Nityananda Nandi

Classics

3  

Nityananda Nandi

Classics

ସ୍ନେହ ନେବୁ

ସ୍ନେହ ନେବୁ

6 mins
211



ମୋ ଜୀବନଟା ଠିକ୍ ନଦୀ ପରି।

ନା ଜାଣିଥାଏ ସେ କୋଉ ରାସ୍ତାଦେଇ ବହିବ, ନା ଜାଣି ଥାଏ କୋଉ ସମୁଦ୍ରରେ ମିଶିବ ସେ। ଅଜଣା ରାସ୍ତାରେ ମୁଁ ବି ଚାଲିଛି ଅନବରତ, ଜାଣିନି କୋଉଠି ମିଶିବି ?

ବାପାଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ ଆଜି। ଗାଆଁକୁ ଆସିଛି। ବଡ ଭାଇ ପ୍ରାୟ ସବୁ କଥା ବୁଝୁଛନ୍ତି। ବନ୍ଧୁ ବାନ୍ଧବ, ଖିଆ ପିଆ ଇତ୍ୟାଦି ଇତ୍ୟାଦି । ବାପା ସବୁବେଳେ କହୁଥିଲେ ଆଖ ପାଖ ପାଞ୍ଚ ସାତୋଟା ଗାଆଁରେ ଲୋକେ ଯଦି ନ ଚିହ୍ନନ୍ତି, ତେବେ ଏ ଜନ୍ମର ମୂଲ୍ୟ କଣ ? ପାଞ୍ଚ ସାତୋଟା କାହିଁକି, ଭାଇ କୋଡିଏ ଗାଆଁର ଲୋକଙ୍କୁ ଡାକି ଭୋଜିଭାତ ଖୁଆନ୍ତି ପ୍ରତିବର୍ଷ। ଠିକ୍ ସେତିକି ଗାଆଁକୁ ଡକା ହୋଇଛି ଏ ବର୍ଷ ବି, ଭାଇ କହୁଥିଲେ। 

ସବୁଠାରୁ ଉଚ୍ଚା ପାହାଡ଼ର ମାନ କିନ୍ତୁ ଅଲଗା। ବାପାଙ୍କୁ ଶ୍ରେଷ୍ଠ ରୂପରେ ପରିଚିତ କରି ପାରିଲେ ମନରେ ଅଲଗା ଏକ ତୃପ୍ତି ଆସେ। ଅନେକ ଘାସ ଫୁଲ ସାଥିରେ ରଜନୀଗନ୍ଧା ଦଳି ଚକଟି ଯିବାକୁ ପସନ୍ଦ କରେନି ବୋଲି ମୁଣ୍ଡ ଉଚ୍ଚା କରି ଛିଡା ହେବାକୁ ଚେଷ୍ଟା କରେ ଘାସ ଗାଲିଚାରେ। ଭାଇଙ୍କର ଏକାନ୍ତ ଇଚ୍ଛା ଥିଲା ଆକାଶ ଛୁଆଁ ହୋଇଯାଉ ବାପାଙ୍କ ସମ୍ମାନ। ଅମର ରହନ୍ତୁ ଆମ ବାପା ଯୁଗ ଯୁଗ ପାଇଁ। 


ରାତି ଦଶଟା, ପ୍ରାୟ ସବୁ ଲୋକ ଖାଇ ଗଲେଣି। ଶେଷରେ ଭାଇ, ଭାଉଜ, ବୋଉଙ୍କ ସାଥିରେ ମୁଁ ବି ଖାଇ ବସିଲି। ସମସ୍ତେ ଶୋଇ ବାକୁ ଗଲୁ ଯେ ଯା କୋଠରୀକୁ। ଚାକିରୀ ପରେ ପ୍ରଥମ ଥର ପାଇଁ ଆସିଛି ଘରକୁ। ଆଗ ପରି ଆଉ ସମୟ ହୁଏନି। ବୋଉ ପାଖରେ ଶୋଇବାକୁ ଭାରି ଇଛା ହେଲା। ବୋଉ ମତେ କୁଣ୍ଢେଇ ନେଇ କାନ୍ଦିଲା, ତୋ ଚାକିରୀଟା ଦେଖିବେ ବୋଲି ଭାରି ଇଛା ଥିଲା ତୋ ବାପାର। ତା ପୂର୍ବରୁ ଚାଲିଗଲେ। ହାତ ଥାପୁଡେଇ ସାନ୍ତ୍ଵନା ଦେବା ଛଡା ମୋ ପାଖରେ କିଛି ଉପାୟ ନ ଥିଲା। ବାଷ୍ପରୁଦ୍ଧ ହୋଇ ଗଲି ମୁଁ କିଛି ମୁହୂର୍ତ୍ତ ପାଇଁ।

ବୋଉକୁ କିଛି କହିବି ବୋଲି ଭାବିଲି, କହି ପାରିଲି ନାହିଁ। ବୋଉ ମଥାରେ ହାତ ଆଉଁସୁ ଆଉଁସୁ ବୋଉ ଶୋଇଗଲା। ମୁଁ କିନ୍ତୁ ଶୋଇ ପାରିଲି ନାହିଁ। ବହୁତ ମନେ ପଡ଼ିଲା ବାପାଙ୍କ କଥା। ପ୍ରତିବର୍ଷ ଶ୍ରାଦ୍ଧରେ ମୁଁ ଆସେ। ଏତେ ଭାବପ୍ରବଣ କେବେ ହୋଇ ନଥିଲି। ମୋ ଚାକିରୀଟା ସେ ଦେଖି ପାରିଲେ ନାହିଁ, ସେଇଥି ପାଇଁ ବୋଧେ। କୋଉ ରାତିରେ କୋଉ ଫୁଲ ଝଡିବ, ନିର୍ଦ୍ଧାରିତ ପ୍ରାୟ। ସବୁ ଫୁଲ କଣ ସାଥିରେ ଝଡିଯାଏ, ନା । କିଏ ଆଗେ ତ କିଏ ପଛରେ। ବାପାଙ୍କ ଆଗେ ଚାଲିଯିବାଟା ସେମିତି ଗୋଟାଏ ବିଶେଷ ଘଟଣା ନ ଥିଲା। କିଏ କେତେ ମାଇଲଖୁଣ୍ଟ ଅତିକ୍ରମ କରିବ, ଆଉ ଶେଷ ମାଇଲ ଖୁଣ୍ଟଟା ଆଉ କେତେ ଦୂର, ସବୁ ପୂର୍ବରୁ ନିର୍ଦ୍ଧାରିତ। ଆଉ କେତେ ଦିନ ବଞ୍ଚିଥିଲେ ହୁଏତ ମୋ ଚାକିରୀଟା ସେ ଦେଖି ପାରି ଥାଆନ୍ତେ। ମନଟା କୋଉ ସୁନା ପିଲା ଯେ ଏ ତେ କଥା ବୁଝିବ !


ନବୋଦୟ ସ୍କୁଲ ହଷ୍ଟେଲ ଠାରୁ ଆରମ୍ଭ କରି ବିଜେବି କଲେଜ ହଷ୍ଟେଲ ପର୍ଯ୍ୟନ୍ତ ମୋ ବାପା ଅସଂଖ୍ୟ ଚିଠି ଲେଖିଥିଲେ ମୋ ପାଖକୁ। ତାଙ୍କର ତିନୋଟି ଚିଠି ମୋ ହୃଦୟକୁ ଛୁଇଁଥିଲା। ସେଇ ତିନୋଟି ଚିଠିକୁ ମୁଁ ଲାମିନେଶନ କରି ରଖିଛି ମୋ ବେଗ ଭିତରେ। କେବେ କେବେ ଇଚ୍ଛା ହେଲେ ମୁଁ ବସିଯାଏ ପଢ଼ିବାକୁ, ଭାରି ଖୁସି ହୁଏ ପୁରୁଣା ସ୍ମୃତିକୁ ନେଇ। ବାପାଙ୍କ କଥା ମନେ ପଡିଲେ ହିଁ ଚିଠି ସବୁ ବାହାର କରି ପଢେ। ବାର ବାର ପଢ଼େ।ପ୍ରଥମେ ପଢିଲି ତାଙ୍କର ପୋଷ୍ଟ କାର୍ଡ ଚିଠିଟି। ସପ୍ତମ ଶ୍ରେଣୀରେ ମୁଁ ପଢୁଥାଏ ସେତେବେଳେ।


ରାଣୀ

ସ୍ନେହ ନେବୁ, ତୋ ସାଙ୍ଗ ସାଥି ମାନଙ୍କୁ ସ୍ନେହ ଦେବାକୁ ଭୁଲିବୁ ନାହିଁ। ଧୁମ୍ ଖେଳିବୁ ସାଙ୍ଗ ମାନଙ୍କ ସହିତ। ଏଇଟା ତ ଖେଳକୁଦ ର ବୟସ। ପ୍ରତିଦିନ ପାଞ୍ଚୋଟି ଇଂରାଜୀ ଶବ୍ଦ ଶିଖିବୁ, ମନେ ମନେ ପଣିକା ଆବୃତ୍ତି କରିବୁ ସବୁଦିନ ସକାଳେ ଉଠି ପଡ଼ିକି। ଆଜି ତୋ ବୋଉ ତୋ କଥା ମନେ ପକେଇ କାନ୍ଦୁଥିଲା। ମୁଁ ଗାଳି କଲି ତୋ ବୋଉକୁ। କହିଲି ଆମ ରାଣୀ କୁ ତମେ ଜାଣିନ। ଭାରି ସାହାସୀ ସେ। ତୋ ବୋଉ ହସିଦେଲା ଛୋଟ ଛୁଆଟିଏ ପରି, ଯେମିତି ତୁ କାନ୍ଦୁ କାନ୍ଦୁ ହସି ଦେଉ !  

ଶୁଣିଥିଲି ହଷ୍ଟେଲ ରେ ସିଝା ଅଣ୍ଡା ଦିଅନ୍ତି। ଅଣ୍ଡା ଭିତରଟା ତୋତେ ପସନ୍ଦ ହୁଏନି ବୋଲି ତୋ ବୋଉ କହୁଥିଲା। ତୁ କିନ୍ତୁ ଖାଇବୁ, ତା ନେ ହେଲେ ଦେହରେ ଶକ୍ତି ହେବ କେମିତି !!

ଭଲରେ ଥା ଇତି ତୋ ବାପା ଅଳ୍ପ ଲେଖିଥିଲେ, ପୋଷ୍ଟ କାର୍ଡରେ ଜାଗା ବା କେତେ ? ତଥାପି ତାଙ୍କ ଚିଠିର ପ୍ରତିଟି ଶବ୍ଦ ମୋ ମନକୁ ଛୁଇଁ ଥିଲା ସେଦିନ।


ମୁଁ ଇଣ୍ଟର ମିଡିଏଟ୍ ପଢ଼ୁଥିଲି ସେତେବେଳେ , ଅଚାନକ ଦିନେ ଇନଲେଣ୍ଡ୍ ଲେଟର ପାଇଲି ବାପାଙ୍କଠାରୁ। ଆଜି ପର୍ଯ୍ୟନ୍ତ ପୋଷ୍ଟ କାର୍ଡରେ ଚିଠି ଲେଖୁଥିଲେ ବାପା ମୋ ପାଖକୁ। ବୟସ ବଢିବା ସଙ୍ଗେ କିଛି ଗୋପନୀୟତା ବୋଧେ ଯୋଡ଼ିଯାଏ ଜୀବନ ପୃଷ୍ଠାରେ। ଅନେକ ଥର ପଢ଼ିଛି ତାଙ୍କର ଏଇ ଚିଠିକୁ। ତଥାପି କାହିଁକି କେଜାଣି ଭାରି ଇଚ୍ଛା ହେଲା ପଢ଼ିବାକୁ। ପଢିଲି


ସ୍ନେହର ରାଣୀ ! 

ଖବର କାଗଜରେ ଅନେକ ଘଟଣା, ଦୁର୍ଘଟଣା କଥା ପଢ଼ିବା ପରେ ମନଟା ବିଚଳିତ ହୋଇ ଉଠିଲା। ଭାରି ମନେ ପଡ଼ିଲା ତୋ କଥା। ଏତେ ସହଜ ନୁହେଁ ଜୀବନଟା, ଯେତେ ସହଜ ଦେଖାଯାଏ। ଦୂର ପାହାଡ ସୁନ୍ଦର। ପାଖକୁ ଯାଇ ଦେଖିଲେ ଲାଗେ ଯେମିତି ଅସହାୟ ପାହାଡଟା ପ୍ରତୀକ୍ଷା କରି ରହିଛି ଆଉ କାହା ପାଇଁ, ଆଦିମ କାଳରୁ..

ଶୁଣ୍ ! ସଂଜ ହେଲେ ଗେଟ ବାହାରକୁ ଯିବୁନି, ଜେରକ୍ସ କିମ୍ବା ନିହାତି ଦରକାର ହେଲେ ଜଣେ ଦୁଇ ଜଣ ସାଙ୍ଗକୁ ନେଇ ଯିବୁ। ଦିନ ଆଉ ରାତିର ଚରିତ୍ର ମାନଙ୍କ ଭିତରେ ଆକାଶ ପାତାଳ ତଫା ତ ଥାଏ। ବୁଝିବା ଭାରି କଷ୍ଟ, ଏମିତି ସମୟ ଆସି ପହଞ୍ଚିଛି ରାଣୀ, ନିଜ କଥା ନିଜେ ବୁଝିବାକୁ ହେବ। ମିଠା କଥା କହି ସମସ୍ତେ ନିଜର କରି ନେବାକୁ ଚାହାନ୍ତି। ବାସ୍ତବତା କିନ୍ତୁ ଅଲଗା। ସତର୍କ ରହିବୁ ।

ଇତି, ତୋ ବାପା


ଏତେ ଗୁରୁତ୍ଵ ପୂର୍ଣ୍ଣ କଥା, ବୁଝିବା ପାଇଁ ବୟସ ନ ହୋଇ ଥିଲେ ବି ଅଳ୍ପ ଅଳ୍ପ ବୁଝିଥିଲି ସେତେବେଳେ। ମୋର ଏଇ ବୟସଟା ସମାଜ ର କଳୁଷିତ ଚେହେରା କୁ ଇନ୍ଧନ ଯୋଗାଏ ବୋଲି ବୁଝି ପାରିଲି।ପୋଷ୍ଟ କାର୍ଡର ସରଳ ସୁନ୍ଦର ଭାଷା ଅଚାନକ ଗମ୍ଭୀର ହୋଇ ଯାଏ ଇନଲେଣ୍ଡ ଲେଟର ଭିତରେ। ଧୀରେ ଧୀରେ ବୁଝିଲି, ବୟସ ବଢିବା ସଙ୍ଗେ ସଙ୍ଗେ ଜୀବନର ଜଟିଳତା ବି ବଢି ବଢି ଯାଏ ପୋଷ୍ଟ କାର୍ଡ ଆଉ କାମରେ ଆସେନି। 

ଖାମ୍ ଭିତରେ ଚିଠି। ବାପାଙ୍କ ପାଖରୁ। ସେତେବେଳେ ମୁଁ ବିଜେବି କଲେଜ ରେ ଗ୍ରାଜୁଏସନ୍ କରୁଥିଲି। ସେଇ ଖାମ, ସେଇ ଚିଠି ଏବେ ବି ମୋ ବେଗ ଭିତରେ, ରାତି ବଢ଼ୁଥାଏ, ଆଖିରେ ନିଦ ନାହିଁ। ତୃତୀୟ ଚିଠିଟି ବସି ପଢିଲି।


ରାଣୀ

ସ୍ନେହ ନେବୁ। ଭୀଷଣ ଥଣ୍ଡା ହେଇଛି ତୋ ବୋଉକୁ। ସିଟ୍ରିଜିନ୍ 

ଟାବଲେଟ୍ ଖୁଏଇ ଦେଇଛି, ଠିକ୍ ହେଇଯିବ। ଆଶା କରେ ତୁ ଭଲରେ ଥିବୁ। ତୋ ବ୍ରଜ ମଉସା କଣ କହିଲା ଜାଣିଛୁ !! ତା ଝିଅ କୁଆଡେ ଓଡ଼ିଶା ସିଭିଲ ସର୍ଭିସ କ୍ୱାଲିଫାଏ କରିଛି। କୁଣ୍ଢେ ମୋଟା ହୋଇ ଗଲା ତା ଛାତିଟା। ତା କହିବାର ଭାବ ଭାଙ୍ଗି ମୋତେ ଆଦୌ ଭଲ ଲାଗିଲାନି । ମୋ ଭିତରେ ତୁଚ୍ଛ ଭାବନା ଜାଗ୍ରତ ହେଲା। 

ରାଣୀ ! ମନ ଦେଇ ପାଠ ପଢ଼। ରିଡର୍ ଡାଇଜେଷ୍ଟ, କମ୍ପିଟିସନ୍ ସକସେସ ରିଭ୍ୟୁ କିଣି ପଢ଼ିବୁ। ଆଇଏସ ପାଇଁ ଚେଷ୍ଟା କର, ତୋତେ ମୁଁ କଲେକ୍ଟର ରୂପରେ ଦେଖିବାକୁ ଚାହୁଁଛି। ମୁଁ ବି ତୋ ମଉସାଙ୍କ ଆଗରେ ଛାତି ଫୁଲେଇ କହିବି ଦେଖ, ମୋ ଝିଅ ବି କିଛି କମ୍ ନୁହେଁ, ଆଇଏସ୍ ପାଇଛି। ଆଶା କରେ ତୁ ପାରିବୁ..

ନିଶ୍ଚୟ ପାରିବୁ।

ଇତି, ତୋ ବାପା


ଆଖିରୁ ଦୁଇ ଟୋପା ବହି ଆସିଲା, ବୋଉ ଜାଣି ପାରିବ ବୋଲି ଅନ୍ଧାର କରି ବିଛଣାରେ ଛଟ ପଟ ହେଲି ରାତି ସାରା। ଲାଗୁଥିଲା ଯେମିତି ବାପା ମୋତେ ସାନ୍ତ୍ଵନା ଦେଉଛନ୍ତି, ଧୀରେ ଧୀରେ ଥାପୁଡୁ ଥାଆନ୍ତି ମୋ ପିଠି ଉପରେ।


ସକାଳ ହେଲା, ଟେଣ୍ଟ ଆଉ ନାହିଁ ଘର ଆଗରେ। ରାତିରେ ଟେଣ୍ଟ ଖୋଲି ନେଇଛନ୍ତି ପ୍ରାୟ। ଭାରି ସଫା ସୁତୁରା ଲାଗୁଥିଲା ଆମ ଘର ଆଗଟା। କୂଅରୁ ପାଣି ବାହାର କରି ଡ୍ରାଇଭର ମୋ କାର ଧୋଉଥିଲା। କଅଁଳିଆ ଖରା ବିଛେଇ ହୋଇ ପଡ଼ିଥାଏ ଘର ବାରଣ୍ଡାରେ ଆମ ଗଡିଆ ପର୍ଯ୍ୟନ୍ତ। ଗଡିଆ ଘାଟରେ ବାପାଙ୍କ ସମାଧି। ଯାଇ ବସିଲି ବାପାଙ୍କ ସମାଧି ପିଣ୍ଡିରେ। ଭାରି ଗପିବାକୁ ଇଛା ହେଲା ବାପାଙ୍କ ସହିତ। ମନେ ମନେ କହିଲି ବାପା ! ଝିଅ ଜନମ ପର ଘରକୁ ଜାଣି ସୁଦ୍ଧା ବାପାମାନେ ଝିଅର ଏତେ ଯତ୍ନ ନିଅନ୍ତି କାହିଁକି, ବୁଝି ପାରେନି। ଝିଅ ମାନଙ୍କର ବୃଦ୍ଧି, ରକ୍ଷା ଓ ନିରାପତ୍ତା ପାଇଁ ବାପାମାନେ ଏତେ ବିବ୍ରତ ହୁଅନ୍ତି କାହିଁକି ? 

ରାସ୍ତାରେ ଆସନ୍ନ ବିପଦକୁ ଦେଖି ପଛକୁ ଅନେଇଲେ ତମେ ପ୍ରତି ମୁହୂର୍ତ୍ତରେ ଛିଡା ହୋଇଥାଅ ମୋ ପଛେ ପଛେ, ମୁଁ ଅନୁଭବ କରେ। ଖୁସିରେ ବିଭୋର ହୋଇ ତମକୁ ଖୋଜୁଥାଏ ଆଖ ପାଖରେ, ତମେ ହସୁଥାଅ। ସ୍ୱପ୍ନରେ ତମେ ବାର ବାର ଆସ। ମୁଁ କୁଆଡେ ଭଗବାନଙ୍କ ସର୍ବଶ୍ରେଷ୍ଠ ଉପହାର ତମ ପାଇଁ, ମୋ କାନ ପାଖରେ କହି ଦେଇଯାଅ, ନିଦ ଭାଙ୍ଗିଯାଏ, ମନେ ମନେ ବହୁତ ଖୋଜେ ତୁମକୁ। ଝର୍କା ଫାଙ୍କ ଦେଇ ଆକାଶ ପର୍ଯ୍ୟନ୍ତ। ତୁମକୁ କିନ୍ତୁ ମୁ ଦେଖି ପାରେନି !!    

ବୟସର ତିନି ପର୍ଯ୍ୟାୟରେ ତମର ତିନୋଟି ଚିଠି ମୋ ମନକୁ ଛୁଇଁଥିଲା। ତମର କୋଉ ଚିଠିର ଜବାବ ମୁଁ ଦେଇ ନ ଥିଲି। ତମ ପାଖରେ ଛୋଟ ମୋବାଇଲ ଫୋନଟିଏ ଥିଲା, ଫୋନରେ କିନ୍ତୁ କେବେ କିଛି କହୁ ନ ଥିଲ। ମନ ଭିତରେ ଆବଦ୍ଧ ସବୁ କଥା ତୁମେ ଚିଠିରେ ଲେଖୁଥିଲ ବାପା ! କାହିଁକି କେଜାଣି !


ବାପା ! ନବୋଦୟ ସ୍କୁଲ ଖେଳ ପଡିଆରେ ଖୁବ୍ ଖେଳିଥିଲି। ସାଙ୍ଗ ମାନଙ୍କ ସହିତ। ମୋ ଜୀବନର ପ୍ରଥମ ପର୍ଯ୍ୟାୟ ଆଉ ତମର ପ୍ରଥମ ଚିଠି। ତମ ଚିଠିର ସରଳତା ପରି ମୋ ଜୀବନଟା ବି ଭାରି ସରଳ ସୁନ୍ଦର ଥିଲା ସେତେବେଳେ।

ତମ ଦ୍ୱିତୀୟ ଚିଠି ର ପ୍ରାଧାନ୍ୟ ସେତେବେଳେ ଅନୁଭବ କଲି ଯେତେବେଳେ ଅଚାନକ ଜଣେ ଆଗନ୍ତୁକଙ୍କ ଦୁଷ୍କର୍ମରୁ ଅଳ୍ପକେ ରକ୍ଷା ପାଇଥିଲି। କଲେଜ ହଷ୍ଟେଲରେ ରହୁଥାଏ ମୁଁ ସେତେବେଳେ। ଆଜି ପର୍ଯ୍ୟନ୍ତ କାହାକୁ କହି ନ ଥିଲି କଥାଟିକୁ। କାଳେ ତମେ ଭାଙ୍ଗି ପଡ଼ିବ ! ତମେ ତୃତୀୟ ଚିଠିରେ ଲେଖିଥିଲ ନା.. ମୁଁ କଲେକ୍ଟର ହେଲେ ତମେ ଖୁସି ହେବ। ବାପା ମୁଁ ଆଇଏଏସ କ୍ୱାଲିଫାଏ କରିଛି। ଆମ ଜିଲ୍ଲାର କଲେକ୍ଟର ମୁଁ। ହେଇ ଦେଖ ତମ ଝିଅର ଗାଡି, ଡ୍ରାଇଭର ଧୋଉଚି। ମୁଁ ଯେତେବେଳେ ଏଇ ଜିଲ୍ଲାର କଲେକ୍ଟର, ବ୍ରଜ ମଉସା କଣ ଜାଣି ନ ଥିବେ ? ଏବେ ଖୁସି ତ !


ଲାଗୁଥିଲା ଯେମିତି, ବାପା ହସୁଥିଲେ ସମାଧି ଭିତରୁ। ଆଖିର ଲୁହକୁ ନିୟନ୍ତ୍ରଣ କରିବା ସମ୍ଭବ ହେଲାନି। ଉଠିପଡି କାହିଁକି କେଜାଣି ଆକାଶ ଆଡେ ଆନେଇଲି। ବାସ୍, ଆତ୍ମତୃପ୍ତି। ବାପାଙ୍କୁ ଯାହା କହିବାର ଥିଲା, ସବୁ କଥା କହି ଦେଲି ଗୋଟାଏ ନିଶ୍ବାସ ରେ ।



Rate this content
Log in

Similar oriya story from Classics