Sachidananda Kar

Romance Tragedy

3  

Sachidananda Kar

Romance Tragedy

ସମୟର ନଷ୍ଟ ରାଗ

ସମୟର ନଷ୍ଟ ରାଗ

3 mins
130


        ଇଏ କେତେଦିନର କଥା ହେଲାଣି। ତଥାପି ମୁଁ ମୋ ମନକୁ ବୁଝାଇ ପାରୁ ନ ଥିଲି।ଅବୁଝାପଣରେ ମୋ ଦିନ ସବୁ ବିତୁଥିଲା।

        ଦିନେ ସେ ଥିଲେ ମୋର ଅତି ଆପଣାର।ଅନେକ ଅନ୍ତରଙ୍ଗ ମୁହୂର୍ତ୍ତ ମୁଁ ତାଙ୍କ ସହିତ କାଟିଥିଲି।ମୋ ପାଇଁ ସେ ଈଶ୍ବରଙ୍କ ସୃଷ୍ଟି ବୋଲି ମନେ କରିଥିଲି।ତାଙ୍କୁ ଛୁଇଁ ମୋର ବ୍ୟସ୍ତବହୁଳ ଜୀବନକୁ ହାଲୁକା କରିଥିଲି।ହେଲେ ସବୁ ଆଜି ମୋ ଛାତିତଳେ ସାଇତା ସ୍ମୃତି। 

       କେବେ କେବେ ଏକା ଏକା ଝର୍କା କଡରେ ବସିଗଲେ ଭାବନାରେ ମୋ ଆଖି ଆଗକୁ ସେ ଚାଲି ଆସୁଥିଲେ।ନିଜକୁ ଭୁଲି ତାଙ୍କ ପାଖକୁ ଧାଇଁ ଯିବାକୁ ମୋର ମନ ହେଉଥିଲା।ଏତିକିବେଳେ ପତ୍ନୀ ଆସି ପଚାରୁଥିଲେ - ' ଏତେ ଅନ୍ୟମନସ୍କ ହୋଇ କ'ଣ ଦେଖୁଛ? ' ମୋର ଇଚ୍ଛା ସବୁ ଧକ୍କା ଖାଇ ଯାଉଥିଲେ।ମୁଁ ଫିକ୍ ଫିକ୍ ହସିଦେଇ ପ୍ରକୃତିସ୍ଥ ହେଉଥିଲି।ତାଙ୍କୁ ପାଖରେ ବସିବାକୁ କହୁଥିଲି। 

       - ' ଜାଣେ ପରା ତୁମେ ପାଖରେ ବସିବାକୁ କହିବ। ' ସେ ହସହସ ମୁହଁରେ କହୁଥିଲେ ଓ ମୋ ପାଖରେ ବସି ପଡୁଥିଲେ।

       - ' ତୁମେ ଆଜି ଭାରି ସୁନ୍ଦର ଦିଶୁଛ। ' ମୁଁ କହୁଥିଲି। 

       - ' କେତେବେଳେ ଅସୁନ୍ଦର ଦିଶୁଥିଲି ଯେ? ' ସେ କହୁଥିଲେ।ମୁର୍କି ମୁର୍କି ହସୁଥିଲେ। 

       - ' ଶାନ୍ତ କୋମଳ ତୁମ ଆଖି।ମେଘମେଦୁର ଆକାଶ ପରି ତୁମ ପ୍ରେମ।ତୁମେ ତ ଆଚ୍ଛନ୍ନ କରି ରଖିଥାଅ ମୋ ସମଗ୍ର ସତ୍ତାକୁ।ମୋ ମନକୁ ତୁମେ ହିଁ ତ ଚହଲାଉଥାଅ ସବୁବେଳେ। ' ମୁଗ୍ଧ ମନଟିଏ ନେଇ ମୁଁ ଏମିତି କହୁଥିଲି। 

       ମୁର୍କି ମୁର୍କି ହସୁଥିଲେ ସେ।ମୋ କଥାଶେଷରେ ଉଠି ଯାଉ ଯାଉ କହୁଥିଲେ - ' ତୁମେ କ'ଣ ଆଜି ଅଫିସ୍ ଯିବନି କି?ଯାଉନ ପରିବା ଆଣିବ।ମୁଁ ରୋଷେଇ କରିବି।ଏଇଟା କ'ଣ ପାଖରେ ବସିବାର ସମୟ? ' 

       ମୁଁ ପ୍ରକୃତିସ୍ଥ ହୋଇ ଯାଉଥିଲି।ଭାବୁଥିଲି ଏତେ ସମୟ ଯାହାଙ୍କ ସହିତ କଥା ହେଉଥିଲି ସେ କ'ଣ ତା'ହେଲେ ସେ ନ ଥିଲେ!ମାନେ ମୋ ସହପାଠିନୀ ତନୁଶ୍ରୀ ନ ଥିଲେ ସେ!ପତ୍ନୀଙ୍କୁ ପାଖରେ ବସେଇ ଏତେବେଳେ ତାଙ୍କ ସହିତ ଏପରି କଥାବାର୍ତ୍ତା ହେବା ମୋର ଉଚିତ ନ ଥିଲା।ମୁଁ ମନକୁମନ କହୁଥିଲି।ଲାଜେଇଯାଇ ସେଠାରୁ ଉଠି ଚାଲି ଯାଉଥିଲି। 

       ବହୁ ଦୂରକୁ ଚାଲି ଯାଇଥିଲା ମୋର ସେଦିନର ସମୟ।ସହପାଠିନୀ ତନୁଶ୍ରୀଙ୍କ ସହିତ ମୋର ପ୍ରେମପୂର୍ଣ୍ଣ ଜୀବନ ରହିଥିଲା ବହୁ ପଛରେ।ସୁନ୍ଦରୀ ,ସୁଶିକ୍ଷିତା ପତ୍ନୀଙ୍କ ସହିତ ବିତୁଥିଲା ଏବର ସମୟ। 

       ଦିନେ ହଠାତ୍ ସମୁଦ୍ର କୂଳରେ ତନୁଶ୍ରୀଙ୍କ ସହିତ ଭେଟହେଲା।ତାଙ୍କ ସିନ୍ଥିରେ ସିନ୍ଦୂର ଦାଉଦାଉ ଜଳୁଥିଲା।ଗୋରା ତକ୍ ତକ୍ ତାଙ୍କ କୁନିପୁଅର ହାତ ଧରି ଚାଲିଥିଲେ ସେ।ଓଠରେ ଲାଖି ରହିଥିଲା ସେଇ ପୁରୁଣା ସୁନ୍ଦର ଲୋଭନୀୟ ହସ। 

       ଚିହ୍ନା ଚିହ୍ନା ଆଖି ନେଇ ସେ ମୋତେ ନମସ୍କାର କଲେ।ତାଙ୍କର ସେଇ ପ୍ରଥମ ନମସ୍କାର ମୋତେ କେମିତି କେମିତି ଲାଗିଲା।ସାଙ୍ଗ ହୋଇ ପଢୁଥିଲାବେଳେ ଏ ସମ୍ଭାଷ ଦରକାର ନ ଥିଲା କେବେ ବି।ମୁଁ ମୋ ପତ୍ନୀଙ୍କୁ ତାଙ୍କୁ ଚିହ୍ନାଇ ଦେବାକୁ ଯାଇ କହିଲି - ' ଇଏ ତନୁଶ୍ରୀ।ମୋର ସହପାଠିନୀ - ସ୍କୁଲବେଳର ସାଙ୍ଗ।ଦେଖ,ତାଙ୍କ ପୁଅ କେଡୁଟେ ହେଲାଣି! ' 

       ମୋ ପତ୍ନୀଙ୍କୁ ହସି ହସି ନମସ୍କାର କଲେ ସେ।ତାଙ୍କ ସହିତ କଥା ହେଲେ।ମୋର ତାଙ୍କୁ ଅନେକ କଥା କହିବାକୁ ଥିଲା।ସବୁ ଅକୁହା ରହିଲା।କିଛି ସମୟର ହସ,ଖୁସି ଓ ସମ୍ଭାଷଣ ପରେ ସେ ତାଙ୍କ ନିଜ ବାଟରେ ଚାଲିଗଲେ। 

      ବହୁଦିନ ପରେ ଏବେ ମୁଁ ମୋ ନିଜକୁ ବୁଝାଇପାରିଲି।ମୋ ଭିତରେ ତନୁଶ୍ରୀଙ୍କୁ ନେଇ ଆଗର ସେଇ ଅବୁଝାପଣରୁ ଆଉ କାଣିଚାଏ ବି ନ ଥିଲା। 

       ଆମେ ପତି ପତ୍ନୀ ଦୁହେଁ ସାଙ୍ଗହୋଇ ସମୁଦ୍ର କୂଳରେ ବସିଲୁ।ଗର୍ଜୁଥାଏ ସମୁଦ୍ର।ବେଶ୍ ମନୋହର ଲାଗୁଥାଏ ପରିବେଶ।ହେଲେ ସେଆଡକୁ ମନ ନ ଦେଇ ପତ୍ନୀ ଗମ୍ଭୀର ସ୍ବରରେ କହିଲେ - ' ତୁମ ସହପାଠିନୀ ବହୁତ ସୁନ୍ଦରୀ ତ! ' 

       - ' ହେଲେ ତୁମ ଠାରୁ କମ୍। ' ମୁଁ କହିଲି। 

       ସେ ଚାହିଁଥିଲେ ସମୁଦ୍ର ଆଡ଼କୁ ବେଶ୍ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଅନ୍ୟମନସ୍କ ଭଙ୍ଗୀରେ।ଟିକେ ବି ହସ ନ ଥିଲା ତାଙ୍କ ମୁହଁରେ। 

         - ' ତୁମେ ଅନିନ୍ଦ୍ୟ ସୁନ୍ଦରୀ।ମୋ ନିଜ ଠାରୁ ବି ତୁମେ ଆହୁରି ନିଜର ।ଆଖି ପଲକରେ ତୁମେ ମିଠା ମିଠା ହସରେ ମୋ ମନକୁ କିଣି ନେଇପାର।ମୋତେ ଭିଜେଇପାର ମଧୁର ପ୍ରେମ ଓ ପ୍ରଣୟରେ। ତୁମେ ହିଁ ତ ମୋ ଜୀବନରେ ଫଗୁଣ ଆଣି ଆସିଛ।ଯାଚି ଦେଇଛ ମୋତେ ଅମାପ ସୁଖ ଶାନ୍ତି । ' ପୁଣି ତାଙ୍କୁ ଏମିତି କଥା ସବୁ କହିବାକୁ ଲାଗିଲି - ମିଠା ମିଠା ସ୍ବରରେ।  

        ସେ ତଥାପି ହସିଲେ ନାହିଁ ।ଟିକେ ବି ମୁର୍କି ହସିଦେଲେ ନାହିଁ।ବରଂ ନୀରବତା ଓ ଉଦାସୀନତାକୁ ମୁଁ ଭେଟୁଥିଲି ତାଙ୍କ ଠାରେ। 

        ସେ କ'ଣ ଭାବିନେଲେ କି ମୁଁ ଏସବୁ କଥା ତାଙ୍କୁ ନୁହେଁ,ମୋର ସହପାଠିନୀ ତନୁଶ୍ରୀଙ୍କୁ କହୁଛି ବୋଲି? ହେଲେ ବାସ୍ତବରେ ଏତେ ସବୁ ମିଠା ମିଠା କଥା ମୁଁ ତାଙ୍କୁ ହିଁ ତ କହୁଥିଲି।ସତ। ସେ କାହିଁକି ବୁଝି ପାରିଲେନି କେଜାଣି?କାହିଁକି?


Rate this content
Log in

Similar oriya story from Romance