ସଂସାର ପଞ୍ଜୁରୀ
ସଂସାର ପଞ୍ଜୁରୀ


ଜେଜେମା ଆଜି ମୁକ୍ତ।
ସବୁ ଯନ୍ତ୍ରଣାର ଶେଷ।
ସଂସାର ପଞ୍ଜୁରୀ ଛାଡି ସେ ଦିବ୍ୟ ପଥର ଯାତ୍ରୀ। କିନ୍ତୁ କୁଆଡେ ଗଲେ ସେ ! କିଏ ତୁମେ ନେଲ ତାଙ୍କୁ !
ସତରେ ତୁମେ କିଏ ? ତୁମ ଠିକଣା କଣ ? ପ୍ରତି ଜୀଵ ନିର୍ବାଣ ଇଛନ୍ତି କାହିଁକି ? ନିର୍ବାଣ ପାଇଲା ପରେ ଜୀବର କଣ ହୁଏ ? କୁହନ୍ତି ନିର୍ବାଣ ପ୍ରାପ୍ତିରେ ମୁକ୍ତି ମିଳେ।ମୁକ୍ତି ମିଳେ ଅର୍ଥ କଣ ? ଜୀଵ ନିର୍ବାଣ ପ୍ରାପ୍ତ ହୋଇ ମୁକ୍ତି ପାଇଲା ପରେ ଆଉ କଣ ବାକିଥାଏ ? ଯାହା ପାଇଁ ନିର୍ବାଣ ଆବଶ୍ୟକତା ହୁଏ? ମୁଁ ଜଣେ ମୁର୍ଖ ଅଜ୍ଞାନ। ବୁଝି ପାରେ ନାହିଁ କାମନାର ବିନାଶ ମାନେ । ନିର୍ବାଣ ଇଛିବା କଣ ଏକ କାମନା ନୁହେଁ ? ଯାହା ଇଛା କଲି ସେତ କାମନା ! ନିର୍ବାଣ ଇଛିଲି, ମୁକ୍ତି ପାଇବା ପାଇଁ ତେବେ ଏତ ମୋର କାମନା ହେଲା। ଏଣୁ ମୋ ପାଇଁ କାମନାର ବିନାଶରେ ଦୁଃଖର ବିନାଶ।ଦୁଃଖର ବିନାଶରେ ନିର୍ବାଣ ପ୍ରାପ୍ତି ଖୁବ୍ ଅବୁଝା ନଟେଇ ସୂତା ପରି।
ହେ ବୁଦ୍ଧ ! ସାରା କାମନାକୁ ଦେହରେ ବୋଲି ଛଟପଟ ହେଉଥିବା ମଣିଷଙ୍କୁ ତୁମେ ନିର୍ବାଣ ପ୍ରାପ୍ତିର ମାର୍ଗ ତ କହିଦେଲ କିନ୍ତୁ କାମନା ସୃଷ୍ଟି ନ ହେବା ମନ୍ତ୍ର ଟି ତ ଦେଲ ନାହିଁ ?। ବାଉଁଶ ଥିଲେ ସିନା ବଂଶୀ ହେବ।ବଂଶୀ ହେଲେ ସିନା ବାଜିବ। ମୂଳରୁ କାମନା ସୃଷ୍ଟି ତ ହୁଅନ୍ତା ନାହିଁ କି ତାର ବିନାଶ ଲାଗି ଖୋଜା ପଡନ୍ତା କାହିଁକି? କାହିଁକି ଅପେକ୍ଷା ରୁହନ୍ତା ନିର୍ବାଣର ?
ଏଇ ଦେଖୁ ନାହାଁନ୍ତି ନିର୍ବାଣ ପ୍ରାପ୍ତି ପାଇଁ ନିର୍ବାଣ ଗାଡିକୁ ଅପେକ୍ଷା କରିଛନ୍ତି କେମିତି ଜେଜେମାଆ।ନିର୍ବାଣ ତୁମେ କି ଚିଜ!ରୂପ,ରଙ୍ଗ,ଭାଵ,କେମିତି?ମିଠା ମିଠା ସମ୍ପର୍କ ମାନଙ୍କ ଆଖିରେ ମେଘ କାହିଁକି?ଓଦା ହୃଦୟ ମନ..ସଭିଙ୍କର।କିଏ ଦେବ ନିର୍ବାଣର ଠିକଣା।ଆର ଘରୁ ଶୁଭୁଥିଲା ଓଃ ଆଃ ଶବ୍ଦ।ସେଠି କଣ ନିର୍ବାଣ ଯନ୍ତ୍ରଣାରେ ଛଟ ପଟ ହେଉଛି !
" ନିଜ ଚେୟାରରୁ ଉଠିଗଲି ଓଃ ଆଃ ଶବ୍ଦ ଆଡ଼କୁ ଅନୁସରଣ କରି। କିଏ ସେ ଘରେ...ଅଚଳି ମୁଦ୍ରାଟେ ଅଲୋଡ଼ା ନିଶ୍ଚୁପ ଶରୀରଟାଏ।ଅଦରକାରୀ ନଥିପତ୍ର ପରି ଉଡୁଛି ଏଣେତେଣେ କେଶ।ମଇଳା ଚିରା ଦରବା ଖଣ୍ଡେ ତାକୁ ପିନ୍ଧିଛି କି ସେ ଦରବା ପିନ୍ଧିଛି ଠଉରେଇବା କଷ୍ଟ।ଆଖି ମୁଦା, ପାଟିରୁ କିନ୍ତୁ ବାହାରୁଛି ଓଃ... ଉଃହୁ...ଆଃ ହୃଦୟଥରା ଅସ୍ପଷ୍ଟ ଶବ୍ଦ।
ଦର ଆଉଜା କବାଟ ଫାଙ୍କରୁ ଦେଖିଲି ଜୀବନର ନିଛକ ସତ୍ୟ ବାର୍ଦ୍ଧକ୍ୟର ଭୟାନକ କିଟି ମିଟି ଅନ୍ଧାର ସୁଡ଼ଙ୍ଗ।।ବାଁ ପଟ ଛାତିରେ କଣ ଗୋଟେ ଗୁଂଜି ହୋଇଗଲା ମୋର।ବ୍ୟସ୍ତତା,ଅସୁସ୍ଥତା ଛାଇଗଲା ନିଶୁନ ରାତିକୁ ଆହୁରି ରୁକ୍ଷ ଓ ଭାୟାଳୁ କରି।ମୁଁ। ଆସିଥିଲାବନ୍ଧୁ "ଆରଭ୍ୟ"ଘରକୁ ଗାଁର। ଅଥାର ମଣ୍ଡା ପିଠାର ବାସ୍ନା ଓ ସ୍ୱାଦ ଚାଖିବାକୁ। ଗାଁ ନଡ଼ିଆ ଗଛ ଫାଙ୍କର ଜହ୍ନ ଜୋଛନା ଖୁସି ପିଇବାକୁ ଯାହା ରାଜଧାନୀ ଛାତିରେ ଦୁର୍ମୂଲ୍ୟ।ସହରର କୃତ୍ରିମତା ଭିତରେ ସମ୍ପର୍କ ଓ ଜହ୍ନ ଦିଟା ଯାକ ପାଣିଚିଆ। ଏଣୁ ପର୍ବ ପ୍ରବାଣୀରେ ମୁଁ ଆରଭ୍ୟ ଘରକୁ ଟାଣିହୋଇ ଆସେ।ଆରଭ୍ୟର ଜେଜେ ମା ଜଣେ ଚମତ୍କାର ମଣିଷ।ପରକୁ ଆପଣେଇ ନେବାରେ ଧୁରନ୍ଧର।ନିଜ ପର ଭାଵ ଛୁଇଁନି ଯେମିତି ତାଙ୍କୁ। ଆସିଲାକ୍ଷଣି ଡାକ ଛାଡିବେ ଆଲୋ ମୋ ଧନ ଆଇଲେଣି ଲୋ।ଦିଅ ଦିଅ ଖାଇବାକୁ ଦିଅ। ନିଜେ ବ୍ୟସ୍ତ ହେବା ସହ ଅନ୍ୟମାନଙ୍କୁ ବି ବସେଇ ଉଠେଇ ଦେବେନି।
ଏଥର କିନ୍ତୁ ବ୍ୟସ୍ତ ହେଇ ପଡୁ ନଥିଲା ସାରା ଘର।ଶୁଭୁ ନ ଥିଲା ଜେଜେମାଆଙ୍କ ମେଘ ଘଡ଼ ଘଡି ରଡି। ହେ କୁଆଡେ ଗଲ ,ଦେଖ୍ ଦେଖ୍ କିଏ ଆସଛନ୍ତି କେହି କହୁ ନଥିଲେ।।ଜେଜେ ମା ଲଢୁଥିଲେ ପକ୍ଷାଘାତ ରୋଗ,ମାତ୍ରାଧିକ ବୟସ , ନିଜ ଲୋକଙ୍କ ନାକ ଟେକା ଭାଵ ଏବଂ ମରଣ ସହ।ଜେଜେମାଆ ଙ୍କୁ ଦେଖି ଭାବୁଥିଲି କାହିଁକି ରାଜାପୁଅ ହେଇ ଗୌତମ ହୋଇଥିଲେ ବୁଦ୍ଧ......।ଆହା ମୋ ଜେଜେମା କଷ୍ଟ ଉତ୍ତାରି ଦିଅ ପ୍ରଭୁ।କେତେ ଆଉ ଯନ୍ତ୍ରଣାରେ ଛଟପଟ କରାଇବ ?
ଆରଭ୍ୟ କହୁଥିଲା ଅତି ଅଳ୍ପ ବୟସରୁ ଜେଜେଙ୍କୁ ହରେଇ ତା ଜେଜେମା ଦୁଇ ଝିଅ ଓ ତା ବାପାଙ୍କୁ କି କଷ୍ଟ କରି ବଡ଼ କରିଛନ୍ତି। ବ୍ରାହ୍ମଣ ଘର ଅଳ୍ପ ବୟସ୍କ ବିଧବାର ଦୁଃଖ,ବାରଣ ଅକଳନ । ଅଣ୍ଟାରେ ପଣତ ଭିଡି ସେ ପଦାକୁ ଗୋଡ଼ କାଢ଼ିଥିଲେ କୋଳଛୁଆଙ୍କୁ ମଣିଷ କରିବାକୁ। ଏଥିପାଇଁ କେତେ ତାଛଲ୍ୟ ଟାହି ଟାପରା ଶୁଣିଛନ୍ତି ।କେହି କେହି ଚାରିତ୍ରହୀନା ଆଖ୍ୟା ଦେଇଛନ୍ତି ।କାରଣ ପୁରୁଷ ଙ୍କ ସହ ସେ ଧାନ ରୋଇଁବା, କାଟିବ,ମୁଗ ଉପାଡିବା , ସିମେଣ୍ଟ ଗୋଡି ଭାରରେ ମୁଣ୍ଡେଇ କାମ କରୁଥିଲେ ବୋଲି । ଆହା ପଦେ ଯଦି କେହି କହୁଥିଲେ ଆଉ ସେ ପୁରୁଷ ହୋଇଥିଲେ ବେଦ ଅଶୁଦ୍ଧ ହେଉଥିଲା। ତା ସହ ଜେଜେମାର ସଟ୍ ଅଛି ବୋଲି ହୁରି ପଡୁଥିଲା।
ନୀଳକଣ୍ଠ ହୋଇ ଯାଇଥିଲା ଜେଜେମା ।ସେଇ କର୍ମଠ ପରିଶ୍ରମୀ ମଣିଷଟିର ଇଏ କି ଅବସ୍ଥା ! ଦେଖି ପାରୁ ନ ଥିଲି ଏ କଷ୍ଟ ।ମୁକ୍ତି ଦିଅ ଜେଜେମା ଙ୍କୁ ।
ହେ ନିର୍ବାଣ ତୁମେ ଯଦି ସଭି ଜୀବନଙ୍କର ଏକାନ୍ତ ପ୍ରାପ୍ତିର ଶେଷ ଇପ୍ସା ; ତେବେ ସମସ୍ତଙ୍କୁ ତୁମେ ମିଳ।ହାତ ଗୋଡ଼ ଚଳୁ ଚଳୁ ସମସ୍ତଙ୍କୁ ତୁମେ କୋଳେଇ ନିଅ। ଆତ୍ମା ପରମାତ୍ମା ସହ ବିଲୀନ ହୋଇ ଯାଅନ୍ତୁ। ମୋ ଜେଜେମାଙ୍କୁ ମୁକ୍ତ କରିଦିଅ ଏ ଅସହ୍ୟ ଯନ୍ତ୍ରଣାରୁ ।
ଏମିତି ବସି ଭାବୁ ଭାବୁ ହଠାତ ଆରଭ୍ୟ ଘରେ କାନ୍ଦ ବୋବାଳି ପଡିଲା। ବୋଧେ ମାଆ ମୁକ୍ତ ହୋଇଗଲେ ସଂସାର ପଞ୍ଜୁରୀରୁ। ଆଃ ଜେଜେମା।