Sunanda Mohanty

Drama Inspirational Thriller

4  

Sunanda Mohanty

Drama Inspirational Thriller

ସପନର ସତ୍ୟବାନ

ସପନର ସତ୍ୟବାନ

4 mins
406


ଟିକେ ଆସୁ ଆସୁ ଡେରି ହୋଇଗଲା ବାବୁ, କହି ତରତର ହୋଇ ବାସ କାମରେ ଲାଗିଗଲା । ହାତ ପିଠି ଘୋଡେଇ ରଖି କାମ କରୁ କରୁ, ରୋଗଶଯ୍ୟା ଉପରେ ଶୋଇଥିବା ମିନତୀଙ୍କ ଆଖିରୁ ବାଦ ପଡ଼ିନଥିଲା ତାର କ୍ଷତାକ୍ତ ଶରୀର । ମରଦଟା ପେଟେ ପିଇ ଦେଇ ହାତ ଚୁଡ଼ି ଭାଙ୍ଗି ଲହୁଲୁହାଣ କରିଦେଇଥିଲା ତାକୁ । ସହିପାରିଲେନି ମିନତୀ,ସ୍ୱାମୀ ସୀତାକାନ୍ତ ଓକିଲ, ତାଙ୍କୁ ସବୁକଥା କହି ବାସ ପାଇଁ ସାମାଜିକ ନ୍ୟାୟ ମାଗୁଥିଲେ ମିନତୀ । ସୀତାକାନ୍ତ ମଧ୍ୟ ଅନେକ ଥର ଏକଥା କହିଲେଣି ବାସକୁ, ହେଲେ ସେ କଣ ରାଜି ହେଉଛି?


   ରୋଗଶଯ୍ୟାରେ ପଡି ରହି ରହି ମିନତି ଭାବନ୍ତି ବାସ ନଥିଲେ, ଏତେବେଳକୁ ସେ ମାଟିରେ ମିଶି ସାରନ୍ତେଣି । ସୀତାକାନ୍ତ ବି କେତେ କରିବେ । ମରଦ ପୁଅ ଘର ଓ ବାହାର କାମ କରି କରି ନୟାନ୍ତ ସେଥିରେ ମହକିଲମାନେ ପିଛା ଛାଡ଼ୁନାଁହାନ୍ତି । ଘରେ ବାହାରେ ଖଟି ଖଟି ଆସିଲା ବେଳକୁ ମିନତୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଚଳିତ କରେ ତାଙ୍କୁ । ପାରାଲିସିସ ଆକ୍ରାନ୍ତ ମିନତୀ ପଡି ରହି ଅନେଇଥାନ୍ତି ବାସକୁ । ସୀତାକାନ୍ତ ଚାହିଁ ଦେଖନ୍ତି ବାସକୁ । ନିଟୋଳ ସାବନା ରଙ୍ଗର ସ୍ତ୍ରୀ ଲୋକଟା ସ୍ୱାମୀ ଠାରୁ ଏତେ ଅତ୍ୟାଚାରିତ ହେଲେ ମଧ୍ୟ ପାଟି ଖୋଲୁନାହିଁ କାହିଁକି? କୋଉ ଭାରସାରେ ମଦ୍ୟପ ସ୍ୱାମୀ ପାଖରେ ପଡି ରହିଛି କେଜାଣି ସ୍ତ୍ରୀ ଲୋକଟା । ମିନତୀ ସୁସ୍ଥ ଥିଲା ବେଳେ ଯେତେ ସବୁ ସୀତାକାନ୍ତଙ୍କ ପାଇଁ ନକରିଛନ୍ତି, ବାସ ତା ଠାରୁ ଅଧିକା ବୁଝେ ସୀତାକାନ୍ତଙ୍କ କଥା, ସ୍ତ୍ରୀ ଦୀର୍ଘଦିନ ହେଲାଣି ଅସୁସ୍ଥ । ବାସ ଯୋଗୁଁ ତାଙ୍କ ସଂସାର ନାବ ଗଡିଚାଲିଛି ସତ ହେଲେ ଏଣିକି କାହିଁକି କେଜାଣି, ସେହି ଅଜଣା ମଦ୍ୟପ ଲୋକଟିର କବଳରୁ ବାସକୁ ରକ୍ଷା କରିବା ନିଶା ମିନତୀଙ୍କ ଠାରୁ ବେଶୀ ସୀତାକାନ୍ତଙ୍କ ମୁଣ୍ଡରେ ପଶିଛି ।


      ସେପଟେ ସବୁ କାମ ସାରି ଗୋରୁ ବାଲ୍ଟି ତଳକୁ ନେଇ ଗାଇ କୁଣ୍ଡରେ ଢ଼ାଳୁଥିଲା ବାସ ତ ଦେଖିଥିଲା ଆଳୁ ଫାଳ ସବୁ । ତାର ମନେପଡ଼ିଗଲା କାଲି ତରତର ହୋଇ ରୋଷେଇ ସାରି ଘରକୁ ଯିବାକୁ ବସିବାରୁ ବାବୁ କହିଥିଲେ ହଉ ଆଳୁ ଶିଝେଇଦେ, ମୁଁ ଆଜି ଆଳୁଚକଟି ଖାଇନେବି । ସେପଟେ ଘରେ, ବାସ ତା ସ୍ୱାମୀ ପାଇଁ ଆଳୁ ଶିଝେଇ,ଡାଲି ଭାତ କରି, ଝିଅ ଘରକୁ ସାବିତ୍ରୀ ବୋଝ ନେଇ ଯାଇ ଦେଇ ଆସିଲା ପରେ ଆଳୁ ସିଝା ଲଗେଇ ଭାତ କେମିତି ଖାଇଥାନ୍ତି କହି ବହେ ପିଟିଲା ସ୍ୱାମୀ । ସେଇ କ୍ଷତକୁ ଯେତେ ଘୋଡ଼େଇଲେ ବି ମାଆ ବାବୁଙ୍କ ଦୃଷ୍ଟିରୁ ବାଦ ଯାଉନି । ଏଡ଼େ ବଡ଼ ଓକିଲ ବାବୁ ଆଳୁ ଶିଝେଇ ଖାଇ ନେବେ କହିଲା ବେଳେ, ସ୍ବାମୀ ତାର ଆଳୁ ସିଝା ଲଗେଇ କେମିତି ଖାଇଥାନ୍ତି କହି ଗୋରୁଗାଈ ପରି ପିଟିଲା ତାକୁ । ଝିଅ ଘରକୁ ସାବିତ୍ରୀ ବୋଝ ନେଇ ଯିବ କଣ, ସେତକ ମାଆ ହିସାବରେ କରିବା ଫଳ ଓଲଟା ମହାଭାରତ । ବାବୁ କଣ ଭାବିଲେ କେଜାଣି ତା ହାତରେ ଆଳୁ ସିଝା ଦେଖି କହୁଥିଲେ ଆରେ ମୋ ଭାଗ ମୁଁ ଖାଇନେଇଛି, ମିନତିଙ୍କ ଭାଗ ଗୋରୁ ବାଲ୍ଟିକୁ ଯାଇଛି । ଅସୁସ୍ଥ ପାଟିକୁ ଆଳୁ ସିଝା ଭଲ ଲାଗିଲାନି ବୋଲି ଅଣ୍ଡା ଭାଜି ଦେଇଛି ମିନତୀଙ୍କୁ । ନିଜ ଅଜଣାତରେ ନିଜ ଲୁହ ଲୁଚେଇ ଲୁଚେଇ ପୋଛି ନେଲେ ମଧ୍ୟ ବାବୁ ସୀତାକାନ୍ତ କହୁଥିଲେ, ଆଜି ମିନତୀଙ୍କ ପାଇଁ କିଛି ଅଲଗା କରିନେବୁ ବାସ । ଏତେ କଷ୍ଟରେ ବାସ ହସିଦେଇଥିଲା, ଆଉ ସେ ହସ ମହକରେ କେଜାଣି କାହିଁକି ସୀତାକାନ୍ତ ମହକି ଯାଉଥିଲେ ନିଜ ଅଜଣାତରେ ।


         ଦୁଇ ଦିନ ହେଲାଣି ବାସର ଅନୁପସ୍ଥିତି ମିନତୀଙ୍କୁ ଯେତିକି ଚିନ୍ତା ନଦେଇଛି ସେତିକି ନିଦ ହଜେଇ ଦେଇଛି ସୀତାକାନ୍ତଙ୍କର । ହାତକୁ ଡ଼ବେ ଭଙ୍ଗା ପାନ ବଢ଼େଇ ବାସ ଯେବେ କହେ ଦେଖିକି ଖାଇବେ ବାବୁ, ଗୁଣ୍ଡିପାନ ମୁଣ୍ଡ କଣ ହେବ, ଏ ଖରା ଗରମରେ ଗୁଣ୍ଡି ପାନ ନଖାଇଲେ କଣ ହୁଅନ୍ତା ନାହିଁ । ତା କଥା ଶୁଣି ସୀତାକାନ୍ତଙ୍କ ପୁରୁଷ ମନ ହଲଚଲ ହୋଇଯାଏ । ନିଜର ପରି ଆନ୍ତରିକତା ଭରା କଥା ଏ କାନ କେବେଠୁ ଶୁଣିନି ତାଙ୍କର । ସବୁଦିନ ଏମିତି ବାସ ତାଙ୍କୁ କହନ୍ତାନି!ତାଙ୍କ ଭାବନାରେ ପୂର୍ଣ୍ଣଛେଦ ପକେଇ ଝଡ଼ ପରି ପଶିଆସିଲା ବାସ । ଖୁବ ସୁନ୍ଦର ଦିଶୁଥିଲା ସେ । ନୂଆ ଫୁଲପକା ସୁତାଶାଢ଼ୀ, ଚୁଡ଼ି, ଅଳତା ସାଙ୍ଗକୁ ମଥାର ବଡ଼ ସିନ୍ଦୁର ଟୋପାରେ ତା ସୌନ୍ଦର୍ଯ୍ୟରେ କ୍ଷତାକ୍ତ ହେଲେ ସୀତାକାନ୍ତ । କାହାପାଇଁ ଏସବୁ ପିନ୍ଧିଛି ବାସ? ଯୋଉ ସ୍ୱାମୀ ତାର ମୂଲ୍ୟ ବୁଝେନା, ନିସ୍ତୁକ ପ୍ରହାର କରେ, ତା ନାରୀତ୍ୱର ଅପମାନ କରେ, ସେହି ସ୍ୱାମୀ ପାଇଁ ସାବିତ୍ରୀ କରି ନୂଆ ପିନ୍ଧିଥିବାରୁ ସୀତାକାନ୍ତଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଦିଅନ୍ତୁ ମୋ ମୁଣ୍ଡରେ ଏମିତି ସିନ୍ଦୁର ଓ ହାତରେ ଚୁଡ଼ି ଥାଇ ମୁଁ ସ୍ବର୍ଗଦ୍ୱାର ଯାଏ କହୁଥିଲା ତ ଚମକି ପଡି କେତେକଣ ଭାବୁଥିଲେ ସୀତାକାନ୍ତ ।


      ସେପଟେ ମିନତତୀଙ୍କ ଉତ୍ତରରେ, ବାସ କହୁଥିଲା ସ୍ୱାମୀ ସ୍ତ୍ରୀଙ୍କର ସମ୍ପର୍କ ପରା ଯୁଗ ଯୁଗର ମାଆ । ମଦ ଖାଇ କେତେବେଳେ କେମିତି ନିଶାରେ ମୋ ଗେରସ୍ତ ମତେ ମାରେ ସତ ହେଲେ ଭଲପାଏ ଢେର । ଅଗ୍ନିକୁ ସାକ୍ଷୀ ରଖି ଯୋଉ ଗେରସ୍ତର ହାତ ଧରିଛି ତା ପାଇଁ ତୁମ ଦୟାରୁ, ତୁମେ ଦେଇଥିବା ଟଙ୍କାରେ ସାବିତ୍ରୀ କରିଛି ।  ତୁମେ ରୋଗରେ ପଡିଛ ବୋଲି ବାବୁ କଣ ତୁମକୁ ପର କରିଛନ୍ତି ମାଆ? ମୁଁ ଆସିପାରିଲିନି ବୋଲି ତୁମ ପାଇଁ ଫଳ ମୂଳ ଖାଇ ରହିଗଲେ । ଏକପତ୍ନୀ ବ୍ରତ ଆପଣେଇ ତୁମର ଏତେ ସେବା ସୁଶ୍ରୁଷା ଓ ହେପାଜତ କରୁଛନ୍ତି । ମୁଁ ମୋ ସ୍ୱାମୀ ପାଇଁ ସାବିତ୍ରୀ ବ୍ରତ ନକଲେ ହିନ୍ଦୁ ନାରୀ ହୋଇ ମତେ ପାପ ଲାଗିବନି? ମିନତୀଙ୍କର ଶେଷ କଥା ଥିଲା ତତେ ଏତେ ମାରେ ଯେ! ନାଇଁ ମାଆ ଏବେ ଆଉ ମଦ ଛୁଇଁବନି ବୋଲି ମୋ ମୁଣ୍ଡ ଛୁଇଁ ଶପଥ କରିଛି । ଦେଖିଲ ମାଆ ଏ ନାଲି ନାଲି କାଚ ଭିତରେ ମୋ ସ୍ୱାମୀ ସନ୍ତକ ବାଡ଼ିଆ ଚିହ୍ନ କେଡେ ସୁନ୍ଦର ଦିଶୁଛି । ମିନତୀ କହୁଥିଲେ ହଉ ମୋ ମା ସାବିତ୍ରୀ, ତୋ ଦାର୍ଶନିକ କଥା ସେତିକି ଥାଉ,ଚା ଟିକେ କରି ଆଣତ ଏଥର । ସୀତାକାନ୍ତଙ୍କ ଭାବନାରେ ପୂର୍ଣ୍ଣଛେଦ ପକେଇ ବାସ କହୁଥିଲା, ଚା ଟିକେ ପି ଦିଅନ୍ତୁ ବାବୁ, ଭଲ ଲାଗିବ । କାଲିର ପାଗରେ,କାଳବୈଶାଖି ପରେ ସୀତାକାନ୍ତଙ୍କ ମନର ଝଡ଼ ଗରମ ଚା ଦି ଢ଼ୋକରେ ଶାନ୍ତ ପଡ଼ିବାକୁ ଯାଉଥିଲା । ସେପଟୁ ମିନତୀ ଡାକୁଥିଲେ ବାସ,କପଟା ନେଇଯା ତ । ସେ ଚାଲିଯିବା ପରେ ମିନତୀ କହୁଥିଲେ ବାସର ସ୍ବପ୍ନ ମଣିଷଟା ସତକୁ ସତ ମଦ ଛାଡ଼ି ଭଲମଣିଷ ହୋଇଯାଆନ୍ତା ନାହିଁ । ବିଚାରୀର କେତେ ଆଶା ଓ ସ୍ବପ୍ନ ସତରେ !



Rate this content
Log in

Similar oriya story from Drama