Seetaram Dash

Drama

4  

Seetaram Dash

Drama

ସ୍ନେହର ବଳୟ

ସ୍ନେହର ବଳୟ

3 mins
144



ଚାରିଆଡେ ଅଖଣ୍ଡ ନିରବତା । ସହର ବଜାର ରାସ୍ତା ଘାଟ ଗାଁ ଗଣ୍ଡା ସବୁଆଡେ ଜନଶୂନ୍ୟ । ସମସ୍ତଙ୍କ ମନରେ ଅନେକ ଦୁଃଚିନ୍ତା । ଘର ଆଗରେ ମୃତ୍ୟୁର ତାଣ୍ଡବ । ସମସ୍ତଙ୍କ ମନ ଭିତରେ କରୋନାର କୋକୁଆ ଭୟ । ଯଦୁ ବଂଶ ନାଶ ହୋଇଯିବା ଭଳି ସାରା ସଂସାର ବିଲୟ ହେବାର ଆଶଙ୍କା । ସଂକ୍ରମଣ ଦିନକୁ ଦିନ ଦ୍ରୁତ ଗତିରେ ମାଡ଼ି ଚାଲିଛି । ସମସ୍ତଙ୍କର ଗୋଟିଏ ଚିନ୍ତା, "କାଲି କଣ ହେବ?"


 ତିନି ଦିନ ହେବ ସଞ୍ଜୟ ଘରୁ ପଦାକୁ ବାହାରି ନି । ସେ ଆଜି ଘର, ପରିବାର ଏବଂ ଗାଁ ନିକଟରୁ ଅନେକ ଦୂରରେ । ପ୍ରକୃତିର କରାଳ ରୂପ ଆଗରେ ଆଜି ମଣିଷ କେତେ ଅସହାୟ? ତା ଜୀବନ ଏବେ ନୀରବ, ନିଷ୍ପ୍ରଭ ଆଉ ନିଃସଙ୍ଗ! ଘରସାରା ଖାଲି ପଣ । ମନରେ ଯେତେ ସବୁ ଦୁଃଚିନ୍ତା । ମୃତ୍ୟୁର କରାଳ ରୂପ ସ୍ୱପ୍ନ ଆଉ ଜାଗରଣରେ ଅହରହ ଦୃଶ୍ୟମାନ ।


 ଲକ୍ ଡାଉନ୍ ପରେ ସବୁ ବନ୍ଦ । ଅନଭ୍ୟସ୍ତ ହାତରେ ରୋଷେଇ । କେତେବେଳେ ଲୁଣ ତ କେତେବେଳେ ରାଗ । କେତେବେଳେ ଦରସିଝା ତ କେତେବେଳେ ଦର ପୋଡା । ସେ ସବୁ ଖାଇବାକୁ ହୁଏ, ବଞ୍ଚିବା ପାଇଁ । ଦିନେ ରୋଷେଇ କଲେ ଦୁଇ ଦିନ ଖାଏ । ରାତିର ବଳକା ଭାତ କେତେ ବେଳେ ଫ୍ରିଜରେ ରୁହେ ତ କେତେ ବେଳେ ପଖାଳ ହାଣ୍ଡିରେ । ପୁଣି ବେଳେବେଳେ ଶୁଖିଲା ବିସ୍କୁଟ ଖାଇ ଶୋଇବାକୁ ପଡେ ।  


ସମସ୍ତଙ୍କ ଘରୁ ଫୋନ ଆସେ । ଏ ଦୁର୍ଦ୍ଦିନରେ ସମସ୍ତଙ୍କ ବାପ ମା' ମାନେ ବହୁତ ବ୍ୟସ୍ତ ଆଉ ବିବ୍ରତ । ସଞ୍ଜୟର ମନରେ ଅନେକ ପ୍ରଶ୍ନ ଉଙ୍କି ମାରେ । ସେ ମନେ ମନେ ଭାବେ, "ଆଜି ତାର ବୋଉ ବଞ୍ଚି ଥିଲେ ଏମିତି ଭଲ ମନ୍ଦ ପଚାରି ବୁଝାନ୍ତା, କେତେ ବ୍ୟସ୍ତ ବିବ୍ରତ ହୁଅନ୍ତା । ଠାକୁରଙ୍କ ଆଗରେ ହାତ ଯୋଡି କେତେ ନେହୁରା ହୁଅନ୍ତା । " କିନ୍ତୁ..... ।


ବୋଉ' ବିନା ସେ ଆଜି କେତେ ଏକା ଆଉ ତା ଜୀବନ କେତେ ଏକାନ୍ତ । ବୋଉର ସ୍ନେହ, ମମତା ଓ ଆଦର ଟିକେ ପାଇବାକୁ ସେ ବ୍ୟାକୁଳ ହୁଏ । ସବୁ କିଛି ଥାଇ ବି ତାକୁ ଲାଗେ ସତେ ଯେମିତି କିଛି ନାହିଁ । ତା ଜୀବନ ଶୂନ୍ୟ ଶୂନ୍ୟ ମହାଶୂନ୍ୟ । ଘରେ ବସିବା ଏବେ ଅସହ୍ୟ ହେଲାଣି । କେତେ ଆଉ ବସିବ? ଭାସି ଯାଉଥିବା ମଣିଷ କୁଟା ଖିଏ କୁ ଆଶ୍ରା କରିବା ଭଳି, ଏବେ ମୋବାଇଲ ଆଉ ଟିଭିରେ ସେ ବୁଡି ରହେ । ପ୍ଲାଷ୍ଟିକ ଫୁଲ ର କଣ ମହକ ଥାଏ? ତଥାପି ଦିନ ରାତି ସେ ଅନ ଲାଇନ ରେ ରୁହେ । ଦିନ ରାତି ଅନ ଲାଇନ ରେ ରହୁଥିବା ମଣିଷଟି ବାସ୍ତବରେ କେତେ ଏକୁଟିଆ ଆଉ କେତେ ଏକାନ୍ତ" ସେ କଥା ସେ ହିଁ ଜାଣେ ।


ରାତି ଦୁଇଟା ହେବ । ସଞ୍ଜୟ ଫେସବୁକ ର ପୋଷ୍ଟ ସବୁ ଦେଖୁଥାଏ । ସାନ ଭଉଣୀ ବବଲିର ଫୋନ ଆସିଲା । ଏତେ ରାତିରେ ଫୋନ । ଆଗ ପଛ ହୋଇ ସେ ଫୋନ ଉଠାଇଲା । ସେପଟୁ ଶୁଭିଲା, "ନନା ଶୋଇନ, ଏତେ ରାତି ହେଲାଣି । ଅନ ଲାଇନ ରେ ଅଛ ତ ସେଥିପାଇଁ ଫୋନ କଲି । ଅଭିନୟ କରି ନିଦୁଆ କଣ୍ଠରେ ସଞ୍ଜୟ ଉତ୍ତର ଦେଲା, "ଆରେ ନା, ଶୋଇଥିଲି । ଫୋନ ଟା ଦେଖୁ ଦେଖୁ କେତେ ବେଳେ ନିଦ ଲାଗି ଯାଇଛି । ଅଫ ଲାଇନ କୁ ଆସି ନାହିଁ । ଆଉ ତମେ ସବୁ କଣ ଶୋଇନ"? ବବଲି ଉତ୍ତର ଦେଲା, "ଭାଇନାଙ୍କର ଗୋଟେ ନିଦ ଭାଙ୍ଗିଲାଣି । ସେ ଏବେ ଉଠି ଦେଖିଲେ, ତମେ ଅନ ଲାଇନରେ ଅଛ । ତେଣୁ ମତେ ଉଠାଇ କହିଲେ, ନନା କଣ ଶୋଇ ନାହାଁନ୍ତି? ଟିକେ ଫୋନ କଲ । " 


 ମନେ ମନେ ବହୁତ ଖୁସି ହେଲା ସଞ୍ଜୟ, ଆଉ କହିଲା, "ହଉ, ତୁ ଶୋଇପଡ । ସକାଳେ କଥା ହେବା" ।


ବଞ୍ଚିବା ପାଇଁ ଲୋଡ଼ା ଆତ୍ମୀୟଙ୍କ ଟିକିଏ ଲୋଡ଼ିବାପଣ । ଏବେ ସେ ଅନୁଭବ କରୁଥିଲା, ସେ ଆଜି ଏକା ନୁହେଁ । ତା ପାଇଁ ଚିନ୍ତା କରିବା ଏବଂ ବ୍ୟସ୍ତ ବିବ୍ରତ ହେବାକୁ କେହି ଜଣେ ଅଛି । ପାଖରେ ଥିବା ତକିଆ କୁ ଛାତିରେ ଆଉଜେଇ ଦେଇ କୁନି ପିଲାଟି ଭଳି ସେ ଜାକି ଜୁକି ହୋଇ ଖୁ, ଶାନ୍ତିରେ ଶୋଇ ପଡ଼ିଲା ।         


Rate this content
Log in

Similar oriya story from Drama