Nityananda Nandi

Classics Inspirational

4  

Nityananda Nandi

Classics Inspirational

ସ୍ଵର୍ଗ ସୁଖ

ସ୍ଵର୍ଗ ସୁଖ

5 mins
328



ମୁଁ କଲେକ୍ଟର ହୋଇ ଆସିଥାଏ ଏଇ ସହରକୁ। ସମସ୍ତେ କହନ୍ତି ସମୁନ୍ଦର୍ କା ସହର, ବିଶାଖାପାଟଣା। ମୋତେ ବି କାହିଁକି କେଜାଣି ଭାରି ଭଲ ଲାଗେ ସହରଟା। ସବୁଦିନ ପରି ଘାସ ଗାଲିଚା ଉପରେ ବସି ସେଦିନ ବି ଚା ପିଉଥିଲି। ପାହାଡ ପାଖ ଦେଇ କିଛି ସୂର୍ଯ୍ୟ କିରଣ ଆସି ଗାଲିଚା ଉପରେ ସାମ୍ରାଜ୍ୟ ବିସ୍ତାର କରି ସାରିଥିଲା ସେତେବେଳକୁ। ସବୁଦିନ ଠିକ୍ ଏଇ ସମୟରେ ଛୋଟ ଝିଅଟେ ଭିତରକୁ ପଶି ଆସେ। ଖବର କାଗଜ ବଢେଇ ଦିଏ ମୋ ହାତକୁ। ବୟସ ତେର ଚଉଦ ଭିତରେ ହେବ। ନୀଳ ରଙ୍ଗର ସାଲ୍ଵାର କାମିଜ୍। ଗୋଟାଏ ଡ୍ରେସ୍ ପିନ୍ଧି ପ୍ରାୟ ସେ ସବୁଦିନ ଆସେ। ନୁଖୁରା ମୁଣ୍ଡ ଚୁଟି ସାଥିରେ ଶୁଖିଲା ମୁହଁଟା। ଦୁଃଖ, ଅଭାବ, ଅନଟନ ମଣିଷକୁ ଗିଳିଦିଏ ଭୁଖିଲା ଅଜଗର ସାପପରି। ଏମାନେ ସବୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପ୍ରାୟ ଅଜଗର ମୁହଁରୁ। ସବୁବେଳେ ଅଜଗର ଦଂଶିବାର ଭୟ ଭିତରେ ଖାଲି ବଞ୍ଚିଛନ୍ତି ,ବାସ୍ ଝିଅଟି କିନ୍ତୁ ଗୋଟାଏ ଚାଉଳରେ ଗଢା । ସବୁଦିନ ଖାଲି ପାଦରେ ଚାଲି ଚାଲି ଖବର କାଗଜ ବାଣ୍ଟେ। 

ଭାରି ଦୟା ଆସିଲା ମୋ ମନ ଭିତରେ। ସ୍ତ୍ରୀ ମୀରାଙ୍କୁ କହିଲି, ଦେଖ ! ଝିଅଟା କେମିତି ଖାଲି ପାଦରେ ସବୁଦିନ ଚାଲି ଚାଲି ଆସୁଛି। ମୀରା କହିଲେ ତମେ ତ କଲେକ୍ଟର। ଏଇ ଜିଲ୍ଲାରେ ସମସ୍ତେ ତମର ପ୍ରଜା। ଯଦି ଦୁଃଖ କରୁଛ, ଗୋଟାଏ ଚମଡା ଚପଲ ଆଣି ଝିଅକୁ ଦାନ କରୁନ।ଆରାକୁ ଭେଲିରୁ ଫେରିବା ବେଳେ ଝିଅଟା ପାଇଁ ଗୋଟାଏ ଚମଡା ଚପଲ ନେଇ ଆସିଲି। ତା ପରଦିନ ଉତ୍କଣ୍ଠାର ସହିତ ଜଗି ବସିଲି, କେତେବେଳେ ଝିଅଟା ଆସିବ। ତାକୁ ଚପଲଟା ପିନ୍ଧିବାକୁ ଦେବି। ଝିଅଟି ଖବର କାଗଜ ଧରି ଖାଲି ପାଦରେ ପଶି ଆସିଲା ଭିତରକୁ। 

ପଚାରିଲି ତୋ ନାଁ କଣ ?

ତେଲୁଗୁ ଝିଅଟା, ଆନ୍ଦାଜ୍ କରି ବୁଝି ପାରିଲା ବୋଧେ ମୁଁ ତାର ନାଁ ପଚାରୁଛି। କହିଲା "ଶର୍ବାଣୀ"।

ଚପଲଟିକୁ ତା ହାତକୁ ବଢେଇ ଦେଇ କହିଲି, କାଲିଠୁ ତୁ ଚପଲ ପିନ୍ଧି ଆସିବୁ। ହସି ଦେଲା। ଲକ୍ଷେ ଟଙ୍କାର ହସ ! ବେଳେ ବେଳେ କିଛି ମୁହୂର୍ତ୍ତ ଆମ୍ବ ତୋଟାରେ ବୁଲି ବୁଲି ଆମ୍ବ ତୋଳିବାର ଆନନ୍ଦ ଭିତରେ କଟିଯାଏ। କୋଇଲିର ସୁମଧୁର ଗୀତ ଭିତରେ ଜୀବନର କିଛି ମୁହୂର୍ତ୍ତ ତରଙ୍ଗାଇତ ହୁଏ। ମୋତେ ଲାଗିଲା ସେମିତି କିଛି ଘଟିଗଲା ବୋଧେ...ମୋ ଜୀବନରେ।


ଗେଟ୍ ବନ୍ଦ କରି ଚାଲିଲା ସେ ବାହାରକୁ। ଗୋଟାଏ ହାତରେ ଜୋତା ବକ୍ସ, ଆଉ ଗୋଟାଏ ହାତରେ ଗୁଚ୍ଛାଏ ଖବର କାଗଜ।

ଭାରି ଖୁସି ହେଲି ତା ହସ ଦେଖି, ମନ ଭିତରେ କିଛି ପ୍ରଶ୍ନର ଉତ୍ତର ଖୋଜି ବାକୁ ପଡେନି। ଜୀବନର କିଛି କଠିନ ମୁହୂର୍ତ୍ତକୁ ଭୁଲି ଗଲେ ଭଲ ବୋଲି ସମସ୍ତେ କହନ୍ତି । ଦୁଃଖ ପୂର୍ଣ୍ଣ ଉପନ୍ୟାସର କିଛି ପୃଷ୍ଠା ଜାଣି ଜାଣି ଛାଡି ଦେବାକୁ ହୁଏ। ସବୁ ପଢି ହଜମ କରିବା କିନ୍ତୁ ସମ୍ଭବ ହୁଏନି।


ତା ପର ଦିନ ପୁଣି ଥରେ ଜଗି ରହିଲି ଝିଅଟିକୁ ଦେଖିବା ପାଇଁ। ଜଣେ ବୟସ୍କ ଭଦ୍ର ମହିଳା ଖବର କାଗଜ ଧରି ଭିତରକୁ ଆସିଲେ। ତାଙ୍କ ପାଦରେ ଶର୍ବାଣୀ କୁ ଦେଇଥିବା ଚପଲକୁ ଦେଖି ଆଶ୍ଚର୍ଯ୍ୟ ହେଲି। ଉତ୍କଣ୍ଠାର ସହିତ ପଚାରିଲି , ଶର୍ବାଣୀ !

ସେ କହିଲେ, ବା ଲେଦା

ବୁଝିଗଲି, ତା ଦେହ ଭଲ ନାହିଁ।

ଭଦ୍ର ମହିଳା ଜଣଙ୍କ ଶର୍ବାଣୀର ମା ବୋଲି ବୁଝିବାକୁ ଆଉ ଅସୁବିଧା ହେଲା ନାହିଁ।


ଦୁଇ ତିନି ଦିନ ପରେ ପୁଣି ଥରେ ଶର୍ବାଣୀକୁ ଦେଖିଲି। ଖବର କାଗଜ ନେଇ ଭିତରକୁ ପଶି ଆସିଲା, ପୁଣି ଥରେ ଖାଲି ପାଦରେ।

ଆରେ ଶର୍ବାଣୀ ! ଚପଲ !!

କିଛି ଗୋଟାଏ କହୁଥିଲା ସେ, ଶୁଣି ପାରିଲି, କିନ୍ତୁ ତେଲୁଗୁ ରେ।ସେଇ ସମୟରେ ଆମ ଅଫିସ ର ବଡ ବାବୁ କିଛି ଗୋଟାଏ ଜରୁରୀ କାମରେ ଆସିଥାନ୍ତି ଆମ ଘରକୁ। ତାଙ୍କୁ ପଚାରିଲି, କଣ କହିଲା ଶର୍ବାଣୀ।ସେ ମୋତେ ବୁଝେଇ ଦେଲେ, ଶର୍ବାଣୀ କହୁଛି ଯେ "ମୋ ବୋଉର ଚପଲ ନ ଥିଲା। ଏତେ ସୁନ୍ଦର ଚପଲ, ମୋ ବୋଉକୁ ଭଲ ମାନିବ, ତା ବ୍ୟତୀତ ମୋ ବୋଉକୁ ଖାଲି ପାଦରେ ଆଉ ଚାଲିବାକୁ ହେବନି, ସେ ବି ଖବର କାଗଜ ବାଣ୍ଟେ। ଗୁଡି ରାସ୍ତାରେ ଜମାରୁ ଚାଲି ପାରେନି। ଚପଲ ପାଇ ବୋଉର ଖୁସି କହିଲେ ନ ସରେ।"


ମୋ ମନଟା ଜମାରୁ ବୁଝିଲା ନାହିଁ। ଶର୍ବାଣୀର ପ୍ରତିଟି ଶବ୍ଦ ମୋ ମନକୁ କ୍ଷତ ବିକ୍ଷତ କଲା। ଏମାନଙ୍କ ପାଖରେ କିଛି ନାହିଁ ସତ କିନ୍ତୁ ବୋଉ ପାଇଁ କିଛି କରିବାର ଇଚ୍ଛା ସେମାନଙ୍କର ସମ୍ପୂର୍ଣ୍ଣ ନିଜସ୍ଵ। ଅକ୍ଷତ ଅବସ୍ଥାରେ ପଡି ରହିଥାଏ ସୁପ୍ତ ଆଗ୍ନେୟଗିରି ପରି। ଦରକାର ସମୟରେ ବିସ୍ଫୋରଣ ହୁଏ।ଝିଅଟା ପ୍ରତି କାହିଁକି କେଜାଣି ମନ ଭିତରେ ଆଉ ଥରେ ଦୟା ଜାଗି ଉଠିଲା।

ତା ପର ଦିନ ଆଉ ଗୋଟାଏ ଚପଲ ନେଇ ଆସିଲି ଶର୍ବାଣୀ ପାଇଁ।  ପୁଣି ଥରେ ଉପହାର ଦେଲି ଶର୍ବାଣୀକୁ। ତା ପରେ ମାସେ ଦୁଇ ମାସ ଶର୍ବାଣୀ ଆଉ ଆସିନି ଆମ ଘରକୁ। ତା ମାଆ ଆସି ଖବର କାଗଜ ଦେଇ ଚାଲିଯାଏ। ବାର ବାର ଶର୍ବାଣୀ ବାବଦରେ ପଚାରି ବା ଠିକ୍ ହେବନି ବୋଲି ମୁଁ କେବେ ଆଉ ପଚାରି ନ ଥିଲି।ହଠାତ ଦିନେ ଶର୍ବାଣୀ କୁ ଦେଖିଲି, ଖବର କାଗଜ ଧରି ଆସିଛି ଆମ ଘରକୁ, ପୁଣି ଥରେ ଖାଲି ପାଦରେ। ପ୍ରଥମ ଥର ପାଇଁ ଘୃଣା ଆସିଲା, ଶର୍ବାଣୀ ପାଇଁ। ଗରିବଙ୍କୁ ସାହାଯ୍ୟ ଅପାତ୍ରରେ ଦାନ ପରି ଲାଗିଲା। ଆଉ ଗୋଟାଏ ଚପଲ ପାଇଁ ଶର୍ବାଣୀ ପୁଣି ଥରେ ଅଭିନୟ କରୁନି ତ। ଏମାନଙ୍କ ମାନସିକତା କୁ ବୁଝିବା ଏତେ ସହଜ ନୁହେଁ। ସବୁଦିନ ଖବର କାଗଜ ବଢେଇ ଦେଇ ଯାଏ। ମୁଁ ଚୁପ୍ ଚାପ୍ କାଗଜ ଧରି ନିଏ ତା ହାତରୁ, ବାସ୍।

ବଡ ବାବୁଙ୍କୁ ଘଟଣା ବାବଦରେ ସବୁ କଥା କହିଲି। ଏମିତି ସଂଯୋଗ ଯେ ସେଦିନ ବଡ ବାବୁ ସକାଳୁ ସକାଳୁ ଆସି ଥାଆନ୍ତି ଆମ ଘରକୁ। ସେଇ ସମୟରେ ଶର୍ବାଣୀ ଆସିଥାଏ ଖବର କାଗଜ ବାଣ୍ଟିବାକୁ। ବଡ ବାବୁ ତେଲୁଗୁରେ ପଚାରିଲେ ପ୍ରଥମ ଚପଲ ତୁ ତୋ ବୋଉ କୁ ଦାନରେ ଦେଇଛୁ, ଭଲ କଥା। କିଛି ଅସୁବିଧା ନାହିଁ। କଲେକ୍ଟର ସାହେବ ଆଉ ଗୋଟାଏ ଜୋତା ତୋତେ ପିନ୍ଧିବାକୁ ଦେଲେ, ତା ପରେ ବି ତୁ ଖାଲି ପାଦରେ.. କାହିଁକି ??ଝିଅଟି ମନ ଶୁଖେଇ ଦେଇ କହିଲା

ସାର୍ !

ମୋ ବୋଉ କୁ କେବେ ଚପଲ ପିନ୍ଧିବାର ଦେଖିନି। ବାପା ବି ଏଇ ଦୁନିଆ ଛାଡି ଗଲେଣି କେତେ ଦିନରୁ। ସକାଳ ହେଲେ ଆମେ ଦୁଇ ଜଣ ଖବର କାଗଜ ବାଣ୍ଟୁ। ଦିନରେ ଦୁଇ ତିନିଟା ଘରେ ମୋ ବୋଉ କାମ କରେ। ସବୁ ପଇସାକୁ ମିଶାଇ ଦେଲେ ବି ଚଳିବାକୁ ନିଅଣ୍ଟ ହୁଏ। ଭାରି ଦୟାଳୁ ଏଇ ସାହେବ। ପାଞ୍ଚ ଛ ବର୍ଷ ଭିତରେ ଅନେକ ସାହେବ ଆସିଛନ୍ତି ଏଇ ଘରକୁ। କେହି କେବେ ମୋ ଖାଲି ପାଦକୁ ଅନେଇ ନ ଥିଲେ। ଗୋଟାଏ ନୁହଁ, ଦୁଇ ଦୁଇଟା ଚପଲ ଏଇ ବାବୁ ଦେଇଛନ୍ତି ଆମକୁ। ସେଥିପାଇଁ ତାଙ୍କୁ ଅଶେଷ ଧନ୍ୟବାଦ୍।

ହଁ ଆପଣଙ୍କ ପ୍ରଶ୍ନ ବାବଦରେ ମୁଁ କିଛି କହିବାକୁ ଚାହୁଁଛି। ମୁଁ ଛୋଟ ପିଲା, ଖାଲି ପାଦରେ ଚାଲିବାକୁ ସେତେ କଷ୍ଟ ହୁଏନି। ମୋ ବୋଉ କିନ୍ତୁ ଭାରି କଷ୍ଟ ପାଏ, ଗୁଡି ରାସ୍ତାରେ ଆଦୌ ଚାଲି ପାରେନି। ସାହେବ ଦେଇଥିବା ଦିତୀୟ ଚପଲକୁ ବି ମୁଁ ମୋ ବୋଉ ପାଇଁ ସାଇତି ରଖିଛି। ବହୁତ ସୁନ୍ଦର ଆଉ ଦାମିକା ଲାଗୁଛି ଚପଲ ଗୁଡିକ। ବୋଉ ପିନ୍ଧୁଥିବା ପ୍ରଥମ ଚପଲ ଛିଣ୍ଡି ଗଲେ ଦ୍ୱିତୀୟ ଚପଲଟା ସେ ହିଁ ପିନ୍ଧିବ। ତାର ଅବଶିଷ୍ଟ ଜୀବନ ବୋଧେ କାଟିଯିବ ଏଇ ଦୁଇ ଚପଲରେ, କହି କାନ୍ଦି ପକେଇଲା ଶର୍ବାଣୀ, ଗେଟ୍ ଖୋଲି ଚାଲିଗଲା ବାହାରକୁ।


ଦୀର୍ଘ ନିଃଶ୍ୱାସଟିଏ ଛାଡ଼ିବାକୁ ବାଧ୍ୟ କରିଦେଲା ଶର୍ବାଣୀ। ମୁଁ ତ କାହିଁ ମୋ ବୋଉ କଥା କେବେ ଚିନ୍ତା କରିନି। ଏତେ ଛୋଟ ବୟସରେ ଶର୍ବାଣୀ ଯଦି ତା ବୋଉ ବାବଦରେ ଏତେ କଥା ଚିନ୍ତା କରିପାରେ ତେବେ ମୁଁ ଆଇଏସ ଅଫିସର ହେଇ ବୋଉ କଥା କେମିତି ଭୁଲି ଯାଇଛି। ବୋଉ ମାନଙ୍କ ପାଖରେ ସବୁ ଥିଲେ ବି କିଛି ଗୋଟାଏ ଜିନିଷର ଅଭାବ ଥାଏ ବୋଧେ ସେମାନଙ୍କ ପାଖରେ। କେହି ଜଣେ ତାଙ୍କ ପାଇଁ ଖାଲି କିଛି ଭାବିଦେଲେ ସବୁ କିଛିର ପୂରଣ ହୁଏ। ସ୍ନେହ, ମମତାର ସମ୍ପର୍କ ଭିତରେ କିଛି ଥାଏ, ଆଉ କିଛି ର ଆବଶ୍ୟକତା ପଡେ। କିଛି ମିଳିଗଲେ ଅପ୍ରାପ୍ତି ର ଖାଇ ସବୁ ଭରି ଉଠେ ଅଚାନକ।


ମୋ ବୋଉର କିଛି ଅଭାବ ନାହିଁ, ବାପା ତହସିଲଦାର ଥିଲେ। ତାର ସବୁ ଅଛି ଭାବି କେବେ ମୁଁ କିଛି ଦେଇ ନାହିଁ। ଶର୍ବାଣୀ ମୋ ଆଖି ଖୋଲିଦେଲା। ପାଞ୍ଚ ଦିନ ପରେ ବୋଉ ପାଖକୁ ଚପଲଟିଏ ପାର୍ଶଲ କରି ପଠେଇଲି। ବୋଉଠୁ ଭିଡିଓ କଲ ଦେଖି ଆଶ୍ଚର୍ଯ୍ୟ ହୋଇଗଲି ମୁଁ। ବୋଉ କହିଲା "ମୁଁ ଆଜି ବହୁତ ଖୁସି ପୁଅ ! ସବୁ ଥାଇ କି ବି ସବୁବେଳେ ଗୋଟାଏ ଅଭାବ ଭିତରେ ସଢୁଥିଲି। ମୋ ପୁଅ ଆଇଏସ୍ ଅଫିସର ହେଇ କି ବି ଲାଗୁଥିଲା ମନ ଠାରୁ ଧୀରେ ଧୀରେ ଦୂରେଇ ଯାଉଛି। ମୋ ପାଖରେ କେତେ ହଳ ଚପଲ ଅଛି, ପୁଅ କିଛି କିଣି ଦେଲେ ତାର ସ୍ଵାଦ କିନ୍ତୁ ଅଲଗା ! ଏଇଟା ତ ସ୍ବର୍ଗ ସୁଖ। ଭାବ ବିହ୍ୱଳ ହୋଇ ଉଠିଲା ମୋ ବୋଉ। ମୋ ଆଖିରେ କିଛି ଲୁହ କେତବେଳେ ଜମା ହୋଇଗଲା ମୁଁ ଜାଣି ପାରିଲି ନାହିଁ। ଫୋନ ରଖିଦେଲି। ସବୁ ଥାଇ କି ବି କିଛି ଗୋଟାଏ ଜିନିଷର ଅଭାବ ଥାଏ ବୋଲି ମୁଁ ଧୀରେ ଧୀରେ ବୁଝିଲି। ବ୍ୟସ୍ତ ବହୁଳ ଜୀବନ ଭିତରେ ବାପା ମା ମାନଙ୍କ ପାଇଁ ସମୟ କାଢିବା, ଟିକେ ଚିନ୍ତା କରିବା ଗୋଟେ କଳା ବୋଲି ମୁଁ ଜାଣି ନ ଥିଲି। ବୋଧେ ଶିଖିଲି ମୁଁ ଶର୍ବାଣୀଠୁ ।





Rate this content
Log in

Similar oriya story from Classics