେ। ନିଜେ ନିଜ ଇଛାର ମାଲିକ! ସୌମ୍ୟା ପତ୍ନୀ ଓ ଦୁଇ କୁନି କୁନି ଜମଜ କନ୍ୟାଙ୍କୁ ନେଇ ଛୋଟ ଓ ସୁଖୀ ପରିବାର। ବାପା ମାଆ ଭୁବନେଶ୍ବର ଛାଡ଼ିବାକୁ ନାରାଜ ସୁସ୍ଥ ଥିବା ଯାଏଁ। ପତ୍ନୀ ମାୟାନଗରୀ ଛାଡ଼ି ଭୁବନେଶ୍ବର ଯିବାକୁ ମୂଳରୁ ଅମଙ୍ଗ, ଆଜିକାଲି କନ୍ଯା ରତ୍ନମାନେ ମଧ୍ୟ ଏହି ଧାରାରେ ସାମିଲ ହୋଇ ବାଟ ଚାଲୁଛନ୍ତି। ବମ୍ବେ ଆଉ ଭୁବନେଶ୍ବରର ଦୋଛକିରେ ଏବେ ତାଙ୍କ ଜୀବନ! ଏମିତି ବି କୁହା ଯାଇପାରେ ଦୁଇ ପୀଢ଼ିର ଜିଦ୍ ମଝିରେ ବନ୍ଧା ପଡିଛି ଶୌର୍ଯ୍ୟ ଭାଇଙ୍କ ଜୀବନ।

ଆମର ଏଇ ଭେଟଘାଟକୁ ସ୍ମରଣୀୟ କରିବା ପାଇଁ ଆମେ ଚାଲିଲୁ ଗୋଟେ ପବ୍। କକଟେଲ୍ ସାନିଧ୍ୟରେ ଦୀର୍ଘ ସମୟ ଧରି ଖୁସି ଗପ କଲୁ। ଅତୀତର ସ୍ମୃତି ବିସ୍ମୃତି ପୁଣି ତାଜା ହୋଇଉଠିଲା। ଅଦ୍ୟାବଧି ଜୀବନ ଯାତ୍ରାର କେତେ କେତେ ଅକୁହା କାହାଣୀ ବଖାଣିଲେ ଶୌର୍ଯ୍ୟ ଭାଇ। "ପୁରୁଣା ବନ୍ଧୁ ଆଉ ପୁରୁଣା ମଦ, ବଡ଼ ରୋଚକ ଏ ସ୍ୱାଦ! କେବଳ ଅନୁଭବୀ ହିଁ ଜାଣେ ଏଇ ଭାବ!"

ସମୟ ପ୍ରାୟ ସନ୍ଧ୍ୟା ଆଠଟା ପାଖାପାଖି ହେବ,  ଶୌର୍ଯ୍ୟ ଭାଇଙ୍କ ମୋବାଇଲ୍ ଫୋନ୍ ଗର୍ଜି ଉଠିଲା, ରିଂ ଟୋନ୍ ଟା ସେମିତି ହିଁ ସେଟ୍ ହୋଇଥିଲା। ଅପରପକ୍ଷରେ ଥିଲେ ତାଙ୍କର ଧର୍ମପତ୍ନୀ, ସୁଚେତା ପ୍ରିୟଦର୍ଶିନୀ! ସେ ଫୋନ୍ ରିସିଭ୍ କରିବାକୁ ଚାଲିଗଲେ ୱାଶ୍ ରୁମ୍ କୁ।

ଅଧ ମିନିଟ୍ ବ୍ଯବଧାନରେ ଫେରି ଆସି ଆପଣାର ଚନ୍ଦ୍ରଉଦିଆ ମୁହଁକୁ ଶୁଖାଇ ଶୌର୍ଯ୍ୟ ଭାଇ କହିଲେ, "ସରି ସନ୍ଦୀପ୍, ମୋତେ ଯିବାକୁ ହେବ ଘରକୁ...

ମୁଁ ବାଧା ଦେଇ କହିଲି, "ଏବେ ତ ଆରମ୍ଭ ମାତ୍ର, ସନ୍ଧ୍ୟା ଆହୁରି ବାକି... ରାତି ହେବାକୁ ତ ଅନେକ ବେଳ ଅଛି... ପୁଣି ଇଏ ତ ବମ୍ବେ, ଏଠି ରାତି କାହିଁ??"

ମୋତେ ଆଦରରେ ଆଲିଙ୍ଗନ କରି ସେ କହିଲେ, "ତୁ ବୁଝିପାରିବୁନି ସାଙ୍ଗ... ତୁ ଏନଜୟ କର, ମୁଁ ଆସୁଛି। ଭୁଲ୍ ବୁଝିବୁନି...."

ଏତିକି କହି ସେ ପବ୍ ରୁ ବାହାରିଗଲେ ଝଡ଼ ପରି।

ମୁଁ ଅପଲକ ନୟନରେ ଚାହିଁ ରହିଥାଏ ତାଙ୍କ ଯିବା ବାଟକୁ। ଭାବୁଥାଏ ଯେଉଁ ଲୋକ ରାଜ ପ୍ରାସାଦ ସମ ଘରକୁ ଛାଡି ଆମମାନଙ୍କ ସହ ଦରଭଙ୍ଗା ହଷ୍ଟେଲରେ ରାତି ରାତି ଅନିଦ୍ରା ରହି ଆମକୁ ହସମଜାରେ ଆମୋଦିତ କରୁଥିଲା, ଭୋଜିଭାତରେ ଆପ୍ଯାୟିତ କରୁଥିଲା ଆଜି ବୈବାହିକ ଜୀବନରେ ଏତେ ବଦଳି ଯାଇଛି ଯେ, ଗୋଟିଏ ଫୋନ୍ କଲ୍ ପାଇ ଘରକୁ ଦୌଡ଼ୁଛି! ମୋ ମନରେ ଗୋଟିଏ ଅବାନ୍ତର କପୋଳକଳ୍ପିତ ଧାରଣା ସୃଷ୍ଟି ହେଉଥିଲା ଯେ, ଆମର ଦାମ୍ଭିକ ଶୌର୍ଯ୍ୟ ଭାଇ ସାଧାରଣ ଗୃହସ୍ଥଙ୍କ ପରି ଧର୍ମପତ୍ନୀଙ୍କ ଇଙ୍ଗିତରେ ଉଠ୍ ବସ୍ କାଳେ ହେଉଥିବେ ବୋଲି!

ମୋତେ ଏଇ ଘଟଣାଟା କାହିଁ କେମିତି କେମିତି ଲାଗୁଥିଲା। ଜଣେ ଲୋକର ଏପରି ଚାରିତ୍ରିକ ପରିବର୍ତ୍ତନ କିପରି ହୋଇପାରିବ? ଆଗରୁ ଶୁଣିଥିଲି ବିବାହିତ ପୁରୁଷଙ୍କର ସ୍ବାଧୀନତା ନଥାଏ ବୋଲି। ଅନୁଭବ ତ ନାହିଁ ଅବିବାହିତ ହୋଇଥିବାରୁ। କିନ୍ତୁ ଶୌର୍ଯ୍ୟ ଭାଇ ତ ସବୁ ନୀତି ନିୟମର ଉର୍ଦ୍ଧ୍ବରେ ନିଜର ଧାରାରେ ଜୀବନ ଜୀଉଁଥିବା ମଣିଷଟିଏ। ପିତାମାତା, ଗୁରୁଜନ, ଶିକ୍ଷକମାନଙ୍କ କଥା ଟିକିଏ ବି ଶୁଣିବାକୁ ପ୍ରସ୍ତୁତ ନଥିବା ଅମାନିଆ ଅବାଧ୍ଯ ଛାତ୍ରଟା କଣ ସତରେ ଏମିତି ବଦଳି ଯିବ ଜୀବନ ସାଥିର କଥାରେ?

"କଲେଜ ଜୀବନର ଦୁର୍ଦ୍ଦଷ ଟାଇଗରରୁ ସର୍କସ୍ ର ସୁପ୍ରଶିକ୍ଷିତ ବାଘ ହୋଇ ଯାଇଥିଲେ ଶୌର୍ଯ୍ୟ ଭାଇ!" ଏତିକି ମାତ୍ର ମୁଁ ସ୍ପଷ୍ଟ ବୁଝି ପାରୁଥିଲି ଯାହା ମୋର ସ୍ଵଳ୍ପ ବୁଦ୍ଧିରେ....


Rate this content
Log in

Similar oriya story from Tragedy